Unknown

 

 

 

 

 

 

 

 

 

 

 

ମୁକ୍ତିର ଆହ୍ୱାନ

ଶ୍ରୀ ମୁରଲୀଧର ମଲ୍ଲିକ

 

ବର୍ଷକ ପରେ.....

ଦୁଇ ବରଷ ତଳେ ଲୋକ ସେବକ ମଣ୍ଡଳ ତରଫରୁ ଦୈନିକ ‘ସମାଜ’ ଅଧୀନରେ ମୁଁ ଯେତେବେଳେ ଦାସ-ଆପଣେଙ୍କ ବାଣୀ ଓ ଲେଖା ସଂଗ୍ରହର ଦାୟିତ୍ୱରେ ଥିଲି, ସେତେବେଳେ ବିଭିନ୍ନ ପତ୍ର ପତ୍ରିକାରୁ ଓଡ଼ିଶାବାସୀଙ୍କର ଉପାନ୍ତ ଅଞ୍ଚଳ ସମସ୍ୟା ଯେ କଣ, ତାର କିଞ୍ଚିତ ଆଭାସ ପାଇଥିଲି । ତା ପରେ ‘ନିଆଁଖୁଣ୍ଟା’କୁ ଆସି ଆଉ ଟିକିଏ ଅଧିକ ଜାଣିବାକୁ ସୁଯୋଗ ପାଇଲି । ତେଣୁ ବିଗତ ବର୍ଷ ମହାବିଷୁବ ସଂକ୍ରାନ୍ତି ଦିନ ଦାସ-ଆପଣେଙ୍କ ଜୀବନ ଦର୍ଶନ ସମ୍ୱଳିତ ଏକ ନାଟକ ‘ଅମରଜ୍ୟୋତି’କୁ ମୋ ଦେଶବାସୀଙ୍କ ହାତରେ ଦେଇଥିଲି । ଆଜି ବର୍ଷକ ପରେ ଉପାନ୍ତ ଅଞ୍ଚଳ ସଂପର୍କୀୟ ‘ମୁକ୍ତିର ଆହ୍ୱାନ’ ଉପନ୍ୟାସଟି ଦାସ-ଆପଣେଙ୍କ ପଞ୍ଚତ୍ରିଂଶତିତମ ଶ୍ରାଦ୍ଧ ବାସରରେ ପାଠକ ପାଠିକାମାନଙ୍କ ଆଗରେ ରଖିଲି ।

ଏ ଉପନ୍ୟାସଟି ପାଠକରି ମୋତେ କେହି କେହି ପ୍ରାଦେଶିକତା ଦୋଷରେ ଦୋଷୀ କରିପାରନ୍ତି; ମାତ୍ର ଦାସ ଆପଣେଙ୍କ ବାଣୀ ଅନୁସାରେ ମୁଁ ପ୍ରଥମେ ନିଜକୁ ଓଡ଼ିଆ ଏବଂ ପରେ ଭାରତୀୟ ବୋଲି ମନେ କରୁଥିବାରୁ ଜଣେ ଓଡ଼ିଆ ଭାବରେ ମୋର କର୍ତ୍ତବ୍ୟ ସଂପାଦନ କଲି ।

ଉପନ୍ୟାସର ଭଲ ମନ୍ଦ ସହୃଦୟ ପାଠକ-ପାଠିକାମାନେ ବିଚାର କରିବେ । ଅଳମତି ବିସ୍ତରେଣ ।

କଟକ

ବିନୀତ

ସନ ୧୩୭୦ ସାଲ

ଲେଖକ

ନେତ୍ରୋତ୍ସବ

 

 

 

 

 

 

ଉପାନ୍ତଅଞ୍ଚଳ ପାଇଁ ଯାହାଙ୍କ ଲେଖନୀ ଗତ ପଚିଶ ବର୍ଷ

ଧରି ନିରବଚ୍ଛିନ୍ନ ଭାବରେ ଗତି କରି ଆସୁଛି, ସେହି

ବିଶିଷ୍ଟ ସାହିତ୍ୟିକ ‘ନିଆଁଖୁଣ୍ଟା’ର ସଂପାଦକ ପୂଜ୍ୟ

ଗୋଦାବରୀଶ ମହାପାତ୍ରଙ୍କ

କରକମଳରେ

ଭକ୍ତିର ସହ

ଉତ୍ସର୍ଗ ।

 

ଶ୍ୟାମଳ ବନାନୀ । ବନମର୍ମରର ତାଳେ ତାଳେ ଖେଳି ଯାଇଛି ବସନ୍ତର ଉତ୍ସ । ବରଷକ ପରେ ସେ ଆସିଛି-କର୍ମକ୍ଳାନ୍ତ ମାନବ ପ୍ରାଣରେ ଖେଳିଯାଇଛି ଆନନ୍ଦର ଫୁଆରା । ଗଛ ଲତାରେ ଲାଗିଛି ବସନ୍ତର କାଉଁରୀ ପରଶ । ନୂଆ ପତ୍ରର ସବୁଜ ସମ୍ଭାରରେ ସେ ହସିଉଠିଛି । ମନମତାଣିଆ ଫୁଲର ସୁବାସରେ ପୂରି ଉଠିଛି ବନଭୂଇଁ । ତାରି ଭିତରେ କୋକିଳର କୂଜନ, ବନ ବିହଙ୍ଗର କାକଳୀ ସନ୍ଧାନ ଦେଉଛି ଏକ ନୂତନ ଜୀବନ ।

 

ଏହିଭଳି ଏକ ଗୋଧୂଳି ।

 

ଅଜିତ ତାର ମଟର ସାଇକେଲଟିକୁ ପୂରାଦମ୍‌ରେ ଛୁଟାଇ ଦେଇ । ବାଦାମ ପାହାଡ଼ର ଲୁହା ରୁଢ଼ିଆ ସଙ୍ଗରେ ମନ ତାର ରୁକ୍ଷ ଓ କର୍କଶ ହୋଇ ଉଠିଛି । କ୍ରେନ ଓ ଟ୍ରେନର ଉକଟ ଶବ୍ଦ ଶୁଣି ଶୁଣି ସେ ନିଜେ ଯେପରି ପାଲଟିଯାଇଛି ଏକ କଳଚାଳିତ ଯନ୍ତ୍ର । ପିଲାଟି ଦିନରୁ ସେ ସହରରେ ବଢ଼ିଆସିଛି । ସହରର ଚାକଚକ୍ୟ, ସିନେମା, କ୍ଳବ ଏ ସବୁ କି ଏତେ ଶୀଘ୍ର ଭୁଲି ହୁଏ ? ତେଣୁ ରବିବାରରେ ଅଫିସ ଛୁଟି ଥିବାରୁ ମନର ପରିବର୍ତ୍ତନ ପାଇଁ ସେ ଚାଲିଛି ନିକଟବର୍ତ୍ତୀ ସହରକୁ ।

 

ବାଦାମ ପାହାଡ଼ରୁ ଯଶୀପୁରକୁ ଯେଉଁ ସଡ଼କଟି ପଡ଼ିଛି ତାହା ଅନାଦି କାଳରୁ କିପରି ଥିଲା କେଜାଣି, ବର୍ତ୍ତମାନ ତାହାର କୌଣସି ବିକାଶ ହୋଇଛି ବୋଲି ମନେ ହୁଏନା । ପାହାଡ଼ କଟାଯାଇ ଯେଉଁ ଅଙ୍କାବଙ୍କା ରାସ୍ତାରେ ଯୋଗାଯୋଗା ରଖାଯାଇଛି ତାହାର ଦୁଇପାଖରେ ଉତ୍ତଙ୍ଗ ଗିରିମାଳା । ପାହାଡ଼ର ପାଦଦେଶ ନିବିଡ଼ ଅରଣ୍ୟାନିରେ ଶୋଭିତ । ହିଂସ୍ର ଶ୍ୱାପଦ ସଙ୍କୁଳ ସେହି ଗିରିପଥ ଦେଇ ଯାଉଁ ଯାଉଁ ବେଳେ ବେଳେ ଝାଡ଼ା ପତ୍ରର ଖସ୍‌ଖସ୍‌ ଶବ୍ଦରେ ଅଜିତ ଚମକିପଡ଼ି ଚାହୁଁଛି ପଛକୁ । ତଥାପି ସେ ଚାଲିଛି ।

 

ମନରେ ତାର ଦ୍ୱନ୍ଦ—

 

ଏ ପ୍ରକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଭଗବାନ ପୂର୍ଣ୍ଣ ସୁଯୋଗ ନ ଦେଲେ କାହିଁକି, ଏବଂ ତାକୁ ଶ୍ୱାପଦ ସଙ୍କୁଳ କଲେ କାହିଁକି ? ତେବେ ଏଇଟା କଣ ରୁଦ୍ରସୁନ୍ଦର ! ଭୀଷଣତା ନ ଥିଲେ ବୋଧହୁଏ ସୌନ୍ଦର୍ଯ୍ୟର କୌଣସି ମୂଲ୍ୟ ରହନ୍ତା ନାହିଁ । ଯଦି ଏହା ସତ୍ୟ ହୁଏ, ତେବେ ଶିବଙ୍କ ପାଖରେ ନ ଥିଲେ ଗୌରୀଙ୍କୁ ତ କେହି ସୁନ୍ଦରୀ କହନ୍ତେ ନାହିଁ !

 

ହଠାତ୍‌ ତାର ଭାବନାରେ ବାଧା ଆସିଲା । ରାସ୍ତାର ମୋଡ଼ରେ ଏକ ଟ୍ରକର ଧକ୍‌କାରେ ସେ ତଳେ ପଡ଼ିଗଲା ।

 

ଅଜିତର ଯେତେବେଳେ ଚେତନା ଫେରି ଆସିଲା, ସେତେବେଳେ ସେ ଦେହରେ ଭୀଷଣ ଯନ୍ତ୍ରଣା ଅନୁଭବ କଲା । ଧୀରେ ଧୀରେ ଆଖି ଫିଟାଇ ଚାରିଆଡ଼କୁ ଚାହିଁ ବୁଝିପାରିଲା ଯେ, ସେ ବର୍ତ୍ତମାନ ହସପିଟାଲରେ ଅଛି । ପାଖରେ ବସିଛି ଏକ ତନ୍ୱୀ । ଠିକ୍‌ ବୟସ ଜାଣି ନ ହେଲେ ମଧ୍ୟ ସତର ଅଠରଟି ବସନ୍ତ ତାର ଜୀବନରେ ବହି ଯାଇଥିବାର ସେ ଅନୁମାନ କଲା । ଲୁପ୍ତ ଚେତନ ତାର ଫେରି ଆସିଲା । ଗତ ଦୁର୍ଘଟଣା ବିଷୟ ମନେପକାଇ ଡାକ୍ତରଖାନା ଭିତରେ ବି ତାର ରୋମ ଟାଙ୍କୁରି ଉଠିଲା । ସେ ଉଠି ବସିବାକୁ ଉପକ୍ରମ କଲା । ମାତ୍ର ତରୁଣୀଟି ତାକୁ ଉଠିବାକୁ ନିଷେଧ କରି କହିଲା—ଦୁର୍ଘଟଣାରେ ରକ୍ତସ୍ରାବ ହେତୁ ଆପଣ ବର୍ତ୍ତମାନ ବଡ଼ ଦୁର୍ବଳ । ତେଣୁ ଉଠିବାକୁ ଚେଷ୍ଟା ନ କରି ଧୀର ସ୍ଥିର ଭାବରେ ଶୋଇ ରହନ୍ତୁ, ନଚେତ୍‌ ପୁଣି ରକ୍ତସ୍ରାବ ହୋଇପାରେ ।

 

ଅଜିତ ପଚାରିଲା—ଆପଣ କିଏ ?

 

ତରୁଣୀଟି ଉତ୍ତର ଦେଲା—ମୁଁ ଏ ଡାକ୍ତରଖାନାର ନର୍ସ । ଜଣେ ଟ୍ରକ ଡ୍ରାଇଭର ଆପଣଙ୍କୁ ଅଚେତ ଅବସ୍ଥାରେ ରାସ୍ତାରୁ ଆଣି ଏଠାରେ ଛାଡ଼ି ଦେଇଗଲା । ଡାକ୍ତରବାବୁ ଆପଣଙ୍କ ମୁଣ୍ଡରେ ବ୍ୟାଣ୍ଡେଜ କରି ମୋ ଦାୟିତ୍ୱରେ ଛାଡ଼ିଦେଇ ଯାଇଛନ୍ତି । ତାଙ୍କରି ନିର୍ଦ୍ଦେଶ ଅଛି—ଆପଣଙ୍କ ଚେତନା ଫେରିଆସିଲେ ତାଙ୍କୁ ଜଣାଇ ଦେବାକୁ । ମୁଁ ଆସୁଛି ଆପଣ ଟିକିଏ ଅପେକ୍ଷା କରନ୍ତୁ ।

 

ନର୍ସଟି ଚାଲିଗଲା । କିଛି ସମୟ ପରେ ଡାକ୍ତରଙ୍କ ସହ ପୁଣି ଫେରି ଆସିଲା । ଡାକ୍ତରବାବୁ ଇଞ୍ଜେକ୍‌ସନ ଦେଇ ନିଜ କାମରେ ଚାଲିଗଲେ ।

 

ଅଜିତର ବ୍ୟଥାତୁର ମନରେ ଖେଳିଗଲା ଭାବନାର ଢ଼େଉ । ଘରଦ୍ୱାର, ସ୍ନେହମୟୀ ଜନନୀଙ୍କୁ ଛାଡ଼ି ସେ ଆଜି ଏତେଦୂରରେ ଏପରି ଅସହାୟ ଅବସ୍ଥାରେ ପଡ଼ିଛି, କେହି ପଦେ ଆହା କରିବାକୁ ନାହିଁ । ଘରେ ଟିକିଏ ଝୁଣ୍ଟି ପଡ଼ିଲେ ମା’ କେଡ଼େ ବ୍ୟସ୍ତ ହୁଅନ୍ତି । ଆଜି ହୁଏତ ଏଠାରେ ଥିଲେ....

 

ତା ପରେ ସେ ଭାବି ପାରିଲା ନାହିଁ । ଆଖିରୁ ବୋହିଗଲା ଧାର ଧାର ଲୁହ । ନର୍ସଟି ଦୂରରେ ରହି ଏ ସବୁ ଲକ୍ଷ୍ୟ କରୁଥିଲା । ନାରୀ ସେ । ବିଶ୍ୱ ସ୍ନେହର ଆଧାର । ଏହା ସହନ୍ତା କିପରି-? ଅଜିତର ଦୁର୍ବଳ ମନକୁ ସାନ୍ତ୍ୱନା ଦେବା ପାଇଁ ସେ ଚାଲିଆସିଲା ତାର ନିକଟକୁ । ପଚାରିଲା-ବଡ଼ କଷ୍ଟ ହେଉଛି–ନୁହେଁ ?

 

ଅଜିତ କେବଳ ହୁଁ ମାଇଲା ।

 

ତା ପରେ ଏଣୁ ତେଣୁ କଥାବାର୍ତ୍ତା କରି ସେ ଜାଣିପାରିଲା—ଅଜିତର ଘର ସୁଦୂର ପୁରୀ ସହରରେ । ସେ ଜାତିରେ ବ୍ରାହ୍ମଣ । ଘରେ ତାର ମାଆ, ଭାଇ ଓ ଭାଉଜ ଅଛନ୍ତି, ଏଠି କେବଳ ଜଣେ ଚାକର ଅଛି । ଏମ. ଏ. ପାଶ କରି ଜଣେ ବନ୍ଧୁଙ୍କ ସାହାଯ୍ୟରେ ସେ ଟାଟା କମ୍ପାନୀରେ ଚାକିରି କରିଛି । ତାର ମାଆ ତାକୁ ଖୁବ୍‌ ସ୍ନେହ କରନ୍ତି । ମାଆ କଥା ମନେ ପଡ଼ିବାରୁ ସେ କାନ୍ଦିଲା ।

 

ଅଜିତ ପିଲାଟି ଦିନରୁ ବଡ଼ ଲାଜକୁଳା । ମାଆ ବ୍ୟତୀତ କୌଣସି ନାରୀ ସହିତ ଆଳାପ କରିବା ଏଇ ତାର ପ୍ରଥମ । ଏପରିକି ଘରେ ତାର ଭାଉଜ କେତେବେଳେ ତା ସହିତ କଥାବାର୍ତ୍ତା କଲେ ସେ ତଳକୁ ଚାହିଁ ଖୁବ୍‌ ସଂକ୍ଷେପରେ ଉତ୍ତର ଦିଏ । ସେଥିପାଇଁ ଭାଉଜ ତାକୁ ବୃହନ୍ନଳା ବୋଲି ଡାକନ୍ତି । ଅନେକ ସମୟରେ ପରିହାସରେ ତାର ବହିପତ୍ର ମଧ୍ୟ ଲୁଚାଇ ଦିଅନ୍ତି । ମାତ୍ର ଅଜିତ ତାଙ୍କୁ କିଛି କହେନା । ତାର ସବୁ ଆପତ୍ତି ମାଆଙ୍କ ନିକଟରେ । ଅଜିତର ଧାରଣା ତା ମାଆହିଁ ଏକ ମାତ୍ର ସ୍ନେହର ଭଣ୍ଡାର । ବର୍ତ୍ତମାନ ଏହି ତରୁଣୀଟିର ଆନ୍ତରୀକତାରେ ସେ ଏତେଦୂର ମୁଗ୍‌ଧ ହୋଇ ପଡ଼ିଲାଯେ, ତା ସହିତ କିଛି କଥାବାର୍ତ୍ତା ନ କଲେ କାଳେ ଅଭଦ୍ରାମୀ ହେବ, ଏଥିପାଇଁ ପଚାରିଲା-ଆପଣଙ୍କ ନାମ ?

 

—ବାସନ୍ତୀ । ଏକ ସଂକ୍ଷିପ୍ତ ଉତ୍ତର ।

 

ତାପରେ ନର୍ସ ନିଜର ହାତଘଡ଼ି ଦେଖି କହିଲା–ବର୍ତ୍ତମାନ ମୋର ସମୟ ହୋଇ ଗଲାଣି, ଆପଣ ଧିର ସ୍ଥିର ଭାବରେ ଥାଆନ୍ତୁ ମୁଁ କାଲି ପୁଣି ଆସିବି ।

 

ସହସା ଅଜିତର ନୈରାଶ୍ୟ ଆସିଗଲା । ସେ କଣ କରିବ ବୁଝି ନ ପାରି କହିଲା—ମୁଁ ଏଠାରେ ରହିଲେ ମରିଯିବି । ମୋତେ ମୋ ବସାକୁ ପଠାଇ ଦିଅନ୍ତୁ ।

 

ନର୍ସର ମୁହଁରେ ସ୍ମିତ ହସ ଖେଳିଗଲା । ଏ ହସ କରୁଣାର କି ପରିହାସର ତାହା ଅଜିତ ଲକ୍ଷ୍ୟ କରି ପାରିଲା ନାହିଁ । ଯଥା ସମ୍ଭବ ସେ ନିଜକୁ ସଂଯତ କରି ଉତ୍ତର ଦେଲା—କାହିଁକି, ଏଠାରେ ତ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ ? ବରଂ ବସାକୁ ଗଲେ ଘା’ ଧୋଇବାରେ ଅସୁବିଧା ହେବ ।

 

ଅଜିତ କହିଲା—ଅସୁବିଧା ନ ହେବ କିପରି ? ମୁଁ ଶୁଣିଛି ଡାକ୍ତରଖାନାରେ ଜାତିଭେଦ ନଥାଏ । ମୁଁ ଏଠାରେ ଖାଇବି କଣ ?

 

—ଆପଣ କଣ ଜାତିଭେଦ ମାନନ୍ତି ?

 

—ହଁ, ମାଆ ବଡ଼ ନୈଷ୍ଠିକ । ସେ ମୋତେ ପିଲାଟି ଦିନରୁ ସେହି ଉପାଦାନରେ ଗଢ଼ି ଆଣିଛନ୍ତି । ନିଜର ପୂଜାରୀ ଓ ମାଆଙ୍କ ରନ୍ଧା ବ୍ୟତୀତ ମୁଁ କେବେ ହୋଟେଲରେ ବି ଖାଇନାହିଁ ।

 

—ଆପଣ କଣ ଏହା ପୂର୍ବରୁ କେବେ ବିଦେଶ ଯାଇନାହାନ୍ତି ?

 

—ନାଁ, ଏଇ ମୋର ପ୍ରଥମ ବିଦେଶଯାତ୍ରା ।

 

—ଏଠି ଆପଣ ଚଳନ୍ତି କିପରି ?

 

—ସାଙ୍ଗରେ ମୋର ପୂଜାରୀ ଅଛି । ସେ ରୋଷେଇ କରେ ଏବଂ ମୋର ସମସ୍ତ ଖବର ବୁଝେ । ସେଥିପାଇଁ କୌଣସି ଅସୁବିଧା ହୁଏ ନାହିଁ ।

 

ନର୍ସ ଚିନ୍ତିତ ହୋଇ ପଡ଼ିଲା । ନିଜର ଅସହାୟତା ଜଣାଇ ସେ କହିଲା—ମୁଁ କଣ କରିବି ? ଆଜି ରାତିଟା ଆପଣ ଅପେକ୍ଷା କରନ୍ତୁ, ମୁଁ କାଲି ଲୋକ ପଠାଇ ଆପଣଙ୍କ ପୂଜାରୀକୁ ଖବର ଦେବି ।

 

ନାଁ ସେପରି କରିବେ ନାହିଁ । ସେ ହୁଏତ ଏ ଖବର ପାଇଲେ ଘରକୁ ଟେଲିଗ୍ରାମ କରିଦେବ । ମାଆ ବଡ଼ ବ୍ୟସ୍ତ ହୋଇ ପଡ଼ିବେ । ଏତିକି କହି ସେ ପୁଣି କାନ୍ଦି ପକାଇଲା । ତାର ହୃଦୟର ଦୁର୍ବଳତା ଏବଂ ଅସହାୟତା ଦେଖି ନର୍ସ ଯେତିକି ବିରକ୍ତ ହେଲା ସେତିକି ବିଚଳିତ ହୋଇପଡ଼ିଲା । ଶେଷରେ ଅନ୍ୟ ଉପାୟ ନ ଦେଖି ହସପିଟାଲରୁ ବିଦାୟ ନେଇ ଚାଲିଯିବାକୁ ତାକୁ ପରାମର୍ଶ ଦେଲା । ଅଜିତ ଡାକ୍ତରଙ୍କଠାରୁ ଅନୁମତି ନେଇ ପଦାକୁ ବାହାରି ଆସିଲା ।

 

ଡାକ୍ତରଖାନାର ପୂର୍ବ ପଟକୁ ପାହାଡ଼ିଆ ନଈଟିଏ । ପାହାଡ଼ର ପାଣି ତାରି ଭିତର ଦେଇ ବହିଯାଏ ଉତ୍ତରକୁ ସୁବର୍ଣ୍ଣରେଖାରେ ମିଶିବା ପାଇଁ । ବର୍ଷା ଋତୁର ଦୁଇଟି ମାସ ଛାଡ଼ିଦେଲେ ଅନ୍ୟ ସମୟ ଶୁଖିଲା । ତଥାପି ସେଇ ଦୁଇଟି ମାସରେ ତାର ଉତ୍ପାତରୁ ରକ୍ଷା ପାଇବା ପାଇଁ ତିଆରି ହୋଇଛି ପଥରର ବନ୍ଧ । ନଈ ଉପରେ ଏକ ସେତୁ ସହରର ଦୁଇଭାଗ ସହିତ ଯୋଗାଯୋଗ ରଖିପାରିଛି । ତାରି କୂଳରେ ଧାଡ଼ି ଧାଡ଼ି ହୋଇ କେତୋଟି ଘର । ସେଗୁଡ଼ିକ ନର୍ସମାନଙ୍କ କ୍ୱାର୍ଟର-। ଅଜିତକୁ ସଙ୍ଗରେ ନେଇ ବାସନ୍ତୀ ଚାଲିଲା ନିଜର କ୍ୱାର୍ଟରକୁ । ଘରର ତାଲା ଫିଟାଇ ସେ ବତୀ ଲଗାଇ ଦେଲା । ଅଜିତ ଦେଖିଲା-କ୍ୱାର୍ଟରରେ ଦୁଇଟିଘର । ଗୋଟିଏ ବାସନ୍ତୀର ଶୋଇବା ଘର ଓ ଅନ୍ୟଟି ରୋଷେଇଘର । ମଝିରେ ଏକ ଛୋଟ ଅଗଣା । ଦାଣ୍ଡ ମେଲାଟି ତାର ଡ୍ରେସିଂରୁମ-। ସେଇଠି ତାର ଶୋଇବାର ବ୍ୟବସ୍ଥା କରି ବାସନ୍ତୀ ଚାଲିଗଲା ହୋଟେଲକୁ ।

 

ବାସନ୍ତୀ ଜଣେ ଅଜିତ ନୈଷ୍ଠିକ ବ୍ରାହ୍ମଣଘରର ପିଲା । ଜାଣିଶୁଣି ତାର ଅସହାୟତାର ସୁଯୋଗ ନେଇ ନିଜ ହାତରେ ଖାଇବାକୁ ଦେବାକୁ ଭଲ ମନେ କଲା ନାହିଁ । ହୋଟେଲର ବ୍ରାହ୍ମଣ ପୂଜାରୀ ଦ୍ୱାରା ଖାଦ୍ୟ ଆଣି ଖାଇବାକୁ ଦେଲା ।

 

ଯେଉଁ ସଂସାରର ମାୟା ମମତା ତୁଟାଇ ବାସନ୍ତୀ ଆଜି ନର୍ସ କାମ କରୁଛି, ପୁଣି ନିଜର ଅଜଣାରେ ସେ ପଶିଗଲା ସେଇଥିରେ—ମାତ୍ର ଏଥିରେ ତାର ଆତ୍ମତୃପ୍ତି ବା ବାସନା ନ ଥିଲା । ନାରୀ ସେ, ସେବାବ୍ରତ ନେଇଛି । ସେବାହିଁ ତାର ଜୀବନର ବ୍ରତ । ତେଣୁ ଜଣେ ନିରୀହ ଓ ନିଃସହାୟ ରୋଗୀର ସେବା ଯେପରି ପବିତ୍ର ଭାବରେ କରାଯାଏ ସେଥିରେ ତାର କୌଣସି ତୃଟି ରହିଲା ନାହିଁ । ପରଦିନ ସୂର୍ଯ୍ୟ ଉଦୟ ସଙ୍ଗେ ସଙ୍ଗେ ଅଜିତ ଚାଲିଗଲା ନିଜର କର୍ମକ୍ଷେତ୍ରକୁ ଏବଂ ବାସନ୍ତୀକୁ କୃତଜ୍ଞତା ଜଣାଇ ଅନୁରୋଧ କରିଗଲା ତାର ବସାକୁ ଯିବାପାଇଁ ।

 

ପୁଣି ଏକ ରବିବାର । ଅଜିତ ଅଫିସ କାମରେ ବାହାରି ଯାଇଥାଏ ଦୂରକୁ । ବାସନ୍ତୀ ପହଞ୍ଚିଲା ଅଜିତର ବସାରେ । ଦ୍ୱିପ୍ରହରେ ପୂଜାରୀ ରୋଷେଇ ସାରି ଅଜିତର ଅପେକ୍ଷାରେ ବସିଥାଏ । ବାସନ୍ତୀ ପଚାରିଲା—ଏଇଟା କଣ ଅଜିତ ବାବୁଙ୍କ ଘର ?

 

—ହଁ,

 

—ବାବୁ କାହାନ୍ତି ?

 

—କୁଆଡ଼େ ଦୂରକୁ ଯାଇଛନ୍ତି ।

 

–କେତେବେଳେ ଫେରିବେ ?

 

—ମୁଁ ଠିକ୍‌ କହି ପାରିବି ନାହିଁ । ତେବେ ଟିକିଏ ଡେରି ହୋଇପାରେ । ତାପରେ ସେ ପଚାରିଲା-ଆପଣଙ୍କର କଣ ଦରକାର ଥିଲା ?

 

—ମୋର ବାବୁଙ୍କ ପାଖରେ କାମ ଅଛି !

 

ରୂପସୀ ତରୁଣୀ । ପୁଣି ବାବୁଙ୍କ ପାଖରେ କାମ । ଏଇ କେତୋଟି କଥାରେ ତାର ହୃଦୟ ଆନ୍ଦୋଳିତ ହୋଇ ପଡ଼ିଲା, ତଳ ଉପରକୁ ଚାହିଁ ସେ କେତେ କଣ ଭାବିଲା । ତା ଜୀବନରେ ସେ ବାଉନଟି ବର୍ଷ ଭୋଗ କଲାଣି, କଳିଷଠା ଷାଠିଏକୁ ଆଉ ଆଠଟି ବର୍ଷ ମାତ୍ର ବାକି-। ଏ ସମୟ ଭିତରେ ଦୁନିଆକୁ ଚିହ୍ନିବାକୁ ତାର କଣ ଆଉ ବାକି ଅଛି । ମନଟା କି ଏକ ଅଜଣା ଆଶଙ୍କାରେ ଦୋହଲିଗଲା । ସେ ଆସିବା ଦିନ ମା’ ତାକୁ କେତେକରି ବୁଝାଇ ଥିଲେ-। ଘରର ବିଶ୍ୱାସୀ ପୂଜାରୀ ବୋଲି ସେ ଅଜିତର ସଂପୂର୍ଣ୍ଣ ଦାୟିତ୍ୱ ଦେଇ କହିଥିଲେ—ଅଜିତ ପିଲାଲୋକ-। ସେ ସଂସାରର ଭଲମନ୍ଦ କିଛି ଜାଣେ ନାହିଁ, ତୁ ତାର ସମସ୍ତ ଦାୟିତ୍ୱ ନେବୁ । ସେ କାଳର ଦୁନିଆତ ଆଉ ନାହିଁ । ବର୍ତ୍ତମାନ ଦୁନିଆର ପଥ ଖସଡ଼ା । ପାଦେ ପାଦେକେ ଗୋଡ଼ ଖସିଯିବାର ଭୟ ଅଛି-। ଏଣୁ ସତର୍କ ହୋଇ ଚଳିବୁ ।

 

ପୂଜାରୀ ପୁଣି ଥରେ ପୁରୁଣା କଥାଗୁଡ଼ାକ ମନ ଭିତରେ ଦୋହରାଇ ନେଲା । ମନ ଭିତରେ ତାର ସନ୍ଦେହ ଜାଗିଉଠିଲା । ବିଶେଷତଃ ବାବୁଙ୍କ ସହିତ ତାର ପରିଚୟ କେଉଁ ସୂତ୍ରରୁ କିପରି ହେଲା ସେ ଠିକ୍‌କରି ପାରିଲା ନାହିଁ । ବାବୁଙ୍କର ଭବିଷ୍ୟତ ପାଇଁ ସେ ଚିନ୍ତିତ ହୋଇପଡ଼ିଲା-। ତାର ଅନ୍ୟମନସ୍କତା ଲକ୍ଷ୍ୟକରି ବାସନ୍ତୀ ପଚାରିଲା—ନନା ! କଣ ଭାବୁଛ କି ?

 

—ନାଁ କିଛି ନୁହେଁ ! ଆପଣ ଏଇ ଘରେ ଅପେକ୍ଷା କରନ୍ତୁ ।

 

ବାସନ୍ତୀ ଅଜିତର ଶୋଇବା ଘର ଭିତରକୁ ପଶିଗଲା ।

 

ଘରଟି ପକ୍‌କା ହେଲେ ବି ଆକାରରେ ଖୁବ୍‌ ଛୋଟ । ଗୋଟିଏ ପାଖରେ ଖଣ୍ଡିଏ ତକ୍ତପୋଷ । ଖଟ ବାଡ଼କୁ ଲାଗି ଅଲଗୁଣା । ଲୁଗାପଟା, ବହିପତ୍ର ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଛି । ଖଟତଳେ ଅଳିଆ ଜମା । ତା ଭିତରେ ଦୁଇ ଚାରିଟି ବୁଢ଼ୀଆଣୀ ବସାବାନ୍ଧି ମହା ଆରାମରେ ଶିକାର ଅପେକ୍ଷାରେ ଅଛନ୍ତି । ଘରର ଏପରି ଦୁରାବସ୍ଥା ବାସନ୍ତୀକୁ ଅସହ୍ୟ ବୋଧ ହେଲା । ସେ ନିପୁଣ ଗୃହିଣୀ ଭାବରେ କାମରେ ଲାଗିଗଲା । ପ୍ରଥମେ ଲୁଗାପଟା ଭାଙ୍ଗିକରି ଅଲଗୁଣାରେ ରଖିଲା । ତା ପରେ ବହିପତ୍ରଗୁଡ଼ିକ ଟେବୁଲ ଉପରେ ସଜାଇଦେଇ ଘର ପରିଷ୍କାରରେ ଲାଗିଗଲା । ତାର ଅଲକ୍ଷ୍ୟରେ ପୁଝାରୀ ଯେ କେତେବେଳେ ଆସି ଏ କାର୍ଯ୍ୟ ଦେଖୁଛି ତାହା ତାକୁ ଅଜଣା । ସମସ୍ତ କାର୍ଯ୍ୟ ଶେଷକରି ଯେତେବେଳେ ସେ ପଛକୁ ଚାହିଁଲା-ଦେଖିଲା, ଦୁଇଟି ସନ୍ଦିଗ୍‌ଧ ଆଖି ଅତି ସତର୍କତା ସହିତ ତାକୁ ଚାହିଁ ରହିଛି । ନିଜ କାର୍ଯ୍ୟରେ ସେ ନିଜେ ମଧ୍ୟ ବିସ୍ମିତ ଓ ଲଜ୍ଜିତ ହୋଇପଡ଼ିଲା ।

 

ବାସନ୍ତୀର ଏ ପ୍ରକାର କାମରେ ପୂଝାରୀର ପୁଞ୍ଜିଭୂତ ସନ୍ଦେହ ବେଳକୁବେଳ ଦୃଢ଼ତର ହେଲା । ଅବାଞ୍ଛିତ ଭାବରେ ଜଣେ ଅପରିଚିତା ଯୁବତୀ ଜଣେ ଯୁବକର ଘରେ ପଶି ଅତି ଆପଣାର ଲୋକପରି ଘରଦ୍ୱାର ସଜାଇବା ତା ମନରେ କୌତୁହଳ ଜଗାଇଦେଲା । ମାତ୍ର ଏ ସନ୍ଦେହକୁ ସେ ଚାପିରଖି ବାସନ୍ତୀକୁ ବସିବାକୁ କହି ତାର ଜୀବନ କାହାଣୀ ଜାଣିବାକୁ ଯତ୍ନ କଲା । ସାମୟିକ ଆଳାପ ଆଲୋଚନା ପରେ ସେ ଜାଣିପାରିଲା ଯେ, ବାସନ୍ତୀ ଜଣେ ଖ୍ରୀଷ୍ଟିଆନ ଓଡ଼ିଆ ଯୁବତୀ । ତାର ନିଜର କେହି ନାହାନ୍ତି । ପୂଝାରୀର ଧୌର୍ଯ୍ୟଚ୍ୟୁତ ହେଲା । ସେ ବାସନ୍ତୀକୁ କହିଲା–ଆପଣ ଜାଣନ୍ତି ନାହିଁ ଆମର ବ୍ରାହ୍ମଣ ଘର । ଆମର ସ୍ୱତନ୍ତ୍ର ଧର୍ମ ଓ ସମାଜ ଅଛି-। ଆପଣ ଏପରି ଭାବରେ ଆମ ଘରକୁ ଆସିଲେ ସମାଜ ଧରିବ । ଶେଷରେ ବାବୁ ମହା ହଇରାଣରେ ପଡ଼ିବେ । ତାର ଏ କଥା ସତ୍ୟ ହେଲେ ମଧ୍ୟ ବାସନ୍ତୀକୁ କଟୁ ବୋଧହେଲା । ସେ ନିଜକୁ ସଂଯତ କରି ପୂଝାରୀକୁ କହିଲା—ଆଚ୍ଛା, ବାବୁ ଆସିଲେ କହିଦେବୁ । ମୁଁ ଯାଉଛି ।

 

ବାସନ୍ତୀ ଚାଲିଯିବା ସଂଗେ ସଂଗେ ଅଜିତ ଆସି ପହଞ୍ଚିଲା ବସାରେ । ଘରର ସାଜ ସଜ୍ଜା ଦେଖି ସେ ପ୍ରଥମେ ଚମକୃତ ହେଲା । ତାପରେ ପୂଝାରୀକୁ ପଚାରି ବୁଝିଲାଯେ, କିଏ ଜଣେ ସ୍ତ୍ରୀ ଲୋକ ତାଙ୍କ ସହ ସାକ୍ଷାତ କରିବାକୁ ଆସିଥିଲା । ସେ ତାକୁ ଆଣି ଘରେ ବସାଇଥିଲା । ସେହି ସ୍ତ୍ରୀ ଲୋକଟି ନିଜେ ନିଜେ ଏ କାମ କରିଛି । ମାତ୍ର ସେ ବିଜାତୀୟ ଲୋକ ଥିବାରୁ ପୂଝାରୀ ତାକୁ ଏଠାକୁ ଆସିବାକୁ ମନା କରିଦେଲା । ସେ ଚାଲି ଯାଇଛି ।

 

ସେ ସ୍ତ୍ରୀ ଲୋକଟି କିଏ ହୋଇପାରେ ଏକଥା ବୁଝିବାପାଇଁ ଅଜିତକୁ ଆଉ ବାକି ରହିଲା ନାହିଁ । ମାତ୍ର ପୂଝାରୀର ଏ ପ୍ରକାର ବ୍ୟବହାରରେ ସେ ଅପମାନିତ ହୋଇଥିବେ ଭାବି କ୍ରୋଧରେ ଲାଲ ପଡ଼ିଗଲା । ପୂଝାରୀ ଭାବିଥିଲା, ଜଣେ ଖ୍ରୀଷ୍ଟିଆନ ରମଣୀକୁ ଘରୁ ତଡ଼ିଦେବା ଦ୍ୱାରା ବାବୁ ତା ଉପରେ ସନ୍ତୁଷ୍ଟ ହେବେ । ମାତ୍ର ଅଜିତର ଆରକ୍ତ ମୁଖମଣ୍ଡଳ ଏବଂ ଘୃଣାଚକ୍ଷୁ ଦେଖି ସେ ପୁଣି କହିଲା—ମା’ ଆସିବା ବେଳେ ମୋତେ ଆପଣଙ୍କ ଦାୟିତ୍ୱ ଦେଇ ପଠାଇଥିଲେ । ଆପଣଙ୍କର ସ୍ୱତନ୍ତ୍ର ଧର୍ମ ଓ ସମାଜ ଅଛି । ସେ ସବୁ ଦେଖିବା ବି ମୋର କାମ । ଏହା ଯଦି ଆପଣଙ୍କୁ ଭଲ ନ ଲାଗିଲା ତେବେ ମୁଁ ମାଆଙ୍କ ପାଖକୁ ଆଜି ଲେଖି ଦେଉଛି, ସେ ଉତ୍ତର ଦେଲେ ମୁଁ ଚାଲିଯିବି । ତାର ଏପ୍ରକାର କଥାରେ ଅଜିତ ନିଜକୁ ଆଉ ସଂଯତ କରି ପାରିଲା ନାହିଁ । କେବଳ ଏତିକି କହିଲା–‘‘ଶିକ୍ଷା ନଥିଲେ ମଧ୍ୟ ମଣିଷ କୃତଜ୍ଞତା ଟିକିଏ ଶିଖିଥାଏ, ସେତକ ବି ତୋ ପାଖରେ ନାହିଁ-। ଏହି ସପ୍ତାହକ ଆଗରୁ ଯେ ନ ଖାଇ ନ ପିଇ ମୋତେ ମୃତ୍ୟୁ ମୁଖରୁ ଟାଣି ଆଣିଥିଲା ତା ପ୍ରତି ଏ ପ୍ରକାର ବ୍ୟବହାର କରିବାକୁ ମାଆ ବୋଧହୁଏ କହି ନଥିବେ’’ ଏତିକି କହି ସେ ଉତ୍ତରର ଅପେକ୍ଷା ନ ରଖି ସେହି ଅଫିସ ପୋଷାକରେ ବାସନ୍ତୀର ବସା ଆଡ଼େ ଚାଲିଗଲା ।

 

ଝିଲ୍ଲୀ ଝଙ୍କାରୀତ ସେଇ ଦ୍ୱିପହରବେଳେ ବାସନ୍ତୀ ଦାଣ୍ଡ ମେଲାରେ ବସି ଏକ ମାସିକ ପତ୍ରର ପୃଷ୍ଠା ଓଲଟାଉଥିଲା । ଦୁଃଖର ଆଘାତରେ ଭାଙ୍ଗି ପଡ଼ିବା ତାର ସ୍ୱଭାବ ବିରୁଦ୍ଧ ହୋଇଥିଲେ ବି ଆଜିକାର ଏ ଘଟଣା ତା ମନରେ କମ୍‌ ପ୍ରଭାବ ପକାଇ ନ ଥିଲା । ଅନ୍ୟମନସ୍କ ଭାବରେ ସେ ପତ୍ରିକାର ପୃଷ୍ଠା ଗୁଡ଼ିକ ଲେଉଟାଇ ଭାବୁଥିଲା-ଏ ସଂସାରଟା କି ଉପାଦାନରେ ଗଢ଼ା ! ଏଇ ଅବସରରେ ଅଜିତ ଯେ କେତେବେଳେ ତା ନିକଟରେ ପହଞ୍ଚି ଯାଇଛି ତାହା ତାକୁ ଜଣାନାହିଁ । ହୃଦୟର କୋହକୁ ସମ୍ଭାଳି ନେବା ପାଇଁ ସେ ଯେତେବେଳେ ପତ୍ରିକାର ପୃଷ୍ଠାରୁ ମୁହଁ ଉଠାଇ ଦୀର୍ଘ ନିଶ୍ୱାସ ଛାଡ଼ିଲା—ସେତେବେଳେ ସେ ଦେଖିପାରିଲା ଅଜିତକୁ । ଅଫିସ ପୋଷାକରେ ତାକୁ ନିଜ ଘରେ ଦେଖି ସେ ମୁହୂର୍ତ୍ତକ ମଧ୍ୟରେ ସମସ୍ତ ଠଉରେଇ ନେଲା । ସଂଗେ ସଂଗେ ଖଟ ଉପରେ ବିଛଣା ପକାଇ ତାକୁ ବିଶ୍ରାମ ନେବାକୁ କହି ସେ ଚାଲିଗଲା ବାହାରକୁ ।

 

ଅଜିତ କମିଜଟା ଦେହରୁ କାଢ଼ି ଟେବୁଲ ଉପରୁ ଉଠାଇ ନେଲା ମାସିକ ପତ୍ରିକାଟି । ପୃଷ୍ଠାଗୁଡ଼ିକ ଖେଳାଉ ଖେଳାଉ ଗୋଟିଏ ସ୍ଥାନରେ ଲାଲ ପେନସିଲର ଚିହ୍ନ ଦେଖି ତାହାରି ଉପରେ ଆଖି ପକାଇଲା ଜଣେ ମହାପୁରୁଷଙ୍କର ଗୋଟିଏ ଉପଦେଶ—‘‘ମନୁଷ୍ୟର ନିର୍ମାଣ ଯେଉଁ ଉପାଦାନ ବା ନକ୍‌ସା ଉପରେ ହୋଇଛି ତାହା ମାନବିକତା ବା ସତ୍ୟର ନକ୍‌ସା । ଯେଉଁ ଲୋକ ପ୍ରକୃତ ସୁଖକୁ ପାଇବା ପାଇଁ ଆଗ୍ରହୀ, ତାକୁ କୃତଜ୍ଞ, ସରଳ ଓ ସତ୍ୟବାଦୀ ହେବାକୁ ପଡ଼ିବ । ନଚେତ୍‌ ସୁଖର ପକ୍ଷୀ ଲାଗିଯିବ ଏବଂ ସେ ଉଡ଼ିଯିବ ।’’

 

ଜଣେ ବ୍ରାହ୍ମଣ ପିଲା ଜଳଖିଆ ଥାଳିଟି ଆଣି ଟେବୁଲ ଉପରେ ଥୋଇଦେଲା । ବାସନ୍ତୀ ତା ପଛେ ପଛେ ଆସି ଅଜିତକୁ ଖାଇବା ପାଇଁ ଅନୁରୋଧ କଲା । ଅଜିତ ଖାଇ ବସିଲା । ମାତ୍ର ମହାପୁରୁଷଙ୍କର ସେ ଉପଦେଶଟି ଭୁଲି ପାରିଲା ନାହିଁ । ଆଜି ଏଇ ସାମାନ୍ୟ ଝିଅଟି ପାଖରେ ସେ ନିଜକୁ ଖୁବ୍‌ ଛୋଟ ମନେକଲା । ରାଗ ନାଇଁ, ଘୃଣାନାହିଁ—ସଂଗେ ସଂଗେ ଏତେବଡ଼ ଅପମାନ ପାଇ ଯେଉଁ ଝିଅ ସେ ସମସ୍ତ ଭୁଲି ହସି ହସି ନିଜର କର୍ତ୍ତବ୍ୟରେ ଆଗେଇ ଯାଉଛି ସେ ଯେ ପ୍ରକୃତ ସୁଖର ଅଧିକାରୀ ଏଥିରେ ତାର ତିଳେ ମାତ୍ର ସନ୍ଦେହ ରହିଲା ନାହିଁ ।

 

ପନ୍ଦରଦିନ ପରେ–ଅଜିତ କମ୍ପାନୀ ତରଫରୁ ଏକ ଟ୍ରେନିଂ ନେବାପାଇଁ ସାତ ଦିନ ସକାଶେ ବାହାରକୁ ଚାଲିଗଲା । ଗଲାବେଳେ ନୂଆ ଯାଗାରେ ସାବଧାନ ହୋଇ ଚଳିବାକୁ ଏବଂ କାହାରି ସହିତ କଳିଗୋଳ ନ କରିବାକୁ ପୂଝାରୀକୁ ବୁଝାଇଦେଇ ଗଲା । ତା ଯିବାର ଦୁଇଦିନ ପରେ ବାସନ୍ତୀ ଆସି ଦେଖେଯେ ଘର ଶୁନ୍‌ଶାନ୍‌ । କାହାରି ଶବ୍ଦ ନାହିଁ । ସଦର ଦୁଆରରେ ହାତ ଦେବା ମାତ୍ରେ ତାହା ଖୋଲିଗଲା । ନାନା ସନ୍ଦେହ ଓ ଆଶଙ୍କାରେ ସେ ଘର ଭିତରକୁ ଚାହିଁ ଯାହା ଦେଖିଲା, ସେଥିରେ ତାର ଆପାଦ ମସ୍ତକ ଥରି ଉଠିଲା ।

 

‘‘ଘରର ଗୋଟିଏ କୋଣରେ ପୂଝାରୀ ଅଚେତ ଅବସ୍ଥାରେ ପଡ଼ିଛି । ଘର ଭୀଷଣ ଦୁର୍ଗନ୍ଧ ଓ ଅପରିଷ୍କାର ଝାଡ଼ା ଓ ବାନ୍ତିରେ । ପୂଝାରୀର ବିଛଣା ଭିଜି ଯାଇଛି ।’’ ଆଖ ପାଖରେ କଲେରା ବ୍ୟାପିଥାଏ । ତେଣୁ ସେ ଯେ କଲେରାରେ ପଡ଼ିଛି ଏକଥା ବୁଝିବାକୁ ଆଉ ବାସନ୍ତୀର ବାକି ରହିଲା ନାହିଁ । ତାର ସେବା ମନୋବୃତ୍ତି ଜାଗି ଉଠିଲା । ସେ ସଙ୍ଗେ ସଙ୍ଗେ ପୂଝାରୀର ଲୁଗାପଟା ବଦଳାଇ ଆଉ ଗୋଟିଏ ବିଛଣାରେ ଶୁଆଇଦେଲା ଏବଂ ନିଆଁଆଣି ସେକ ଦେଲା । ପୂଝାରୀର ଚେତନା ଫେରି ଆସିଲା ପରେ ବାସନ୍ତୀ ଔଷଧର ବ୍ୟବସ୍ଥା କରି ଘର ଦ୍ୱାର ସଫା କରିବାରେ ଲାଗିଗଲା ।

 

ଏ ସବୁ କାର୍ଯ୍ୟ ସାରିବାବେଳକୁ ସୂର୍ଯ୍ୟଦେବ ଅସ୍ତାଚଳ ଶିଖରେ ବିଜେ କଲେଣି । ବାସନ୍ତୀ ଗାଧୋଇ ସାରି ଘରର ବାରନ୍ଦାରେ ଅସ୍ତଗାମୀ ସୂର୍ଯ୍ୟର ଲୋହିତ କିରଣରେ ନିଜର ବିକ୍ଷିପ୍ତ କେଶଗୁଛ ଶୁଖାଇ ଦେଲା ।

 

ଦିନକ ପରେ ପୂଝାରୀର ଚେତନା ଫେରି ଆସିଲା । ବାସନ୍ତୀକୁ ନିଜ ପାଖରେ ଦେଖି ପରଦିନର ନିଜ ଦୁର୍ଦ୍ଦଶା କଥା ତାର ମନେ ପଡ଼ିଲା । ଚିନ୍ତାହିଁ ଚିନ୍ତାର ଜନକ । ଗୋଟିଏ ଚିନ୍ତା କରିବାକୁ ଯାଇ ସେ ଅତୀତର ସମସ୍ତ ଭାବନାକୁ ଅଡ଼ୁଆ ସୂତା ପରି ଦରାଣ୍ଡିବାରେ ଲାଗିଲା । ବାସନ୍ତୀ ପ୍ରତି ତାର ଦୁର୍ବ୍ୟବହାର ବିଷୟ ମନେ ପଡ଼ିବାରୁ ସେ ଅନୁତାପରେ ସଢ଼ିଗଲା । ଏହି ବିଜାତୀୟା ତରୁଣୀଟିକୁ ସେ ତାର କ୍ଷୁଦ୍ର ବୁଦ୍ଧିରେ ଯେତିକି ଜାଣିବାକୁ ଚେଷ୍ଟା କଲା, ସେତିକି ଅସ୍ପଷ୍ଟ କୁହେଳିକା ତାର ଚାରିପାଖରେ ଘେରିଯିବାକୁ ଲାଗିଲା । ଚିହ୍ନାନାହିଁ, ପରିଚୟ ନାହିଁ, ନିର୍ବିକାର ଓ ନିସ୍ୱାର୍ଥପର ଭାବରେ ତାର ଏ ଯେଉଁ ସେବା ତା ବଦଳରେ ସେ ତାକୁ ଦେଇଛି କଣ ? ଦେଇଛି ଅପମାନର ହଳାହଳ । ଘୃଣାରେ ବସିବାକୁ ବି ସ୍ଥାନ ଦେଇନାହିଁ । ତଥାପି ସେ କରୁଣାମୟୀ–ସ୍ନେହର ଅବତାର । ମୁଣ୍ଡ ତାର ନଇଁଗଲା ଆପେ ଆପେ । କୃତଜ୍ଞତାର ଚିହ୍ନ ସ୍ୱରୂପ ଲୁହ ଧାର ବୋହିଗଲା । ମାତ୍ର ବାସନ୍ତୀର ଏଥିପ୍ରତି ଲକ୍ଷ୍ୟନାହିଁ । ତାର ଲକ୍ଷ୍ୟ ଜୀବନରେ କର୍ତ୍ତବ୍ୟ । ଏଥିପାଇଁ ସେ କେବେ ପ୍ରତିଦାନ ଆଶା କରିନି । ଯେଉଁ ହିନ୍ଦୁ ସମାଜ ତାକୁ କଳଙ୍କିନୀ କହି ଠେଲି ଦେଇଛି, ଯେଉଁ ସମାଜରେ ସେ ସ୍ଥାନ ନ ପାଇ ଆଜି ଖ୍ରୀଷ୍ଟିଆନ ହୋଇଛି-ସେ ସମାଜ ପ୍ରତି ତାର ଘୃଣା ନାହିଁ; ସେ ସଂସ୍କାରପ୍ରତି ତାର ବିଦ୍ୱେଷ ନାହିଁ, ଅଛି କେବଳ କର୍ତ୍ତବ୍ୟ । ସେ ସେବାର ବ୍ରତ ନେଇଛି-କର୍ତ୍ତବ୍ୟ ତାର ଏକମାତ୍ର ସହଚର ।

 

ସନ୍ଧ୍ୟାହେଲା । ଅନ୍ଧାର ମାଡ଼ି ଆସିଲା । ବାସନ୍ତୀ ସେ ପର୍ଯ୍ୟନ୍ତ କିଛି ଖାଇନି । ରୋଗୀକୁ ଛାଡ଼ିଗଲେ ସେ ହୁଏତ ନିଃସହାୟ ଓ ନିରାଶ ଭାବରେ ମରିଯାଇପାରେ । ତେଣୁ ବଜାରକୁ ଯାଇ ସାମାନ୍ୟ ଜଳଖିଆ ଖାଇ ପୁଣି ନିଜ କର୍ତ୍ତବ୍ୟରେ ଲାଗିଗଲା । ବତୀ ଲଗାଇ ବାର୍ଲି ତିଆରିକଲା, ତାକୁ ଖାଇବାକୁ ଦେଇ ବାରଣ୍ଡାରେ ବିଶ୍ରାମ ନେଲା । ଏ ମଧ୍ୟରେ ଦୁଇଦିନ ବିତିଗଲା-। ତୃତୀୟଦିନ ସକାଳେ ପୂଝାରୀ ଟିକିଏ ସୁସ୍ଥ ହେବାରୁ ବାସନ୍ତୀ ରହସ୍ୟ କରି ପଚାରିଲା–‘‘ନନା-! ତୁମେ ତ ନୈଷ୍ଠିକ ବ୍ରାହ୍ମଣ । ମୁଁ ତୁମ ଘରକୁ ଆସିଲି, ତୁମେ ପୁଣି ମୋ ହାତରୁ ଖାଇଲ, ତୁମ ସମାଜ ଧରିବ ନାହିଁ ?’’ ପୂଝାରୀ କହିଲା, ‘‘ଦେଈ ! ଅକାଳେ ନିୟମ ନାସ୍ତି । ମୁଁ ଅକାଳରେ ପଡ଼ିଥିଲି ତେଣୁ ଏଥିରେ କିଛି ଦୋଷ ନାହିଁ । ପଞ୍ଚଗବ୍ୟ ପାନକଲେ ସବୁ ଦୋଷ କଟିଯିବ-।’’

 

ହିନ୍ଦୁ ସମାଜର ଏ ନୀତିକୁ ବାସନ୍ତୀ ଭାବି ପାରିଲା ନାହିଁ । ମୁଣ୍ଡ ତାର ଗୋଳମାଳ ହୋଇଗଲା । ହାୟରେ ସମାଜ ! କେଡ଼େ ସ୍ୱାର୍ଥପର !! ନିଜର ସ୍ୱାର୍ଥପାଇଁ ସେ ସବୁ କରିପାରେ ? ହିନ୍ଦୁ ସମାଜର ମୂଳନୀତି କଣ ଏହିପରି ଦ୍ୱେଷ ଓ ସ୍ୱାର୍ଥରେ ପୂର୍ଣ୍ଣ ? ଭଗବାନ ଏ ସମାଜର ଉନ୍ନତି କେବେ ହେବ ? ମୁଣ୍ଡ ତାର ଭାରି ବୋଧ ହେଲା । ସେ ନିଜ ବସାକୁ ଯିବାକୁ ବାହାରିଲା, ତାର ଯିବା ବିଷୟ ଶୁଣି ପୂଝାରୀର ମନରେ ଭୀଷଣ ଭୟ ଜାତ ହେଲା । ପିଲାଟି ଦିନରୁ କଲେରାପ୍ରତି ତାର ଧାରଣା ଥିଲା ଯେ, କଲେରା ଏକ ଠାକୁରାଣୀ । ଚଣ୍ଡୀ ସାତଭଉଣୀଙ୍କର ଯେତେବେଳେ ଭୋକଲାଗେ ସେତେବେଳେ ମଣିଷ ରକ୍ତ ପିଇବାପାଇଁ ଘୁରି ବୁଲନ୍ତି । ତାଙ୍କ ହାବୁଡ଼ରେ ଯେ ପଡ଼େ ତାର ଆଉ ନିସ୍ତାର ନାହିଁ । ଏଣୁ କଣ କରିବ ସ୍ଥିର କରି ନ ପାରି ବାସନ୍ତୀର ହାତ ଦୁଇଟି ନିବିଡ଼ଭାବରେ ଧରି କହିଲା—

 

ଦେଈ ! ତୁମେ ଯଦି ଚାଲିଯିବ ତେବେ ମୁଁ ମରିଯିବି । ଆଉ ଗୋଟିଏ ଦିନ ଅପେକ୍ଷାକର । ବାବୁ ଆସିଲେ ଚାଲିଯିବ ।

 

କାହାରି ମରିବା ବା ବଞ୍ଚିବା ପ୍ରତି ଯେ ବାସନ୍ତୀର ଡର ଥିଲା ତ ନୁହେଁ । ତାହାର ଆଖି ଆଗରେ ଶହ ଶହ ରୋଗୀ ମରିଛନ୍ତି, ସେ ନିଜେ ମଧ୍ୟ ମରଣ ପଥରୁ ବାହୁଡ଼ି ଆସିଛି । ସେ ଜାଣିଛି-ଜୀବ ଜନ୍ମ ହେବା ସଙ୍ଗେ ସଙ୍ଗେ ତା ଅଲକ୍ଷ୍ୟରେ ମୃତ୍ୟୁକୁ ଡାକି ଆଣିଥାଏ । ଜନ୍ମ ଯେପରି ସତ୍ୟ, ମୃତ୍ୟୁ ବି ସେହିପରି ନିଶ୍ଚିତ । ତା’ ମତରେ ମୃତ୍ୟୁକୁ ଫାଙ୍କିବା ଅର୍ଥ ଆତ୍ମ ପ୍ରବଞ୍ଚନା ଛଡ଼ା ଆଉ କିଛି ନୁହେଁ । ତେଣୁ ସେ କେବଳ କର୍ତ୍ତବ୍ୟ କରିଛି ଏବଂ ଏହି କର୍ତ୍ତବ୍ୟ ମାଧ୍ୟମରେ ସେ ବଞ୍ଚି ରହିଥିଲେ ହେଁ, ଆଜି ଏ ଭୟାତୁର ମନୁଷ୍ୟଟିକୁ ଛାଡ଼ି ଯିବାକୁ ଇଚ୍ଛା ବଳିଲା ନାହିଁ । ଅଗତ୍ୟା ସେ ଦିନକ ବି ସେଠାରେ ରହିଲା ।

 

ସନ୍ଧ୍ୟାବେଳ, ପୂଝାରୀ ସମ୍ପୂର୍ଣ୍ଣ ଆରୋଗ୍ୟ ନ ହୋଇଥିଲେ ମଧ୍ୟ ଭଲଭାବରେ କଥାବାର୍ତ୍ତା କରିବାକୁ ସକ୍ଷମ ହୋଇ ସାରିଥିଲା । ବାସନ୍ତୀ ପୂଝାରୀକୁ ଖାଇବା ପିଇବାକୁ ଦେଇ ନିଜେ ତା’ର ଗୋଡ଼ ପାଖରେ ଖଣ୍ଡେ ସପ ପକାଇ ଏଣୁ ତେଣୁ କଥାବାର୍ତ୍ତା କରୁ କରୁ ଅଜିତର ଘର କଥା ପଚାରିଲା । ପୂଝାରୀ କହିଲା—ମା ! ବାବୁଙ୍କ ଘରେ ତାଙ୍କର ମାଆ, ଭାଇ ଓ ଭାଉଜ ଅଛନ୍ତି-। ତାଙ୍କର ମା’ ଭାରି ନୈଷ୍ଠିକ । ବ୍ରାହ୍ମଣ ଘର । ବୁଢ଼ୀ ସବୁବେଳେ ଦିନ ରାତି ବସି ପୂଜା, ଜପ, ତପରେ ଦିନ କାଟନ୍ତି । ଗୋଟିଏ ଘରେ ରାଧା-ମାଧବଙ୍କ ମୂର୍ତ୍ତି ରଖି ସେଇଛି ସବୁବେଳେ ଥାଆନ୍ତି-। ନିଜ ହାତରେ ହବିଷାନ୍ନ ରାନ୍ଧି ବେଳାଏ ଖାଆନ୍ତି । ସେ ଘରକୁ ଆଉ କାହାରିକୁ ଛାଡ଼ନ୍ତି ନାହିଁ-। ଏପରିକି ବଡ଼ ପୁଅ ହୋଟେଲରେ ଖାଆନ୍ତି ଏବଂ ବୋହୂ ଅନ୍ୟମାନଙ୍କୁ ଛୁଆଁ ଛୁଇଁ କରନ୍ତି ବୋଲି ତାଙ୍କୁ ମଧ୍ୟ ସେ ଘରକୁ ଛାଡ଼ନ୍ତି ନାହିଁ । କିନ୍ତୁ ହେଲେ କଣ ହେବ, ସେ ଭାରି ଦୟାଳୁ-। କାହାରି ଦୁଃଖ ଦେଖି ପାରନ୍ତି ନାହିଁ । ଭଲ ମଣିଷଟିଏ । ତାଙ୍କର ଭାରି ଇଚ୍ଛା ସାନପୁଅକୁ ଭଲ ବ୍ରାହ୍ମଣଘର ଦେଖି ବିଭାଦେଲେ ସେହି ବୋହୁଟି ତାଙ୍କର ବୁଢ଼ୀକାଳରେ ଏକମାତ୍ର ଭରସା ହେବ । ସେଥିପାଇଁ ସେ ସାନପୁଅକୁ ପିଲାଦିନରୁ ନିଜ ପାଖରେ ରଖି ସେବା, ପୂଜା କରିବା, ତୁଳସୀପତ୍ର ପାଇବା ଓ ଚନ୍ଦନ ଲଗାଇବା ପ୍ରଭୃତି ଶିକ୍ଷା ଦେଇଛନ୍ତି । ତାଙ୍କ ମନ ଅନୁସାରେ ବାବୁ ବି ଚଳନ୍ତି-। କେତେବେଳେ ହେଲେ ମାଆଙ୍କ ମନରେ କଷ୍ଟ ଦିଅନ୍ତି ନାହିଁ । ସତରେ ଦେଇ ! ମାଆ ଯଦି ତୁମକୁ ଦେଖନ୍ତେ–ଭାରି ଆଦର କରନ୍ତେ, ତମେ ଯଦି କେବେ ଯାଆନ୍ତ ବଳେ ଜାଣନ୍ତି ଯେ’-। ବାସନ୍ତି କହିଲା—ମାଆ ତ ମୋତେ ଛୁଅଁନ୍ତେ ନାହିଁ, ଆଦର କରନ୍ତେ କିପରି ? ଏ ପ୍ରଶ୍ନର ଉତ୍ତର ଦେବାକୁ ପୂଜାରୀ ପାଖରେ କିଛି ନ ଥିଲା । ସେ ନିରବ ରହିଲା । ମାତ୍ର ବାସନ୍ତୀ ମନରେ କେବଳ ଗୋଟିଏ ପ୍ରଶ୍ନ ଜାଗି ଉଠିଲା—ଭାରି ନୈଷ୍ଠିକ । ଏ ନୈଷ୍ଠିକଟା କଣ ? ସଂଯମ ନା ସଂସ୍କାର-। ଏହି ପଦଟି ଯେ ସେ କାହିଁକି ଭାବିଲା ନିଜେ ମଧ୍ୟ ତାହା ଜାଣେନା, ମାତ୍ର ଭାବନାରେ ଭଉଁରୀରେ ସେ ଘୂରିବୁଲି କିଛି ଥଳକୂଳ ପାଇଲା ନାହିଁ । ତା ପରଦିନ କୁଆ କା’ ନ କରୁଣୁ ପୂଜାରୀକୁ କିଛି ନ କହି ଚାଲିଗଲା ନିଜ ବସାକୁ ।

 

ଟ୍ରେନିଂ ଶେଷ ହେଲା । ଅଜିତ ନିଜର ବିଛଣାପତ୍ର ବାନ୍ଧି ଷ୍ଟେସନରେ ପହଞ୍ଚିବା ମାତ୍ରେ ଏକ ଗୋଳମାଳ ଶୁଣିବାକୁ ପାଇଲା । ସେଠାକୁ ଯାଇ ଦେଖିଲା-ଜଣେ ଓଡ଼ିଆ ଯୁବକଙ୍କୁ ଘେରି ରେଳର ଗାର୍ଡ଼, ପୋଲିସ, ଟି. ଟି. ଆଇ. ଠିଆ ହୋଇଛନ୍ତି । ତାକୁ ଥାନାକୁ ନେବାର କଥା । ସେ କହୁଛି ମୁଁ ଟିକେଟ କରିଛି ମାତ୍ର ଥାର୍ଡ଼ କ୍ଲାସରେ ସ୍ଥାନ ନ ପାଇ ସେକେଣ୍ଡ କ୍ଲାସରେ ଉଠିଛି । ମୋତେ ଛାଡ଼ି ଦିଅନ୍ତୁ । ତାର ଏ କଥାରେ କେହି କର୍ଣ୍ଣପାତ କରୁନାହାନ୍ତି । ଅଜିତ ପଚାରି ବୁଝିଲା-ସେ ଜଣକ ଓଡ଼ିଆ । ତେଣୁ ତାକୁ ଛାଡ଼ି ଦିଆଯାଇ ପାରିବ ନାହିଁ । ଅଜିତ ଭାବିଲା ଅନ୍ୟ କେହି ହୋଇଥିଲେ । ତାକୁ ବୋଧହୁଏ ଛାଡ଼ି ଦିଆଯାଇ ଥାଆନ୍ତି । ମାତ୍ର ଓଡ଼ିଆ ହୋଇଥିବାରୁ ବାଧ୍ୟତାମୂଳକ ଭାବେ ଅଧିକା ଭଡ଼ାଟା ଦେବାକୁ ପଡ଼ିବ । ନଚେତ୍‌ ଜେଲ ଯିବାକୁ ପଡ଼ିବ । ତେବେ ଓଡ଼ିଆ ହେବାଟା କଣ ଦୋଷ ? ଯାହାହେଉ ସେ ଲୋକଟାର ଅସହାୟଭାବ ଦେଖି ନିଜ ପକେଟକୁ ଟଙ୍କାତକ ଦେଇ ତାକୁ ମୁକୁଳାଇ ଆଣିଲା । ଯୁବକଟି ଅଜିତର ଏପ୍ରକାର ଅଯାଚିତ ଦୟାପ୍ରତି କୃତଜ୍ଞତା ଜଣାଇ ଚାଲିଗଲା ନିଜବାଟରେ ।

 

ରେଳ ଆସିବାର ଘଣ୍ଟି ବାଜିଲା । ଅଜିତ ଟିକେଟ କରି ଗାଡ଼ିରେ ବସିଲା । ଆଜିକାଲି ଏ ଘଟଣାରେ ସେ ବଡ଼ ଅଶ୍ୱସ୍ତି ବୋଧ କଲା । ତାର ଭାବନା ଅଡ଼ିଆ ସୂତାପରି ଉଡ଼ି ବୁଲିଲା । ଆମେ ଓଡ଼ିଆ-ଓଡ଼ିଆ ହେବା ମହାପାପ । କାହିଁକି ? ଯେଉଁ ଦେଶର ଜଗନ୍ନାଥ ସାରା ହିନ୍ଦୁଜଗତର ଆରାଧ୍ୟ ଦେବତା, ସେ ଦେଶରେ ଜନ୍ମହେଲେ ଏପରି ଘୃଣିତ ଓ ଅପମାନିତ ଯେ ହେବାକୁ ହୁଏ, ଏ କଥା ସେ କେବେ ଭାବି ନ ଥିଲା । ଓଡ଼ିଶାର ପୁରୀ, କୋଣାର୍କ, ଭୁବନେଶ୍ୱରର ଦେଉଳ, ସାତ ସମୁଦ୍ର ତେର ନଈ ପାରିର–ବିଜୟ ବୈଜୟନ୍ତୀ । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଓଡ଼ିଆର ସଂସ୍କୃତି, ଏ ସବୁର କଣ କୌଣସି ମୂଲ୍ୟ ନାହିଁ । ତାର ଏକମାତ୍ର ଦୋଷ ସେ ଗରୀବ । ଏ ଗରୀବ ହେବାର ମୂଳ କାରଣ ଓଡ଼ିଆ ଶେଷ ପର୍ଯ୍ୟନ୍ତ ଇଂରେଜମାନଙ୍କୁ ତା ଭୂଇଁରେ ପୂରାଇ ଦେଇନାହିଁ । ତାର ଢାଲ, ବର୍ଚ୍ଛା ଓ ତରବାରୀ ଦ୍ୱାରା ସେ ବାଧା ଦେଇଛି, ସୁଶିକ୍ଷିତ ଇଂରେଜ ବାହିନୀର କମାଣ ଓ ମେସିନଗନ୍‌କୁ । ଇଂରେଜ ଆସିଛି ସବା ପଛରେ ଏ ଦେଶକୁ । ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତି ଏ ଦେଶରେ ଜାଗିନାହିଁ । ଭାରତର ପୁରାତନ ସଂସ୍କୃତି ସେ ଛାଡ଼ି ପାରିନାହିଁ । ତେଣୁ ସେ ଘୃଣ୍ୟ ଓ ହେୟ । ଏଇ ଓଡ଼ିଆ ନିଜର ପେଟକାଟି ମୁଣ୍ଡଝାଳ ତୁଣ୍ଡରେ ମାରି, ଭୋକଉପାସରେ ଦିନକାଟି ସାରା ଭାରତର ଗୌରବ ଫେରାଇ ଆଣି ଆଜି ହୋଇଛି କୁଲୀ । ତା ଜୀବନର ମୂଲ୍ୟନାହିଁ । ଟିକିଏ ଦୋଷରେ ବିଚାର ଅଦାଲତରେ ତା ପାଇଁ ଦଣ୍ଡଥୁଆ । ତେବେ ଓଡ଼ିଆର କଣ ନିଜର କୌଣସି ସଂସ୍କୃତି ନାହିଁ ?

 

ଅଜିତର କଲେଜ ଜୀବନର ଗୋଟି ଗୋଟି କଥା ମନେ ପଡ଼ିଲା । ହିନ୍ଦୁ ଧର୍ମର ସଂସ୍କୃତ ରକ୍ଷା ପାଇଁ ତାର ଚୁଟି ରଖିବା, ଚନ୍ଦନ ଲଗାଇବା ତା ସାଥିମାନଙ୍କୁ ଅସହଣୀୟ ହୋଇଉଠେ । ତେଣୁ ସେମାନେ ତା ସହିତ ସବୁବେଳେ ଥଟ୍ଟା ପରିହାସ କରନ୍ତି ଏବଂ ସଂସ୍କୃତି କହି ଚିଡ଼ାନ୍ତି । ଅଜିତ କଲେଜରେ ଭଲ ନମ୍ବର ରଖେ । କଲେଜ ଡିବେଟ୍‌ରେ ଭଲ ଭାଷଣ ଦିଏ । ତେଣୁ ଅଧ୍ୟାପକମାନେ ତାର ଉଚ୍ଚ ପ୍ରଶଂସା କରନ୍ତି । ତାର ଏଇ କୃତିତ୍ୱରେ କେତେ ତରୁଣୀ ତା ସହିତ ବନ୍ଧୁତା ରଖିବାକୁ ପ୍ରୟାସୀ ହୋଇଛନ୍ତି । ମାତ୍ର ସେ ସମସ୍ତଙ୍କୁ ଫେରାଇ ଦେଇଛି । ସୀତ ସାବିତ୍ରୀଙ୍କ ଦେଶ ଏଇ ଭାରତ ଭୂଇଁରେ ବନ୍ଧୁତା ଛଳନାରେ ନାରୀତ୍ୱକୁ ଅବମାନନା କରିବା ପସନ୍ଦ କରିନାହିଁ । ତେଣୁ ନାରୀର ରୂପ ତାକୁ ଆକର୍ଷଣ କରି ପାରିନାହିଁ କି ତାର ପ୍ରଶଂସା ତାକୁ ବିଚଳିତ କରି ପାରିନାହିଁ । ନାରୀ ଭାବରେ ସେ କେବଳ ଜଣକୁ ଜାଣେ । ସେ ଜଣକ ତା’ର ମାଆ ।

 

ରେଳଗାଡ଼ି ଚାଲିଛି । ଆଗରେ ଥିବା ପାହାଡ଼, ପର୍ବତ, ଗଛଲତା ପଡ଼ି ରହୁଛନ୍ତି ପଛରେ-। ତାର ଗତିର ବିରାମ ନାହିଁ । ମଝିରେ କେବଳ ଯାତ୍ରୀମାନଙ୍କର ଆରୋହଣ ଓ ଅବରୋହଣ ଗାଡ଼ିରେ ଗତିବେଗ କମିବା ଓ ବଢ଼ିବା ପାଇଁ ପଏଣ୍ଟସ୍‌ମ୍ୟାନ ଦିନରେ ଦେଖାଏ ଲାଲ ଓ ନୀଳପତାକା, ରାତିରେ ନୀଳ ଓ ଲାଲଆଲୁଅ । ସେଇହିଁ ଗାଡ଼ିର ନିୟନ୍ତ୍ରକ । ତା ନ ହେଲେ ଦୁର୍ଘଟଣା ଘଟିବାର ସମ୍ଭାବନା । ଠିକ୍‌ ସେହିପରି ଏ ପୃଥିବୀ ପ୍ରତି ମୁହୂର୍ତ୍ତରେ ଆଗେଇ ଯାଉଛି-। ଜୀବନର କେତେ ସ୍ମୃତି ପଡ଼ି ରହୁଛି ପଛରେ । କେତେ ନୂଆଯାତ୍ରୀ ପ୍ରତି ମୁହୂର୍ତ୍ତରେ ଆସୁଛନ୍ତି ଓ ଯାଉଛନ୍ତି, ମାତ୍ର ସେଥିପ୍ରତି ତାର ଲକ୍ଷ୍ୟ ନାହିଁ । ସେ ଚାଲିଛି ତା କାମରେ । ପଏଣ୍ଟସ୍‌ମ୍ୟାନର ନାଲି ନୀଳ ନିର୍ଦ୍ଦେଶପରି ମାନବ ଜୀବନରେ ଆସୁଛି ଗୋଟିଏ ଗୋଟିଏ ନିର୍ଦ୍ଦେଶ । ତାହା ନ ମାନିଲେ ଦୁର୍ଘଟଣା ସୁନିଶ୍ଚିତ ।

 

ଅଜିତ ଯେଉଁଦିନ ଚାକିରି କରିବାକୁ ଆସିଲା ସେଦିନ ମାଆର ଛଳ ଛଳ ଆଖି ମନେ ପଡ଼ିଲା । ତାର ବି ଏପ୍ରକାର ଚାକିରି କରିବାକୁ ଆଦୌ ଇଚ୍ଛା ନ ଥିଲା, ମାତ୍ର ଘରେ ଅଶାନ୍ତି ସୃଷ୍ଟି ହେଲା । ଭାଇ ପରିଷ୍କାର କହିଦେଲେ-ମା’ ତୋ ପୁଅର ମୂଲ୍ୟ ତୋ ପାଖରେ ବେଶୀ ହୋଇପାରେ-। ମାତ୍ର ଏ ବିରାଟ ଦୁନିଆରେ ତାରି ପରି କେତେ ଏମ୍‌. ଏ. ବେକାର ହୋଇବୁଲୁଛନ୍ତି-। ପେଟ ଚାଖଣ୍ଡକ ପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି । ତଥାପି ଦୁଇବେଳା ଭଲଭାବରେ ଖାଇବାକୁ ପାଉନାହାନ୍ତି । ଏଭଳି ଚାକିରି ଭାଗ୍ୟରେ ଥିଲେ ଘଟେ । ତା ନହେଲେ ଘରର ଦାୟିତ୍ୱ ମୁଁ ସମ୍ଭାଳି ପାରିବି ନାହିଁ । ଏଣେ ମଧ୍ୟ ଭାଉଜଙ୍କର ଦେଖାଶୁଣା କଥା ସହି ନ ପାରି ମାଆ ବାଧ୍ୟହୋଇ ତାକୁ ଚାକିରି କରିବାକୁ ଅନୁମତି ଦେଲେ । ଶେଷ ପର୍ଯ୍ୟନ୍ତ ପାଦ ଛୁଆଁଇ ନିୟମ କରାଇଲେ–ହିନ୍ଦୁର ସଂସ୍କୃତି, ହିନ୍ଦୁୀ ଧର୍ମ ଯେପରି ସେ ଭୁଲରେ କେବେ ନ ଛାଡ଼େ ।

 

ମନେ ପଡ଼ିଲା ବାସନ୍ତୀ କଥା । ବଡ଼ ଅଦ୍ଭୁତ ତରୁଣୀଟିଏ । ସେ ଯେ କାହିଁକି ଆପେ ଆପେ ତା ଆଡ଼କୁ ଟାଣି ହୋଇ ଯାଉଛି ଜାଣି ପାରୁନି । ଏହା ଯୁଗର ଧର୍ମ ନା’ ଭଗବାନଙ୍କର ପରୀକ୍ଷା । ଯୌବନର ପଥହିଁ ପିଛିଳ । ଥରେ ଯଦି ଗୋଡ଼ ଖସିଯାଏ ତେବେ ଆଉ ଥୟଧରିବା ସମ୍ଭବ ନୁହେଁ । ପ୍ରଥମେ ସ୍ନେହ ତା’ପରେ ଆକର୍ଷଣ ଓ ଶେଷରେ ପ୍ରଣୟ । ତାର ଭାବନା ରେଳର ଗତି ସଙ୍ଗେ ସଙ୍ଗେ ତାଳ ଦେଇ ଆଗେଇ ଚାଲିଲା ଦ୍ରୁତ ବେଗରେ । ତାରି ଭିତରେ ସେ ଦେଖିଲା-ପୁରୀ ସହରର ସମୁଦ୍ର କୂଳରେ ଏକ ଦୋତାଲାଘର । ଆଉ ତାରି ଭିତରେ ତାର ସନ୍ନ୍ୟାସିନୀ ମା ! ତାଙ୍କର ଶେଷ ଉଦ୍ଦେଶ୍ୟ କଣ ପୂରଣ ହୋଇ ପାରିବ ନାହିଁ ?

 

ଅଜିତ ଯେତେବେଳେ ଏମ୍‌.ଏ. ପାଶ କଲା ସେତେବେଳେ ବହୁ ଶିକ୍ଷିତ, ସମ୍ଭ୍ରାନ୍ତ ଓ ଧନୀଲୋକ ତାକୁ ଜ୍ୱାଇଁରୂପେ ପାଇବା ପାଇଁ ଇଚ୍ଛା କରିଥିଲେ । ମାତ୍ର ମାଆଙ୍କର ଏକାଜିଦ୍‌ ସେ ନିଜେ ବାଛି ବାଛି ବୋହୁ ଆଣିବେ । ଏଥିରେ କାହାରି ହସ୍ତକ୍ଷେପ ସେ ବରଦାସ୍ତ କରିପାରିବେ ନାହିଁ, ତାଙ୍କର ଉଦ୍ଦେଶ୍ୟ ଉଚ୍ଚ କୁଳିନ ବ୍ରାହ୍ମଣଘରୁ ବୋହୁଟିଏ ଆଣିବେ-ଯେ ବଂଶର ଆଚାର ଓ ପରମ୍ପରା ରକ୍ଷା କରିବା ସଙ୍ଗେ ସଙ୍ଗେ ମାଆଙ୍କର ଶେଷ ଜୀବନରେ ସମ୍ବଳ ହୋଇପାରିବ । ଏହିପରି ନାନା ଦୁଶ୍ଚିନ୍ତାରେ ପଡ଼ି ସେ ସିନ୍ଧାନ୍ତ କଲା ଚାକିରି ସ୍ଥାନରେ ପହଞ୍ଚି କାହାରିକୁ କିଛି ନ କହି ଛୁଟିନେଇ ଚାଲିଯିବ ।

 

ମାନ୍ଦ୍ରାଜ ମେଲ ଚାଲିଛି । ତା ସହିତ ତାଳ ଦେଇ ବାସନ୍ତୀର ମନ ମଧ୍ୟ ଚାଲିଛି ଆଗରୁ ଆଗକୁ । କୋରାପୁଟରେ ଭୀଷଣ କଲେରା । ସ୍ୱଚ୍ଛାସେବକ ଆବଶ୍ୟକ, ସ୍ୱାସ୍ଥ୍ୟବିଭାଗ ବର୍ତ୍ତମାନ ବିବ୍ରତ । ସରକାର ଚିନ୍ତିତ । ସରକାରଙ୍କର ଆହ୍ୱାନ ଶୁଣି ଦେଶର ତଥା ଜାତିର ସେବା କରିବାପାଇଁ ସେ ଆଜି ମରଣ ପଥର ଯାତ୍ରୀ । ହୁଏତ କେତେବେଳେ ଯେ କଲେରା ତାକୁ ଆକ୍ରମଣ କରିବ ଏବଂ ସେ ନିଜେ ତାର ଶୀକାର ହେବ କିଏ ଜାଣେ ? ସେ ଏ ଜାଣିଶୁଣି ମଧ୍ୟ ତା ଭିତରକୁ ପାଦ ବଢ଼ାଇଛି । ଅଜିତର ବ୍ୟବହାର ତାକୁ କ୍ଷୁର୍ଣ୍ଣ କରି ପକାଇଛି । ସେ ନିଜ ଜୀବନକୁ ବାଜିରଖି ତାକୁ ଓ ତାର ଚାକରକୁ ମରଣମୁହଁରୁ ଫେରାଇ ଆଣିଲା । ମାତ୍ର ସେ ଏଠାରୁ ଯିବାବେଳେ ଅନ୍ତତଃ ପଦେ କଥା ବି କହିଗଲା ନାହିଁ । ପୁରୁଷ ଜାତିଟା କଣ ଏଡ଼େ ସ୍ୱାର୍ଥପର । ଏହି ଦୁଶ୍ଚିନ୍ତା ହିଁ ଆଜି ତାକୁ ନେଇ ଯାଉଛି କୋରାପୁଟର ନିବିଡ଼ ଜଙ୍ଗଲକୁ—ଯେଉଁଠି ବାଘ ଭାଲୁ ମଣିଷର ବନ୍ଧୁ, ମହାମାରୀ କଳାଜ୍ୱର ସାକ୍ଷାତ ଯମଦୂତ । କେହି ଜାଣିବେ ନାହିଁ, ଶୁଣିବେ ନାହିଁ, ମୁହୂର୍ତ୍ତକ ମଧ୍ୟରେ ସବୁଶେଷ । ତଥାପି ତାର ଆଶା—ସେ କତୋଟି ଶୁଖିଲା ମୁହଁରେ ହସ ଦେଖିବ, କେତେ ବିଧୂର ଜନନୀଙ୍କୁ ସାନ୍ତ୍ୱନା ଦେବ ଓ କେତେ ନବ ତରୁଣୀଙ୍କୁ ଧୈର୍ଯ୍ୟ ଦେଇ ସ୍ୱାମୀଙ୍କୁ ତାଙ୍କର ଫେରାଇ ଆଣିବ ମରଣ ପଥରୁ । ମାତ୍ର ତାର ଏଥିରେ ସ୍ୱାର୍ଥ କଣ ? କେଉଁ ଆଶାର ବଶବର୍ତ୍ତୀ ସେ ? ତାର ବା କିଏ ଅଛି ? ନାଁ, ତାର କେହି ନାହାନ୍ତି । ସବୁ କାଳଗର୍ଭରେ ଲୀନ ହୋଇ ଯାଇଛି, ଅଛି କେବଳ ସ୍ମୃତି ।

 

ବାପା ମାଆଙ୍କର ଗୋଟିଏ ମାତ୍ର ଝିଅ ସେ । ମାଆଙ୍କର ଆଶାଥିଲା ଭଲ ଜ୍ୱାଇଁଟିଏ ଦେଖି ଝିଅକୁ ସମର୍ପଣ କରିବେ । ତାରି ସୁଖରେ ଦୁଃଖରେ ସାଥିହୋଇ ମର୍ତ୍ତ୍ୟକୁ ଟାଣିଆଣିବେ ସ୍ୱର୍ଗର ନନ୍ଦନ କାନନ । ମାତ୍ର ଦଇବ ବା’ଦ ସାଧିଲା । ତାଙ୍କର ଆଶା ହିଁ ଆଶାରେ ପର୍ଯ୍ୟବସିତ ହେଲା । ନଅ ବର୍ଷରେ ସେ ତାକୁ ବିଭା କରାଇଥିଲେ, ମନଲାଖି ଜ୍ୱାଇଁଟିଏ ମଧ୍ୟ ପାଇଥିଲେ । ସେହି ବିବାହ ବେଦୀ ଉପରେ ସେ ଥରେ ମାତ୍ର ଦେଖିଥିଲା ତାର ସ୍ୱାମୀକୁ । ତା ପରେ ସେ ଚାଲିଗଲେ ଚିରଦିନ ପାଇଁ । ଏବେ ବି ତାର ସେକଥା ମନେ ପଡ଼େ । ହଳଦିଆ ଲୁଗାପିନ୍ଧି ମୁଣ୍ଡରେ ଓଢ଼ଣା, ପାଦରେ ଅଳତା ଲଗାଇ ସେ ଆସିଥିଲା ବିବାହ ବେଦୀକୁ । ହାତଗଣ୍ଠି ପଡ଼ିଲା । ଶଙ୍ଖ ହୁଳହୁଳି ଶବ୍ଦରେ ଦଶଦିଗ ଉଛୁଳି ପଡ଼ିଲା । ମାତ୍ର କାହିଁକି ଏ ସବୁ ହେଉଛି ସେ ଜାଣି ନଥିଲା । ମୋଟ ଉପରେ ସେ କେବଳ ବୁଝିଥିଲା—ତାଙ୍କ ଘରେ ଖିଆ ପିଆ ହେବ । କେତେ ବନ୍ଧୁ ବାନ୍ଧବ ଆସିବେ । ସାଙ୍ଗ ସାଥି ମଉଜ ମଜଲିସରେ କିଛି ଦିନ କଟିବ ।

 

ପୁଣି ଗୋଟିଏ ଦିନ । ଯେତେବେଳେ ମାଆ ତାର କାନ୍ଦି କାନ୍ଦି ଆସି ତା ମୁଣ୍ଡରୁ ସିନ୍ଦୁର ଲିଭାଇ ହାତରୁ କାଚ ଭାଙ୍ଗି ଦେଲେ, ସେତେବେଳେ ସେ ସ୍ୱାମୀ କଣ, ଭଲମନ୍ଦ କଣ ବୁଝିନଥିଲା । କିଛି ସମୟ ମାଆର ମୁହଁକୁ ଚାହିଁ, ତାଙ୍କର କାନ୍ଦଣା ଦେଖି ସେ ବି କାନ୍ଦିଥିଲା ।

 

ମାତ୍ର ଯେତେବେଳେ ବୟସ ଆସିଲା—

 

ସେ ଜାଣିଲା ନାରୀ ଜୀବନର ସାର୍ଥକତା ଆଉ ତାର ନାହିଁ । ହିନ୍ଦୁ ନାରୀର ଗର୍ବ ଗୌରବରୁ ସେ ବଞ୍ଚିତା । ତାର ଏହି ଦୁଃଖରେ ମ୍ରିୟମାଣ ହୋଇ ବାପା ଓ ମାଆ ହାତ ଧରାଧରି ହୋଇ ଚାଲିଗଲେ । କେବଳ ସେ ରହିଲା ଏକା—ପୂର୍ବ ଜନ୍ମର କର୍ମଫଳ ଭୋଗ କରିବାପାଇଁ । ବହୁ କନ୍ଦାକଟାପରେ ସେ ବାପା ମାଆଙ୍କର ଶୁଦ୍ଧିକ୍ରିୟା ବଢ଼ାଇ ତାର ଏକମାତ୍ର ତୀର୍ଥ ଶ୍ୱଶୁରଘରକୁ ଗଲା । ସେଠି ବି ଶାନ୍ତି ପାଇଲା ନାହିଁ । ତା ନାଆଁରେ ବାଜିଲା କଳଙ୍କର ଡିଣ୍ଡିମା ସମାଜ ଆପତ୍ତି କଲା । ସମାଜପତି କଳାକୁ ଧଳା କରି ତା ବିରୁଦ୍ଧରେ ଯୋଗାଇଲେ ପ୍ରମାଣ । ଗାଆଁରେ ସମସ୍ତେ ହେଲେ ତା ରୂପରେ ପାଗଳ । ପୋଖରୀ ତୁଠରୁ ଆରମ୍ଭ କରି ଗାଆଁ ଭାଗବତ ଘରଯାଏ ସବୁଠି ହେଲା ତାରି ଚର୍ଚ୍ଚା । ଶାଶୁ ବିରକ୍ତ ହୋଇ ତାକୁ ଘରୁ ବାହାର କରିଦେଲେ । ତାର ଏକମାତ୍ର ସମ୍ବଳ ରହିଲା ଆତ୍ମହତ୍ୟା । ମାତ୍ର ସେଥିରେ ବି ସେ କୃତକାର୍ଯ୍ୟ ହୋଇ ପାରିଲାନାହିଁ । ଜଣେ ଖ୍ରୀଷ୍ଟଆନ ଧର୍ମଯାଯକ ଦିନେ ରାତିରେ ଅସହାୟ ଭାବରେ ତାକୁ ଦେଖି ନିଜ କେନ୍ଦ୍ରକୁ ନେଇଗଲେ । ସେଇଠି ସେ ଖ୍ରୀଷ୍ଟଧର୍ମ ଗ୍ରହଣ କଲା । ତାଙ୍କରି ଶାଶୁ ବିରକ୍ତ ହୋଇ ତାକୁ ଘରୁ ବାହାର କରିଦେଲେ । ତାର ଏକମାତ୍ର ସମ୍ବଳ ରହିଲା ଆତ୍ମହତ୍ୟା । ମାତ୍ର ସେଥିରେ ବି ସେ କୃତକାର୍ଯ୍ୟ ହୋଇ ପାରିଲାନାହିଁ । ଜଣେ ଖ୍ରୀଷ୍ଟିଆନ ଧର୍ମଯାଯକ ଦିନେ ରାତିରେ ଅସହାୟ ଭାବରେ ତାକୁ ଦେଖି ନିଜ କେନ୍ଦ୍ରକୁ ନେଇଗଲେ । ସେଇଠି ସେ ଖ୍ରୀଷ୍ଟଧର୍ମ ଗ୍ରହଣ କଲ । ତାଙ୍କର ଯତ୍ନରେ ସେ ପାଠପଢ଼ି ନର୍ସି ଟ୍ରେନିଂ ନେଲା । ତାର ଆଶା ତାରିପରି ସମାଜଛଡ଼ା, ସମ୍ବଳହୀନ, ସାହାଯ୍ୟଶୂନ୍ୟା ନାରୀମାନଙ୍କୁ ନେଇ ସେ ଗଢ଼ିବ ଏକ ନୂଆ ସମାଜ । ସେ ଖ୍ରୀଷ୍ଟଆନ୍‌ ହେଉ, ହିନ୍ଦୁ ହେଉ ବା ବୌଦ୍ଧ ହେଉ । ସେ ପ୍ରଚାର କରିବ ଈଶ୍ୱର ଏକ ଓ ଅଦ୍ୱିତୀୟ । ଏହିପରି ନାନା ଭାବନାରେ ତାକୁ ଯେ କେତେବେଳେ ନିଦ ଆସିଯାଇଛି ସେ ଜାଣେନା । ହଠାତ୍‌ କୋଳାହଳରେ ତାର ନିଦ ଭାଜିଗଲା । ସେ ଆଖିମଳି ବାହାରକୁ ଚାହିଁ ଦେଖିଲା—ଗାଡ଼ି କଟକ ଷ୍ଟେସନରେ ପହଞ୍ଚିଛି । ଯେଠାରୁ କେତେକ ସ୍ୱଚ୍ଛାସେବକ ଓ ଡାକ୍ତରୀ ଛାତ୍ର ମଧ୍ୟ ସେହି ଗାଡ଼ିରେ ଉଠିଲେ ।

 

କୋରାପୁଟର ମାଳ ଅଞ୍ଚଳ । ଚାରିଆଡ଼େ ନିବିଡ଼ ଅରଣ୍ୟ । ମନେହୁଏ ସତେ ଯେପରି ସୃଷ୍ଟିର ପ୍ରାରମ୍ଭରୁ ସୂର୍ଯ୍ୟ କିରଣ କେବେ ବି ଭୁଲରେ ସେଠାରେ ପଡ଼ିନାହିଁ । ପାହାଡ଼ ତଳେ ବୁଦୁବୁଦିକିଆ ଜଙ୍ଗଲ । ତାରି ଭିତରେ ଛୋଟ ଛୋଟ କୁଡ଼ିଆ ବେଷ୍ଟିତ ଆଦିବାସୀ ଗାଁ । ଆଧୁନିକ ଚାକଚକ୍ୟ ତ ଦୂରର କଥା; ଶିକ୍ଷା ବା ସଭ୍ୟତା ତା ମଧ୍ୟରେ ପଶିନାହିଁ । ତଥାପି ସେମାନେ ଏକ ଈଶ୍ୱରଙ୍କର ସନ୍ତାନ, ସରଳ ଓ ନିରାଡ଼ମ୍ବର । କୌପୀନ ହିଁ ସେମାନଙ୍କର ସମ୍ବଳ । ଆଧୁନିକ ସଭ୍ୟତା ପ୍ରତି ସେମାନଙ୍କର ବିରାଗ ନାହିଁ କି ବିଦ୍ୱେଷ ନାହିଁ । କାହାରି ପାଖରେ ହାତ ପାତି ଶିଖି ନାହାନ୍ତି । ସେମାନେ କେବଳ ଶିଖିଛନ୍ତି ସଂଗ୍ରାମ ହିଁ ଆତ୍ମରକ୍ଷା । ଖଟି ଖାଇବା ତାଙ୍କର ମୂଳନୀତି । ପ୍ରକୃତି ସଙ୍ଗରେ ଲଢ଼ି ସଂଗୃହିତ ପାହାଡ଼ ଗଛର ମୂଳ, ପଶୁ ପକ୍ଷୀର ମାଂସ ଓ ଝରଣାର ଜଳ ସେମାନଙ୍କର ଖାଦ୍ୟ ଓ ପାନୀୟ । ନିଜର ଦୁଃଖ କେଉଁଠି ଜଣାଇ ନାହାନ୍ତି । ନିଜର ଅସନ୍ତୋଷ କେଉଁଠି ପ୍ରକାଶ କରି ନାହାନ୍ତି, କାହାରି ସୁଖ ବା ସମୃଦ୍ଧିରେ ଈର୍ଷାନ୍ୱିତ ହୋଇ ନାହାନ୍ତି । ମାତ୍ର ତାଙ୍କର କଷ୍ଟ ଅର୍ଜିତ ସମ୍ପତ୍ତି ଲୁଣ୍ଠନ କରିବାରେ ସମସ୍ତେ ବ୍ୟସ୍ତ । ସୁନା ନେଇ ଦିଅନ୍ତି ଚକଚକିଆ ସୁନେଲି ଦରବ । ପେଟକଟା ଖାଦ୍ୟ ନେଇ ଦିଅନ୍ତି ବିଳାସ ଜିନିଷ । ତଥାପି ସେମାନେ ସୁଖୀ । ଦିନର କର୍ମକ୍ଳାନ୍ତ ଜୀବନ ଯାପନ ପରେ ମହୁଲି ନିଶା ଓ ଧାଙ୍ଗଡ଼ା ନାଚରେ ସେମାନେ ଭୁଲିଯାଆନ୍ତି ଦାରିଦ୍ର୍ୟକୁ, ଦୁଃଖର ମାଧ୍ୟମରେ ସେମାନେ ଆଣନ୍ତି ସୁଖ–ଯାହାକି ସତ୍ୟ, ଶିବ ଓ ସୁନ୍ଦର । ସେମାନଙ୍କର ଦୁନିଆ ନିକଟରେ କୌଣସି ଅଭିଯୋଗ ନ ଥାଏ, କିନ୍ତୁ ଦୁନିଆର ସବୁ ଅଭିଯୋଗ ତାଙ୍କରି ପାଖରେ । ସେମାନଙ୍କର ସରଳତାର ସୁଯୋଗ ନେଇ ଆସନ୍ତି ଦଳ ଦଳ ନେତା—କିଏ କହେ ତୁମେ ଆମ ସଙ୍ଗରେ ମିଶିଯାଅ ଭଲରେ ରହିବ, ଆମପରି ସଭ୍ୟ ଓ ଶିକ୍ଷିତ ହେବ । କିଏ କହେ ତୁମେ ଅସନ୍ତୋଷ ପ୍ରକାଶ କର-ତୁମର ହକ ବାଦି ପ୍ରକାଶ କର । ସେ ସବୁ ଶୁଣେ, ମାତ୍ର ଆଗେଇ ଯାଏ ନିଜ ବାଟରେ । ସେ ସ୍ୱାଧୀନ । ପରାଧୀନର ବେଢ଼ି ତାକୁ ଭଲ ଲାଗେନା ।

 

କୋରାପୁଟରେ ହଇଜା । ଦେଶରେ ଆନ୍ଦୋଳନ । ବିଧାନସଭାରେ ବସି ନେତାମାନେ ବତ୍କୃତା ଦେଉଛନ୍ତି । ବିରୁଦ୍ଧଦଳ କହୁଛନ୍ତି ସରକାର ଦାୟୀ । ସରକାର କହୁଛନ୍ତି ସ୍ୱାସ୍ଥ୍ୟବିଭାଗ ଦାୟୀ । ସ୍ୱାସ୍ଥ୍ୟବିଭାଗ କହନ୍ତି ଦାୟୀ ହେଉଛି ତାଙ୍କ ଅଶିକ୍ଷା, ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ପାନୀୟ । ମୋଟ ଉପରେ କେହି ଦାୟୀ ନୁହନ୍ତି । ମାତ୍ର ଏକଥା ସତ୍ୟ ଯେ ସେମାନେ ମରନ୍ତି । ତାଙ୍କର ଦୁଃଖ ଗାଇ କର୍ମୀ ହୁଅନ୍ତି ନେତା । ଖବର କାଗଜରେ କଳେବର ବୃଦ୍ଧିକରି ସଂପାଦକ ନିଅନ୍ତି ବାହା-ବା । ଖଣ୍ଡିଏ ଭୋଟ ପାଇଁ ରଜା, ଜମିଦାର ତା ଦୁଆରେ ହୁଅନ୍ତି ଭିକ୍ଷୁ । ସେ କାହାରିକୁ ତାର ଦୁଃଖ ଜଣାଏନା । ହସି ହସି ଦୁଃଖରେ ବିଧାତାଙ୍କର ଆଶୀର୍ବାଦ କହି ସହିନିଏ । ତଥାପି ତାର ଯେ ଅଭିଯୋଗ ନାହିଁ ଏକଥା କିଏ କହିବ ?

 

ଗତ କେତେଦିନ ଧରି ବାସନ୍ତୀର ଦିନଗୁଡ଼ିକ ବେଶି ଆନନ୍ଦରେ କଟିଯାଇଛି । ନୂଆ ସ୍ଥାନର ଅନୁଭୂତି ଏବଂ ନୂଆ ସ୍ଥାନରେ ଅନୁଭୂତି ଏବଂ ନୂଆ ବନ୍ଧୁମାନଙ୍କ ଗହଣରେ ସେ ଭୁଲି ଯାଇଛି ଅତୀତ ଦିନର ସ୍ମୃତି, କର୍ତ୍ତବ୍ୟର ଆହ୍ୱାନରେ ସେ ସକାଳୁ କ୍ୟାମ୍ପରୁ ବାହାରି ପଡ଼ାମାନଙ୍କରେ ବୁଲି କେଉଁଦିନ ସନ୍ଧ୍ୟାବେଳକୁ ଫେରିଛି, କେଉଁଦିନ ବା ସଅଳ ଚାଲି ଆସିଛି । ବିଶେଷରେ ସେ ଯେଉଁ ତରୁଣ ଡାକ୍ତରଙ୍କ ତତ୍ତ୍ୱାବଧାନରେ କାମ କରୁଛି—ତାଙ୍କର ଘନିଷ୍ଠତା ତାକୁ କରିଛି ଆତ୍ମହରା-। ଦୁଇଜଣ ଯାକ ଏକ ସଙ୍ଗରେ ବୁଲିଛନ୍ତି, ରୋଗୀ ଦେଖିଛନ୍ତି, ଆଳାପ ଆଲୋଚନା କରିଛନ୍ତି-। ମାତ୍ର ଦୁଇ ଜଣଙ୍କର ମନୋଭାବ ଭିନ୍ନ । ଜଣେ ନିସ୍ପୃହ ଓ କାମନାହୀନ । ଆଉ ଜଣେ ରଙ୍ଗୀନ ପରଦାରେ ସୁନେଲି ଚିତ୍ର ଆଙ୍କିବାରେ ବ୍ୟସ୍ତ ।

 

ସେ ଦିନର ଏକ ସଞ୍ଜ । ହେମନ୍ତର ମଲାଜହ୍ନ ଛାପି ଛାପିକା କିରଣ ବିଞ୍ଚି ଦେଇଛି ଧରାପୃଷ୍ଠାରେ । ଡାକ୍ତର ଓ ବାସନ୍ତୀ ଆଲୋଚନାରେ ବ୍ୟସ୍ତ । ପ୍ରଥମରେ ସଂସାରର ଅନିତ୍ୟତା, ଦ୍ୱିତୀୟରେ ରାଜନୀତି, ବେକାର ସମସ୍ୟା ଇତ୍ୟାଦି । ଆଲୋଚନାର ଆଳଧରି ଡାକ୍ତର କହିଲେ–‘‘ବାସନ୍ତୀ ! ଏ ଜୀବନ ଦୁଇ ଦିନର । ଜନ୍ମପରେ ମୃତ୍ୟୁ ନିଶ୍ଚୟ । ତେଣୁ ମାନବର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଭୋଗ ବୋଲି ବହୁ ମନିଷୀ କହି ଯାଇଛନ୍ତି । ତୁମେ ତୁମ ଜୀବନଟାକୁ ଜାଣିଶୁଣି ଛାରଖାର କରି ଦେଉଛି କାହିଁକି ?’’

 

ବାସନ୍ତୀ କହିଲା—ନାଁ, ଡାକ୍ତର ବାବୁ ! ଆପଣଙ୍କ ଯୁକ୍ତି ଠିକ୍‌ ନୁହେଁ । ଭୋଗ କେବଳ ସେହିମାନଙ୍କ ପାଇଁ—ଯେଉଁମାନେ ଏ ସଂସାରରେ ପୁଣିଥରେ ଜନ୍ମ ହେବାକୁ ଇଚ୍ଛା କରନ୍ତି ନାହିଁ । ମାତ୍ର ମୋ ମତରେ ମାନବ ଜୀବନର ମୂଳମନ୍ତ୍ର ତ୍ୟାଗ ।

 

—ତେବେ ତୁମେ କେମିତି ଜାଣିଲ ଯେ, ପୁଣିଥରେ ତୁମର ଜନ୍ମ ହେବ । ହେଉ, ଆମର ସେ ପୂର୍ବଜନ୍ମ ଓ ପରଜନ୍ମ ବିଷୟରେ ଆଲୋଚନା କରି ଲାଭ କଣ ? ତେବେ ତୁମର ତ ପୁଣି ଭବିଷ୍ୟତ ଅଛି ଓ ମାତୃତ୍ୱର କାମନା ଅଛି ?

 

ବାସନ୍ତୀ ଚମକି ପଡ଼ିଲା । ହୃଦୟରେ ସେ ସ୍ପନ୍ଦନ ଅନୁଭବ କଲା । ହଁ, ମାତୃତ୍ୱ, ନାରୀ ଜୀବନର ଚରମ ଅଭିବ୍ୟକ୍ତ । ମାତ୍ର କଥାର ସ୍ୱର ବଦଳରେ ସେ କହିଲା—ଆପଣଙ୍କ କଥା ଯେ ଯୁକ୍ତିହୀନ ତାହା ନୁହେଁ । ମାତ୍ର ମୋର ଯେ ସମାଜରେ ସ୍ଥାନ ନାହିଁ ।

 

—ଭୁଲକଥା । କିଏ କହିଲା ତୁମର ସମାଜରେ ସ୍ଥାନ ନାହିଁ ବୋଲି । ଯଦି ସ୍ୱୀକୃତି ଦେବ ତେବେ ମୋ ପାଖରେ ରହିବାରେ କୌଣସି ଆପତ୍ତି ନାହିଁ ।

 

—ହଁ ସ୍ୱୀକୃତି ଦେଇପାରେ । ମାତ୍ର ଆପଣ କଣ ମୋତେ ବିବାହ କରି ସୁଖୀ ହୋଇ ପାରିବେ । ଡାକ୍ତର ଗମ୍ଭୀର ହୋଇ କହିଲେ–ଏ କିପରି ସମ୍ଭବ ହେବ । ଏଥିରେ ବାପାଙ୍କ ମନରେ ଭୀଷଣ ଦୁଃଖ ହେବ ଓ ସମାଜ ବାଧା ଦେବ ।

 

ତାଙ୍କର ଏ ପ୍ରକାର ଉତ୍ତରରେ ବାସନ୍ତୀ ମର୍ମାହତ ହେଲା । ତା’ପରେ ସେ କହିଲା–‘‘ଡାକ୍ତରବାବୁ ! କାହାରି ଲାଳସାର ଚରିତାର୍ଥ ପାଇଁ ନାରୀର ଜନ୍ମ ନୁହେଁ । ତାର ଜୀବନର ଲକ୍ଷ୍ୟ–ସେ କାୟା, ଜନନୀ ଓ ଗୃହିଣୀ ହେବ । ସେତିକି ତାର ଚରମ ଆଦର୍ଶ । ନିଜର କ୍ଷଣିକ ସୁଖପାଇଁ, ଆତ୍ମତୃପ୍ତି ପାଇଁ ବା ଉନ୍ମାଦନା ପାଇଁ ସେ ନିଜକୁ ଜଳାଞ୍ଜଳି ଦେଇ ପାରେନା’-। ନାରୀର ବି ଏକ ସମାଜ ଅଛି । ମୁଁ ସମାଜର ବାହାରକୁ ଯାଇ ପାରିବିନାହିଁ । ମୋତେ କ୍ଷମା କରନ୍ତୁ-।’’

 

ବାସନ୍ତୀ ରାତିରେ ଶୋଇ ପାରିଲାନାହିଁ । ଚଳଚିତ୍ର ଭଳି ତା ଆଖି ଆଗରେ ଅତୀତର ସମସ୍ତ ଅଲୋଡ଼ା ଚିତ୍ର ଭାସି ଉଠିଲା । ସାରା ଦୁନିଆଟା ଯେପରି ତାକୁ କୋରାପୁଟର ଜଙ୍ଗଲଠାରୁ ଆହୁରି ଭୀଷଣ ଦେଖାଗଲା । ନିଜ ରକ୍ତ ମାଂସର ତୃପ୍ତି ପାଇଁ ଅପରର ମାଂସ ରକ୍ତ ଖାଉଥିବା ବାଘ, ଭାଲୁ ଓ ଗଧିଆ ପରି ତାକୁ ସାରା ମାନବ ସମାଜ ବୋଧ ହେଲେ । ଏ ପ୍ରକାର ସମାଜକୁ ସେ ନିସ୍କୃତି ପାଇବା ପାଇଁ ରାତି ନ ପାହୁଣୁ ଚାଲିଗଲା ଅନିର୍ଦ୍ଦିଷ୍ଟ ଭାବରେ ବଣ ଜଙ୍ଗଲ ଅତିକ୍ରମ କରି ଦୂରରୁ ଦୂରକୁ ।

 

ଛୁଟି ପୂରିଗଲା । ଅଜିତର ଚାକିରିରେ ଯୋଗ ଦେବାର କଥା । ମାତ୍ର ବାସନ୍ତୀ ପ୍ରତି ନିଜର ଦୁର୍ବଳତା ଏବଂ ତା ପ୍ରତି ଦେଖାଇଥିବା ବ୍ୟବହାରରେ ନିଜେ କ୍ଷୁନ୍ନ ହୋଇ ପଡ଼ିଲା । ବହୁ ଚିନ୍ତାକରି ଶେଷରେ ସେ ସେଠାରୁ ବଦଳି ହୋଇଯିବାକୁ ଚାହିଁଲା । କର୍ତ୍ତୃପକ୍ଷ ମଧ୍ୟ ତାର ଏ ଆବେଦନରେ ଏକମତ ହୋଇ ତାକୁ ଟାଟାକୁ ବଦଳି କରିଦେଲେ । ଅଜିତ ନିଜ କାମରେ ଯୋଗ ଦେଲା ।

 

ଜାମସେଦଜୀ ଟାଟାଙ୍କର ସାକ୍‌ଚି ଗ୍ରାମକୁ ଦାନ ଏହି ଟାଟାନଗର । ଭାରତ ସଭ୍ୟତାର ସର୍ବଶ୍ରେଷ୍ଠ ପ୍ରତୀକ । ଦିନଥିଲା, ଯେତେବେଳେ ମାନବର ସୁଖ ସ୍ୱାଚ୍ଛନ୍ଦ୍ୟ ଥିଲା—ଶାସନର ମୂଳମନ୍ତ୍ର । କୋଟି କୋଟି ଜନତା ମୁହଁରେ ହସ ଆଣିବା ଥିଲା ଶାସକର ଧର୍ମ । ସେତେବେଳେ ସୁନା, ରୂପା, ମଣି, ମାଣିକ୍ୟ ଥିଲା ଧନୀକର ନିଦର୍ଶନ ।

 

ମାତ୍ର ବର୍ତ୍ତମାନ ଯୁଗ ବଦଳି ଯାଇଛି ।

 

ମାନବର ଜୀବନ ଯିଏ ଯେତେ କମ ସମୟରେ ନେଇପାରୁଛି, ସେ ସେତେ ସଭ୍ୟ ଓ ସୁଶାସକ । ସଭ୍ୟତାର ପ୍ରତିଯୋଗୀତା ପାଇଁ ତିଆରି ଚାଲିଛି ଉଦଜାନ, ପରମାଣୁ ବୋମା । ରକେଟରେ ଚନ୍ଦ୍ର ମଣ୍ଡଳକୁ ଯାତ୍ରା । ତେଣୁ ସଭ୍ୟତାର ପ୍ରଧାନ ମାପକାଠି ହୋଇଛି ଲୌହ । ବିଶ୍ୱର ଏହି ନୂତନ ସଭ୍ୟତାର ତାଳ ଦେବାପାଇଁ କ୍ଷୁଦ୍ର ସାକଚିଗ୍ରାମ ହୋଇ ଉଠିଛି ଜନାଜୀର୍ଣ୍ଣ ସହର ।

 

ଅଜିତ କି ଏକ ଖିଆଲରେ ଟାଟା ନଗର ଆସିଗଲା । ମାତ୍ର ମନରେ ତାର ଶାନ୍ତି ନାହିଁ, ସବୁବେଳେ ସେ ନିଜକୁ ମନେକଲା ନିଃସଙ୍ଗ ଓ ନିଃସହାୟ । ବିଶେଷରେ ସେଠାରେ ଓଡ଼ିଆମାନଙ୍କ ପ୍ରତି କର୍ତ୍ତୃପକ୍ଷଙ୍କର ବ୍ୟବହାରରେ ସେ ମର୍ମାହତ ହୋଇ ପଡ଼ିଲା । ବାରଶହ ବଢ଼େଇଙ୍କର ନିହାଣ ମୁନରେ ବିଶ୍ୱର ଅମରକୀର୍ତ୍ତୀ କୋଣାର୍କ ଦେଉଳ ନିର୍ମିତ ହେଲାପରି ହଜାର ହଜାର ଓଡ଼ିଆର ଲହୁରେ ଟାଟାନଗର ସମୃଦ୍ଧ । ଓଡ଼ିଶାର କଞ୍ଚାମାଲ-ଲୁହା ପଥର ଓ କୋଇଲାରେ ତାର କଳେବର ପୁଷ୍ଟ । ମାତ୍ର ଓଡ଼ିଆ ସେଠାରେ ହେୟ, ଓଡ଼ିଆ ସେଠାରେ କୁଲୀ । ଓଡ଼ିଆର ପଦୋନ୍ନତି ନାହିଁ । ନିଜରବୋଲି କହିବାର କିଛି ନାହିଁ । ସେ କେବଳ ଖଟିବ । ତାର ପରିଶ୍ରମ ଲବ୍‌ଧ ଧନରେ ଅନ୍ୟମାନେ ଗଢ଼ିବେ ପ୍ରାସାଦ । ଏହାର ମୂଳ କାରଣ ସେ ପ୍ରତିବାଦ କରି ଶିଖିନାହିଁ ବନ୍ୟା, ମରୁଡ଼ି ଓ ଦୁର୍ଭିକ୍ଷରେ ତାର ମେରୁହାଡ଼ ଭାଙ୍ଗି ଯାଇଛି । ଏଇ ହେଉଛି ତାର ଦୋଷ ।

 

ଅଜିତ ଯେତିକି ଏ ବିଷୟରେ ମନରେ ଭାବେ,—ସେତିକି ଅସହିଷ୍ଣୁତା ବଢ଼ି ଉଠେ, ମନରେ ଜାଗେ ବିଦ୍ରୋହ । ମାତ୍ର ଏ ବିଦ୍ରୋହ କାହା ବିରୁଦ୍ଧରେ ସେ ବୁଝିପାରେନା । ସେ ଧାରଣା କରିନିଏ–ସତେ ଯେପରି ଓଡ଼ିଆ ଜାତିଟା ଜନ୍ମ ନେଇଛି କେବଳ ଖଟିବା ଓ ଖାଇବା ପାଇଁ । ତା’ପାଇଁ ବିଧାତାଙ୍କ ବିଧାନରେ ସୁଖ ବା ସମୃଦ୍ଧିର କୌଣସି ଚିହ୍ନନାହିଁ । ସେଠି ଓଡ଼ିଆ ବୋଲି ପରିଚୟ ଦେବା ଯେତିକି ପାପ, ଓଡ଼ିଆ ଭାଷାରେ କଥା କହିବା ବି ତାଠାରୁ ବଳି ପାପ । ହଜାର ହଜାର ଓଡ଼ିଆ ଥିଲେ ମଧ୍ୟ ଓଡ଼ିଆ ଶିକ୍ଷାର ବ୍ୟବସ୍ଥା ନାହିଁ । ଓଡ଼ିଶାର ଶିକ୍ଷା, ସଂସ୍କୃତି ବିକାଶ ପାଇଁ କୌଣସି ଅନୁଷ୍ଠାନ ନାହିଁ । ଏସବୁ କଥା ତାକୁ ଯେତିକି ବିବ୍ରତ କରି ପକାଏ, ବଞ୍ଚି ରହିବାର ବାସନା ସେତିକି ବଳବତ୍ତର ଭାବେ ଜାଗ୍ରତ ହୋଇଉଠେ ।

 

ଅଜିତର ଟାଟା ନଗରକୁ ଆସିବା ପ୍ରାୟ ଦଶଦିନ ବିତିଗଲାଣି । ନୂଆ ଜାଗାରେ ନିଜକୁ ଖାପ ଖୁଆଇବା ଏବଂ ସେଠାକାର ବିଚିତ୍ର ପରିସ୍ଥିତିରେ ସେ ଘରକୁ ଖଣ୍ଡିଏ ଚିଠି ଦେବାକୁ ବି ଭୁଲିଯାଇଛି । ସେଦିନ ହଠାତ୍‌ ଘରକଥା ମନେ ପଡ଼ିବାରୁ ସେ ଟେଲିଗ୍ରାମ କରିବା ପାଇଁ ଷ୍ଟେସନ ପୋଷ୍ଟଅଫିସକୁ ଗଲା । ଦେଖିଲା ଷ୍ଟେସନ ପ୍ଲାଟଫର୍ମ ଲୋକାରଣ୍ୟ । କାରଣ କଣ ଜାଣିବା ପାଇଁ ସେ ତରବରରେ ଟେଲିଗ୍ରାମଟିଏ କରିଦେଇ ଚାଲିଗଲା ଷ୍ଟେସନ ମାଷ୍ଟରଙ୍କ ନିକଟକୁ । ଷ୍ଟେସନ ଫାଟକ ପାଖରେ ହଠାତ୍‌ କାନ୍ଧରେ ଚାପ ଅନୁଭବ କରି ସେ ପଛକୁ ଫେରିଚାହିଁ ବିସ୍ମିତ ହୋଇଗଲା-। ତାର ଅନ୍ତରଙ୍ଗ ବନ୍ଧୁ ଓ ସହପାଠୀ ସୁରେଶକୁ ପୋଲିସ ଇନ୍‌ସପେକ୍‌ଟର ବେଶରେ ଯେ ଏପରି ସ୍ଥାନରେ ଏପରି ଭାବରେ ଦେଖିବା ଏକଥା ସେ କଳ୍ପନା କରିନଥିଲା । ଦୁଇଜଣ ଯାକ ଆନନ୍ଦରେ କୋଳାକୋଳି ହୋଇ ସାରିବାପରେ ଯାହା ଷ୍ଟଲରେ ପହଞ୍ଚିଲା । ସେଠାରେ ଅଜିତ ପଚାରିଲା–ଆଜି ଷ୍ଟେସନରେ ଏତେ ଲୋକାରଣ୍ୟ କାହିଁକି ? ଇନ୍‌ସପେକ୍‌ଟର କହିଲେ—ଆଜି ଏଠାକୁ କିଏ ଜଣେ ବିପ୍ଳବୀ ଆସୁଛନ୍ତି ଯେ ତାଙ୍କୁ ଧରିବାପାଇଁ ଓଡ଼ିଶା ସରକାର ମୋତେ ପଠାଇଛନ୍ତି-। ସେଥିପାଇଁ ଏ କାଣ୍ଡ ।

 

—ସେ ଲୋକଟି କିଏ ?

 

—କେମିତି ଜାଣିବି । ଶୁଣିଛି ତାଙ୍କ ନାମ ଡାକ୍ତର ରାୟ । ମାତ୍ର ସେ କେଉଁ ଜାତିର କେଉଁଠି ତାଙ୍କ ଘର ଓ କିପରି ଲୋକ ଏ ବିଷୟରେ ଭଗବାନଙ୍କ ବ୍ୟତୀତ ଆଉ କେହି ଜାଣନ୍ତି ନାହିଁ । ତେବେ ପୋଲିସ ରିପୋର୍ଟରୁ ଜଣାଯାଏ—ସେ ନେତାଜୀ ବୋଷଙ୍କ ଆଜାଦ ହିନ୍ଦ୍‌ ଫୌଜରେ ଥିଲେ । ଲମ୍ଫାଲଠାରେ ଆଜାଦ ହିନ୍ଦ୍‌ ଫୌଜ ମିତ୍ରଶକ୍ତି ଦ୍ୱାରା ପରାଜିତ ହେବା ପରେ ତାଙ୍କୁ ବନ୍ଦୀରୂପେ ଭାରତକୁ ଅଣାଯାଇଥିଲା । ମାତ୍ର ବାଟରେ ବ୍ରିଟିଶ ସରକାରଙ୍କର ଆଖିରେ ଧୂଳି ଫିଙ୍ଗି ଖସି ପଳାଇଲେ । ତା’ପରେ ବ୍ରିଟିଶ ସରକାର ଏ ଦେଶକୁ ଚାଲିଯିବାପରେ ସେ ପୂର୍ଣ୍ଣାଙ୍ଗ ଉତ୍କଳ ଗଠନପାଇଁ ବିଭିନ୍ନ ସ୍ଥାନରେ ବୁଲି ସଂଗଠନ କରୁଛନ୍ତି ଏବଂ ଦେଶର ବିପ୍ଳବ ସୃଷ୍ଟି କରୁଛନ୍ତି-

 

—ତେବେ ଏଥିରେ ତାଙ୍କର ଦୋଷ କଣ ?

 

—ଦୋଷ ସିନା ତୋ ପାଖରେ ନୁହେଁ ? ମାତ୍ର ସରକାରଙ୍କ ଆଇନ କାନୁନ ପାଖରେ ସେ ଯେ ଦୋଷୀ । କାରଣ ସେ ବିପ୍ଳବୀ । ଦେଶରେ ଅରାଜକତା ଆଣି ସାଧାରଣ ନାଗରିକଙ୍କର ଜୀବନ ବିପନ୍ନ କରୁଛନ୍ତି । ଏଣୁ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ସରକାରଙ୍କର ଯେପରି କର୍ତ୍ତବ୍ୟ, ବିପ୍ଳବ ଦୂର କରିବା ସେହିପରି ମଧ୍ୟ କର୍ତ୍ତବ୍ୟ ।

 

—ତୁ ତ ତାଙ୍କୁ ଚିହ୍ନିନାହୁଁ ଧରିବୁ କିପରି ?

 

—ଯଦି ବାପା ମାଆଙ୍କର ଆଶୀର୍ବାଦ ଥାଏ ବା ପୂର୍ବ ଜନ୍ମର କିଛି ପୁଣ୍ୟ ଥାଏ ?

 

ରେଳ ଆସିବାର ଘଣ୍ଟା ବାଜିଗଲା । ଇନ୍‌ସପେକ୍ଟର ଅଜିତକୁ ଧରି ତରବରରେ ପ୍ଲାଟଫର୍ମରୁ ଚାଲିଲେ । ଶହ ଶହ ଜନତାର ଉଧ୍‌ବିଗ୍ନ ଚକ୍ଷୁ ଚାହିଁ ରହିଲା—ଗୋଟିଏ ଲୋକର ହାତରେ ହାତକଡ଼ି ଦେଖିବାକୁ । ମାତ୍ର ଯେଉଁ ବିପ୍ଳବୀଙ୍କର ଦର୍ଶନ ପାଇଁ ବିରାଟ ଜନ ସମାଗମ, ଅବତରଣକାରୀ ଲୋକଙ୍କ ମଧ୍ୟରେ ସେପରି କେହି ଦେଖିଲେ ନାହିଁ । ଶେଷରେ ଇନ୍‌ସପେକ୍ଟର କେତେଜଣ ଲୋକଙ୍କୁ ଯାଞ୍ଚ ପାଇଁ ଅଟକାଇ ରଖି ଅନ୍ୟମାନଙ୍କୁ ବିଦାୟ ଦେଲେ । ଦର୍ଶକମାନେ ଯେ ଯାହା ବାଟରେ ଗଲେ । ଇନ୍‌ସପେକ୍ଟର କେତେକ ମାମୁଲୀ ପ୍ରଶ୍ନ ପଚାରି ଜଣକ ପଛକୁ ଜଣେ ଲେଖାଏଁ ବିଦାୟ ଦେଲେ । ଶେଷ ଲୋକଟି ଜଣେ ଓଡ଼ିଆ କୁଲୀ । ଶ୍ୱାସରୋଗରେ ଜୀର୍ଣ୍ଣ ଶୀର୍ଣ୍ଣ ଚେହରା । ବୟସ ଅନୁପାତରେ ବାର୍ଦ୍ଧକ୍ୟ ଯେପରି ଲୋକଟାକୁ ଖୁବ୍‌ଶୀଘ୍ର ମରଣ ନିକଟକୁ ଟାଣି ନେଉଛି । ମୁହଁରେ ହାଣ୍ଡିଆର ତୀବ୍ରଗନ୍ଧ । ଇନ୍‌ସପେକ୍ଟରଙ୍କ ପ୍ରଶ୍ନର ଉତ୍ତରଦେଇ ସେ କହିଲା–‘‘ତାର ଘର ମୟୂରଭଞ୍ଜରେ । ନାମ ଜୀବନ । ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ସେ ଆସିଛି, ଏଠାକୁ କୁଲୀ କାମ କରିବାପାଇଁ, ତାର ଏ ପ୍ରକାର ଚେହେରା ଦେଖି ଇନ୍‌ସପେକ୍ଟର ପଚାରିଲେ–କିରେ-! କେତେଦିନ ବଞ୍ଚିବୁ । ଦେହରତ ଅବସ୍ଥା ଏପରି ଏହା ଉପରେ ପୁଣି ହାଣ୍ଡିଆ ଚାଲିଛି-? କୁଲୀଟି ଥର ଥର ଗଳାରେ କହିଲା—‘‘ଜୁହାର ହୁଜୁର ! ମୁଁ କେବେ ହାଣ୍ଡିଆ ଖାଏନା-!’’ ମାତ୍ର ଇନ୍‌ସପେକ୍ଟର ତା ଉତ୍ତର ପ୍ରତି ଆଦୌ ଲକ୍ଷ୍ୟ ନ ରଖି ନିରାଶାସୂଚକ ଦୀର୍ଘଶ୍ୱାସ ପକାଇ ତାକୁ ବିଦାୟ ଦେଲେ ।

 

ପ୍ଲାଟଫର୍ମ ନିସ୍ତବ୍‌ଧ ହେଲା । ମାତ୍ର ଅଜିତର ହୃଦୟରେ ଯେଉଁ ପ୍ରତିଧ୍ୱନି ଉଠିଲା ତାହା ଅଲିଭାହୋଇ ରହିଗଲା । ସେ ଭାବିଲା–ଏଇତ ଆମର ସ୍ୱାଧୀନତା । ଯାହାଯୋଗୁଁ ଆମେ ଆଜି ସ୍ୱାଧୀନ ଜାତି ବୋଲି ପୃଥିବୀରେ ଗର୍ବ କରୁଛୁଁ । ବାହାରେ ଯେତେ ଡିଣ୍ଡିମ ପିଟିଲେ ବି ଆମର ପେଟପୁରା ଦୁଇବେଳା ଖାଇବାକୁ ଦାନା ନାହିଁ । ମୋ ଦେଶ ବୋଲି ଗର୍ବ କରିବାର ଅଧିକାର ନାହିଁ-। ମୁହିଁ ଖୋଲି ପଦେ କହିବାର ବି ସ୍ୱାଧୀନତା ନାହିଁ । ଦେଶପାଇଁ ଯେ ପଦେ କହିବ ଆଇନ ଆଖିରେ ସେ ହେବ ଦୋଷୀ । କାରଣ ତାର ଦେଶାତ୍ମବୋଧ ଅଛି । ଯେଉଁମାନେ ଦେଶ ଦେଶ ବୋଲି ଚିତ୍କାର କରି ବୁଲୁଛନ୍ତି, ଆଖିରେ ମରିଚଗୁଣ୍ଡ ପକାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ ଦେଶପ୍ରେମୀ ଓ ନେତା । ଦିନ ଦି’ପହରେ କଳାକୁ ଧଳା କରି ଲକ୍ଷ ଲକ୍ଷ ଟଙ୍କା ଠକେଇ, ଦେଶର ଉନ୍ନତି କାମରେ ଗରୀବଙ୍କ ପଳ ପଳ ରକ୍ତ ଶୋଷୁଛନ୍ତି; ସେମାନେ ଦେଶର ମଉଡ଼ମଣି-। ଲାଞ୍ଚ ମିଛ ପ୍ରିୟାପ୍ରିତି ତୋଷରେ ଯାହାଙ୍କର ମୂଳମନ୍ତ୍ର ସେ ଦେଇଛନ୍ତି ସାମ୍ୟବାଦର ଦୀକ୍ଷା । ଗରୀବଙ୍କ ରକ୍ତରେ ଯାହାର ଅଙ୍ଗ ପୁଷ୍ଟ ସେ ହେଉଛି ଶୋଷକହୀନ ସମାଜର ସ୍ରଷ୍ଟା । ତାଙ୍କ ପାଇଁ ଆଇନ ନାହିଁ, ଶାସନ ନାହିଁ । ଜନମତକୁ ଚାପିବା ପାଇଁ ନେତାମାନେ ଭାଷଣ ଦେଉଛନ୍ତି—ଲୋକଙ୍କର ନୈତିକତା ଆସିବା ଆବଶ୍ୟକ । ସେମାନଙ୍କ ପାଇଁ ଆଇନର ସବୁ ଦଫା ହଜି ଯାଇଛି-। ଆଉ ରହିଛି ସେଇମାନଙ୍କ ପାଇଁ, ଯେଉଁମାନେ ଦେଶପାଇଁ, ଜାତି ପାଇଁ କହିବେ । ଦେଶ ଲୋକଙ୍କ ଦୁଃଖରେ ଦୁଃଖୀ ହେବେ । ସେମାନଙ୍କୁ ନାଆଁ ଦିଆଯିବ ବିଦ୍ରୋହୀ । ସେମାନଙ୍କ କାର୍ଯ୍ୟହେବ ସଂକୀର୍ଣ୍ଣ ପ୍ରାଦେଶିକତା—ଏହିପରି ନାନା ଚିନ୍ତାକରି ସେ ଯେ କେତେବେଳେ ପହଞ୍ଚିଲା ତାକୁ ଜଣା ନାହିଁ ।

 

ଅସନ୍ତୋଷ ମାନବର ଚୀର ସହଚର । ମାତୃଗର୍ଭରୁ ସେ ଅସନ୍ତୋଷ ଶିଖି ଆସିଥାଏ, ପୁଣି ମୃତ୍ୟୁ ପର୍ଯ୍ୟନ୍ତ ଅସନ୍ତୋଷକୁ ବି ଛାଡ଼ିପାରେ ନାହିଁ । ଏହି ଅସନ୍ତୋଷ ଯୋଗୁଁ ସେ କେତେବେଳେ ହୁଏ କବି, ପଣ୍ଡିତ, ଚିତ୍ରକାର; କେତେବେଳେ ବା ହୋଇଉଠେ ବନ୍ୟ ପଶୁପରି ଦୁର୍ଦ୍ଦାନ୍ତ । ମାତ୍ର ତାର ସେ ଅସନ୍ତୋଷ ସ୍ଥିତିଶୀଳ ନୁହେଁ, ଗତିଶୀଳ । କେତେବେଳେ ସେ ଗିରି ନଦୀ ପରି ପ୍ରବଳ ବେଗରେ ମାଡ଼ିଯାଏ ନିମ୍ନକୁ, କେତେବେଳେ ବା ଧିର ମନ୍ଥର ଗତିରେ । ଏଥିପାଇଁ ମୁକ୍ତପଥ ଲୋଡ଼ା । ଅଜିତର ଏଇ ରୁଦ୍ଧ ଅସନ୍ତୋଷ ସେ ଦିନ ଆତ୍ମପ୍ରକାଶ କଲା ରମେଶ ନିକଟରେ ।

 

ରମେଶ ଅଜିତର ନିମ୍ନ କର୍ମଚାରୀ ହେଲେ ବି ବନ୍ଧୁ । ଟାଟାରେ ପହଞ୍ଚିବା ପରେ ସାଙ୍ଗରେ ଅଜିତର ପ୍ରଥମ ପରିଚୟ । ବିଶେଷତଃ ଦୁଇଜଣଯାକ ଓଡ଼ିଆ ଥିବାରୁ ଏବଂ ଗୋଟିଏ ବିଭାଗରେ କାମ କରୁଥିବାରୁ ସବୁବେଳେ ସାକ୍ଷାତ ହୁଏ; । ତା’ ବ୍ୟତୀତ ଅଫିସରୁ ଫେରିବା ବାଟରେ ପାର୍କରେ ବସି ଦୁଇଜଣଯାକ ସମାଜ ଦର୍ଶନ, ରାଜନୀତି, ଅର୍ଥନୀତି ବିଷୟରେ କେତେ କଥା ଯେ ଆଲୋଚନା କରନ୍ତି ତା’ର ସ୍ଥିରତା ନାହିଁ । ଏହି ସାମାନ୍ୟ ଆଠ ଦଶଦିନର ବନ୍ଧୁତାରେ ଉଭୟେ ଉଭୟଙ୍କର ଖୁବ୍‌ ନିକଟକୁ ଚାଲିଯାଇଛନ୍ତି । ତେଣୁ ଅଜିତ ନିଃସଙ୍କୋଚରେ ତା ନିକଟରେ ଷ୍ଟେସନର ସମସ୍ତ ଘଟଣା ବର୍ଣ୍ଣନା କଲା । ରମେଶ କହିଲା—‘‘ବାବୁଜୀ ! ଏଥିରେ ଦୁଃଖ କରିବାର କଣ ଅଛି । ଏଟାତ ଆମ ଦେଶର ଚିରନ୍ତନ ନୀତି । ଏ ଦେଶ ପୃଥିବୀ ଆଗରେ ସ୍ୱାଧୀନ ହୋଇଛି ସତ; ମାତ୍ର ଅନ୍ତରରେ ତର ସ୍ୱାଧୀନତାର ଝଲକ ଏ ପର୍ଯ୍ୟନ୍ତ ଖେଳିନାହିଁ । ଆହୁରି ଦଶ ବର୍ଷ ପରେ ମଧ୍ୟ କଣ ହେବ କହିହେଉନାହିଁ । ଏ ଦେଶ ଯେଉଁଦିନ ପ୍ରତିଭାର ପୂଜା କରିବସିବ, ଗୁଣର ଆଦର କରି ଶିଖିବ ସେଦିନ ଆସିବ ପ୍ରକୃତ ସ୍ୱାଧୀନତା । ଶାନ୍ତି, ପ୍ରୀତି, ମୈତ୍ରୀର ତ୍ରିଧାରା ମନ୍ଦାକିନୀ ବହିଯିବ—ହିମାଳୟରୁ କୁମାରୀକା ପର୍ଯ୍ୟନ୍ତ । ଆଜି ଆମ ଦେଶ ସ୍ୱାଧୀନ ହୋଇଛି ସତ; ମାତ୍ର ପରାଧୀନତାର ମନୋବୃତ୍ତି ଏ ପର୍ଯ୍ୟନ୍ତ କାହାରି ହୃଦୟରୁ ଯାଇନି । ଠିକ୍ ଯେପରି ବନ୍ଧା ଗୋରୁ ବିଲରୁ ଆସି ଖୁଣ୍ଟ ପାଖରେ ଠିଆ ହୁଏ ଏବଂ ଉପବାସରେ ମରେ ପଛକେ ପଘା ଛିଡ଼ାଇବାକୁ ଇଚ୍ଛା କରେ ନାହିଁ ସେହିପରି ଦୀର୍ଘ ଦେଢ଼ଶ ବର୍ଷର ପରାଧୀନତାରେ ଆମେ ଏପରି ଅଭ୍ୟସ୍ତ ହୋଇ ପଡ଼ିଛନ୍ତି ଯେ, ବ୍ରିଟିଶ ସରକାର ଏ ଦେଶରୁ ଚାଲିଯାଇ ଶାସନ ଖସଡ଼ା ବଦଳି ଥିଲେ ହେଁ, ଆମର ଶାସନ ବ୍ରିଟିଶ ପରମ୍ପରାରେ ଚାଲିଛି । ନେତୃସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ସାମାନ୍ୟ ସ୍ୱାର୍ଥ ଓ ଆତ୍ମବଡ଼ିମା ନିମିତ୍ତ ପରାଙ୍ଗ ପୃଷ୍ଟ ନିର୍ମୁଳିଲତା ଯେପରି ଯେଉଁ ଗଛରେ ମାଡ଼େ, ତାହାରି ରସ ଶୋଷଣ କରି ତାକୁ ମାରିଦିଏ; ସେହିପରି ଯେଉଁ ଗରୀବ ଜନସାଧାରଣଙ୍କ ଉପରେ ଠିଆ ହୋଇ ନେତା ହୁଅନ୍ତି ନିଜର ପୌରୁଷ ପାଇଁ ସେଇମାନଙ୍କୁ ପୁଣି ଶୀକାର କରନ୍ତି । ଆପଣ ମୋର ଉପରିସ୍ଥ ଅଫିସର । ମାତ୍ର ମୋର ବୟସର ଯେଉଁ ଅଭିଜ୍ଞତା ଅଛି, ତାହା ମୁଁ ଆପଣଙ୍କ ଆଗରେ ବର୍ଣ୍ଣନା କରୁଛି; ଶୁଣନ୍ତୁ—

 

୧୯୧୯ ମସିହା କଥା । ମୋ ଘର ଏକ ଜମିଦାରୀ ଅଞ୍ଚଳରେ । ସେଠାକାର ଜମିଦାର ଥିଲେ ବ୍ରିଟିଶ ସରକାରଙ୍କର କୋଡ଼ପଛା ପୁଅ । ତେଣୁ ଜମିଦାର ହେଲେ ମଧ୍ୟ ସେ ଜଣେ ମିତ୍ରରାଜାପରି ସବୁ ସୁବିଧା ଓ ସୁଯୋଗ ପାଇଥିଲେ । ତାଙ୍କ ଆଗରେ ସେ ଅଞ୍ଚଳରେ ପାଟି ଫିଟାଇବାର କାହାରି ଶକ୍ତି ନଥିଲା । ଜମିଦାରଙ୍କ ବାକ୍ୟହିଁ ଥିଲା ବେଦ । ତାଙ୍କର ଧନ ଲାଳସା ବି ଥିଲା ଅଦମ୍ୟ । ଜମିଦାରଙ୍କର ଏଇ ଇଚ୍ଛାକୁ ପୂରଣ କରିବା ପାଇଁ କର୍ମଚାରୀମାନେ ଏକ ଏକ ଜମିଦାର ରୂପରେ ପ୍ରଜାମାନଙ୍କ ନିକଟରେ ଦେଖାଦେଲେ । ବେଠି, ବେଶାରୀ, ଲୁଣ୍ଠନ, ବ୍ୟଭିଚାର ଓ ନାରୀଧର୍ଷଣ ପ୍ରଜାମାନଙ୍କୁ ଅସହ୍ୟ ବୋଧ ହେଲା । ସେହି ସମୟରେ ଆରମ୍ଭ ହେଉଥାଏ ଅସହଯୋଗ ଆନ୍ଦୋଳନ । ପ୍ରଜାମାନେ ଅତ୍ୟାଚାର ପ୍ରପୀଡ଼ିତ ହୋଇ ସେହି ପନ୍ଥା ଧଇଲେ । ସେତେବେଳେ ଏପରି ସମୟ ଥିଲା–ଜମିଦାରଙ୍କ ବିରୁଦ୍ଧରେ ପଦେ କହିବାର ଅର୍ଥ ହେଉଥିଲା—ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଯିବା । ମାତ୍ର ପ୍ରଜାଙ୍କ ଉପରେ କରଭାର ବଢ଼ିବାରୁ ସେମାନେ ଅଭିଯୋଗ କଲେ । ସେମାନଙ୍କର ଅଭିଯୋଗକୁ ବିପ୍ଳବ ଆଖ୍ୟା ଦିଆଯାଇ ଗୁଳି ଚାଲିଲା । କେତେ ଝିଅ ବୋହୂ ବଣ ବୁଦାକୁ ପଳାଇଗଲେ । ଗର୍ଭିଣୀ ନାରୀମାନେ ବଣ ବୁଦାରେ ପ୍ରସବ କଲେ । ମୁଁ ଉକ୍ତ ଜମିଦାରୀ ଇଲାକାରେ କର୍ମଚାରୀ ଥାଏଁ । ଏ ପ୍ରକାର ଅତ୍ୟାଚାର ଓ ନିର୍ଯ୍ୟାତନା ମୋତେ ଅସହଣୀୟ ହେବାରୁ ଅସହଯୋଗର ପନ୍ଥା ଧଇଲି । ଶେଷରେ ଏ ଆନ୍ଦୋଳନ ଏକ ଭାରତବ୍ୟାପୀ ଆନ୍ଦୋଳନ ହେଲା । ଦାସେ ଆପଣେ, ଗାନ୍ଧିଜୀ ପ୍ରଭୃତି ଦେଶ ଓ ଜାତିର କର୍ଣ୍ଣଧାରମାନେ ଆସିଲେ । ମାତ୍ର ଅତ୍ୟାଚାରର ମାତ୍ରା କ୍ରମେ ବଢ଼ିବାରେ ଲାଗିଲା । ଆମ୍ଭମାନଙ୍କୁ ଘରକୁ ନ ଛାଡ଼ିବାକୁ ନିଷେଧ ଆଦେଶ ଦିଆଗଲା । ବାଟରେ, ଘାଟରେ ଧରି ନିଆଯାଇ ମାଡ଼ ଓ ଜେଲ ଦିଆଗଲା । ଘର ଭିତରେ ଅଟକ କରି ରଖାଗଲା । ସରକାରଙ୍କ ନିକଟରେ ଆପତ୍ତିର କୌଣସି ମୂଲ୍ୟ ନ ଥିଲା । ମୋଟ ଉପରେ ବିପ୍ଳବର ଦିଗନ୍ତ ବିସ୍ତାରୀ ଅତଳ ବାରିରାଶି ମଧ୍ୟରେ ଆମେ କେତେଜଣ ଏକ ଭଙ୍ଗା ନୌକାର ଆରୋହୀ, ପାଣି ପବନ ଓ ସୁଅର ଦିଗ ଏକ; କେବଳ ଭାରତ ଜାତୀୟ କଂଗ୍ରେସହିଁ ଆମର ଏକମାତ୍ର କ୍ଷେପଣୀ । ଏହିପରି ଦିନେ ସନ୍ଧ୍ୟା ବେଳେ ମୁଁ ଶାଢ଼ି ଖଣ୍ଡିଏ ପିନ୍ଧି କଳସୀଟିଏ ଧରି ପାଣି ଆଣିବା ବାହାନାରେ ସେ ଇଲାକା ଛାଡ଼ି ଚାଲିଗଲି । ଅନ୍ୟମାନେ ମଧ୍ୟ ଦୂରକୁ ଚାଲିଗଲେ । ଆମ୍ଭେମାନେ ଚାଲିଗଲାପରେ ଜମିଦାରଙ୍କ ପୁଞ୍ଜିଭୂତ ଆକ୍ରମଣ ପଡ଼ିଲା ନିରୀହ ଜନସାଧାରଣଙ୍କ ଉପରେ । ଯେଉଁମାନେ ଆମକୁ ସମର୍ଥନ କରୁଥିଲେ ସେମାନଙ୍କ ଘର ଲୁଟ କରିବାପାଇଁ ଶହ ଶହ ଗୁଣ୍ଡା ଲାଠି, ବନ୍ଧୁକ, ତରବାରୀ ଧରି ଆକ୍ରମଣ କଲେ-। କୋଟିପତିମାନେ ଦାଣ୍ଡର ଭିକାରୀ ହେଲେ । ବାହାରକୁ ଆସି ଆମେ ଲୁଚି ଲୁଚି ଆନ୍ଦୋଳନ ଚଳାଇଲୁ । ଏ ପର୍ଯ୍ୟନ୍ତ କେବଳ ଅହିଂସା ଭାବରେ ଆନ୍ଦୋଳନ ଚଳାଇଲୁ । ମାତ୍ର ଦେଖିଲୁ ଯେ ପାଶବିକ ବ୍ୟକ୍ତି ନିକଟରେ ଅହିଂସାର କୌଣସି ମୂଲ୍ୟ ନାହିଁ । ତେଣୁ ଆତ୍ମରକ୍ଷାପାଇଁ ପ୍ରତିରୋଧର ପଥ ଧଇଲୁ । ଫଳରେ ଜନ ଜାଗରଣ ଦେଖାଦେଲା ଓ ଆମେ ଟିକିଏ ଶାନ୍ତିରେ ନିଶ୍ୱାସ ମାଇଲୁ-

 

ଦେଶ ସ୍ୱାଧୀନ ହେଲା । ଆମରି ସହକର୍ମୀମାନେ ହେଲେ ନେତା; କିନ୍ତୁ ଆମର ଦୁଃଖ ପୂର୍ବପରି ରହିଲା । ଜମିଦାର ଓ ନେତାଙ୍କର ମିଳନ ହେଲା ଏବଂ ଆମ୍ଭମାନଙ୍କୁ ପୁଣିଥରେ କାରାଗାରକୁ ଯିବାକୁ ପଡ଼ିଲା । ସରକାର ବଦଳିଲେ କଣହେଲା—ଶାସନର ଧାରା ପୂର୍ବପରି ରହିଲା । ତଥାପି ଆମ୍ଭେମାନେ ଶୃଙ୍ଖଳା ସହକାରେ ଚାଲିଥାଉଁ । ଆମର ବ୍ରତଥାଏ ରାମରାଜ୍ୟର ପରିକଳ୍ପନା । ଇତି ମଧ୍ୟରେ ମନ୍ଥରାର ପାଳି ପଡ଼ିଲା । ଭାଗଚାଷ ଆନ୍ଦୋଳନ ଚାଲିଥାଏ । ସରକାର ଗରୀବ ପ୍ରଜାଙ୍କର ସ୍ୱାର୍ଥରକ୍ଷାପାଇଁ ଭାଗଚାଷ ଆଇନ ଧାର୍ଯ୍ୟ କଲେ । ଉଦ୍ଦେଶ୍ୟ ରହିଲା ଭାଗଚାଷୀମାନଙ୍କର ସତ୍ୱରେ ଅଧିକାର ଦେବା । ଆମ୍ଭମାନେ ଏ ପ୍ରକାର ଗୁରୁତର ପରିବର୍ତ୍ତନରେ ମୁଖ୍ୟ ଅଂଶ ଗ୍ରହଣ କଲୁ । ଏଣେ ଜମିଦାର ସରକାରଙ୍କ ସଙ୍ଗରେ ମିଳି ଆମର ଏ ଉଦ୍ୟମକୁ ପଣ୍ଡ କରିବାକୁ ବସିଲେ । ମହୁରା ଖୋଜା ପଡ଼ିଲେ ତାର ମଧ୍ୟ ଅଭାବ ରହିଲା ନାହିଁ । ଶେଷରେ ମୋର ଜଣେ ସହକର୍ମୀଙ୍କୁ ଦିନ ଦ୍ୱିପହରେ ହତ୍ୟା କରାଗଲା । ସ୍ୱଦେଶ ସରକାର ଅମଳରେ ଆସାମୀମାନେ ଦଣ୍ଡ ପାଇଲେ ନାହିଁ । ମଦ ଏକ ରହିଲା ମାତ୍ର ବୋତଲ ବଦଳି ଗଲା—ଆମେ କେବଳ ଏତିକି ଶିଖିଲୁ । ଆଜି ଅବଶ୍ୟ ଏକଥା ଲୋକେ ଭୁଲିଗଲେଣି ଏବଂ ଆଉ ଦଶବର୍ଷପରେ ଏହା ରହିବ କେବଳ ଇତିହାସରେ ପରବର୍ତ୍ତୀ ବଂଶଧରଙ୍କ ପାଇଁ ।

 

ଏତିକିରେ ଆମର ଦୁର୍ଦ୍ଦଶା ଶେଷ ହେଲା ନାହିଁ । ଆମେ କେତେଜଣ ଏଥିରେ ପ୍ରତିବାଦ କରିବାରୁ କଳେବଳେ କୌଶଳେ ଆମକୁ ଦଳରୁ ବାହାର କରି ଦିଆଗଲା । ତାପରେ ଆମେ ବଞ୍ଚିରହିବାପାଇଁ ଏହିପରି ଚାକିରି ଉଦ୍ଦେଶ୍ୟରେ ବାହାରି ପଡ଼ିଲୁ । ମୋରିପରି କେତେ ଲୋକ ଏ ଦେଶ ମାଟିରେ ଝଡ଼ି ପଡ଼ିଲେଣି, କେତେବା ଅପେକ୍ଷା କରିଛନ୍ତି ଆସନ୍ନ ମୃତ୍ୟୁକୁ । ଏଇତ ଆମର ଦେଶ । ଏ ଦେଶରେ ସ୍ୱାଧୀନତାର ବା ଅର୍ଥ କଣ ? ମିଃ ରାୟଙ୍କ ଦୁଃଖରେ ସହାନୁଭୂତି ଜଣାଇବା ମୂଲ୍ୟ କଣ ? ଯେ ପର୍ଯ୍ୟନ୍ତ ସମ୍ବିଧାନ ନ ବଦଳିଛି, ଯେ ପର୍ଯ୍ୟନ୍ତ ଲୋକେ ନିଜର ଦାବୀ ଜଣାଇ ନ ଶିଖିଛନ୍ତି ସେ ପର୍ଯ୍ୟନ୍ତ ଆମକୁ ସବୁ ସହିବାକୁ ପଡ଼ିବ ।

 

ରବିବାର ଦିନଟି ସପ୍ତାହକ ମଧ୍ୟରେ ବିଶ୍ରାମ ନିମିତ୍ତ ଧାର୍ଯ୍ୟ । ସମସ୍ତେ ମଉଜ ମଜଲିସରେ ମାତିଛନ୍ତି । ମାତ୍ର ଅଜିତକୁ ଏସବୁ କିଛି ଭଲ ଲାଗିଲା ନାହିଁ । ସେ ଆଜି ପର୍ଯ୍ୟନ୍ତ କେବଳ ବହିପାଠ ପଢ଼ି ଆସିଛି । ଦୁନିଆର ଭଲମନ୍ଦ କିଛି ଜାଣି ନାହିଁ । ପ୍ରସ୍ତର ଯୁଗଠାରୁ ଆରମ୍ଭକରି ସ୍ଫୁଟନିକ ଯୁଗ ପର୍ଯ୍ୟନ୍ତ ମାନବ ଇତିହାସର ପ୍ରତ୍ୟେକ ଅଧ୍ୟାୟ ସେ ମୁଖସ୍ଥ କରି ବିଶ୍ୱବିଦ୍ୟାଳୟର କୃତିଛାତ୍ର ହିସାବରେ ପୁରସ୍କୃତ ହୋଇଛି । ମାତ୍ର ମାନବର ହୃଦୟକୁ ସେ ଅଧ୍ୟୟନ କରିପାରିନାହିଁ । କାରଣ ତାର ସମାଜ ସ୍ୱତନ୍ତ୍ର, ତାର ସ୍ଥାନ ବି ସ୍ୱତନ୍ତ୍ର । ପ୍ରଗତିଶୀଳ ଦୁନିଆରେ ଯେଉଁ ସମାଜ ନିଜକୁ ସଭ୍ୟ ଓ ଶିକ୍ଷିତ ବୋଲି ଗର୍ବକରି ବାଟ ଚାଲେ ସେମାନଙ୍କ ଭିତରୁ ସେ ଜଣେ-। କିନ୍ତୁ ଏଥିରେ କଣ ସେ ଆତ୍ମତୃପ୍ତି ଲାଭ କରୁଛି ? ଏ ସବୁ ବିଷୟରେ ଅଜିତ ଯେତିକି ଚିନ୍ତା କରୁଛି ସେତିକି ରହସ୍ୟର ଅନ୍ଧକାର ଭିତରେ ବୁଡ଼ିଯାଉଛି । ତେବେ ରାସ୍ତା କାହିଁ ? ଏହାର ବା ସମାଧାନ କେଉଁଠି ? ସମାଧାନ କୁଲୀ, ମଜୁରୀଆ ଶ୍ରମିକ ପାଖରେ ନା’ ଆଭିଜାତ୍ୟର ପରିଚ୍ଛଦ ତଳେ । ସେ ସ୍ଥିର କଲା, ତାକୁ ଏ ରହସ୍ୟ ଯେ କୌଣସି ମତଭେଦ କରିବାକୁ ହେବ-। ଏତିକିବେଳେ ତାର ମନେ ପଡ଼ିଲା ବାସନ୍ତୀ କଥା । ସଂସାର ଛଡ଼ା, ସମାଜରୁ ବହିସ୍କୃତା ନାରୀ-। ଆହାବୋଲି ପଦେ କହିବାକୁ କେହି ନାହାନ୍ତି । ମାତ୍ର ସେ ଦୁନିଆରେ ସମସ୍ତଙ୍କର । ତା’ର ଚିନ୍ତା ନାହିଁ, ଦୁଃଖ ନାହିଁ, ଶୋଚନା ନାହିଁ । ଏହିପରି ନାନା ଦୁର୍ଭାବନାରେ ମୁଣ୍ଡ ତାର ଭାରି ବୋଧହେଲା-। ସେ କାହାରିକୁ କିଛି ନ କହି ସିଧା ଚାଲିଲା ରମେଶ ନିକଟକୁ ।

 

ପାର୍କର ସେଇ ନିଦ୍ଦିଷ୍ଟ କୋଣ ବେଞ୍ଚରେ ବସି ରମେଶ ଅପେକ୍ଷା କରିଛି ଅଜିତକୁ । ଅତୀତ, ଭବିଷ୍ୟତ ଓ ବର୍ତ୍ତମାନର ଭଉଁରୀରେ ସେ ଖେଳି ବୁଲୁଛି । ଆଗରେ କନିଅର ଗଛରେ କେତେ ହଳଦିଆ ଫୁଲ ଫୁଟିଛି । ପାର୍କରେ ବୁଲୁଥିବା ପିଲାମାନେ ଫୁଲ ଛିଡ଼ାଇ ମଧୁ ଚୋଷୁଛନ୍ତି । ମାତ୍ର ଫଳକୁ କେହି ହାତ ବଢ଼ାଉନାହାନ୍ତି । ସେମାନେ ଜାଣନ୍ତି ଯେ ତାହା ବିଷ । ଗୋଟିଏ ଗଛର ଦୁଇଟି ରୂପ ବିଷ ଓ ଅମୃତ । ଫୁଲ ବାଣ୍ଟି ହେଉଛି ମଧୁ ମାତ୍ର ଫଳ ହେଉଛି ବିଷ । ଯାହାର ମଧୁ ଆବଶ୍ୟକ ସେ ଖୋଲା ଖୋଲି ଭାବରେ ନେଇ ଯାଉଛି । ମାତ୍ର ବିଷ ଯାହାର ଆବଶ୍ୟକ ସେ ହୁଏତ ନେଉଥିବ ଗୋପନରେ । ସେହିପରି ଏ ବିରାଟ ସଂସାରରେ କେତେବେଳେ କାହାର ବିଷ ଆବଶ୍ୟକ ପଡ଼ୁଛି କିଏ ଜାଣେ ? ତାକୁଇ ସେ ସଂଗ୍ରହ କରୁଛି । କଳା ବଜାର, କିଳାପୋତଇ, ଲାଞ୍ଚ ଓ ମିଛ ବେଶରେ । ମାତ୍ର ଏହାର ଦିନେ ଶେଷ ପରିଣତି ଘଟିବ ? ସେତେବେଳକୁ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ।

 

ଅନ୍ଧାର ମାଡ଼ି ଆସିଲା । ଅଜିତ ଆସିଲା ନାହିଁ । ପାର୍କରୁ ସମସ୍ତେ ଜଣେ ଜଣେ ବିଦାୟ ନେଲେ । ପଡ଼ିରହିଲା କେବଳ ଶୂନ୍ୟ ସ୍ଥାନ । ରମେଶ ବସାକୁ ଯିବାପାଇଁ ଉଠିଲା । ଠିକ୍ ସେତିକିବେଳେ ମାଳତୀ ବୁଦାର ପଛ ପଟେ ଦୁଇଜଣଙ୍କର କଥାବାର୍ତ୍ତା ତାକୁ ଶୁଭିଲା । ରମେଶ ଟିକିଏ କାନେଇଲା । ସ୍ୱରରୁ ମନେହେଲା—ବୋଧହୁଏ ଜଣେ ପୁରୁଷ ଜଣେ ନାରୀ । ନାରୀଜଣକ କହୁଛି—ତୁମେ ବଡ଼ ମୁର୍ଖ । ପ୍ରଲୋଭନ ଦେଖାଇ ନାରୀର ହୃଦୟକୁ ଜୟ କରିବାକୁ ଇଚ୍ଛା କରିଛି କିନ୍ତୁ ତାହା ଅସମ୍ଭବ । ନାରୀର ଧର୍ମ ପ୍ରଭାତ ସୂର୍ଯ୍ୟଠାରୁ ଅଧିକ ଭାସ୍ୱର—ମୃତ୍ୟୁଠାରୁ ତାହା ଅଧିକ ବଳଶାଳୀ ଓ ମାତାର ସ୍ନେହପରି ପବିତ୍ର । ସେହି ନାରୀଧର୍ମକୁ ସାମାନ୍ୟ ଉପହାରରେ କିଣାଯାଇ ପାରେନା ? ନିର୍ଲଜ ମୁଁ ବର୍ତ୍ତମାନ ବୁଝି ପାରିଲିଯେ ତୁ କାହିଁକି ମୋତେ ଏତେ ଉପହାର ଦେଉ ଏବଂ ନିତି ନିତି କାହିଁକି ଆମ ଘରକୁ ଯାଉ ।

 

ପୁରୁଷ କହିଲା—‘‘ବନାନୀ ! ମୋତେ ଭୁଲ ବୁଝେନା । ଉପହାରହିଁ ସ୍ନେହର ନିଦର୍ଶନ-।’’

 

—ହଁ, ସ୍ନେହ ! ବନାନୀ ରାଗରେ ଗର୍ଜି ଉଠିଲା ।

 

ସୁନ୍ଦର ବସ୍ତୁକୁ ଲାଞ୍ଚଦେଇ ନିଜର କଳୁଷିତ ଇଚ୍ଛା ପୂର୍ଣ୍ଣ କରିବା ତ କମ୍ ସ୍ନେହର ନିଦର୍ଶନ ନୁହେଁ ? କିନ୍ତୁ ମନେରଖ ମଁ ନାରୀ ହେଲେ ହେଁ ଶିକ୍ଷିତା ଓ ସ୍ୱାଧୀନା । ମୋତେ ପାଇବାକୁ ହେଲେ ଲୋଡ଼ା ହୃଦୟ ! ଯେଉଁ ହୃଦୟରେ ଯୁଦ୍ଧ, ବିନାଶ, ସଂଘର୍ଷ ଓ କଳୁଷତା ନ ଥିବ-। ଦୁଃଖିର ଦୁଃଖ ଦୂରୀକରଣ କରିବା, ଭୋକୀକୁ ଖାଇବାକୁ ଦେବା ଏବଂ ଜ୍ଞାନୀକୁ ଜ୍ଞାନ ଦେବା ନିତ୍ୟ ନ୍ୟୈମିତିକ କାର୍ଯ୍ୟ ହୋଇଥିବ ।

 

ରମେଶ ନିଜ ଆସନରେ ବସି ରହିଲା । କ୍ରମେ ଅନ୍ଧାର ଗାଢ଼ରୁ ଗାଢ଼ତର ହେଲା । କିଛି ସମୟ ନିରବରେ କଟିଯିବାପରେ ବନାନୀ ନାମଧାରୀ ନାରୀଟି କହିଲା—ମୋତେ ଛାଡ଼ । ନଚେତ୍ ପାଟି କରିବି ।

 

ପୁରୁଷଟି ଅଳ୍ପ ହସି କହିଲା—କିଛି ଲାଭ ହେବ ନାହିଁ । ତୁମେ ଯେ ମୋର ବାକ୍‍ଦତ୍ତ । ବର୍ତ୍ତମାନ ମୁଁ ଯଦି ତୁମକୁ ବଳ ପୂର୍ବକ ନେଇଯାଏ ତେବେ ବି କାହାରି ଆପତ୍ତି କରିବାର ନଥିବ ।

 

ବନାନୀ କହିଲା ଆଉ କେହି ନ କଲେ ମୁଁ ନିଜେ ଆପତ୍ତି କରିବି । ଏବଂ ଶେଷ ପର୍ଯ୍ୟନ୍ତ ନିଜକୁ ରକ୍ଷା କରିବାର ଚେଷ୍ଟା କରିବି । ଧିକ୍ ତୁମକୁ । ପ୍ରଲୋଭନ ପରେ ପୁଣି ଆସିଛି ଭୟ ଦେଖାଇବାକୁ । ମାତ୍ର ମନେରଖ ନାରୀ ଦୁର୍ବଳା ନୁହେଁ । ତାର ନିଜର ଶକ୍ତି ଅଛି; ମାତ୍ର ସେ ଶକ୍ତି ପବିତ୍ର ସ୍ନେହରେ ପରିପୂର୍ଣ୍ଣ । ତୁମେ ଆଜି ପର୍ଯ୍ୟନ୍ତ କେବଳ ଦେଖି ଆସିଛ ନାରୀକୁ ପ୍ରେମିକାରୂପେ ଏବଂ ନିଜର କଳୁଷିତ ବାସନା ପୂରଣକାରୀ ରୂପେ । ତାର ଭୈରବମୂର୍ତ୍ତି କେବେ ଦେଖିନାହିଁ ? ସେ ଯେ ଦୁର୍ଗା ବା କାଳୀର ରୂପ ଧାରଣ କରି ପୃଥିବୀକୁ ଧ୍ୱଂସ କରିଦେଇପାରେ ଏହା ବୋଧହୁଏ ତୁମ କଳ୍ପନାର ବାହାରେ ।

 

ପୁରୁଷଟି ଧିର କଣ୍ଠରେ କହିଲା—ତୁମଠାରୁ ଦୁଇଟି କଥା ଶୁଣିଲି । ଗୋଟିଏ ଧ୍ୱଂସ ଓ ଅନ୍ୟଟି ତ୍ୟାଗ । ଏ ମଧ୍ୟରୁ ମୁଁ କେଉଁଟିକୁ ଗ୍ରହଣ କରିବି ?

 

—ତୁମର ଗ୍ରହଣ ବା ପରିହାସ ବିଷୟରେ ମୋର ମୁଣ୍ଡବ୍ୟଥାର କୌଣସି କାରଣ ନାହିଁ-। ତୁମେ ତୁମ ବାଟରେ ଚାଲିଯାଅ ଏବଂ ମୋତେ ମୋ ବାଟରେ ଯିବାକୁ ଦିଅ ।

 

ପୁରୁଷଟି ଦୃଢ଼ କଣ୍ଠରେ କହିଲା—ତୁମର କୌଣସି ଭାଷଣ ଶୁଣିବାକୁ ମୋତେ ସମୟ ନାହିଁ । ତୁମକୁ ବର୍ତ୍ତମାନ ମୋ ସଙ୍ଗରେ ଯିବାକୁ ହେବ ?

 

—ଏଟା ଅନୁରୋଧ ନା ଆଦେଶ ।

 

—ଯାହା ବୁଝିପାର ।

 

.....ନାଁ ମୁଁ ଯାଇ ପାରିବି ନାହିଁ । କୌଣସିଟା ମୋ ପକ୍ଷେ ଗ୍ରହଣୀୟ ନୁହେଁ ।

 

ତା ପରେ ଶୁଭିଲା ଏକ ଚିତ୍କାର । ରମେଶ ଆଉ ଧୈର୍ଯ୍ୟ ଧରି ନପାରି ବସିବା ସ୍ଥାନରୁ ଉଠିପଡ଼ି ତୀର ବେଗରେ ଯାଇ ସେ ସ୍ଥାନରେ ଉପସ୍ଥିତ ହେଲା । ରମେଶର ଆକସ୍ମିକ ଉପସ୍ଥିତିରେ ପୁରୁଷ ଜଣକ ଅନ୍ଧାରରେ କେଉଁଆଡ଼େ ମିଳାଇଗଲା । ନାରୀ ଜଣକ ତାର ହାତଧରି ଚାଲି ଆସିଲା ପାର୍କର ବାହାରକୁ ।

 

ଅଜିତ ବାଦାମ ପାହାଡ଼ ଛାଡ଼ିବାର ଆଜି ଠିକ୍ ବର୍ଷେ ପୂରିଲା । ଏହି ତିନିଶହ ପଁଷଠୀ ଦିନ ବସନ୍ତ ଫୁଲ ସମ୍ଭାରରେ ଗ୍ରୀଷ୍ମ ପ୍ରଖର ତାତିରେ; ବର୍ଷା ଧାରା ଶ୍ରାବଣରେ; ଶରତ ଯୁଇ, ଜାଇ ଓ ଗଙ୍ଗଶିଉଳିର ସ୍ନିଗ୍ଧ ମହକରେ; ହେମନ୍ତ ପାଚିଲାଧାନର ସୁବାସରେ ଓ ଶୀତ ବୃକ୍ଷ ଲତାରୁ ହରିତ ପତ୍ର ଝଡ଼ାଇ ଚାଲିଯାଇଛି, ନିଜକୁ ନୂଆ ରୂପରେ ଦେଖିବାକୁ । ଭଙ୍ଗାଗଢ଼ା ସଂସାରରେ କେତେ ଭାଙ୍ଗିଯାଇ ପୁଣି ନିଜକୁ ନୂଆରୂପରେ ପରିବର୍ତ୍ତନ କରିଛି । ଅଜିତ ଏସବୁ ଦେଖିଛି ମାତ୍ର ବାସନ୍ତୀକୁ ଏକାରୂପ ଓ ଏକା ଭାବରେ ଭେଟିବ ବୋଲି ସେ କେବେ କଳ୍ପନା କରିନଥିଲା । ତେଣୁ ପ୍ରଥମେ ନିଜ ଚକ୍ଷୁକୁ ବିଶ୍ୱାସ କରି ପାରିଲା ନାହିଁ । ସାମାନ୍ୟ ଆଳାପ ଆଲୋଚନା ପରେ ବାସନ୍ତୀ କହିଲା ଚାଲନ୍ତୁ, ଶ୍ରମିକ କଲୋନୀ ଆଡ଼େ ଘୁରି ଆସିବା । ଆସନ୍ତା ରବିବାରଦିନ ଆମର ପୂର୍ଣ୍ଣାଙ୍ଗ ଉତ୍କଳ ଦିବସ ପାଳିତ ହେବ । ତହିଁ ପରଦିନ ସାରା ଓଡ଼ିଶାରେ ହରତାଳ । ଏହି ଅବସରରେ ଶ୍ରମିକମାନଙ୍କୁ ଟିକିଏ ସୂଚନା ଦେଇ ଆସିବା । ଅଜିତ କୌଣସି ପ୍ରତିବାଦ ନ କରି ଚାଲିଲା ତା ସଙ୍ଗରେ ।

 

ଶ୍ରମିକ କଲୋନୀ । ମଝିରେ ଖପରଲୀଘର । ଦୁଇ ପାଖରେ ନର୍ଦ୍ଦମା ଓ ପାଇଖାନା । ସଭ୍ୟ ଜଗତର ନର୍କକୁଣ୍ଡ—ଆଉ ତାରି ଭିତରେ ରହନ୍ତି ସ୍ଫୁଟନିକ ଯୁଗର ମାନବ-ସମଗ୍ର ପୃଥବୀ ଜୟକରି ଯେ ଆଜି ଚନ୍ଦ୍ରଲୋକକୁ ଜୟ କରିବାକୁ ପ୍ରସ୍ତୁତ ହେଉଛି, ତାଙ୍କରି ବଂଶଧର । ଲହୁକୁ ଲୁହରେ ପରିଣତ କରି ମାନବ ଜାତିର କଲ୍ୟାଣପାଇଁ ଲଢ଼ନ୍ତି ପ୍ରକୃତି ସଙ୍ଗରେ ।

 

ବାସନ୍ତୀ ଓ ଅଜିତ ପ୍ରଥମେ ଯେଉଁ ଘରେ ପହଞ୍ଚିଲେ, ସେ ଘରେ ରହନ୍ତି ଜଣେ ଓଡ଼ିଆ ମିସ୍ତ୍ରୀ । ସେ ଦିନ ତାଙ୍କ ଘରେ ପ୍ରଳୟ କାଣ୍ଡ । ଭାତ ହାଣ୍ଡି ଭାଙ୍ଗିଯାଇ ଘରସାରା ବିଛାଡ଼ି ହୋଇ ପଡ଼ିଛି । ଘର କୋଣରେ ଦଶ ବାର ବର୍ଷର କିଶୋରୀଟିଏ ଛିଣ୍ଡା ଫ୍ରକଟିଏ ପିନ୍ଧି କାନ୍ଦୁଛି । ଗୃହକର୍ତ୍ତା ବସିଛନ୍ତି ଓ ଗୃହିଣୀ ରଣଚଣ୍ଡୀ ବେଶରେ ଭର୍ତ୍ସନା କରୁଛନ୍ତି ସ୍ୱାମୀକୁ । ବାସନ୍ତୀ କାରଣ ପଚାରି ବୁଝିଲେ ଯେ, ଜଣେ ମାଛ ବେପାରୀ ଆସିଥିଲା । ସେ ବିନା ପଇସାରେ ତାର ଝିଅକୁ କିଛି ମାଛ ଦେଇ ଯାଇଛି । ଗୃହକର୍ତ୍ତାଙ୍କର ତାହା ଅସହଣୀୟ ହୋଇ ପଡ଼ିଛି । ତାଙ୍କର ଯୁକ୍ତି ହେଉଛି—ଏଡ଼େ ଝିଅଟା କାହିଁକି ତା ପାଖକୁ ଏତେ ମାଛ ଦେଲା । ଗୃହିଣୀ କହନ୍ତି—ତୁମେ ତ କେବେ ପିଲାଙ୍କୁ ମାଛ ଖାଇବାକୁ ଦେଇ ପାରିଲ ନାହିଁ । ସେ ଯଦି କେଉଁଠୁ ମାଗି ଆଣିଲା ଏଥିରେ ତାର ଦୋଷ କଣ ? ମାତ୍ର ମିସ୍ତ୍ରୀ ଏଥିରେ ସନ୍ତୁଷ୍ଟ ନୁହନ୍ତି । ନାନା ସନ୍ଦେହ ଓ ଆଶଙ୍କା ତାଙ୍କ ହୃଦୟରେ ଜାଗରୂକ । ଏହିପରି କ୍ଷଣିକ ସୁଖରେ ଓ ସାମାନ୍ୟ ଲୋଭରେ ଶେଷରେ ବିପଥଗାମୀ ହେବାର ସମ୍ଭାବନା । ବାସନ୍ତୀ ସେମାନଙ୍କୁ ବୁଝାଇ ସୁଝାଇ ଶାନ୍ତ କରାଇଲା ତା ପରେ ଆସନ୍ତା ରବିବାରଦିନ ସଭାରେ ଯୋଗଦେବୀକୁ କହି ଚାଲିଗଲା ।

 

ଆର ପାଖ ଘରେ ରହେ ଜଣେ ଶ୍ରମିକ । କାମ କରୁ କରୁ ତାର ଡାହାଣ ହାତଟି କଟିଯାଇଛି । ସେ ବେକାର । କ୍ଷତି ପୂରଣ ପାଇଁ କମ୍ପାନୀ ପାଖରେ ଦାବୀ କରିଛି ମାତ୍ର ତା’ର ଦାବୀ ବିଚାରକୁ ଆସିନାହିଁ । ସେ ପଡ଼ି ରହିଛି ଅନିର୍ଦ୍ଦିଷ୍ଟ ଭବିଷ୍ୟତ ଲକ୍ଷ୍ୟରେ । ଆଶା ରଖିଛି—ଯଦି କିଛି ପାଏ, ତେବେ ଦେଶକୁ ଯାଇ କୌଣସିମତେ ଗୁଜୁରାଣ ମେଣ୍ଟିବ । ମାତ୍ର କେତେଦିନ ବା ଅପେକ୍ଷା କରିବ । ଘରେ ଯାହାକିଛି ଥିଲା ସେ ସମସ୍ତ ସରିଗଲାଣି । ଏଣେ ଏକମାତ୍ର ପୁଅକୁ ଜ୍ୱର-। ଔଷଧ ଦେବାକୁ ପାଖରେ ପଇସା ନାହିଁ । ଶ୍ରମିକଟି ମୁଣ୍ଡରେ ହାତ ଦେଇ ବସିଛି-। ତାର ସ୍ତ୍ରୀ ରୋଗୀ ପାଖରେ ବସି ଲୁହ ଝରାଉଛି । ଏ ସବୁ ଘଟଣା ଶୁଣି ଅଜିତର ହୃଦୟ ତରଳିଗଲା-। ସେ ରୁମାଲରେ ମୁହଁ ପୋଛିଦେଲା । ମାତ୍ର ତାହା ବାସନ୍ତୀର ଚକ୍ଷୁକୁ ଏଡ଼ାଇ ପାରିଲା ନାହିଁ-। ବାସନ୍ତୀ ନିଜ ବ୍ୟାଗରୁ ଦୁଇଟି ଟଙ୍କା ବାହାର କରି ଶ୍ରମିକ ହାତରେ ଦେଇ ଅଜିତର ହାତ ଧରି ବାହାରି ଆସିଲା ପଦାକୁ ।

 

କଲୋନୀର ଅପର ପ୍ରାନ୍ତରେ ଆଉ ଗୋଟିଏ ଘର । କେତେଜଣ ପୁରୁଷ ଓ ସ୍ତ୍ରୀଲୋକ ମିଳି ସେଠାରେ ଏକ ବୈଠକ ଜମାଇଛନ୍ତି । ମଦଖିଆ ଚାଲିଛି, ଗୀତ, ନାଚ ଚାଲିଛି ଓ ତାର ତାଳେ ତାଳେ ଚାଲିଛି ହାରମୋନିୟମ ଏବଂ ତବଲାର ଉଦ୍ଦଣ୍ଡ ସ୍ୱର । ସମସ୍ତେ ବାସନ୍ତୀ ଓ ଅଜିତକୁ ଦେଖି ସମ୍ଭ୍ରମରେ ଆସନ ଦେଲେ । କ୍ଷଣକପାଇଁ ମଉଜର ଭଟ୍ଟା ପଡ଼ିଗଲା, ମାତ୍ର ନିଶାର ଅସରଟା କାହାରି କମିଲା ନାହିଁ । ଏ ସବୁ ଅଜିତକୁ ବଡ଼ ଅସହଣୀୟ ବୋଧ ହେଲା । ସେ ଆଉ ମୁହୂର୍ତ୍ତେ ମାତ୍ର ସେଠାରେ ରହିବାକୁ ଇଚ୍ଛା କଲା ନାହିଁ, ବାସନ୍ତୀ ସମସ୍ତଙ୍କୁ ଅନୁରୋଧ କଲା ଆସନ୍ତା ରବିବାର ଦିନ ଯେପରି ସମସ୍ତେ ସଭା ପଡ଼ିଆରେ ଉପସ୍ଥିତ ହୁଅନ୍ତି । ତାଙ୍କର ଫେରିବା ସଙ୍ଗେ ସଙ୍ଗେ ଚାଲିଲା ସମାଲୋଚନା—କିଏ କହିଲା, ‘‘ନିଜର ସ୍ୱାର୍ଥ ପାଇଁ ଆସିଛନ୍ତି । କିଏ କହିଲା ନିଜେ ବଡ଼ ଚାକିରି ପାଇବାପାଇଁ ଆମକୁ ମତାଉଛନ୍ତି । ଆମେ ଚାକିରିରୁ ଯିବା, ତାଙ୍କର ଉଦ୍ଦେଶ୍ୟ ସାଧିତ ହେବ ଇତ୍ୟାଦି । ଏସବୁ ଶୁଣି ବାସନ୍ତୀ ଓ ଅଜିତ କାହାକୁ କିଛି ନ କହି ଫେରିଲେ ବସାକୁ । ବାଟରେ କିଛି ସମୟ ନିରବରେ ରହିବା ପରେ ଅଜିତ ପଚାରିଲା—‘‘ତୁମେ ଏ ସବୁ ଖୁବ୍ ସହ୍ୟ କରୁଛ ? ମାତ୍ର ମୁଁ ମୁହୂର୍ତ୍ତେ ମାତ୍ର ସହି ପାରିବି ନାହିଁ । ଯେ ତାଙ୍କର ଭଲ କରିବାକୁ ଯାଉଛି, ତାଙ୍କରି ପାଇଁ ପଦେ କହିବାକୁ ଯାଉଛି, ତାକୁଇ କରୁଛନ୍ତି ସନ୍ଦେହ; ସେଇହିଁ ତାଙ୍କର ଅବିଶ୍ୱାସ ପାତ୍ର । କୃତଜ୍ଞତା ବି ନାହିଁ ।’’

 

ବାସନ୍ତୀ ଟିକିଏ ହସିଦେଲା । ତା ହସରେ କଣ ଥିଲା କେଜାଣି, ଅଜିତ ସେଥିରେ ଖୁବ୍ ଉତେଜିତ ହୋଇ ପଡ଼ିଲା । ତାର ମନେ ହେଲା—ବାସନ୍ତୀ ଯେପରି ତାକୁ ଉପହାସ କରୁଛି । ତେଣୁ ସେ ଆହୁରି ଜୋରରେ କହିଲା ତୁମେ ଯାହା କୁହ ପଛେ, ଆମ ଶିକ୍ଷିତ ସମାଜ କଦାପି ଏପରି କୃତଘ୍ନ ହୋଇ ନ ପାରେ । ଏସବୁ ତାଙ୍କର ଅଶିକ୍ଷାର ଦୋଷ ।

 

ବାସନ୍ତୀର ହସ ମୁହୂର୍ତ୍ତକ ମଧ୍ୟରେ କୁଆଡ଼େ ଉଭେଇଗଲା । ସେ କହିଲା— ଅଜିତବାବୁ-! ଏଥିପାଇଁ ସେମାନେ ଦୋଷୀ ନୁହନ୍ତି; ଦୋଷୀ ଆପଣଙ୍କର ଏଇ ଶିକ୍ଷିତ ସମାଜ । ଆପଣଙ୍କର ସମାଜ ତାଙ୍କୁ ଏପରି ଶିକ୍ଷା ଦେଇଛି ଯେ, ସେମାନେ ବାଧ୍ୟ ହେଉଛନ୍ତି ଅବିଶ୍ୱାସ ଏବଂ ସମାଲୋଚନା କରିବା ପାଇଁ । ଏମାନଙ୍କର ବୁଦ୍ଧି ଓ ବିଚାରଧାରା ନାହିଁ ଏହା ସତ୍ୟ । ସେଥିଯୋଗୁଁ ହିଁ ଆମ୍ଭେମାନେ ତାଙ୍କର ପରିଚାଳକ । ମନେ କରନ୍ତୁ, ସେମାନେ ଯଦି ଆମରି ପରି ବୁଦ୍ଧିମାନ ହୋଇଥାଆନ୍ତେ, ତେବେ ଆମର ସ୍ଥାନ ଥାଆନ୍ତା କେଉଁଠି ? ଏହା ନିଶ୍ଚିତ ଯେ, ଆଜି ଇତିହାସର ପୃଷ୍ଠା ଓଲଟି ପଡ଼ି ଥାଆନ୍ତା । ଆପଣଙ୍କର ବୋଧହୁଏ ସ୍ମରଣ ଥିବ—ଯେତେବେଳେ ନେପୋଲିଅନ ଏଲବାରୁ ଫେରିଲେ ସେତେବେଳେ ତାଙ୍କ ସଙ୍ଗରେ ଲୋକ ଥିଲେ ମୋଟ ବାଇଶିଜଣ । ଏହି ବାଇଶିଜଣଙ୍କୁ ନେଇ ସେ ଲକ୍ଷ ଲକ୍ଷ ସଶସ୍ତ୍ର ସୈନିକଙ୍କ ମଧ୍ୟରେ ଚାଲିଯାଇଥିଲେ । ନିଜର ଆତ୍ମବିଶ୍ୱାସ ଓ ଦେଶ ମାତୃକାର ଜଣେ ସଙ୍ଗସେବକ ଭାବରେ-। ଲକ୍ଷ ଲକ୍ଷ ଅଗ୍ନ୍ୟୁଦଗାରକମାଣ ଓ ବନ୍ଧୁକର ମୁହଁ ତଳକୁ ହୋଇ ଯାଇଥିଲା–ସେ ବିନା ରକ୍ତପାତରେ ଫ୍ରାନସ ଜୟକରି ପାରିଥିଲେ । ମାତ୍ର ନେପୋଲିୟନ ଯଦି ନିଜକୁ ଜଣେ ସମ୍ରାଟ ବୋଲି ଭାବିଥାଆନ୍ତେ ବା ଅସାଧାରଣ ଲୋକଙ୍କଠାରୁ ନିଜକୁ ଅଲଗା ବୋଲି ଭାବି ଥାଆନ୍ତେ ତେବେ କଣ ତାଙ୍କର ଫ୍ରାନସ ଜୟ ସମ୍ଭବ ହୋଇ ଥାଆନ୍ତା ? ସେହିପରି ଆମେ ଯେତେବେଳେ ସେବାର ଦୀକ୍ଷା ନେଇ, ସେମାନଙ୍କର ହୃଦୟ ଜୟ କରିବାକୁ ବସିଛେ ସେତେବେଳେ ସେମାନଙ୍କର ସମାଲୋଚନା ଆମକୁ ସହିବାକୁ ପଡ଼ିବ । ସେମାନଙ୍କ ନିକଟରେ ଏ ପର୍ଯ୍ୟନ୍ତ ଆମେ ନିଜକୁ ଏକ ସ୍ୱତନ୍ତ୍ର ଶ୍ରେଣୀ ବୋଲି ବିଚାର କରୁଥିବାରୁ ଆମ ହୃଦୟର ଗୋପନ କୋଣରେ ଯେଉଁ ଆତ୍ମପୌଢ଼ୀ ଜାଗ୍ରତ ହେଉଛି, ତାହାହିଁ ସେମାନଙ୍କୁ ନେଇଯାଇଛୁ ଦୂରକୁ । ଆମେ ଯେତେବେଳେ ଆମ କର୍ତ୍ତବ୍ୟରେ ଅବହେଳା କରୁଛେ ଓ ଜବାବର ମୂଲ୍ୟ ବୁଝିପାରୁନାହିଁ—ସେମାନେ ଅବିଶ୍ୱାସ ନକରିବେ ତ ଆଉ କଣ କରିବେ । ଏ ତ ଯୁଗେ ଯୁଗେ ରହି ଆସିଛି ଏବଂ ରହିବ । କେବଳ ସେତିକି ନୁହେଁ ସମୟେ ସମୟେ ତାହା ମଧ୍ୟ ଭୀଷଣ ଆକାର ଧାରଣ କରିଛି । ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣନ୍ତୁ—

 

ଦକ୍ଷିଣ ଆଫ୍ରିକାରେ ବାପୁଜୀ ଯେତେବେଳେ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରି ଭାରତକୁ ଚାଲିଆସିଲେ ସେତେବେଳେ ତାହା ଠିକବାଟରେ ଚଳାଇବାପାଇଁ ଉପଯୁକ୍ତ ଲୋକ ରହିଲେ ନାହିଁ । ଫଳରେ ସେମାନେ ଉତ୍ସୃଙ୍ଖଳ ହୋଇ ପଡ଼ିଲେ । ଗୁଳି ଚାଲିଲା, ବହୁଲୋକ ମଲେ-। ବାପୁଜୀଙ୍କ ପ୍ରତି ସେମାନଙ୍କର ଅବିଶ୍ୱାସ ଆସିଗଲା । ପୁଣି ଯେତେବେଳେ ସେ ଦକ୍ଷିଣ ଆଫ୍ରିକା ଗଲେ ସେତେବେଳେ ସେହି ଲୋକମାନେ ତାଙ୍କୁ ମାଡ଼ିଦେଲେ । ଏହା କଣ ଲୋକଙ୍କର ଦୋଷ ? ନାଁ, କଦାପି ନୁହେଁ । ଗାନ୍ଧିଜୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଘଟଣା ମୋ ଜୀବନରେ ହିମାଳୟ ପରି ଭୁଲ । କାରଣ ଉତକ୍ଷିପ୍ତ ଜନତା ଭଲମନ୍ଦ ବିଚାର କରି ପାରିଲେ ନାହିଁ ଏବଂ ମୁଁ ମଧ୍ୟ ସେମାନଙ୍କ ସୁଖ ଦୁଃଖରେ ଭାଗୀଦାର ହୋଇ ପାରିଲିନାହିଁ । ତେଣୁ ସେମାନଙ୍କର ସନ୍ଦେହଭାଜନ ହେଲି-। ଆଜି ଏଇ ଶ୍ରମିକମାନେହିଁ ସେ ସବୁର ଏକ ଜୀବନ୍ତ ଇତିହାସ । ସେମାନେ ଜୀବନରେ କେତେ ଯେ ଘାତ ପ୍ରତିଘାତ ସହିଛନ୍ତି, କେତେ ପ୍ରତାରଣାର ଶୀକାର ହୋଇଛନ୍ତି, ତାହାର ସାକ୍ଷୀ କିଏ ହେବ ? ଏହି ଆଲୋଚନା ମଧ୍ୟରେ ସେମାନେ ଆସି ପହଞ୍ଚିଗଲେ ବାସନ୍ତୀର ବସାରେ-। ବାସନ୍ତୀ ଆଲୋଚନା ସେତିକିରେ ବନ୍ଦ ରଖି ଚାଲିଗଲା ମଧ୍ୟାହ୍ନ ଭୋଜନର ଆୟୋଜନ କରିବାପାଇଁ ଏବଂ ଅଜିତକୁ କହିଲା ‘‘ଆଜି ଆମର ସପ୍ତାହିକ ବୈଠକ । ଟିକିଏ ବିଶ୍ରାମ ନିଅନ୍ତୁ-ବୈଠକକୁ ଯିବା-।’’

 

ଅଜିତ କହିଲା—ପୂଜାରୀ ତେଣେ ମୋ ଅପେକ୍ଷାରେ ଥିବ !

 

—ନାଁ, ମୁଁ ଆପଣଙ୍କ ବସାକୁ ଖବର ପଠାଇ ଦେଇଛି । ତାପରେ ସେ ଉତ୍ତରର ପ୍ରତ୍ୟାଶା ନରଖି ଚାଲିଗଲା ନିଜ କାମରେ ।

 

ଅଜିତ ଚାହିଁ ରହିଲା ବାସନ୍ତୀର ଯିବା ପଥକୁ । ବାସନ୍ତୀର କାର୍ଯ୍ୟକଳାପ ତାକୁ ନେଇଗଲା ବିସ୍ମୟରୁ ବିସ୍ମୟତର ଆଡ଼କୁ । ସେ ସ୍ପଷ୍ଟ ଅନୁଭବ କଲା—ବାଧା ବିପଦ ଝଡ଼ ଝଞ୍ଜାକୁ ଅତିକ୍ରମ କରି ମୁଣ୍ଡ ନ ଟେକିଲେ ସଂସାର ବିଷୟରେ ପ୍ରକୃତ ଜ୍ଞାନ ଆରହଣ କରିବା କାହାରି ପକ୍ଷରେ ସମ୍ଭବ ନୁହେଁ ।

 

ତରୁଣ ସୂର୍ଯ୍ୟର କନକ କିରଣ ଝରକା ଫାଙ୍କରେ ଘରେ ପଡ଼ିବା ସଙ୍ଗେ ସଙ୍ଗେ ବନାନୀର ନିଦ୍ରାଭଙ୍ଗ ହେଲା ସେ ଶେଯରୁ ଉଠି ମୁହଁ ହାତ ଧୋଇ ଗତ ରାତିର ସମସ୍ତ ଘଟଣା ପୁଣିଥରେ ମନେ ପକାଇନେଲା । ଆଜି ପର୍ଯ୍ୟନ୍ତ ସେ ଠିକ୍ କରିଥିଲା ଯେ, ବିବାହ ନ କରି ହସିଖେଳି ଦିନ କଟାଇ ଦେବ । ମାତ୍ର ବର୍ତ୍ତମାନ ସ୍ପଷ୍ଟ ବୁଝି ପାରିଲା ବିବାହ ବିହୀନ ଜୀବନ କେବେହେଁ ସୁଖମୟ ନୁହେଁ । ବିଶେଷତଃ ବାପାଙ୍କ ମୃତ୍ୟୁପରେ ସେ ଯେତେବେଳେ ଏକୁଟିଆ ହୋଇପଡ଼ିବ ସେତେବେଳେ ଏଇ ରକମ ନରପଶୁମାନଙ୍କ ଉତ୍ପାତରୁ କିପରି ରକ୍ଷା ପାଇବ ଏହା ହିଁ ତାର ମୁଖ୍ୟ ସମସ୍ୟା । ତେଣୁ ସେ ଠିକ୍ କରିନେଇଛି ବିବାହ କରିବ । ଏକଥା ବାପାଙ୍କୁ ଜଣାଇଦେବା ପାଇଁ ସେ ତାଙ୍କ ଘର ଆଡ଼କୁ ଗଲା ।

 

ବିକାଶବାବୁ ଚେୟାର ଉପରେ ବସି ଖବରକାଗଜର ପୃଷ୍ଠା ଓଲଟାଉଥିଲେ । ବନାନୀ ଡାକିଲା—ବାପା-ବାପା ମ !

 

ବିକାଶବାବୁ ମୁଣ୍ଡଟେକି ଚାହିଁଲେ ।

 

ବନାନୀ ତାଙ୍କ ଚେୟାର ପଛଆଡ଼େ ହାତ ରଖି କହିଲା—ମୁଁ ମୋର ମତ ବଦଳାଇ ଦେଇଛି । ବିକାଶବାବୁ ଜିଜ୍ଞାସୁ ଦୃଷ୍ଟିରେ ତା ଆଡ଼କୁ ଚାହିଁଲେ ।

 

ବନାନୀ ତଳକୁ ମୁହଁପୋତି କହିଲା—ମୁଁ ଏଥର ବିବାହ କରିବାକୁ ସିଦ୍ଧାନ୍ତ କରିଛି । ବିକାଶବାବୁ ଶାନ୍ତିର ଏକ ଦୀର୍ଘ ନିଃଶ୍ୱାସ ମାଇଲେ । ସତେ ଯେପରି ତାଙ୍କ ମୁଣ୍ଡରୁ ଗୋଟାଏ ମସ୍ତବଡ଼ ବୋଝ ଓହ୍ଲାଇଗଲା । ଆଜି ପର୍ଯ୍ୟନ୍ତ ସେ ଏହି ମତହୀନା କନ୍ୟାଟି ପାଇଁ କେତେ ରାତି ଯେ ବିନିଦ୍ର ରହିଛନ୍ତି ତାହା ତାଙ୍କୁଇ ଜଣା । ତାଙ୍କର ଆଶାଥିଲା ଝିଅଟିକୁ ସତ ପାତ୍ରରେ ଦାନକରି ସେ ନିଶ୍ଚିନ୍ତ ହେବ । ସେଥିପାଇଁ ସେ ବନାନୀର ମତ ମଧ୍ୟ ଲୋଡ଼ିଥିଲେ । ମାତ୍ର ବନାନୀ ପରିଷ୍କାର କହିଥିଲା—ସେ ବିବାହ କରିବ ନାହିଁ । ଝିଅର ମତ ବିରୁଦ୍ଧରେ କୌଣସି କାମ କରିବା ବିକାଶବାବୁଙ୍କ ସ୍ୱଭାବ ବିରୁଦ୍ଧ ଥିଲା । ତେଣୁ ତା ମନରେ ଅଶାନ୍ତି ନ ଦେଇ ନିଜେ ଅଶାନ୍ତିକୁ ମୁଣ୍ଡ ପାତି ସହି ନେଇଥିଲେ । ବର୍ତ୍ତମାନ ଏକଥା ଶୁଣି ବିଶ୍ୱାସ କରିବେ କି ନାହିଁ ଠିକ୍ କରି ପାରିଲେ ନାହିଁ । ମନେ ପଡ଼ିଲା, ମୃତ୍ୟୁଶଯ୍ୟାରେ ପତ୍ନୀଙ୍କର ଆକୁଳ ନିବେଦନ—‘‘ମୋ ବନୀ ରହିଲା । ତୁମ ହାତରେ ତାକୁ ଛାଡ଼ିଦେଇ ମୁଁ ଶାନ୍ତିରେ ଯାଉଛି ।’’ ବିକାଶ ବାବୁଙ୍କର ଦୁଇ ଆଖିରୁ ଆନନ୍ଦାଶ୍ରୁ ବିଗଳିତ ହେଲା ।

 

ବନାନୀ ବିକାଶବାବୁଙ୍କର ଏକମାତ୍ର କନ୍ୟା । ସ୍ତ୍ରୀ ଶେଷ ସ୍ମୃତି ରଖିବାପାଇଁ ବିକାଶବାବୁ ଆଉ ବିବାହ କଲେ ନାହିଁ । ମାତ୍ର ସ୍ତ୍ରୀ ବିୟୋଗରେ ମର୍ମାହତ ହୋଇ ପଡ଼ିଲେ । ନିଜର ଯାହା କିଛି ଜମିବାଡ଼ି ଥିଲା ସେତକ ବିକ୍ରୀ କରିଦେଇ ଝିଅକୁ ନେଇ ବଙ୍ଗଳାଛାଡ଼ି ଚାଲି ଆସିଲେ ଏବଂ ଶେଷରେ ଟାଟା କମ୍ପାନୀରେ ଜଣେ ଉଚ୍ଚ ଅଫିସରୂପେ ନିଯୁକ୍ତି ପାଇଲେ । ବନାନୀର ଶିକ୍ଷା ଦୀକ୍ଷାର ଭାର ନିଜ ହାତରେ ଦେଇ ତାକୁ ଜଣେ ଆଦର୍ଶ ନାରୀରୂପେ ଗଢ଼ିବା ତାଙ୍କର ଇଚ୍ଛା । ବନାନୀ ସ୍ୱାଧୀନା । ତାର ବାପାଙ୍କ ପାଖରେ କୌଣସି ଲଜ୍ଜା ବା ସଙ୍କୋଚ ନ ଥାଏ । ଉଚ୍ଚ ଅଫିସରଙ୍କ ଝିଅ ଏବଂ ଉଚ୍ଚ ଶିକ୍ଷିତ ରୂପେ ସେ ଯେତେବେଳେ ସାଂସାରିକ ସୁଖ ଦୁଃଖ ଭୁଲିଯାଇଥିଲା—ସେତେବେଳେ ବିକାଶବାବୁ ତାକୁ ବିବାହ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ବନାନୀ ପରିଷ୍କାର ମନା କରିଦେଲା ଯେ ସେ ବିବାହ କରିବ ନାହିଁ । କାଳେ ଝିଅ ମନରେ କଷ୍ଟ ହେବ ଏଇଥିପାଇଁ ବିକାଶବାବୁ ନିରବ ରହିଲେ ହେଁ, ସେ ଯାହାକୁ କନ୍ୟାଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ସେ ବନାନୀ ପରି ଜଣେ ରୂପବତୀ ଗୁଣବତୀ କନ୍ୟାକୁ ଭୁଲି ପାରିଲା ନାହିଁ । ବନାନୀକୁ ଛଳେ ଛଳେ କୌଶଳେ ହାତ କରିବାକୁ ଇଚ୍ଛା କରି ନିତି ନୂଆ ନୂଆ ଉପହାର ପଠାଇବାକୁ ଲାଗିଲା । ବନାନୀ ବନ୍ଧୁ ଭାବରେ ତାର ସେ ଉପହାରଗୁଡ଼ିକ ଗ୍ରହଣ କରେ । ସେଦିନ ସନ୍ଧ୍ୟାବେଳେ ପାର୍କରେ ବନାନୀ ବୁଲୁଥିବାବେଳେ ଯୁବକଟି ତା ନିକଟରେ ପହଞ୍ଚି ବିବାହର ପ୍ରସ୍ତାବ ଦେଇଥିଲା ।

 

ଗତ କାଲିର ଘଟଣାରେ ବିକାଶବାବୁ ମଧ୍ୟ କ୍ଷୁବଧ ହୋଇ ପଡ଼ିଥିଲେ । ସେ ମୃତ୍ୟୁ ପୂର୍ବରୁ ବନାନୀକୁ ଉପଯୁକ୍ତ ସାଥି ସାଙ୍ଗରେ ଛାଡ଼ିଯିବାପାଇଁ ଗଭୀରଭାବରେ ଚିନ୍ତା କରୁଥିବାବେଳେ ତା ନିଜ ତରଫରୁ ବିବାହ ପ୍ରସ୍ତାବ ଶୁଣି ଅତ୍ୟଧିକ ଆନନ୍ଦିତ ହୋଇ ପଡ଼ିଲେ । କହିଲେ—ହଉ ମା’-। ତୋର ଇଚ୍ଛା ।

 

ସମିତିଘରେ ଅଜିତ ଓ ବାସନ୍ତୀ ପହଞ୍ଚିବାବେଳକୁ ଦଳର ଅନ୍ୟ ସଭ୍ୟମାନେ ଆସି ସାରିଥିଲେ । କେବଳ ବାସନ୍ତୀକୁ ଅପେକ୍ଷା ଥିଲା । ଦୁଇଜଣଯାକ ନିରବରେ ଘରଭିତରକୁ ପଶିଗଲେ । ଅଜିତ ଗୋଟିଏ ଚୌକିରେ ବସିଲା । ଅନ୍ୟମାନେ ଏହି ନବାଗନ୍ତୁକଙ୍କ ପ୍ରତି କୌତୁହୂଳ ବଶତଃ ଅନାଇ ରହିଲେ । ବାସନ୍ତୀ ତାର ପରିଚୟ ଦେବାକୁ ଯାଇ କହିଲା—‘‘ଏ ଭଦ୍ରଲୋକ ଜଣକ ଟାଟା କମ୍ପାନୀର ଜଣେ ପଦସ୍ଥ ଅଫିସର । ଆମ ସଂଘରେ ମଧ୍ୟ ଯୋଗ ଦେବାକୁ ଆଗ୍ରହୀ ।

 

ପାଖରେ ବସିଥିବା ପୌଢ଼ ଜଣକ କଣ ଲେଖାଲେଖି କରୁଥିଲେ । ସେ କାଗଜରୁ ମୁଣ୍ଡଟେକି ଆଗନ୍ତୁକଙ୍କ ଆଡ଼କୁ ଚାହିଁଲେ ।

 

ବାସନ୍ତୀ ଅଜିତକୁ ନିମ୍ନ ସ୍ୱରରେ କହିଲା— ‘‘ଏ ହେଉଛନ୍ତି ଆମ ସମିତିର ପ୍ରତିଷ୍ଠାତା ଡାକ୍ତର ରାୟ ଏବଂ ମହିଳା ଜଣକ ଆମର ପ୍ରେସିଡେଣ୍ଟ କୁମାରୀ ମନୋରମା ।’’ ଅଜିତ ଉଭୟଙ୍କୁ ହାତଯୋଡ଼ି ନମସ୍କାର କଲା । ଡାକ୍ତର ରାୟ ଅଜିତକୁ ଚାହିଁ ଟିକିଏ ହସିଦେଲେ । ଅଜିତ ତାଙ୍କ ମୁହଁକୁ ଚାହିଁ ଚମକି ପଡ଼ିଲା ।

 

ବାସନ୍ତୀ ବୈଠକର କାର୍ଯ୍ୟକ୍ରମ ପ୍ରସ୍ତୁତକଲା । ଅନେକ ସମୟ ନିରବରେ କଟିଗଲା । ସତେ ଯେପରି କେହି କାହାରିକୁ କିଛି କହିବା ଏ ସମିତିରେ ମନା ।

 

ଅଜିତ ଘରର ଚାରିଆଡ଼େ ଆଖି ବୁଲାଇନେଲା । ଘରେ ବିଶେଷ କିଛି ଦେଖିବାର ନ ଥିଲା । କେବଳ ଗୋଟିଏ ପାଖ କାନ୍ଥରେ ଏକ ନାରୀମୂର୍ତ୍ତି । ମୁଣ୍ଡ ନାହିଁ, ହାତରେ ଏକ ତ୍ରିରଙ୍ଗ ପତାକା । ତହିଁରେ ଅଙ୍କିତ ହୋଇଛି ବର୍ତ୍ତମାନ ଓଡ଼ିଶାର ମାନଚିତ୍ର ତା ଉପରେ ଲେଖାଅଛି–‘‘ଛିନ୍ନମସ୍ତା’’ ଏବଂ ତଳେ ଲେଖାଅଛି—ଆମର ଦାବୀ । ତା ତଳେ ଆଉ ଏକ ପୂର୍ଣ୍ଣାବୟବ ନାରୀମୂର୍ତ୍ତି । ନିକଟରେ ଅନ୍ୟ ଏକ ଓଡ଼ିଶାର ମାନଚିତ୍ର । ସେଥିରେ ଲାଲକାଳୀରେ ଆଉ କେତୋଟି ରେଖା ଅଙ୍କାଯାଇଛି -ତା ତଳେ ଲେଖା ଯାଇଛି ‘‘ପୂର୍ଣ୍ଣାଙ୍ଗ ଉତ୍କଳ ।’’

 

ଡାକ୍ତରବାବୁ ସଭ୍ୟ ରେଜିଷ୍ଟରଟି ଅଜିତ ନିକଟକୁ ବଢ଼ାଇ ଦେଲେ । ଅଜିତ ଦସ୍ତଖତ କରି ତାହା ଫେରାଇ ଦେଲା । ସମିତିର କାର୍ଯ୍ୟ ଚାଲିଲା । ସଭ୍ୟ ସଂଗ୍ରହ, ଆୟବ୍ୟୟ ପୂର୍ଣ୍ଣାଙ୍ଗ ଉତ୍କଳ ଦିବସ ପାଳନର କାର୍ଯ୍ୟକ୍ରମ । ଏହିପରି ମାମୁଲୀ ଧରଣର କେତୋଟି ଆଲୋଚନା ପରେ ସମିତିର କାର୍ଯ୍ୟ ଶେଷ ହେଲା ।

 

ପ୍ରେସିଡେଣ୍ଟ ନିଜର ଭାଷଣ ଦେବାକୁ ଉଠିଲେ । ସୌମ୍ୟ, ଶାନ୍ତ ଓ ଗମ୍ଭୀର ନାରୀମୂର୍ତ୍ତି-। ଦେଖିଲେ ଭୟହୁଏ, ଭକ୍ତି ବି ଆସେ । ସେ ପ୍ରଥମେ ଅଜିତର ଏ ସମିତିରେ ଯୋଗଦାନ ପାଇଁ ଆନନ୍ଦ ପ୍ରକାଶ କଲେ । ତାପରେ ପୂର୍ଣ୍ଣ ପ୍ରାଣରେ ସମସ୍ତେ ସମିତି ପରିଚାଳନା କରିବାକୁ ଅନୁରୋଧ କରି ସଭାସଙ୍ଗର ଘୋଷଣା କଲେ । ସମିତିର ଅଧିବେସନ ସରିଲା–ଅଜିତ ହାତ ଘଣ୍ଟାକୁ ଚାହିଁ ଦେଖିଲା ରାତି ‘ନଅ’ । ସେ ତରବରରେ ଉଠିପଡ଼ି ଯିବାକୁ ବାହାରିଲା-। ଡାକ୍ତର ନିଷେଧ କରି କହିଲେ ଆଜି ରବିବାର । ଆପଣଙ୍କ ପକ୍ଷେ ଏକାଯିବା ନିରାପଦ ନୁହେଁ-। ଅପେକ୍ଷା କରନ୍ତୁ, ମୁଁ ସେଇ ବସାରେ ଛାଡ଼ିଦେଇ ଆସିବି ।

ଗଭୀର ରାତ୍ରୀ । ମୁହଁକୁ ମୁହଁ ଦିଶୁନାହିଁ, ଶ୍ରମିକବସ୍ତୀ ପାର ହୋଇ ସେମାନେ ବଡ଼ରାସ୍ତା ମୋଡ଼କୁ ଆସିଲେ । ତା’ପରେ ଡାକ୍ତର ଦୀର୍ଘ ନିଃଶ୍ୱାସ ପକାଇ କହିଲେ—ନା, ଆଜି ସେପରି କିଛି ନାହିଁ ।

ଅଜିତ ପଚାରିଲା—ପ୍ରକୃତରେ କଣ ଉପଦ୍ରବ ହୁଏ ନା, ଆପଣ ମୋତେ ଭୟ ଦେଖାଇବାକୁ ଏପରି କହିଲେ ?

ଅଜିତବାବୁ ! ଭୟ କଣ ମୁଁ ଜାଣେନା । ମିଥ୍ୟା ବି କେବେ କିଛି କହିଛି ବୋଲି ମନେ ହୁଏନା । କେବଳ ଆତ୍ମରକ୍ଷା ପାଇଁ ଯେତିକି କହିଛି ତାହା ବୁଲାଇ ବୁଲାଇ କହିଛି ।

ତେବେ ଡାକ୍ତରବାବୁ ! ଆଉ ଗୋଟିଏ କଥା—ଅଜିତ ପ୍ରଶ୍ନ କଲା ?

—କଣ କୁହନ୍ତୁ । ସଂକୋଚର କାରଣ କଣ ?

ସେ ଦିନ ପ୍ଲାଟଫର୍ମରେ ଯେ ହାଣ୍ଡିଆ ଗନ୍ଧ ବାହାରୁଥିଲା ?

ଅଜିତ ବାବୁ ! ବିଶ୍ୱାସ କରନ୍ତୁ । ମୁଁ କେବେହେଲେ ହାଣ୍ଡିଆ ଖାଇବାତ ଦୂରର କଥା ସ୍ପର୍ଶ ବି କରିନାହିଁ । ସେ ଗୋଟାଏ ଛଳନାମାତ୍ର । ପୋଲିସ ଆଖିରେ ଧୂଳି ଦେବାର ଏ ଏକ କୌଶଳ ।

 

—ଏଥିରେ ଆପଣଙ୍କର ସ୍ୱାର୍ଥ କଣ ? ଆପଣ ଯେ କାହିଁକି ଏପରି ଲୁଚି ଲୁଚି ବୁଲୁଛନ୍ତି-। ଏହାର ବା ଶେଷ କେଉଁଠି ?

 

କ୍ଷଣକପାଇଁ ଡାକ୍ତରଙ୍କ ମୁହଁ ଗମ୍ଭୀର ହୋଇଗଲା । ନିବିଡ଼ ଅନ୍ଧକାର ମଧ୍ୟରେ ଅଜିତ କିଛି ଦେଖି ନ ପାରିଲେ ବି ତାଙ୍କର ଦୀର୍ଘଶ୍ୱାସରୁ ସମସ୍ତ ଅନୁମାନ କରିନେଲା । କାଳେ ଡାକ୍ତରଙ୍କ ମନରେ କଷ୍ଟ ହୋଇଥିବ ଭାବି ପୁଣି ସେ କହିଲା—କ୍ଷମା କରିବେ ଡାକ୍ତରବାକୁ ! ଏଥିରେ ଯଦି ଆପଣଙ୍କର ଦୁଃଖ ହୁଏ । ତେବେ ମୋର ଶୁଣିବା ଆବଶ୍ୟକ ନାହିଁ । ମୌନଭାଙ୍ଗି ଅଜିତର କାନ୍ଧରେ ହାତ ପକାଇ ଡାକ୍ତରବାବୁ ସ୍ନେହମିଶା ସ୍ୱରରେ କହିଲେ—‘‘ଅଜିତ ବାବୁ ଦୁଃଖର କାରଣ କଣ ଅଛି ? ଏ ପ୍ରଶ୍ନ ତ ମୋପକ୍ଷେ ନୂଆ ନୁହେଁ ? ଭାରତ କାହିଁକି, ସମଗ୍ର ୟୁରୋପ ଓ ଏସିଆର ରାଜ୍ୟମାନ ବୁଲି ଏଇ ଏକାଧରଣର ପ୍ରଶ୍ନ ମୁଁ ସବୁଆଡ଼େ ଶୁଣି ଆସିଛି । ମାତ୍ର କେଉଁଠି କିଛି ଉତ୍ତର ଦେଇନାହିଁ ।’’ ଆଜି ଆପଣଙ୍କ ଆଗରେ କହୁଛି—

 

ସ୍ୱାର୍ଥ, ଏହି ଶବ୍ଦଟିର ଅର୍ଥ କଣ ? ଆତ୍ମ ତୃପ୍ତି ତ ? ମାତ୍ର ମୋ ମତରେ ସ୍ୱାର୍ଥର ଅର୍ଥ ଆତ୍ମଘାତୀ । ଦେଖନ୍ତୁ ସ୍ୱାର୍ଥର ପରିମାଣ ଆପଣଙ୍କର ଯେତେ ବଢ଼ିଲେ ମଧ୍ୟ ଆତ୍ମାକୁ ତୃପ୍ତି କରିଛନ୍ତି କି ? ନାଁ, କେବେ ନୁହେଁ । ବରଂ ଆପଣଙ୍କର ଯେତେ ଅଭାବ ପୂରଣ ହୋଇଛି, ତାହା ତୋତେ ନୂଆ ନୂଆ ଆକାରରେ ପୁଣି ଆପଣଙ୍କ ଆଗରେ ଦେଖାଦେଇଛି । ଆପଣ ହୁଏତ ପ୍ରଥମେ ଭାବିଥିବେ—ମୁଁ ଭଲ ପଢ଼ିବି, ତାପରେ ନିଶ୍ଚୟ ଭାବିଥିବେ ଭଲ ଚାକିରି ଖଣ୍ଡିଏ । ପରେ ସୁନ୍ଦରୀ ଓ ସର୍ବଗୁଣସମ୍ପନ୍ନା ନାରୀ । ତା ପରେ ଚାଲିଲା ତେଲ ଲୁଣର ସଂସାର—ଆଜି ଗହଣା ନାହିଁ, କାଲି ତେଲ ନାହିଁ, ପୁଅର ବହି, ଝିଅର ଫ୍ରକ ଇତ୍ୟାଦି ଇତ୍ୟାଦି । ତେବେ କହନ୍ତୁ ତ ଏଥିରେ ଆପଣଙ୍କ ଆତ୍ମା ତୃପ୍ତି ଲାଭ କଲା ନା ଅତୃପ୍ତି ବଢ଼ି ବଢ଼ି ଚାଲିଲା । ମାତ୍ର ମୋର ଏ ସବୁ କିଛି ଆବଶ୍ୟକ ନାହିଁ-। କେଉଁଦିନ ମୁଠାଏ ମିଳିଲାତ ଖାଇଲି, ନଚେତ୍‌ ନାହିଁ । ଦିନ ନାହିଁ, ରାତି ନାହିଁ ବୁଲୁଛି-। ମୋର ଲକ୍ଷ୍ୟ କେବଳ ମାତୃଭୂମିକୁ ପୂର୍ଣ୍ଣାଙ୍ଗ ରୂପେ ଦେଖିବି । ଏ ଆଶା ଆଜି ନ ହେଲେ ବି ଦିନେ ହେଲେ ସଫଳ ହେବ । ଏଥିରେ ଆତ୍ମ ପ୍ରବଞ୍ଚନା ନାହିଁ, ମୋହ ନାହିଁ । ତେଣୁ ମୁଁ ଶାନ୍ତି ପଥର ଯାତ୍ରୀ-। ଆଜି ଦେଖନ୍ତୁ, ଓଡ଼ିଶାର ଯେଉଁସବୁ ଅଞ୍ଚଳ ଅନ୍ୟ ପ୍ରଦେଶମାନଙ୍କରେ ରହିଛି—ସେମାନେ କି ଦୁଃଖରେ ଅଛନ୍ତି । ସେମାନେ କଣ ଚାହାନ୍ତି ନାହିଁ ସେମାନଙ୍କ ମାତୃଭୂମିକୁ ଫେରି ଆସିବାକୁ, ମୋର ଏହି ସାମାନ୍ୟ ଜୀବନର ବିନିମୟରେ ପୂର୍ବପୁରୁଷମାନଙ୍କର ସ୍ତୁପୀକୃତ ପାପରାଶି ଧୋଇଯାଇ ସେମାନଙ୍କ ମୁହଁରେ ଯଦି ଟିକିଏ ହସ ଫୁଟି ଉଠେ, ତେବେ ସେତକ ଦେବାକୁ ମୁଁ କୁଣ୍ଠିତ ହେବି କାହିଁକି ? ଦେଶର ସ୍ୱାର୍ଥହିଁ ମୋର ସ୍ୱାର୍ଥ । ଏହାଠାରୁ ବଳୀ ବଡ଼ ସ୍ୱାର୍ଥ ଆଉ କଣ ଅଛି-?

 

ଅଜିତର ମୁଣ୍ଡ ନଇଁ ଆସିଲା ଏହି କ୍ଷୀଣକାୟ ଲୋକଟି ନିକଟରେ । କିଛି ସମୟ ନିରବ ରହି ପୁଣି ପ୍ରଶ୍ନ କଲା—ଆପଣ କଣ ଆଶା କରୁଛନ୍ତି, ଏହି ଦୁଇ ଚାରିଜଣ ଲୋକଙ୍କ ଜରିଆରେ ଆପଣଙ୍କ ଆଶା ସଫଳ ହେବ ? ଏଥିପାଇଁ ଶକ୍ତିତ ସର୍ବାଦୌଲୋଡ଼ା ।

 

ଡାକ୍ତରବାବୁ ଗମ୍ଭୀରଭାବରେ କହିଲେ—ଦୁଇ ଚାରିଜଣ କିଏ ? ଏ ଦେଶରେ ଦେଢ଼କୋଟି ଲୋକ ଏ ମୁକ୍ତି ସଂଗ୍ରାମର ସୈନିକ । ସେହିମାନେହିଁ ଏ ଆନ୍ଦୋଳନ ଚଳାଇବେ । ଆମର ଏ ସମିତିର ସଭ୍ୟମାନେ କେବଳ ସେମାନଙ୍କୁ ଶୃଙ୍ଖଳା ବାଟରେ ନେଇଯିବେ । ଶୃଙ୍ଖଳା ନ ରହିଲେ ପରାଜୟର ଗ୍ଳାନି ନିଶ୍ଚୟ ଭୋଗ କରିବାକୁ ହେବ । ଇତିହାସର ପୃଷ୍ଠା ଓଲଟାଇଲେ ଆପଣ ଦେଖିବେ—ଶୃଙ୍ଖଳିତ ମୁଷ୍ଟିମେୟ ସୈନିକଙ୍କ ନିକଟରେ ବିଶୃଙ୍ଖଳିତ ହଜାର ହଜାର ସୈନିକଙ୍କର ମୂଲ୍ୟ କିଛି ନାହିଁ । ଯେଉଁଠି ଶୃଙ୍ଖଳାର ମାତ୍ରା ଯେତେ ଅଧିକ ବିଜୟର ଆଶା ସେଇଠି ସେତେବେଶୀ ।

 

ତାପରେ ଶକ୍ତି । ଏଇ ଜିନିଷଟି କଣ ? ଯାହାଦ୍ୱାରା କୌଣସି କାର୍ଯ୍ୟ ସାଧିତ ହୁଏ ତାକୁଇତ ଶକ୍ତି କହନ୍ତି ? ଯେତେଦିନ ଆପଣ ପରାଧୀନ ଥିବେ, ଯେତେଦିନ ପରମୁଖାପେଖୀ ହୋଇ ରହିଥିବେ, ସେତେଦିନ ଆପଣଙ୍କର ହଜାର ବଳ ଥିଲେବି କିଛି କରିବାର ଶକ୍ତି ନାହିଁ ବୋଲି ବୋଲାଯିବ । ଜଣେ ଲୋକ ପ୍ରତି ଯାହା ଠିକ୍‌, ଗୋଟାଏ ଜାତିପ୍ରତି ତାହାହିଁ ଠିକ୍‌ । ଲୋକ ନେଇ ଜାତି, ଜାତିହିଁ ବ୍ୟକ୍ତିର ସମଷ୍ଟି । ଲୋକଯଦି ଅଳସୁଆ ହେବେ, ତେବେ ଜାତିଟାକୁ ଅଳସୁଆ କୁହାଯିବ । ଲୋକ ଯଦି ଚୋର ଜାତିଟା ଚୋର, ଲୋକ ଯଦି ମିଥ୍ୟାଭାଷୀ ତେବେ ଜାତିଟା ମିଛୁଆ-। ଲୋକ ଯଦି ସ୍ୱାଧୀନ ତେବେ ଜାତିଟା ବି ସ୍ୱାଧୀନ । ଯେ ପର୍ଯ୍ୟନ୍ତ ଆପଣ ଆପଣା ଗୋଡ଼ରେ ଠିଆ ହୋଇ ପାରିନାହାନ୍ତି, ସେ ପର୍ଯ୍ୟନ୍ତ ଜାତିଟାକୁ ଠିଆ କରେଇ ପାରିବେ ନାହିଁ-। ଦେଶର ଲୋକେ ଯେତେବେଳେ ଆପଣା ଶକ୍ତିରେ ଠିଆହେବ, ସେତେବେଳେ ଜାତି ଆପେ ଆପେ ଠିଆ ହେବ । ଏଥିପାଇଁ ସର୍ବାଦୌ କର୍ତ୍ତବ୍ୟ ହେଉଛି ଶକ୍ତିର ସାଧନ । ଏହି ଉତ୍କଳର ଯେତେବଳେ ଶକ୍ତିଥିଲା, ସେତେବେଳେ ସେ ଇଙ୍ଗିତରେ ସମସ୍ତ ଜଗତକୁ ଧର୍ମ, ନ୍ୟାୟ, ବିଦ୍ୟା, କଳା କୌଶଳ ଓ ବାଣିଜ୍ୟରେ ଚଳାଉଥିଲା । ଏହି ଉତ୍କଳରୁ ଚଣ୍ଡା ଶୋକ ଧର୍ମା ଶୋକରେ ପରିଣତ ହୋଇଥିଲେ ଏବଂ ଓଡ଼ିଶାର ବାରବରଷର ଧରମା ବିଶ୍ୱର ଅମରକୀର୍ତ୍ତି ଗଢ଼ିଥିଲା । ଆଉ ଏଇ ଓଡ଼ିଶାର ସାଧବପୁଅ ଜଭା, ବାଲି, ବୋର୍ଣ୍ଣିଓ, ସୁମାତ୍ରା ଓ ସିଂହଳରେ ବିଜୟ ବୈଜୟନ୍ତୀ ଉଡ଼ାଉଥିଲା-। ଆଜି ତାର ପ୍ରାଚୀନ ଗାଥା ରହିଛି । ମାତ୍ର ଧର୍ମ ରକ୍ଷାପାଇଁ ଓଡ଼ିଆ ଲୋକ ଦିଗ୍‌ବିଜୟ କରୁନାହିଁ କି ଓଡ଼ିଶାର ଜଗନ୍ନାଥ ମହାପ୍ରଭୁ କଳା ଧଳା ଘୋଡ଼ାରେ ଚଢ଼ି କାଞ୍ଚି ଅଭିଯାନରେ ଯାଉନାହାନ୍ତି-। ସେହି ଚେଳିତୋଳା, ତାମ୍ରଲିପ୍ତ, ଚିଲିକା, ଗୋପାଳପୁର ରହିଛି, କିନ୍ତୁ ଓଡ଼ିଆ ପୁଅ ବାଣିଜ୍ୟ କରୁନାହାନ୍ତି । ସେ ଶକ୍ତି ତ ଗତ କଥା । ବର୍ତ୍ତମାନ ତାକୁହିଁ ହରାଇ ଶକ୍ତିହୀନ ଲୋକପରି ଓଡ଼ିଆ ଆଜି ଘରେ ଘରେ କଳି ଲଗାଇ ସବୁ ସାରି ବସିଛି । ବିଦେଶର ଲୋକ ଚିହ୍ନିବା ତେଣେ ଥାଉ ନିଜ ଦେଶର ଲୋକଙ୍କୁ ବି ଚିହ୍ନିପାରୁ ନାହିଁ । ବର୍ଣ୍ଣ ବୈଷମ୍ୟରେ ଆମର ଜାତୀୟତା ଲୋପ ପାଇଛି-। ତାକୁହିଁ ଫେରାଇ ଆଣିବାକୁ ହେବ ତା ମଧ୍ୟରେ ଯେଉଁ ପାର୍ଥକ୍ୟ ଅଛି ତାକୁ ମାପିବାର ଆଉ ଆବଶ୍ୟକ ନାହିଁ । ନ୍ୟାୟ, ଦୟା, ବିଦ୍ୟା, ଶିଳ୍ପ, ବାଣିଜ୍ୟ ଏବଂ ଶାସନରେ ଜାତିର କଥା ନାହିଁ ବା ଧର୍ମର ପାର୍ଥକ୍ୟ ନାହିଁ । ରୁଚି ଘେନି ଧର୍ମର ପାର୍ଥକ୍ୟ ଥିଲେ ହେଁ, ଧର୍ମ ଏକ, ଏହା ସମସ୍ତଙ୍କୁ ବୁଝାଇ ଦେବାକୁ ହେବ । ଓଡ଼ିଶାର ସମସ୍ତ ଧର୍ମ, ସମାଜ ଆପଣାର ଭେଦଭାବ ଭୁଲି କାନ୍ଧକୁ କାନ୍ଧମିଶାଇ ପ୍ରତ୍ୟେକ କାର୍ଯ୍ୟରେ, ପ୍ରତ୍ୟେକ କଥାରେ ଯେତେବେଳେ ଭାଇ ଭାଇ ପରି ଠିଆ ହେବ ସେତେବେଳେ ଓଡ଼ିଶାର ଗୌରବ ଏବଂ ଐଶ୍ଚର୍ଯ୍ୟ ରଖିବାକୁ ପ୍ରାଣପଣେ ଯତ୍ନ କରିବେ-। ଯେ ଧାର୍ମିକ ହୁଏ, ଧର୍ମହିଁ ତାକୁ ରକ୍ଷାକରେ । ଯେ ଧର୍ମଛଡ଼ା ତାକୁ ଈଶ୍ୱର ଓ ଲକ୍ଷ୍ମୀ ଉଭୟେ ତ୍ୟାଗ କରନ୍ତି । ତେଣୁ ଉତ୍କଳ ସନ୍ତାନମାନେ ଦଳକୁଦଳ ସ୍ୱାଧୀନତାର ସୈନିକ ସାଜି ଆପଣାର ହକଦାବୀ ପାଇଁ ଯେତେବେଳେ ରଣଶିଙ୍ଗା ବଜାଇବେ ସେତେବେଳେ କାଗଜ କଲମର ମୀମାଂସା କି ଛାର–ସମୁଦ୍ର ଘୁଞ୍ଚିଯିବ, ଆକୁମାରୀ ହିମାଚଳ ମଧ୍ୟ କମ୍ପି ଉଠିବ । ମାତ୍ର ଉତ୍କଳୀୟମାନଙ୍କର ଗୋଟିଏ ଦୋଷ ସେମାନେ ଚିର ରାଜଭକ୍ତ ନିରୀହ । ଏହି ନିରୀହତାର ସୁଯୋଗ ନେଇ ତାର ଚିରାଚରିତ ଆଶା ଆକାଂକ୍ଷାକୁ ଧୂଳିସାତ କରାଯାଇଛି । ବଙ୍ଗ ଭଙ୍ଗ ସମୟରେ ବଙ୍ଗାଳୀମାନେ ଯେପରି ଆନ୍ଦୋଳନ କରି ବ୍ରିଟିଶ ସିଂହାସନକୁ କମ୍ପାଇ ଦେଇଥିଲେ ଓଡ଼ିଆମାନେ ସେପରି ଆନ୍ଦୋଳନ କରି ପାରୁ ନାହାନ୍ତି ବୋଲି ମିଶ୍ରଣ ପକ୍ଷପାତୀ ନୁହନ୍ତି କହି ସରକାର ତାଙ୍କର ସିଦ୍ଧାନ୍ତ ଘୋଷଣା କଲେ-। ମାତ୍ର ଉକ୍ତ ସିଦ୍ଧାନ୍ତ ନ୍ୟାୟ ସଙ୍ଗତ ବୋଲି କୁହାଯାଇ ପାରିବ ନାହିଁ ।

 

ଅଜିତ ଏ ପର୍ଯ୍ୟନ୍ତ ନିରବ ରହି ଡାକ୍ତରଙ୍କ କଥା ଶୁଣୁଥିଲା । ଡାକ୍ତରବାବୁ ତାର କାନ୍ଧରେ ହାତ ପକାଇ କହିଲେ, ହଉ ଆଜି ରାତି ବହୁତ ହୋଇଗଲାଣି ମୁଁ ଏବେ ଫେରିଯାଉଛି । ଆପଣ ବସାକୁ ଯାଆନ୍ତୁ ।

 

ଅଜିତର ମୋହ ଭଙ୍ଗ ହେଲା । ସେ ଟିକିଏ କଣ ଭାବି କହିଲା—ଡାକ୍ତରବାବୁ ଆପଣଯେ କହୁଛନ୍ତି ପଥ ନିରାପଦ ନୁହେଁ, ତେବେ ମୁଁ ଆପଣଙ୍କୁ ଛାଡ଼ିବି କିପରି ? ବରଂ ଚାଲନ୍ତୁ ଆଜି ରାତିଟା ମୋ ବସାରେ କଟାଇଦେବେ ?

 

ଡାକ୍ତର ହସି ହସି କହିଲେ—କ୍ଷମା କରିବେ ଅଜିତବାବୁ ! ମୁଁ ଆପଣଙ୍କ ନିମନ୍ତ୍ରଣ ରକ୍ଷାକରି ପାରୁନାହିଁ । ମୋତେ ଆଜି ଡୁଡୁମା ଯିବାକୁ ହେବ । ଶୁଣିଲି ସେଠାରେ ଆନ୍ଧ୍ର ଓ ଓଡ଼ିଆଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଛି । ଆନ୍ଧ୍ର ଓଡ଼ିଶାର ଭାଗ ଓଡ଼ିଶାକୁ ଦେବାକୁ ରାଜି ନୁହେଁ, ସେଥିପାଇଁ ସେଠାରେ ଓଡ଼ିଆ କର୍ମଚାରୀ ଛଟେଇ କରାଯାଉଛି ଏବଂ ଓଡ଼ିଆସ୍କୁଲ ଉଠେଇ ଦିଆ ଯାଉଛି । ଆମର ସରକାର ବର୍ତ୍ତମାନ ମହାଭାରତୀୟ ଭାବରେ ନିଷ୍କ୍ରିୟ । ମୋତେ ସମୟ କାହିଁ ?

 

ତାହା ହେଲେ ଚାଲନ୍ତୁ ମୁଁ ଆପଣଙ୍କ ସଙ୍ଗରେ ଯିବି । ଏପରି ବିପଦସଙ୍କୁଳ ସ୍ଥାନରେ ଆପଣଙ୍କୁ ଛାଡ଼ି ପାରିବି ନାହିଁ ।

 

—ବେଶ ଭଲକଥା । ଚାଲନ୍ତୁ ଯାଉଁ ଯାଉଁ କିଛି କଥାବାର୍ତ୍ତା ବି ହୋଇଯିବା ।

 

ନିରବରେ ଦୁଇଜଣଯାକ କିଛିବାଟ ଯିବାପରେ ଅଜିତ ମୌନତା ଭାଙ୍ଗି ପଚାରିଲା—ଡାକ୍ତରବାବୁ ! ଆପଣଙ୍କୁ କଣ ଡର ଲାଗେନା ?

 

—ଅଜିତବାବୁ ! ଯାହାର ନିଜ ଉପରେ ବିଶ୍ୱାସ ଅଛି ସେ ଡରିବ କାହିଁକି ? ଏକଥା ସତ୍ୟ ଯେ ବର୍ତ୍ତମାନ ରାତି ଦଶଟାପରେ ରାସ୍ତା ମଦ୍ୟପ, ଗୁଣ୍ଡା, ଓ ଡକାଏତଙ୍କର କ୍ରୀଡ଼ାଭୂମି ହୋଇଥିବ । ତଥାପି ଏହି ଶୀର୍ଣ୍ଣ ଦେହରେ ଯେତିକି ଶକ୍ତି ଅଛି ତାହା ଦୁଇ ଚାରିଟି ଗୁଣ୍ଡାଙ୍କପାଇଁ ଯଥେଷ୍ଟ । ଆମେତ ଅହିଂସାଧର୍ମୀ ନୋହୁଁ ? ତଥାପି ଜାଣି ଶୁଣି କାହାରି ଅନିଷ୍ଟ ନ କଲେ ମଧ୍ୟ ଅନିଷ୍ଟର ଯେ ପ୍ରତିରୋଧ ନ କରିବୁ ଏହା କିପରି କଥା ?

 

ତେବେ ଆପଣ କଣ ଗାନ୍ଧିଜୀଙ୍କ ଅହିଂସାଧର୍ମ ବିଶ୍ୱାସ କରନ୍ତିନାହିଁ ?

 

ଡାକ୍ତରବାବୁ ଦୁଇହାତ ଯୋଡ଼ି କହିଲେ—ଅଜିତବାବୁ । ମହାପୁରୁଷଙ୍କ ବାକ୍ୟ ସହିତ ଆମର ମତକୁ ତୁଳନାକରି ଲଜ୍ଜା ଦିଅନ୍ତୁ ନାହିଁ ? ତାଙ୍କର ‘ଅହିଂସା ଯେ ପରମଧର୍ମ’ ଏକଥା ମୁଁ ମୁକ୍ତ କଣ୍ଠରେ ସ୍ୱୀକାର କରିବି । ମାତ୍ର ତାଙ୍କପରି ଆତ୍ମବିଶ୍ୱାସୀ ହୋଇ ପାରିଲେ ତ ! ସେ ଯେ ଯୁଗସ୍ରଷ୍ଟ ।

 

—ବର୍ତ୍ତମାନ ଆପଣ କହୁଥିଲେ ଯେ, ଅହିଂସାକୁ ଆପଣ ବିଶ୍ୱାସ କରନ୍ତି ନାହିଁ ।

 

—ଆପଣଙ୍କର ଯୁକ୍ତି ଯେ ଦୁଇଟି ଯାକ ପରସ୍ପର ବିରୋଧି । ମୁଁ ଏସବୁ କିଛି ବୁଝିପାରୁନାହିଁ । ଆପଣା ମୋତେ ସରଳ ଭାବରେ ବୁଝାଇ ଦିଅନ୍ତୁ, ଆପଣଙ୍କ ନିକଟରେ ଅହିଂସାର ଅର୍ଥ କଣ ?

 

ଡାକ୍ତର କହିଲେ—ଅଜିତବାବୁ ! ମୋ ନିକଟରେ ଅହିଂସାର ଅର୍ଥ ବୀରତ୍ୱ । ଅର୍ଥାତ କାହାକୁ ହିଂସାକର ନାହିଁ; ମାତ୍ର କେହି ତୁମ ପ୍ରତି ହିଂସାକଲେ ତୁମେ ପ୍ରତିରୋଧ କରିବାକୁ ପଶ୍ଚାତ୍ପଦ ହୁଅନାହିଁ । ଭୀରୁତା କୌଣସିଦିନ ଅହିଂସା ହୋଇ ପାରେନା’ । ଯାର ହୃଦୟ ଅଛି ତାକୁ ବଦଳାଇବା ପାଇଁ ସିନା ଅହିଂସା ଦରକାର । ମାତ୍ର ଯାର ହୃଦୟ ନାହିଁ ତା ପାଖରେ ଅହିଂସାର ଅର୍ଥ କଣ ? ବାଘ ପାଖରେ ଠିଆ ହୋଇ ଛେଳିର ଅହିଂସା ବ୍ୟାଖ୍ୟା ଆତ୍ମାଘାତି ଛଡ଼ା ଆଉ କଣ ହୋଇପାରେ ?

 

ଉଭୟେ ଏ ମଧ୍ୟରେ ବାସନ୍ତୀର ବସାରେ ଆସି ପହଞ୍ଚିଗଲେ । ବାସନ୍ତୀ କେବେ କଳ୍ପନା କରି ନ ଥିଲା ଯେ ଏପରି ଭାବରେ ଅଜିତକୁ ନେଇ ଡାକ୍ତରବାବୁକୁ ଫେରିବେ ବୋଲି । ସେ କଣ କହିବାକୁ ଯାଉଥିଲା; ମାତ୍ର ଡାକ୍ତରବାବୁ କହିଲେ—ବାସନ୍ତୀ ! ଆଜି ତୋତେ ମୋ ପାଇଁ କଷ୍ଟ ସହିବାକୁ ପଡ଼ିବ । ଦୁଃଖର ବିଷୟ ମୁଁ ତୋର ଏ ଦୁଃଖର ଭାଗୀଦାର ହୋଇ ପାରୁନାହିଁ ? ମୋତେ ବର୍ତ୍ତମାନ ଏକ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ୁଛି ? ଅଜିତବାବୁ ରହିଲେ ।

 

—ବାସନ୍ତୀ ପଚାରିଲା ଆପଣ ପୁଣି କେବେ ଆସିବେ ?

 

—ଭଗବାନ ଜାଣନ୍ତି !

 

—ରବିବାର ଦିନ ଆମର ଯେ ପୂର୍ଣ୍ଣାଙ୍କ ଉତ୍କଳ ଦିବସ ପାଳିତ ହେବ । ଆପଣ କଣ ଯୋଗ ଦେବେ ନାହିଁ ?

 

—ଆପାତତଃ ନୁହେଁ ? ତେବେ ଚେଷ୍ଟା କରିବି !

 

ଡାକ୍ତରବାବୁ ଉତ୍ତରର ପ୍ରତ୍ୟାଶା ନ ରଖି ଚାଲିଗଲେ । ଦୁଇଜଣଯାକ ତାଙ୍କର ଯିବା ପଥକୁ ଚାହିଁ ରହିଲେ । କିଛି ସମୟ ସେହି ଅନ୍ଧାରରେ କଟିବାପରେ ବାସନ୍ତୀ କହିଲା ଏବେ ଘରକୁ ଚାଲନ୍ତୁ ?

 

ଅଜିତ ସେତେବେଳକୁ ଶ୍ରାନ୍ତ ଓ କ୍ଳାନ୍ତ । ତେଣୁ କୌଣସି କଥା ନ କହି ସେ ବାସନ୍ତୀର ପଛେ ପଛେ ଚାଲିଲା । ଆଲୁଅ ଜାଳି ବାସନ୍ତୀ ପ୍ରଥମେ ନିଜର ଶୋଇବା ଖଟ ଉପରେ ଖଣ୍ଡିଏ ବିଛଣା ଚଦର ପକାଇ ଦେଇ ଅଜିତକୁ ବିଶ୍ରାମ ନେବାକୁ କହି ବାହାରକୁ ଚାଲିଗଲା ।

Unknown

 

ଅଜିତ ବିଛଣାରେ ପଡ଼ିବା ସଙ୍ଗେ ସଙ୍ଗେ କେତେବେଳେ ଯେ ଶୋଇପଡ଼ିଲା ତାହା ତାକୁ ଅଜଣା । ବାସନ୍ତୀର ଡାକରେ ଯେତେବେଳେ ତାର ନିଦ ଭାଜିଲା, ସେତେବେଳେ ସେ ଦେଖିଲା, ଜଣେ ବ୍ରାହ୍ମଣପିଲା ଜଳଖିଆ ଧରି ଠିଆ ହୋଇଛି ଏବଂ ବାସନ୍ତୀ ବିଛଣା ପକାଇ ତାର ଅପେକ୍ଷାରେ ରହିଛି । ଅଜିତ ନିଦରୁ ଉଠି ମୁହଁ ଧୋଇ ଆସନରେ ବସିଲା । ବ୍ରାହ୍ମଣପିଲା ଜଳଖିଆ ଧୋଇଦେଇ ଚାଲିଯିବ ପରେ ବାସନ୍ତୀ କାନ୍ଦ କାନ୍ଦ ସ୍ୱରରେ କହିଲା—ଆପଣଙ୍କର ଯଦି ଆସିବାର ଥିଲା ମୋତେ କହିଗଲେ ନାହିଁ କାହିଁକି ? ମୁଁ ପ୍ରସ୍ତୁତ ହୋଇଥାଆନ୍ତି । ଏପରି ଭାବରେ ଏତେ ରାତିରେ କଣ କରିବି ?

 

—ମୁଁ କଣ ଆସିବି ବୋଲି ଜାଣିଥଲି ? ଡାକ୍ତରବାବୁ ତ ନେଇ ଆସିଲେ । ଆପଣଙ୍କର ଏ ଡାକ୍ତରବାବୁଟି ଯେ କି ଉପାଦାନରେ ଗଢ଼ା ମୁଁ କୌଣସି କୂଳ କିନାରା ପାଉନାହିଁ ?

 

—ସେଥିପାଇଁ ତ ସମିତିର ସଭ୍ୟମାନେ ତାଙ୍କର ବିନା ପରାମର୍ଶରେ କିଛି କରନ୍ତି ନାହିଁ-?

 

—ଆପଣଙ୍କ ପ୍ରେସିଡେଣ୍ଟ ।

 

—ନାଁ ସେ ବି ନୁହେଁ ?

 

—ଅନ୍ୟ ସଭ୍ୟମାନେ କିଏ ?

 

ବାସନ୍ତୀ କହିଲା—ଆମ ସମିତିର ନିୟମ ହେଉଛି—କେହି କାହାରି ବ୍ୟକ୍ତିଗତ ପରିଚୟ ନେଇ ପାରିବେ ନାହିଁ । ଆମର ଜାତି, ବର୍ଣ୍ଣ ବା ଧର୍ମର କୌଣସି ପ୍ରଭେଦ ନାହିଁ । ସମସ୍ତେ ଏକ ଈଶ୍ୱରଙ୍କ ସନ୍ତାନ ଓ ସମସ୍ତଙ୍କର ଲକ୍ଷ୍ୟ ଉତ୍କଳର ଏକୀକରଣ । ଏଇମାତ୍ର ସମସ୍ତଙ୍କର ପରିଚୟ ।

 

ଅଜିତ ଜଳଖିଆ ଖାଇ ହାତ ଧୋଇଲା । ବାସନ୍ତୀ ଖଟ ଉପରେ ମଶାରି ପକାଇ ଦେଇ ଘରୁ ଅଇଣ୍ଠା ବାସନ ବାହାର କରିନେଲା । ଅଜିତ ପଚାରିଲା—ଆପଣ ଶୋଇବେ କେଉଁଠି ?

 

—ଏଇ ଘରେ । ବାସନ୍ତୀ ଉତ୍ତର ଦେଲା ।

 

ଅଜିତ ଟିକିଏ ଅପ୍ରତିଭ ହୋଇ ପଡ଼ିବା ଦେଖି ବାସନ୍ତୀ ହସି ହସି କହିଲା ଆପଣଙ୍କଦ୍ୱାରା କୌଣସି ଅନିଷ୍ଟ ହେବ ନାହିଁ ବୋଲି ମୋର ବିଶ୍ୱାସ ଅଛି । ଆମେ ଯେ ଅସ୍ପୃଶ୍ୟ । ଆପଣଙ୍କ ପରି ନୈଷ୍ଠିକ ବ୍ରାହ୍ମଣ ଅନିଷ୍ଟର ଦୁଃସାହସ କରି ପାରିବେ ନାହିଁ । ଏ ଆତ୍ମବିଶ୍ୱାସ କଣ ମୋର ନାହିଁ ? ଆପଣ ନିଶ୍ଚିନ୍ତରେ ଶୁଅନ୍ତୁ ।

 

ବାସନ୍ତୀ ତଳେ ସତରଞ୍ଜିଟିଏ ପକାଇ ନିର୍ବିକାରଭାବରେ ଶୋଇଗଲା । ମାତ୍ର ଅଜିତ ଏହି ସ୍ପଷ୍ଟବାଦୀ ତରୁଣୀଟିର ବ୍ୟଙ୍ଗୋକ୍ତିରେ ମର୍ମାହତ ହୋଇ ପଡ଼ିଲା ଏବଂ କେତେବେଳେ ଯେ ଶୋଇ ପଡ଼ିଲା ଜାଣେନା । ତହିଁ ପରଦିନ ବାସନ୍ତୀର ଡାକରେ ଯେତେବେଳେ ତାର ନିଦ ଭାଜିଲା ସେତେବେଳକୁ ଘଣ୍ଟାରେ ଆଠଟା ବାଜି ଯାଇଥିଲା । ନିଦରୁ ଉଠିବା ସଙ୍ଗେ ସଙ୍ଗେ ସେ ଟିକିଏ ବିରକ୍ତି ପ୍ରକାଶ କଲା ।

 

ବାସନ୍ତୀ ହସି ହସି କହିଲା—ଆପଣ କାଲି ରାତିରେ ଯେ ଖାଇବା ପାଇଁ କି ହଇରାଣ ହୋଇଛନ୍ତି ମୁଁ କଣ ଜାଣେ ନା’ । ଆଜି ନ ଖୁଆଇ ଛାଡ଼ନ୍ତି କିପରି ? ଆପଣଙ୍କର ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ନିତ୍ୟକର୍ମ ଶେଷ କରି ଆସନ୍ତୁ । ମୁଁ ଖାଇବାର ସମସ୍ତ ଆୟୋଜନ କରିସାରିଲିଣି । ଆପଣ ଏଇବାଟେ ସିଧା ସିଧା ଅଫିସ ଯିବେ ।
 

ଘରର ଖୋଲା ଝରକାରେ ଭାସିଆସୁଥିବା ସୂର୍ଯ୍ୟକିରଣ ସଦ୍ୟସ୍ମାତା ବାସନ୍ତୀର କେଶ ଗୁଚ୍ଛରେ ପଡ଼ି ଅନିର୍ବଚନୀୟ ଶୋଭା ସୃଷ୍ଟି କରୁଥିଲା । ତାର ଶରୀରର ପ୍ରତ୍ୟେକ ଅଙ୍ଗରୁ ଯେପରି ସୁଷମା ଝରି ପଡ଼ୁଥିଲା । ଅଜିତ ମୁଗ୍‌ଧ ଦୃଷ୍ଟିରେ କିୟତ୍‌କ୍ଷଣ ଚାହିଁ ତା ମଧ୍ୟରୁ ଯେପରି ଏକ ନୂତନ ଶକ୍ତି ଆବିଷ୍କାର କଲା—ଯାହା ସୃଷ୍ଟିର ମଙ୍ଗଳ ପାଇଁ ଶାନ୍ତି, ମୈତ୍ରୀ ଓ ପ୍ରୀତିର ଭଣ୍ଡାରରେ ପରିପୂର୍ଣ୍ଣ, ଯହିଁରେ ଆବିଳତା କିଛି ନାହିଁ—ଶିଶୁପରି ସରଳ ଓ ସୁନ୍ଦର । ଅଜିତ ତାର ଏହି ଶକ୍ତିକୁ ଆଜି ପର୍ଯ୍ୟନ୍ତ ଦେଖି ବି ଦେଖି ନାହିଁ; ପାଖେ ପାଖେ ରହି ବି ଆହରଣ କରିପାରିନାହିଁ । ତେଣୁ ସେ ଦ୍ୱିରୁକ୍ତି ନ କରି ନିତ୍ୟକର୍ମ କରିବାକୁ ଚାଲିଗଲା ।

 

ଚାନ୍ଦ ଉଠେ, ଫୁଲ ଫୁଟେ, ବାସଛୁଟେ । ଦୁର୍‌ ଯେଉଁଦିନ ଚାନ୍ଦ ନ ଥାଏ ସେଦିନ କଣ ଫୁଲ ଫୁଟେନା–ବନାନୀ ଗୀତ ଗାଉ ଗାଉଁ ମନକୁ ମନ କହିବାରେ ଲାଗିଥାଏ ।

 

ବିକାଶବାବୁ ସେ ଘରକୁ ପଶିଯାଇ କହିଲେ—ନାଁ, ମା ଏ ବିବାହ ହୋଇ ପାରିବ ନାହିଁ-?

 

—କାହିଁକି ବାପା ?

 

—ତୁ ଯେ, ବର୍ତ୍ତମାନ ପିଲା । ତେଣୁ ଭଲମନ୍ଦ ବିଚାର କରିବାର ତୋର ଶକ୍ତି ଆସିନାହିଁ-?

 

ବନାନୀ କହିଲା—ବେଶ୍‌ତ ବାପା ! ମୁଁ ଯେତେବେଳେ ବିବାହ କରିବାକୁ ମନାକଲି ସେତେବେଳେ ଆପଣ କହିଲେ ପିଲା । ପୁଣି ଯେତେବେଳେ ବିବାହ କରିବାକୁ କହିଲା ସେତେବେଳେ ବି କହୁଛନ୍ତି ପିଲା ।

 

—ହଁ ମା, ଏ ବିବାହ ହୋଇ ପାରିବ ନାହିଁ ? କାରଣ ରମେଶବାବୁ ଯେ ଓଡ଼ିଆ ।

 

—ସେଥିରେ କଣ ଅଛି ? ତାଙ୍କର ତ ଆମରି ପରି ଦୁଇଟି ଆଖି, ଦୁଇଟି କାନ, ହାତ ଗୋଡ଼ ସବୁ ଅଛି । ଆମ ପରି ତାଙ୍କ ଦେହରେ ମଧ୍ୟ ରକ୍ତ ଅଛି । ତାଙ୍କ ଆମ ଭିତରେ ପ୍ରଭେଦ କଣ ? ଏକ ପୃଥିବୀରେ ଘର, ପୁଣି ଏକ ଚନ୍ଦ୍ର ଓ ଏକ ସୂର୍ଯ୍ୟ ଆମ ସମସ୍ତଙ୍କ କିରଣ ଦେଉଛନ୍ତି । ବଙ୍ଗଳା ପରି ଏ ଦେଶରେ ନଦ ନଦୀ ପାହାଡ଼ ପର୍ବତ ବି ଅଛନ୍ତି । ତେବେ ମୋତେ ମନା କରୁଛନ୍ତି କାହିଁକି ? ଜଣେ ବଙ୍ଗାଳୀଠାରୁ ଜଣେ ଓଡ଼ିଆ କଣ କମ୍‌ ସୁନ୍ଦର ? ବୀରତା, ସଭ୍ୟତା, ତ୍ୟାଗରେ ବା ସେମାନେ କେଉଁଥିରେ କମ୍‌ । ଉତ୍କଳର କଳା, ଭାସ୍କର୍ଯ୍ୟ, ଶିଳ୍ପ ଏ ସବୁ କଣ ବଙ୍ଗଳା ସଙ୍ଗରେ ସମାନ ନୁହେଁ । ତେବେ ସେ ସଡ଼ିଆ ହେଲେ ବୋଲି ତାଙ୍କର ଦୋଷ କେଉଁଠି ମୁଁ ତ ବୁଝିପାରୁ ନାହିଁ ।

 

ବିକାଶବାବୁ ମୁହୂର୍ତ୍ତେ ଚିନ୍ତାକରି କହିଲେ—ହଁ ମା’ ସବୁ ଅଛି—ମାତ୍ର ଜାତୀୟତା ନାହିଁ-। କାରଣ ଯେତେବେଳେ ବଙ୍ଗ ଭଙ୍ଗ ହେଲା ସେତେବେଳେ ବଙ୍ଗାଳୀମାନେ କିପରି ମରଣ ମୁହଁକୁ ଡେଇଁ ପଡ଼ିଲେ ଶୁଣିଛୁ ତ ? ତାହା ଫଳରେ ବ୍ରିଟିଶ ସରକାରର ଆସନ କମ୍ପିଗଲା, ପୁଣି ୬ ବର୍ଷ ପରେ ସରକାର ଆଇନ୍‌ପ୍ରତ୍ୟାହାର କରିନେବାକୁ ବାଧ୍ୟ ହେଲା । ମାତ୍ର ଓଡ଼ିଆମାନେ କରୁଛନ୍ତି କଣ-? ନିଜ ଦେଶଟା ଖଣ୍ଡ ଖଣ୍ଡ ହୋଇ ଚାରିଟା ପ୍ରଦେଶରେ ପଡ଼ିଛି, ଏଥିପ୍ରତି କାହାରି ଲକ୍ଷ୍ୟ ଅଛି-? ଏ ପାଶ୍ଚାତ୍ୟ ସଭ୍ୟତା ଯୁଗରେ କାହାରି ପାଖରେ ହାତ ପାତିବା ନିହାତି ଘୃଣ୍ୟ ଓ ନିତାନ୍ତ ଅପୌରୁଷେୟ । ମାତ୍ର ଓଡ଼ିଆ ସମସ୍ତ ପ୍ରକାର ଭିକ୍ଷା ବ୍ୟବସାୟକୁ ଶ୍ରେଷ୍ଠରୂପେ ଗ୍ରହଣ କରିଛି-। ଓଡ଼ିଶାର ଯେଉଁମାନେ ଶିକ୍ଷିତ ସେମାନେ ଚାକିରି ଭିକ୍ଷୁକ । ଯେଉଁମାନେ ରାଜେଶ୍ୱର ସେମାନେ ଉପାଧି ଭିକ୍ଷୁକ । ଯେଉଁମାନେ ଜ୍ଞାନୀ ବା ଗୁଣୀ ସେମାନେ ପାରିତୋଷ ଭିକ୍ଷୁକ । ଯେଉଁମାନେ ରଚକ, ଲେଖକ ବା ସଂପାଦକ ସେମାନେ ଅନୁଗ୍ରହ ଭିକ୍ଷୁକ । ଯେଉଁମାନେ ନେତା—ସେମାନେ ପ୍ରଶଂସା ଭିକ୍ଷୁକ । ଏହିପରି ଭିକ୍ଷୁକଙ୍କର ବିରାଟ ଶ୍ରେଣୀରେ ବିଶାଳ ଉତ୍କଳ ସମାକୁଳ । ତେଣୁ ଏ ଦେଶରେ ତୋତେ ଅର୍ପଣ କରି ମୁଁ ଶାନ୍ତି ପାଇପାରିବି ନାହିଁ ।

 

ଚାହୁଁ ଚାହୁଁ ରବିବାର ପହଞ୍ଚିଗଲା । କଣ ଗୋଟାଏ ହେବ ବୋଲି ଶହ ଶହ କାରୀଗର, ଶ୍ରମିକ, ରୁଣ୍ଡ ହେଲେ । ରମେଶ ଓ ଅଜିତ ସଭାସ୍ଥଳରେ ପହଞ୍ଚିବା ସଙ୍ଗେ ସଙ୍ଗେ ସଭାକାର୍ଯ୍ୟ ଆରମ୍ଭ ହେଲା । ମାତ୍ର ପୋଲିସ ସାହେବ ଜଣାଇଦେଲେ ଯେ ସୀମା ଆନ୍ଦୋଳନ ସଂକ୍ରାନ୍ତରେ କୌଣସି ସଭା ହୋଇ ପାରିବ ନାହିଁ । ଏ ସ୍ଥାନରେ ୧୪୪ ଧାରା ଜାରୀ କରାଗଲା । ଏ ଖବର ଶୁଣି ସମସ୍ତଙ୍କ ମୁହଁରେ ବିଷାଦର ଛାୟା ଖେଳିଗଲା । ପ୍ରେସିଡ଼େଣ୍ଟ ଅଜିତକୁ ଅନୁରୋଧ କରି କହିଲେ ଆପଣ ସମସ୍ତଙ୍କୁ ଶୁଣାଇ ଦିଅନ୍ତୁ ସେମାନେ ନିଜ ନିଜ କାମରେ ଚାଲିଯାଆନ୍ତୁ । ଦେଶ ସ୍ୱାଧୀନ ହେଲେ ମଧ୍ୟ ଆମର କିଛି କହିବାର ଅଧିକାର ନାହିଁ । ବ୍ରିଟିଶ ଶାସନର ପରମ୍ପରା ରକ୍ଷାକରି ଆଜି ସ୍ୱାଧୀନ ଦେଶର ଲୋକ ପ୍ରତିନିଧି ସରକାର ମଧ୍ୟ ଦମନ ନୀତି ପ୍ରୟୋଗ କରି ଜୋର ଜବରଦସ୍ତ ଆମର ମୁଖ ବନ୍ଦ କରୁଛନ୍ତି । ଏଣୁ ଏହାର ବିଚାର ସେହି ଜନତା କରନ୍ତୁ—ଯେଉଁମାନେ ଫେରି ଆସିବାକୁ ଚାହାନ୍ତି ନିଜର ମାତୃଭୂମିକୁ । ଆମ୍ଭେମାନେ ସେମାନଙ୍କୁ ସାହାଯ୍ୟ ଓ ସହାନୁଭୂତି ଦେବାକୁ ପ୍ରସ୍ତୁତ ଅଛୁ ।’ ମାତ୍ର ଅଜିତ କଣ କହିବ କହିବ ବୋଲି ଇତସ୍ତତଃ ହୋଇ ପଡ଼ିଲା । ରମେଶ ଉଠି କହିଲା—ଭାଇ ଓ ଭଉଣୀମାନେ ! ଆଜି ଆମର ଏ ସଭାଥିଲା–ବିଚ୍ଛିନ୍ନାଞ୍ଚଳ ଓଡ଼ିଶାରେ ମିଶାଇବା ନିମିତ୍ତ ଆମର ଦାବୀ ଉପସ୍ଥାପନ କରିବା । ମାତ୍ର ଆମର ଏ ପ୍ରକାର ଦାବୀକୁ ଡରି ସରକାର ଆମ ଉପରେ ନିଷେଧ ଆଦେଶ ଜାରୀ କରିଛନ୍ତି । ଏ ବିଷୟ ଆପଣମାନଙ୍କୁ ଶୁଣାଇବା ନିମିତ୍ତ ମୋ ବନ୍ଧୁଙ୍କ ଉପରେ ଦାୟିତ୍ୱ ଥିଲା । ତେଣୁ ମୁଁ ତାଙ୍କ ତରଫରୁ ଆପଣମାନଙ୍କୁ ଶୁଣାଇ ଦେଉଛି ଏବଂ ତା ସଙ୍ଗେ ସଙ୍ଗେ କହୁଛି ଯେ, ଭାଷା ଭିତ୍ତିରେ ଗଠନ ନୀତିକୁ ସରକାର ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶା ବେଳକୁ ତାର ବ୍ୟତିକ୍ରମ ଘଟୁଛି । ଆମମାନଙ୍କ ଦ୍ୱାରା ଯେଉଁମାନେ ଏ ଦେଶର ଉଚ୍ଚ ଆସନରେ ଆସୀନ, ସେଇମାନେ ଏପରି କାଣ୍ଡ କରିଛନ୍ତି । କେବଳ ଏତିକି ନୁହେଁ; ଆମର ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ନିଷ୍ପ୍ରିୟତା ଦେଖାଉଛନ୍ତି । ସେମାନେ ନିର୍ଦ୍ଦିଷ୍ଟ ଭାବରେ କୌଣସି ନୀତି ଘୋଷଣା କରୁ ନାହାନ୍ତି । ଫଳରେ ଆମେ ଆଜି ଆମର ହକ ଦାବୀରୁ ବଞ୍ଚିତ । ଆମ ନିଜ ଦେଶରେ ଆମେ ଆଜି ପ୍ରବାସୀ । ଆମ ଦେଶରୁ କଞ୍ଚାମାଲ ନେଇ ଆଜି ଯେଉଁ ଟାଟା ନଗର, ସେଠାରେ ଆମେ କୁଲି । ହୋଟେଲ ବଜାର ସବୁଆଡ଼େ ଓଡ଼ିଆଙ୍କ ନିମିତ୍ତ ନିଷେଧ ଆଦେଶ ଜାରୀ ହୋଇଛି । ତା’ପରେ ଏଠାକାର ସ୍ଥାନୀୟ ଅଧିବାସୀମାନେ ଓଡ଼ିଆ ହେଲେ ମଧ୍ୟ ନିଜ ମାତୃଭାଷାରେ ଶିକ୍ଷା ପାଇବାକୁ ହକଦାର ନୁହନ୍ତି । ବାହାରେ କୋର୍ଟ କଚେରୀରେ ଓଡ଼ିଆ କହିବା ମନା । ମନେ କରନ୍ତୁ ତ ଭାଇମାନେ ! ଯେଉଁମାନେ ଏପରି ସ୍ଥାନରେ ରହୁଛନ୍ତି ସେମାନଙ୍କର ଅବସ୍ଥା କଣ ହୋଇପାରେ ? ଏଣେ ଓଡ଼ିଆର ସଂସ୍କୃତି ଓ ପରମ୍ପରା ଛାଡ଼ିପାରୁ ନାହାନ୍ତି; ତେଣେ ଜୋର ଜବରଦସ୍ତ କରି ତାଙ୍କ ଉପରେ ମହାଭାରତୀୟ ଭାବ ଚାପି ଦିଆଯାଉଛି । ଏହା କଣ କମ୍‌ ଦୁଃଖର କଥା । ଏଥିପାଇଁ ଆମକୁ ସକ୍ରୀୟ ଆନ୍ଦୋଳନ କରିବାକୁ ହେବ । ପୋଲିସର ବନ୍ଧୁକ ନିକଟରେ ବୁକୁ ପତାଇ ଠିଆ ହେବାକୁ ହେବ–କଣ ପାରିବେତ ?

 

ପୋଲିସ୍‌ ସାହେବ ଭାଷଣ ବନ୍ଦ କରିବାକୁ କହିଲେ । ରମେଶ ନ ଶୁଣିଲାପରି ପୁଣି କହିଲା—‘‘ଆଜି ବିହାର ସରକାର ଜୋର ଜବରଦସ୍ତ ଆମର ମୁହଁ ବନ୍ଦ କରି ଦେଉଛନ୍ତି । ଏଥିପାଇଁ ଶୋଚନା ନାହିଁ । ମାତ୍ର ଓଡ଼ିଆର ଅନ୍ତରରୁ ସେ କଦାପି ତାର ଦାବୀକୁ ଲିଭେଇ ଦେଇ ପାରିବେ ନାହିଁ । ଏଣୁ ଆଜି ଦିନରେ ପ୍ରତ୍ୟେକ ଓଡ଼ିଆ ଶପଥ ନେବା ଉଚିତ ଯେ, ସମୁଦାୟ ମେଦିନୀପୁର ଷଢ଼େଇକଳା ଖରସୁଆଁ, ମାନଭୂମ, ସିଂହଭୂମ, ଧଳଭୂମ, ରାୟପୁର ବସ୍ତର, ବିଳାସପୁର, ଟିକାବାଲି, ଜୟପୁର ମଞ୍ଜୁସା, ବୁଢ଼ାରସିଂ, ଫୁଲଝର ସହ ବିଶାଖାପାଟଣା ପର୍ଯ୍ୟନ୍ତ ନ ଆସିଲେ ଓଡ଼ିଆର ଆକାଂକ୍ଷା ଅପୂରଣୀୟ ରହିବ ।’’ ଏତିକିବେଳେ ପୋଲିସ ସାହେବ ଆଗକୁ ଆସି କହିଲେ—ଆପଣ ଶାନ୍ତି ଭଙ୍ଗକାରୀ ଓ ଆଇନ ଅବମାନନାକାରୀ । ତେଣୁ ମୁଁ ଆପଣଙ୍କୁ ଗିରଫ କଲି । ରମେଶର ହାତରେ ହାତକଡ଼ି ପଡ଼ିଲା । ଜୋର ଜବରଦସ୍ତ ସଭା ଭାଙ୍ଗି ଦିଆଗଲା । ମାତ୍ର ଉପସ୍ଥିତ ଜନତା ପ୍ରାଣରେ ଯେଉଁ ସ୍ପନ୍ଦନ ଜାଗି ଉଠିଲା ତାହା ଅଜିତ ପୂର୍ଣ୍ଣଭାବରେ ଅନୁଭବ କଲା । ତାର ଏହି ବନ୍ଧୁଟି ନିକଟରେ ସେ ନିଜକୁ ଛୋଟ ମନେ କଲା । ନିଜ ପ୍ରତି ବିରାଗ ଓ ଘୃଣାରେ ସେ ଫାଟି ପଡ଼ିଲା । ସଭାସ୍ଥଳ ଛାଡ଼ି ସମସ୍ତେ ଚାଲିଗଲେ ମଧ୍ୟ ଅଜିତ ତାହା ଜାଣି ପାରିଲାନାହିଁ । କେତେବେଳେ ପରେ ତା’ର ଏପରି ଅନ୍ୟ ମନସ୍କତା ଲକ୍ଷ୍ୟକରି ବାସନ୍ତୀ କହିଲା–ଅନ୍ଧାର ହୋଇଗଲାଣି ଏବେ ବସାକୁ ଚାଲନ୍ତୁ ।

 

ଡାକ୍ତରବାବୁ ବାସନ୍ତୀର ଦୁଆର ଖୋଲି ବତୀ ଲଗାଇ ଖଣ୍ଡିଏ ଚିଠି ଲେଖାରେ ମନ ଦେଇଥିଲେ । ସେ ଯେ ଏପରି ଭାବରେ ଏ ସମୟରେ ଆସି ପହଞ୍ଚିବେ ଏକଥା କେହି କଳ୍ପନା କରି ନ ଥିଲେ । ଅଜିତ ଓ ବାସନ୍ତୀ ବସାରେ ପହଞ୍ଚି ପ୍ରଥମେ ଚମକି ପଡ଼ିଲେ । ଅଜିତର ସମସ୍ତ ବେଦନା ଏକୀଭୂତ ହୋଇ ଅଜାଡ଼ି ପଡ଼ିଲା । ସେ ବ୍ୟାକୁଳ ଭାବରେ କହିଲା—ଡାକ୍ତରବାବୁ ! ପୋଲିସ ଆଜି ରମେଶକୁ ଧରି ନେଇଗଲେ ? ଡାକ୍ତରବାବୁ ଟିକିଏ ହସିଦେଇ ପୁଣି ନିଜ କାମରେ ଲାଗିଲେ । ଅଜିତ ବିବ୍ରତ ହୋଇ ପଡ଼ିଲା । ସେ ପୁଣି କହିଲା—ଡାକ୍ତରବାବୁ ତା ବସାକୁ କେମିତି ଟିକିଏ ଖବର ଦିଅନ୍ତେ ? ଡାକ୍ତରବାବୁ ନିରବରେ ନିଜକାମରେ ଲାଗିଥାଆନ୍ତି, ଯେପରି ମୁଣ୍ଡଟେକି ଚାହିଁବାକୁ ବି ତାଙ୍କୁ ସମୟ ନାହିଁ ।

 

ଅଜିତ ଉତ୍ତେଜିତ ହୋଇ ପଡ଼ିଲା । ତାର ଭାବନା ଶକ୍ତି ଏକାବେଳକେ ଲୋପ ପାଇଗଲା । ସେ ସ୍ଥାନ କାଳ ପାତ୍ର ଭୁଲିଯାଇ ଡାକ୍ତରବାବୁଙ୍କୁ ଉଦ୍ଦେଶ୍ୟ କରି କହିଲା—ଆପଣଙ୍କପରି ଦାୟିତ୍ୱହୀନ ଲୋକ, ଯାହାଙ୍କର ନିଜ ଦଳ ପ୍ରତି ଟିକିଏ ସହାନୁଭୂତି ନାହିଁ–ସେ ଏତେବଡ଼ ସଂଗଠନ ଚଳାଇବ କିପରି ?

 

ଡାକ୍ତରବାବୁ ମୁଣ୍ଡ ଟେକି ଅଜିତ ଆଡ଼େ ଚାହିଁ ଟିକିଏ ହସି ଦେଲେ, ମାତ୍ର ଅଜିତର ଏ ପ୍ରକାର ବ୍ୟବହାର ବାସନ୍ତୀକୁ ଅସହ୍ୟ ବୋଧ ହେଲା । ସେ ଧମକ ଦେବା ସ୍ୱରରେ କହିଲା—ଅଜିତବାବୁ କାହାକୁ କଣ କକହୁଛନ୍ତି ଥରେ ଚିନ୍ତା କରୁଛନ୍ତି ତ ?

 

ଡାକ୍ତରବାବୁଙ୍କର ଚିଠି ଲେଖା ସରିଲା । ସେ କଲମ ଓ ଚିଠିଟିକୁ ଟେବୁଲର ଗୋଟିଏ କୋଣରେ ଥୋଇଦେଲେ । ଏତିକିବେଳେ ଦୁଆରରେ କିଏ ଧକ୍‍କା ଦେଲା । ବାସନ୍ତୀ କବାଟ ଖୋଲି ଦେବାକୁ ରମେଶ ଘରକୁ ପଶି ଆସି ଡାକ୍ତରବାବୁଙ୍କୁ ନମସ୍କାର କଲା । ମୁହୂର୍ତ୍ତକରେ ଏ ଯେଉଁ କାଣ୍ଡ ଘଟିଗଲା ଅଜିତ ତାହାର କୌଣସି କୁଳ କିନାରା ପାଇଲା ନାହିଁ । ବିଶେଷତଃ ବାସନ୍ତୀର ବ୍ୟବହାର ତାକୁ କ୍ଷୁବ୍‌ଧ କରି ପକାଇଲା । ସେ ଅଭିମାନରେ ସେହି ଅନ୍ଧାରରେ ବାହାରକୁ ଆସି ବସାକୁ ଚାଲିଗଲା ।

 

ରମେଶ ବନ୍ଦୀ । ଏ ଖବର ବାହାରେ ଯେତିକି ପରିମାଣରେ ବ୍ୟାପିଲା, ବନାନୀର ଆନନ୍ଦ ଲହରୀ ସେହି ପରିମାଣରେ କୂଳ ଲଙ୍ଘି ଚାଲିଲା । ଦେଶ ପାଇଁ, ଜାତି ପାଇଁ, ଗୋଟିଏ ଅବହେଳିତ ଜାତିର ଚରମଦାବୀ ପାଇଁ ରମେଶ ବନ୍ଦୀ ହୋଇଥିବାରୁ ତାର ନିଜର ଯେତେ ଆତ୍ମଶ୍ଳାଘା ନ ଥିଲା ବନାନୀର ଆତ୍ମତୃପ୍ତି ଥିଲା ତା ଠାରୁ ଅଧିକ । କାରଣ ନାରୀ ସେ—ଥରେ ଯାହାକୁ ଭଲ ପାଇଛି ତା’ ବ୍ୟତୀତ ଆଉ କାହାକୁ ଭଲ ପାଇବା ତା’ ପକ୍ଷେ ସମ୍ଭବ ନୁହେଁ । ସେଦିନ ପାର୍କରେ ସେ ରମେଶର ତେଜୋଦୀପ୍ତ ମୁଖ ଓ ବୀରତାରେ ମୁଗ୍‌ଧ ହୋଇଥିଲା । ତା’ପରେ ରମେଶର ବ୍ୟବହାର ତାକୁ ଆହୁରି ନିକଟକୁ ଟାଣିନେଲା । ଆଜି ପର୍ଯ୍ୟନ୍ତ ବନାନୀ କେବଳ ଜାଣିଥିଲା ଯେ, ସମସ୍ତ ପୁରୁଷ ଜାତିଟା ଆତତାୟୀ । ନିଜର ଭୋଗ, ଲାଳସା ଓ କାମନା ଚରିତାର୍ଥ ପାଇଁ ତାର ଜନ୍ମ । ସେ ତ୍ୟାଗ କରି ଶିଖିନିଭୋଗ ହିଁ ତାର ଚରମ ଲକ୍ଷ । ମାତ୍ର ରମେଶ ତାର ସେ ଭ୍ରମ ଭାଙ୍ଗି ଦେଇଛି–ପ୍ରେମିକ ଭାବରେ ନୁହେଁ; ବନ୍ଧୁ ଏବଂ ହିତୈକ୍ଷୀ ଭାବରେ । ତେଣୁ ବନାନୀ ଯେତେବେଳେ ତା ବାପାଙ୍କ ନିକଟରେ ବିବାହର ପ୍ରସ୍ତାବ ଦେଲା । ସେତେବେଳେ ସେ କହିଥିଲେ–ଓଡ଼ିଆମାନେ ହୀନଦଶା ପ୍ରାପ୍ତ ! କାରଣ ସେମାନେ ନିଜକୁ ଚିହ୍ନିପାରି ନାହାନ୍ତି-। ନିଜର ମାତୃଭୂମିକୁ ଉଦ୍ଧାର କରିବାକୁ ସମର୍ଥ ନୁହନ୍ତି । ଆଜି ରମେଶର ତ୍ୟାଗ ଓ ସ୍ୱଦେଶ ପ୍ରୀତିରେ ବନାନୀ ନିଜକୁ ଭୁଲିଯାଇ ତାର ବାପାଙ୍କୁ ଏ ଖବର ଦେଲା ।

 

ବିକାଶ ବାବୁ କହିଲେ—ମା’ ସେ ଯେ ଦେଶଦ୍ରୋହୀ, ବିପ୍ଳବୀ । ତାକୁ ପାଇ ତୁ ସୁଖୀ ହୋଇ ପାରିବୁ ନାହିଁ !

 

—କାହିଁକି ବାପା ! ସେ ଦେଶଦ୍ରୋହୀ କିପରି ହେଲା ? ସେ ତ ନିଜ ଦେଶର ମୁକ୍ତି ପାଇଁ ବିପ୍ଳବୀ ସାଜିଛି, ଶାନ୍ତି ରକ୍ଷାପାଇଁ ବିପ୍ଳବ କରିଛି—ଶାନ୍ତି ଭଙ୍ଗ ପାଇଁ ତ ନୁହେଁ ? ଯେ ଏକ ପ୍ରତିଷ୍ଠିତ ରାଜ୍ୟର ଶାନ୍ତିଭଙ୍ଗ କରିବାକୁ ଯାଏ, ଦେଶରେ ଅରାଜକତା ସୃଷ୍ଟିକରେ—ନିଜର କୌଣସି ଉଦ୍ଦାମ ପ୍ରବୃତ୍ତିକୁ ଚରିତାର୍ଥ କରିବା ପାଇଁ ଅଥବା କୌଣସି ଖିଆଲର ବଶବର୍ତ୍ତୀ ହୋଇ କିଛି କରେ ସେ ସିନା ଦେଶଦ୍ରୋହୀ ! ସେ ଯେତେବେଳେ ଚାକିରି ଜୀବନ କଟାଇଲା ଆପଣ ସେତେବେଳେ କହିଲେ—ତାର ଜାତୀୟତା ନାହିଁ; ପୁଣି ଯେତେବେଳେ ଦେଶ ପାଇଁ କାରାବରଣ କଲା ସେତେବେଳେ କହୁଛନ୍ତି ସେ ଦେଶଦ୍ରୋହୀ ?

 

—ନାଁ ମା ! କେବଳ ସେତିକି ନୁହେଁ; ସେମାନେ ଯେ ଆମ ବଙ୍ଗଳାର ମେଦିନାପୁରକୁ ଦାବୀ କରୁଛନ୍ତି ?

 

—ଆରେ ବାଃରେ । ମେଦିନାପୁରଟା ବଙ୍ଗଳାର କିପରି ହେଲା ? ସେଠାକାର ଲୋକେ ତ ଓଡ଼ିଆ କହନ୍ତି । ସେମାନଙ୍କ ଘରେ ଓଡ଼ିଆ ବହି ଓ ପୁରାଣ ଅଛି । ସେତେବେଳେ ଶାସନର ସୁବିଧା ପାଇଁ ସିନା ମେଦିନାପୁରକୁ ବଙ୍ଗଳା ସହିତ ମିଶାଇ ଦିଆଯାଇଥିଲା ?

 

ବିକାଶବାବୁ କିଛି ସମୟ ପାଇଁ ଟିକିଏ ଗମ୍ଭୀର ହୋଇଗଲେ । ତାପରେ କହିଲେ–‘‘ବନାନୀ ! ତୁ ତ ଆଗେ ବଡ଼ ଦେଶଭକ୍ତ ଥିଲୁ ?’’

 

—ହଁ ବାପା ! ଏବେ ବି ଅଛି । ମାତ୍ର ଗୋଟିଏ ସର୍ତ୍ତରେ । ତାହା ହେଉଛି—ଯଦି ବଙ୍ଗଳା ଉପରେ ଅନ୍ୟ କୌଣସି ଦେଶ ଦାବୀକରେ ବା ଜୋର ଜବରଦସ୍ତ ଅଧିକାର କରେ, ତେବେ ଦେଖିବେ—ମୁଁ ଘରେ ଘରେ ବୁଲି କିପରି ବିପ୍ଳବ ଅଗ୍ନି ଜାଳି ଦେବି । ଦେଶପାଇଁ. ଜାତିପାଇଁ ନିଜକୁ କିପରି ଉତ୍ସର୍ଗ କରିବି ? ମାତ୍ର ଦେଶଭକ୍ତି ନାମରେ ଅନ୍ୟ ଦେଶକୁ ନିଜ ଦେଶରେ ମିଶାଇବା ମୋ ମତରେ ରାକ୍ଷସୀ ମହତ୍ୱାକାଂକ୍ଷା । ଏଟା ତ ମୁଁ କଦାପି ବରଦାସ୍ତ କରି ପାରିବି ନାହିଁ । ଦେଖନ୍ତୁ ବାପା ! ୧୯୨୧ ମସିହା କଥା । ଏହି ସିଂହଭୂମ ପାଇଁ ଯେତେବେଳେ ଆନ୍ଦୋଳନ ହେଲା, ସେତେବଳେ ନିଖିଳ ଭାରତ କଂଗ୍ରେସ କମିଟି ଆନୁକୁଲ୍ୟରେ ସିଂହଭୂମରେ ଭୋଟ ନିଆଗଲା । ଏଥିରେ ଓଡ଼ିଶା ସପକ୍ଷରେ ଭୋଟ ହେଲା ୩୮୨୧ ଓ ବିହାର ସପକ୍ଷରେ ହେଲା ୪୨୧ । ତେଣୁ କମିଟିର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ମତ ଦେଇଥିଲେ ଆଦିମ ଅଧିବାସୀଙ୍କୁ ଛାଡ଼ିଦେଲେ ସିଂହଭୂମ ଓଡ଼ିଆ ବହୁଳ ଅଞ୍ଜଳୀ । ବିହାରୀମାନେ ଏଠାରେ ଔପନିବେଶିକ । କେହି ବେପାର କରିବା ପାଇଁ, କହି ବା ଚାକିରି କରିବାପାଇଁ ଏଠାକୁ ଆସିଛନ୍ତି । ଏଣୁ ସିଂହଭୂମ ଓଡ଼ିଶାରେ ମିଶିବା ଉଚିତ । ମାତ୍ର ବର୍ତ୍ତମାନ ସେହି ସିଂହଭୂମ ଓ ଷଢ଼େଇକଳା, ଖରସୁଆଁ ବିହାର ମାଡ଼ିବସିବା ଅନ୍ୟାୟ ନୁହେଁ କି ?

 

ବିକାଶବାବୁ ଝିଅର ଏ ପ୍ରକାର ଯୁକ୍ତି ଶୁଣି କଣ ଉତ୍ତର ଦେବେ ଠିକ୍‌ କରିପାରିଲେ ନାହିଁ-। କେବଳ ସପକ୍ଷରେ କହିଲେ—ହେଉ ମା’ ମୋତେ ଟିକିଏ ଭାବିବାକୁ ଅବସର ଦେ’ ।

 

ଓଡ଼ିଶାର ପୁରପଲ୍ଲୀରେ ଉନ୍ନାଦନାର ସୁଅ ଛୁଟାଇ ସୀମାଦାବୀ ପାଇଁ ଧର୍ମଘଟ ଆରମ୍ଭ ହେଲା । ସ୍କୁଲ କଚେରୀ ବନ୍ଦ ହେଲା । ଦଳ ଦଳ ହୋଇ ଲୋକେ ଜାତୀୟ ପତାକା ଧରି ପୂର୍ଣ୍ଣାଙ୍ଗ ଉତ୍କଳ ଦାବୀ ଜଣାଇଲେ । ସରକାରଙ୍କ ଅନ୍ୟାୟର ପ୍ରତିବାଦ ଜଣାଇଲେ । କେତେ କାରାବରଣ କଲେ, କେତେ ବା ଗୁଳି ମୁହଁରେ ଟଳି ପଡ଼ିଲେ । ଓଡ଼ିଶାର ଆଶ ଅପୂର୍ଣ୍ଣ ରହିଲା ।

 

ଟାଟା କାରଖାନାରେ ଧର୍ମଘଟର ଝଲକ ଦେଖାଦେଲା । ମାତ୍ର ଦ୍ୱିତୀୟ ଦିନରେ ସମସ୍ତ କର୍ମଚାରୀଙ୍କୁ କାମରେ ଯୋଗ ଦେବାକୁ ନୋଟିସ ଦିଆଗଲା । ସେଥିରେ ଜଣାଇ ଦିଆଗଲା—ଯେଉଁମାନେ କାମରେ ଯୋଗ ନ ଦେବେ ସେମାନଙ୍କୁ ଚିରଦିନ ପାଇଁ ବାହାର କରି ଦିଆଯିବ । ମାତ୍ର ଧର୍ମଘଟକାରୀମାନେ ନିଜ ଦାବୀରେ ଅଟଳ ରହିଲେ । ଏଣେ କାମରେ ଯୋଗ ନ ଦେଲେ ଚାକିରି ଯିବ, ତେଣେ କାମରେ ଯୋଗଦେଲେ ଧର୍ମଘଟକାରୀମାନଙ୍କର କୋପଦୃଷ୍ଟିରେ ପଡ଼ିବାକୁ ହେବ; ଏହି ଉଭୟ ସଂକଟରେ ପଡ଼ି ଅଜିତ୍‌ କଣ କରିବ ସ୍ଥିର କରି ପାରିଲାନାହିଁ । ଶେଷରେ ସେ କାରଖାନା ଦ୍ୱାର ନିକଟକୁ ଚାଲିଲା । ଏହି ସମୟରେ କମ୍ପୋନୀ କର୍ତ୍ତୃପକ୍ଷ ମାଇକ ସାହାଯ୍ୟରେ ଘୋଷଣା କଲେ—ଯେଉଁମାନେ କାମକୁ ଆସିବାକୁ ଚାହାନ୍ତି—ଶୀଘ୍ର ଆସନ୍ତୁ, ନଚେତ୍‌ ସବୁଦିନ ପାଇଁ ସେମାନଙ୍କୁ ଏ ଦ୍ୱାର ବନ୍ଦକରି ଦିଆଯିବ । ଅଜିତ ଚାକିରିର ମୋହ ଏଡ଼ି ନ ପାରି କାରଖାନା ଭିତରକୁ ଚାଲିଲା, ମାତ୍ର ସଦର ଦୁଆରର ଫାଟକ ପାଖରେ ପହଞ୍ଚିବା ପୂର୍ବରୁ ଧର୍ମଘଟକାରୀଙ୍କର ଲାଠିମାଡ଼ ତା ଉପରେ ପଡ଼ିଲା । ସେ ଜ୍ଞାନଶୂନ୍ୟ ହୋଇ ତଳେ ପଡ଼ିଗଲା ।

 

ପୂରା ଛଅ ଘଣ୍ଟାପରେ ଅଜିତର ଯେତେବଳେ ଚେତନା ଆସିଲା, ସେ ଦେଖିଲା ବାସନ୍ତୀ ତା ନିକଟରେ ବସି ଉଦ୍‌ବିଗ୍ନ ନୟନରେ ଚାହିଁରହିଛି, ଏବଂ ଡାକ୍ତର ଠିଆହୋଇ କଣ ଔଷଧର ବ୍ୟବସ୍ଥା କରୁଛନ୍ତି । ଦୁଇଦିନ ପରେ ଅଜିତର ଅବସ୍ଥା ଭଲ ଆଡ଼କୁ ଆସିଲା ସେତେବେଳକୁ ଧର୍ମଘଟ ନିବୃତ୍ତ ହୋଇଗଲାଣି । ଦଳର ବୈଠକ ଡକାଗଲା । ଅଜିତର ଏ ପ୍ରକାର କାର୍ଯ୍ୟରେ ଦଳର ସମସ୍ତେ ମର୍ମାହତ ହୋଇ ତା ପ୍ରତି ନିନ୍ଦା ପ୍ରକାଶ କଲେ । ସେହି ବୈଠକରେ ରମେଶ ପ୍ରକାଶ କଲାଯେ, ତାଙ୍କୁ ଦଳରୁ ବହିଷ୍କାର କରାଯାଉ । ଡାକ୍ତରବାବୁ ସମସ୍ତଙ୍କ ରାୟ ଶୁଣି ହସି ହସି କହିଲେ ଏଇ କଣ ବନ୍ଧୁତ୍ୱର ନିଦର୍ଶନ ? ମାତ୍ର ରମେଶ ପୂର୍ବପରି ନିର୍ବିକାର ଭାବରେ ଉତ୍ତର ଦେଲା—ଦେଶର ସ୍ୱାର୍ଥପାଇଁ ବନ୍ଧୁ କଣ, ମୁଁ ନିଜକୁ ମଧ୍ୟ ବିସର୍ଜ୍ଜନ ଦେବାକୁ ପ୍ରସ୍ତୁତ ଅଛି । ତାଙ୍କର ଏ ପ୍ରକାର ଆଲୋଚନାରେ ପ୍ରେସିଡ଼େଣ୍ଟ କ୍ଷୁବ୍‌ଧ ହୋଇ କହିଲେ—ନିଜ ନିଜ ମଧ୍ୟରେ ଏ ପ୍ରକାର କଳିଗୋଳର ଅର୍ଥ କଣ ? ସର୍ବସମ୍ମତି କ୍ରମେ ଯେଉଁଟା ସ୍ଥିର ହେଲା ତାହା ମାନିନେବାକୁ ପଡ଼ିବ । ତାପରେ ଅଜିତକୁ ଚାହିଁ କହିଲେ—ଅଜିତବାବୁ ଆପଣଙ୍କୁ ସବୁଦିନ ପାଇଁ ଏ ସମିତିର ଦ୍ୱାର ବନ୍ଦ ରହିଲା । ଆପଣ ସମିତିର କାହାରି ସହିତ ଆଉ କୌଣସି ସଂପର୍କ ରଖିପାରିବେ ନାହିଁ ।

 

ଅଜିତ କିଛି ବୁଝି ନ ପାରି କେବଳ ତାଙ୍କ ଆଡ଼କୁ ଚାହିଁ ରହିଲା । ଡାକ୍ତର ଥରେ ପ୍ରେସିଡ଼େଣ୍ଟଙ୍କ ଆଡ଼କୁ ଏବଂ ଥରେ ଅଜିତ ଆଡ଼କୁ ଚାହିଁଲେ । ତାପରେ ଧୀର ଭାବରେ କହିଲେ–ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାସ ହେଲାବୋଲି କିପରି କହୁଛ ? କାହିଁ, ମୋ ମତ ତ ନିଆଯାଇ ନାହିଁ ?

 

—ଆମର ବିଶ୍ୱାସ ଏଥିରେ ଆପଣ ଅମତ ହେବେ ନାହିଁ । ଆପଣ ଯେତେବେଳେ ଦଳ ସଂଗଠନ କରିଛନ୍ତି ସେତେବେଳେ ଦଳର ଶୃଙ୍ଖଳା ରକ୍ଷା ଆପଣଙ୍କର କାମ ।

 

ଡାକ୍ତର ପ୍ରେସିଡ଼େଣ୍ଟଙ୍କ ଆଡ଼କୁ ଚାହିଁଲେ । ଚକ୍ଷୁରେ ଚକ୍ଷୁ ମିଳିତ ହେବା ମାତ୍ରେ ପ୍ରେସିଡ଼େଣ୍ଟ ତଳକୁ ମୁହଁ ପୋତିଲେ ମାତ୍ର ଡାକ୍ତର ଦୃଢ଼ କଣ୍ଠରେ କହିଲେ—ଶୃଙ୍ଖଳା ରକ୍ଷାକରିବା ଯେପରି ମୋର କାମ, ଏତେ ବଡ଼ ଗୁରୁତର କାର୍ଯ୍ୟରେ ହାତ ଦେବା ପୂର୍ବରୁ ମୋର ପରାମର୍ଶ ନେବା ମଧ୍ୟ ସେହିପରି ତୁମର କାମ । ତାପରେ ବାସନ୍ତୀକୁ ଚାହିଁ ପଚାରିଲେ—‘‘ବାସନ୍ତୀ ! ତୁମେ କଣ ଏ ରାୟରେ ଏକମତ ?’’

 

ବାସନ୍ତୀ କିଛି ନ କହି ତଳକୁ ଚାହିଁଲା ।

 

ପ୍ରେସିଡ଼େଣ୍ଟ ପୁଣି ଥରେ କହିଲେ—ଆପଣ ଦୁଇଜଣ ଅମତ ହେଲେ ମଧ୍ୟ କିଛି ଯାଏ ଆସେ ନା !

 

—କିଛି ଯାଏ ଆସେନା ସତ; ମାତ୍ର ଏ କ୍ଷେତ୍ରରେ ମୋ ମତ ହିଁ କାଏମ ରହିବାର କଥା-! ଡାକ୍ତର ପୂର୍ବପରି ଦୃଢ଼ତା ସହକାରେ କହିଲେ !

 

ହଠାତ୍ ପ୍ରଚଣ୍ଡ ବସ୍ଫୋରଣ ହେଲାପରି ପ୍ରେସିଡ଼େଣ୍ଟ ଗର୍ଜି ଉଠିଲେ । କହିଲେ—ତାହାହେଲେ ଆପଣ କଣ ଏକଛତ୍ରବାଦ ଚାହାଁନ୍ତି ? ଏହା ଯଦି ସତ୍ୟ ହୁଏ, ତେବେ ଆମେ ଆପଣଙ୍କ ରାୟ ମାନିବାକୁ ପ୍ରସ୍ତୁତ ନୋହୁ ।

—ତାହା ତୁମର ଇଚ୍ଛା–ଡାକ୍ତରଙ୍କର ଉତ୍ତର ସଂକ୍ଷିପ୍ତ !

ସମସ୍ତେ ଚାଲିଗଲେ ! ସଭାସ୍ଥଳରେ ରହିଲେ ଡାକ୍ତର, ବାସନ୍ତୀ ଓ ଅଜିତ । କିଛି ସମୟ ନିରବରେ କଟିଯିବାରେ ବାସନ୍ତୀ ମୌନତା ଭାଙ୍ଗି ପଚାରିଲା—ଡାକ୍ତରବାବୁ ଏ କଣ କଲେ ?

ଡାକ୍ତରବାବୁ ତା ମୁଣ୍ଡରେ ହାତ ରଖି କହିଲେ—ମୁଁ ଯାହା କରିଛି ତାହା ଠିକ୍ କରିଛି । ସେମାନେ ଯେ ଖୁବ୍ ଶୀଘ୍ର ଏ ପ୍ରକାର ଏକ ବିପ୍ଳବ କରିବେ ତାହାର ସୂଚନା ମୁଁ ଆଗରୁ ପାଇଥିଲି-। ମୁଁ ଚାହେଁ ସାର୍ବଜନୀନ କଲ୍ୟାଣ ।

ଅଜିତ ନିଜ ବସାକୁ ଫେରି ଆସିଲା । ମାତ୍ର ଏ ପ୍ରକାର ବିଷାକ୍ତ ବାୟୁମଣ୍ଡଳ ମଧ୍ୟରେ ଆଉ ମୁହୂର୍ତ୍ତେମାତ୍ର ରହିବାକୁ ତାର ଇଚ୍ଛା ହେଲାନାହିଁ । ତହିଁ ପରଦିନ ସେ କାହାରିକୁ କିଛି ନ କହି ଘରକୁ ଯିବାପାଇଁ ଷ୍ଟେସନକୁ ଚାଲିଲା । ବାସନ୍ତୀ ଖବରପାଇ ଷ୍ଟେସନକୁ ଯିବାବେଳକୁ ଟ୍ରେନ ଛାଡ଼ିଦେଲାଣି । ସେ ପ୍ଳାଟଫର୍ମର ବାହାରେ ଗାଡ଼ିକୁ ଚାହିଁରହିଲା । ମାତ୍ର ଅଜିତର ଦେଖା ପାଇଲାନାହିଁ । ମନ ତାର ଭାଙ୍ଗି ପଡ଼ିଲା । ସେଇଠି ସେ ଏକ ପଥର ଉପରେ ବସି ପଡ଼ିଲା । ଆଖିରୁ ତାର ଧାର ଧାର ହୋଇ ଲୁହ ବୋହି ପୋଡ଼ିଲା । ଯାହାକୁ ସେ ଏତେ ନିଜର ବୋଲି ଭାବିଥିଲା, ଯାହାପାଇଁ ତାର କେତେ ଉନ୍ନିଦ୍ର ରଜନୀ ବିତିଗଲା; ସେ ଆଜି ଗଲାବେଳେ ତାକୁ ପଦେ ବି କିଛି କହିଗଲା ନାହିଁ । ଏହିପରି ଭାବରେ କେତେବେଳେ ଯେ କଟଗଲା ସେ ଜାଣେନା’-। ପଛଆଡ଼େ ଏକ ରିକ୍‌ସାବାଲାର ଡାକରେ ସେ ଚମକିପଡ଼ି ନିଜକୁ ସଂଯତ କରିନେଲା ରିକ୍‌ସାବାଲା ଜଣେ ମୁସଲମାନ । ପରିଧାନ ଚେକ୍ ଲୁଙ୍ଗୀ, ଦେହରେ କଳା ଜହର କୋଟ-। ବାସନ୍ତୀକୁ ଲକ୍ଷ୍ୟ କରି ସେ କହିଲା—‘‘ଆଇଏ ଦେବୀ ଜୀ, ରିକ୍‌ସା ଖଡ଼ା ହୈ ।’’ ବାସନ୍ତୀ କିଛି ନ କହି ରିକ୍‌ସାରେ ବସିଲା । ରିକ୍‌ସା ଚାଲିଲା ଆଗକୁ ।

ସନ୍ଧ୍ୟାର ନିବିଡ଼ ଅନ୍ଧକାର । ଚତୁର୍ଥୀର ଚାନ୍ଦ ଉଇଁ ନାହିଁ । କ୍ରମେ ରିକ୍‌ସା ସହର ଛାଡ଼ି ବସ୍ତି ଆଡ଼େ ଚାଲିଲା । ବାସନ୍ତୀର ତନ୍ଦ୍ର । ଭାଙ୍ଗିଲା ବେଳକୁ ସେ ସହରଠରୁ ବହୁ ଦୂରକୁ ଚାଲିଯାଇଥିଲା । ନିଜର ଅବସ୍ଥା ସେ ଭଲ ଭାବରେ ବୁଝିପାରିଲା । ଏ ପ୍ରକାର ପରିସ୍ଥିତି ସେ କେବେ ହେଲେ କଳ୍ପଣା କରି ନଥିଲା । ଦେହତାର ଶିହରୀ ଉଠିଲା । ତଥାପି ସେ ନିଜକୁ ଦୃଢ଼କରି କହିଲା—‘‘ଠହରୋ, ନହିଁ ତୋ ଅଭି ଚିଲାଉଁଗୀ ।’’ ରିକ୍‌ସାବାଲା କୃତ୍ରିମ ଦାଢ଼ିନିଶ ବାହାରକରି ରିକ୍‌ସାର ଆଲୋକ ଲଗାଇଲା । ସେହି କ୍ଷୀଣ ଆଲୋକରେ ଡାକ୍ତରବାବୁଙ୍କୁ ଚିହ୍ନିବାରେ ବାସନ୍ତୀ ଭୁଲକଲା ନାହିଁ । ଅତି ନିକଟରେ ଜଣେ ଆପଣାର ଲୋକକୁ ଦେଖି ତା ହୃଦୟର ସମସ୍ତ ଆବେଗ କୃଳ ଲଙ୍ଘି ଉଛୁଳି ଉଠିଲା ସେ କେବଳ କାନ୍ଦିବାରେ ଲାଗିଲା । ଡାକ୍ତର ବାସନ୍ତୀର ମୁଣ୍ଡରେ ହାତ ବୁଲାଇ କହିଲେ—ଏତିକିରେ ଭାଙ୍ଗି ପଡ଼ିଲେ କଣ ଚଳିବ ? ଦେଶର ଗୁରୁଦାୟିତ୍ୱ ତୁମ ଉପରେ । କୋଟି କୋଟି ମୁହଁରେ ହସ ଫୁଟାଇବାକୁ ହେଲେ, ଦେଶକୁ ପୁଣ୍ୟମୟୀ ମା ରୂପରେ ଦେଖିବାକୁ ହେଲେ ଲୋଡ଼ା ସଂଯମ । କେବଳ ସେତିକି ନୁହେଁ; ଆବଶ୍ୟକ ପଡ଼ିଲେ ନିଜକୁ ମଧ୍ୟ ବିସର୍ଜ୍ଜନ ଦେବାକୁ ପଡ଼ିବ । ଏକଥା କଣ ଏତେଶୀଘ୍ର ଭୁଲିଗଲୁ ?

—ଡାକ୍ତରବାବୁ ! ତାହାତ ସତ୍ୟ । ମାତ୍ର ମୋର ଦୁଃଖ ହେଉଛି—ସେ ଯେ କେଡ଼େ କୃତଘ୍ନ ? ତାଙ୍କର ଏତେ ଉପକାର କଲି, । ମାତ୍ର ସେ ଗଲାବେଳେ ମୋତେ ଟିକିଏ ବି କହିଗଲେ ନାହିଁ ?

 

—ସେ ଦେଶ ଯେ ତୋର ! ତାର କିପରି ହେଲା ? ସେ ବର୍ତ୍ତମାନ ସୁଦ୍ଧା ସାଂସାରିକ ଜ୍ଞାନ ଅହରଣ କରିପାରିବନାହିଁ । ମୁଁ ଭାବିଥିଲି ସେ ତୋ ସଙ୍ଗରେ ବୁଲିବା ଦ୍ୱାରା କିଛି ଶିଖିଛି ବୋଲି ମାତ୍ର ତୁ ତାକୁ ଶିଖାଇଛୁ କଣ ?

 

ବାସନ୍ତୀ ଦୀର୍ଘ ନିଶ୍ୱାସଟାଏ ପକାଇ କହିଲା—ମଣିଷ ଯଦି ନିଜେ ନ ଶିଖେ ତାକୁ ଶିଖାଇବ କିଏ ?

 

ଡାକ୍ତରବାବୁ ଗମ୍ଭୀର ହୋଇ କହିଲେ—ଆରେ ସେ ଦୋଷ ତର ନୁହେଁ, ସେ ଦୋଷ ସମାଜର ! ଅଜିତ ଏ ସମାଜର ଆଉ ପାଞ୍ଚଜଣଙ୍କୁ ଦେଖି ଭାବିଥିଲା ଯେ, ସେ ଜଣେ ବଡ଼ଲୋକ ହେବ । ଟଙ୍କା ରୋଜଗାର କରିବ । ନିଜେ ମଉଜ ମଜଲିସରେ ଚଳିବ । ମାତ୍ର ଏ ପ୍ରକାର ଘାତ ପ୍ରତିଘାତ ଭିତରେ ସେ ଚଳିବାକୁ ଶିଖିନି, ତେଣୁ ତାର ଧୈର୍ଯ୍ୟଚ୍ୟୁତ ହେଲା । ତାର ପ୍ରତିଭା ଅଛି । ହୃଦୟର ଶକ୍ତି ଅଛି । ମାତ୍ର ପ୍ରକୃତ ଶିକ୍ଷା ଅଭାବରୁ ସାମାନ୍ୟ ବିପଦରେ ଦବିଗଲା । ତଥାପି ତାକୁ ମଣିଷ କରି ଗଢ଼ିବାକୁ ହେବ । ତୁ ନିଜେ ଏତେ ଦୁଃଖ ବିପଦରେ ଗତିକରି ମଧ୍ୟ ଏହି ଟିକକ ସହ୍ୟ କରିପାରିଲୁ ନାହିଁ । ଦୁନିଆକୁ ଗଢ଼ିବୁ କିପରି ?

 

କିଛି ସମୟ ନିରବରେ କଟିଗଲା । ପହରକିଆ ବିଲୁଆମାନେ ରାତ୍ରି ପ୍ରଥମ ପ୍ରହରର ସୂଚନା ଦେଲେ । ପୂର୍ବ ଆକାଶରେ ଧଳା ଗାରଟିଏ ଦେଖା ଦେଲା । ଶିଶିରସିକ୍ତ ଥଣ୍ଡା ପବନ ବହି ଆସିଲା ଗହୀର ମଝିରୁ । ଡାକ୍ତରବାବୁ ଆକାଶକୁ ଚାହିଁ କହିଲେ, ବାସନ୍ତୀ ! ତୁ ଯେଉଁ ପଥ ବାଛି ନେଇଛୁ, ତାହା ସେବା, ତ୍ୟାଗ ଓ ଆତ୍ମୋତ୍ସର୍ଗର ପଥ । ଏଥିରେ ମାୟା ମମତାର ସ୍ଥାନ ନାହିଁ , କି ସ୍ନେହ, ସୋହାଗର ସ୍ଥାନ ନାହିଁ । ଏପଥ କଣ୍ଟକମୟ । ଗୋଟିଏ ନୁହେଁ; ଏହିପରି ଶହ ଶହ ଅଜିତ ତୋତେ ଏ ପଥରେ ବାଧା ଦେବେ, ହୃଦୟର ଶକ୍ତିକୁ ଭାଙ୍ଗି ଚୂରମାର କରିଦେବେ । ଶେଷରେ ତୁ ଯାହାଙ୍କ ପାଇଁ କାମ କରିବୁ ସେ କରିବେ ସନ୍ଦେହ । ଯାହାଙ୍କ ଜୀବନରକ୍ଷା କରିବାକୁ ଯିବୁ, ସେହି ତୋର ପ୍ରାଣନାଶର ଯତ୍ନ କରିବେ । କୁଟ, କପଟ ଓ ଛଳନାରେ ଅନ୍ତର ବିଦ୍ରୋହ କରି ଉଠିବ । ଶହ ଶହ ଲୋକ ଉତ୍‌କ୍ଷିପ୍ତ ନାଗୁଣୀପରି ଫଣା ଟେକି ଗୋଡ଼ାଇବେ । କେହି ପାଖରେ ବସାଇ ଦେବେ ନାହିଁ । ସମସ୍ତେ ଦୂର ଦୂର ମାର ମାର କରିବେ । ଏ ସବୁ ସହି ଜୀବନକୁ ପଣରଖି କାମ କରିବାକୁ ପଡ଼ିବ । ଏ ତ ଗୋଟିଏ ପରୀକ୍ଷା । ଏହାପରେ ହେବ–ବିପ୍ଳବ । ଝଞ୍ଜା ଆସିବ, ଝଡ଼ ବହିବ ବଜ୍ର ପଡ଼ିବ ଓ ପାହାଡ଼ ଝଡ଼ିବ । ଛାତିକୁ ଦୃଢ଼କରି ଏ ସବୁ ସହିଲେ, ତେବେଯାଇ ପୂଣ୍ୟମୟୀ ମାଆଙ୍କର ଦର୍ଶନ ମିଳିବ !

 

ବାସନ୍ତୀର ହୃଦୟ ଥରାଇ ବାହାରି ଆସିଲା ଏକ ଦୀର୍ଘଶ୍ୱାସ । ଡାକ୍ତରବାବୁ ପୁଣି କହିଲେ—ରାତି ବହୁତ ହୋଇଗଲାଣି । ଏଥର ଉଠ ଯିବା । ବାସନ୍ତୀ ରିକ୍‌ସାରେ ବସିଲା । ଡାକ୍ତରବାବୁ ରିକ୍‌ସା ଚାଳନ ଦେଶରେ ଆଗେଇଲେ । ସମୁଦାୟ ରାସ୍ତାଟା ନିରବରେ କଟିଗଲା ।

 

ଏଣେ ତେଣେ ନାନା ଅଙ୍କା ବଙ୍କା ରାସ୍ତାଦେଇ ରିକ୍‌ସା ଶେଷରେ ଏକ କୁଡ଼ିଆ ଭିତରକୁ ପଶିଗଲେ । ସେ ଘରର ମାଲିକ ଜଣେ ସ୍ତ୍ରୀ ଲୋକ । ତାର ତିନି ଚାରିଟି ପିଲା । ଘର ନାନା ଆବର୍ଜ୍ଜନାରେ ପୂର୍ଣ୍ଣ । ଘରସାରା ଭାତ ବିଛାଡ଼ି ହୋଇ ପଡ଼ିଛି । କିଏ କାନ୍ଦୁଛିତ କିଏ ଢୁଳାଉଛି । ସ୍ତ୍ରୀ ଲୋକଟି ଚୁଲି ଲଗାଇ ଭାତ ରାନ୍ଧି ବସିଛି । ପିଲାମାନେ ଡାକ୍ତରବାବୁଙ୍କୁ ଦେଖି ସମସ୍ତେ ଏକାବେଳେକେ ପାଟିକରି ଉଠିଲେ । ଡାକ୍ତର ସମସ୍ତଙ୍କୁ ସାନ୍ତ୍ୱନା ଦେଇ ଘରର ଗୋଟିଏ କୋଣରେ ନିଜର ବିଛଣା ପକାଇ ବସିଲେ ।

 

ବାସନ୍ତୀ କହିଲା—ଡାକ୍ତରବାବୁ ଏଥିରେ ମୋର ବାଷ୍ପ ରୁଦ୍ଧ ହୋଇଯାଉଛି । ମୁଁ ଆଉ ମୁହୂର୍ତ୍ତେମାତ୍ର ରହି ପାରିବିନାହିଁ । ମୋତେ ନେଇ ମୋ ବସାରେ ଛାଡ଼ି ଆସନ୍ତୁ ! ଡାକ୍ତରବାବୁ ତାଙ୍କର ସ୍ୱଭାବ ସୁଲଭ ହସ ହସି କହିଲେ, ‘‘ଆରେ ଭଗବାନଙ୍କୁ ଦର୍ଶନ କରିବୁ ନାହିଁ ?’’

 

—ଭଗବାନ ! କାହାନ୍ତି ସେ ? ତାଙ୍କୁ କଣ ଆଉ ଯାଗା ମିଳୁନାହିଁ ଯେ, ସେ ଏଇଠି ଆସି ରହିବେ ?

 

ଡାକ୍ତରବାବୁ ହସି ହସି କହିଲେ—‘‘ବାସନ୍ତୀ ! ଭୁଲ ବୁଝିଛୁ । ଭଗବାନଙ୍କ ପାଇଁ ସ୍ଥାନ, କାଳ, ପାତ୍ର ନ ଥାଏ । ସେ ସର୍ବବ୍ୟାପୀ, ନିରାମୟ । ଆଜି ଏ ଯେଉଁ ସରଳ ନିଷ୍ପାପ ବାଳଗୋପାଳମାନଙ୍କୁ ଦେଖୁଛୁ ଏଇମାନେ ହିଁ ଏ ଦେଶର ପ୍ରକୃତ ଭଗବାନ । ଯାହାଙ୍କର ସେବା ପାଇଁ ତୁ ଆଜି ମହାନ୍ ତ୍ୟାଗର ପଥ ବାଛି ନେଇଛୁ–ଏମାନେ ସେଇ । ତୁ ଆଜି ପର୍ଯ୍ୟନ୍ତ ସହର ବଜାରରେ ରହି ଚାକଚକ୍ୟରେ ବୁଲି ଆସିଛୁ । ମାତ୍ର ଏ ଦେଶର କୋଟି କୋଟି ଲୋକ କିପରି ଚଳନ୍ତି କେବେ ଭାବିଛୁ କି ? ଯେଉଁଦିନ ଏଇମାନେ ସଭ୍ୟ ଜଗତକୁ ଫେରି ଆସିବେ, ପେଟପୂରା ଦୁଇବେଳା ଖାଇବାକୁ ପାଇବେ, ସେହିଦିନ ସତ୍ୟ ଓ ଶାନ୍ତିର ପଥ ଉନ୍ମୁକ୍ତ ହେବ । ଆମ ଦେଶ ପ୍ରକୃତ ସ୍ୱାଧୀନତା ଫେରି ପାଇବ । ବାସନ୍ତୀ ! ତୁ ନିଜକୁ ଏଇମାନଙ୍କ ଭିତରେ ହଜାଇ ଦେ । ଏଇମାନଙ୍କ ସୁଖ ଦୁଃଖରେ ଭାଗୀ ହ’–ଦେଖିବୁ ସ୍ୱର୍ଗର ଦ୍ୱାର ଖୋଲିଯିବ—ଆସିବ ଆଲୋକ ଏବଂ ସେଇ ଆଲୋକରେ ସତ୍ୟ, ଶିବ ଓ ସୁନ୍ଦରର ତ୍ରିମୂର୍ତ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କୁ ତୁ ଦେଖିବାକୁ ପାଇବୁ ।’’

 

ଡାକ୍ତରବାବୁ ନିରବ ରହିଲେ, ମାତ୍ର ବାସନ୍ତୀ ମନର ଚଞ୍ଚଳତା ଦୂର ହେଲାନାହିଁ । ତାର ଏ ପ୍ରକାର ଚଞ୍ଚଳତା ଲକ୍ଷ୍ୟକରି ଡାକ୍ତରବାବୁ କହିଲେ ଆଚ୍ଛା, ଆଉ ଟିକିଏ ଅପେକ୍ଷା କରି । ଆଜି ଦିନସାରା ଖାଇ ନାହିଁ, କିଛି ଟିକିଏ ଖାଇ ନିଏ । ଖୁବ୍ ଆଶାକରି ଯାଇଥିଲି ଅଜିତକୁ ଦେଖିବା ପାଇଁ, ମାତ୍ର ତାହା ସଫଳ ହେଲା ନାହିଁ ।

 

ଡାକ୍ତରବାବୁ ପକେଟରୁ ବିସ୍କୁଟ ବାହାର କରି ଖାଇଲେ । ତାପରେ ବିଛଣା ବାନ୍ଧି କହିଲେ—ଚାଲ, ଆଜି ଜଣେ ନୂତନ ବନ୍ଧୁ ଘରକୁ ଯିବା । ସେ ଆମକୁ ଅପେକ୍ଷା କରିଥିବ । ବାସନ୍ତୀ ନିର୍ବାକ୍ ।

 

ଉଭୟେ ଚାଲିଲେ ।

 

ଧରଣୀ ନିସ୍ତବ୍‌ଧ । ହେମନ୍ତର ମଲା ଜ୍ୟୋତ୍ସ୍ନା ଚାରିଆଡ଼େ ବିଛାଡ଼ି ହୋଇପଡ଼ିଛି । ସହରର ରାସ୍ତା ଛାଡ଼ି ସେମାନେ ଗହୀର ବିଲରେ ଚାଲିଲେ । କାହାରି ମୁହଁରେ କଥା ନାହିଁ ।

 

ଡାକ୍ତରବାବୁ ପ୍ରଥମେ ମୌନତା ଭାଙ୍ଗି କହିଲେ—ବାସନ୍ତୀ ! ପୁରାଣ କହେ—ଭଗବାନ ନିତ୍ୟ ବୈକୁଣ୍ଠବାସୀ—ଯେଉଁଠି ମାୟା ମମତା ନାହିଁ, ମୋହ ନାହିଁ, ରୋଗ ବା ଶୋକ ନାହିଁ । ମାତ୍ର ମୁଁ ଏକଥା ବିଶ୍ୱାସ କରେନା’ । ମୁଁ ଜାଣେ ଏ ଦେଶର କୋଟି କୋଟି ଦରିଦ୍ର ହିଁ ନାରାୟଣ । ବୁଦ୍ଧ, ଗାନ୍ଧି, ଯୀଶୁ, ରାମଚନ୍ଦ୍ର, ଯୁଧିଷ୍ଠିର, ଅର୍ଜ୍ଜୁନ ପ୍ରଭୃତି ଯେଉଁମାନଙ୍କୁ ତୁମେ ନାରାୟଣଙ୍କର ଅବତାର ବା ଅଭିନ୍ନ ଆତ୍ମା ବୋଲି କହୁଛ, ସେମାନଙ୍କର ଅବତାର କୌଣସି ଗୋଟିଏ ଗୋଟିଏ ବିଷୟରେ ଚରମ ଉତ୍କର୍ଷତା ଥିଲା । କିଏ ସତ୍ୟ, କିଏ ଶାନ୍ତି, କିଏ ଧର୍ମ, କିଏ ବା ବୀତତ୍ୱର ପୂଜାରୀ ଥିଲେ । ସେହିପରି ଏ ଦେଶର ଦୀନ ଦରିଦ୍ର ଲୋକେ ଦରିଦ୍ରତାର ଚରମ ଉତ୍କର୍ଷ ସାଧନକରି ତାରି ଭିତରୁ ପାଇଛନ୍ତି କ୍ଷମା, ମୈତ୍ରୀ ଓ ପ୍ରୀତି । ତେଣୁ ସେମାନେ ନାରାୟଣଙ୍କ ଅବତାର ନ ହେବେ କାହିଁକି ? କେବଳ କଥା ହେଉଛି ସେମାନଙ୍କ ନିକଟରେ ଦୁଷ୍କୃତ ସଂହାରିଣୀ ଚତ୍ର ନାହିଁ । ସେମାନେ ଯେତେବେଳେ ଏକ ଲୟରେ ଏକ ଭାବରେ ନିଜର ଦାବୀ ଜଣାଇ ପାରିବେ, ସେତେବେଳେ ତାଙ୍କୁ ଆଉ କେହି ଉପେକ୍ଷା କରି ପାରିବେ ନାହଁ । ମାତ୍ର ସେଥିପାଇଁ ସାଧନା ଓ ସମୟ ଲୋଡ଼ା ।

 

ବାସନ୍ତୀ ଏ ପର୍ଯ୍ୟନ୍ତ ନିରବରେ ଡାକ୍ତରଙ୍କ କଥା ଶୁଣି ଯାଉଥିଲା । ହଠାତ୍ ସେ ପ୍ରଶ୍ନ କଲା—ତେବେ ଆପଣଙ୍କର ଆନ୍ଦୋଳନ ସଫଳ ନ ହେଲା କାହିଁକି ?

 

ଡାକ୍ତର ଅବିଚଳିତ ଭାବରେ କହିଲେ—ଐକାନ୍ତିକତାର ଅଭାବ । ଏ ଦେଶର କୋଟିଏ କଣ୍ଠକୁ ଗୋଟିଏ କରି ନ ପାରିଲେ କୌଣସି କାର୍ଯ୍ୟ ସଫଳ ହୋଇ ପାରିବ ନାହିଁ । ମୁଁ ଜାଣିଥିଲି ଏ ଆନ୍ଦୋଳନ ସଫଳ ପ୍ରୟାସ ନୁହେଁ । ମାତ୍ର ଯୋଗ ଦେଇଥିଲି ଏ ପରୀକ୍ଷାପାଇଁ ତାହା ହେଉଛି ଜଣେ ଉପଯୁକ୍ତ ପରିଚାଳକର ସନ୍ଧାନ । ଏତେଦିନେ ତାହାକୁ ଖୋଜି ପାଇଛି । ବର୍ତ୍ତମାନ ସମୟ ଆସିନାହିଁ । ସମୟ ଆସିଲେ ମୁଁ ତାକୁ ଏଠାକାର ସମସ୍ତ ଦାୟିତ୍ୱ ଦେଇ ଅନ୍ୟତ୍ର ଚାଲିଯିବି ।

 

ବାସନ୍ତୀ ଉତ୍ସୁକ ଭାବରେ ପଚାରିଲା—କିଏ ସେ ?

 

ଡାକ୍ତରବାବୁ କହିଲେ—ସେ ହେଉଛି ଅଜିତ୍ ।

 

ବାସନ୍ତୀର ମୁହଁର ରଙ୍ଗ ବଦଳିଗଲା । ସେ ଆହତା ହୋଇ କହିଲା—ଆପଣ ମୋତେ ଥଟ୍ଟା କରୁଛନ୍ତି ?

—ନାଁରେ ଭୁଲ ବୁଝିବୁ । ଥଟ୍ଟା କରି ଶିଖିବାକୁ ମୋତେ ସମୟ କାହିଁ ?

—ତେବେ ସେ ଉପଯୁକ୍ତ ବୋଲି ଜାଣିଲେ କିପରି ?

—ତୋର ସରଳ ଓ ନିଷ୍ପାପ ହୃଦୟରୁ । ତୁ ଦେଖିଥିବୁ ଯେତେବେଳେ ତାକୁ ତୋ ସହିତ ସଂପର୍କ ରଖିବାକୁ ନିଷେଧ କରାଗଲା, ଦଳରୁ ବାହାର କରିଦେବାର ଧମକ ଦିଆଗଲା—ସେତେବେଳେ ସେ କିପରି ଅସହାୟ ଅବସ୍ଥାରେ ଚାହିଁ ରହିଥାଏ । କାରଣ ସେ ବୁଝିପାରିଲା ନାହିଁ ଯେ, ତାର ଭୁଲ କେଉଁଠି ? ମାତ୍ର ସମସ୍ତଙ୍କ ମତରେ ଯେତେବେଳେ ତାକୁ ଦୋଷୀ ସାବ୍ୟସ୍ତ କରାଗଲା, ସେତେବେଳେ ସେ ପ୍ରତିବାଦ କରିନାହିଁ, ବରଂ ମାନି ନେଇଛି । ସେ ତୋତେ କେତେ ଭଲପାଏ ଏକଥା ତୁ ବୁଝି ପାରିନାହୁଁ । ମାତ୍ର ସେ ଭଲପାଇବାରେ ଆବିଳତା ନାହିଁ, ନାରୀର ମୋହ ତାକୁ ଟାଣି ପାରିନାହିଁ ।

ବାସନ୍ତୀ କହିଲା—ଆପଣ ଭୁଲ ବୁଝିଛନ୍ତି, ଅଥବା ମୋତେ ସାନ୍ତ୍ୱନା ଦେବାପାଇଁ ଏପରି କହୁଛନ୍ତି ?

—ନାଁରେ ସାନ୍ତ୍ୱନା ନୁହେଁ । କାହାରିକୁ ସାନ୍ତ୍ୱନା ଦେବା ମୁଁ ଜାଣେନା । ମୋ ନିକଟରେ କେବଳ ଗୋଟିଏ ପଥ, ସେ ହେଉଛି କର୍ତ୍ତବ୍ୟ । ସେଦିନ ଦେଖିଛୁ—ଦଳର ସମସ୍ତେ ମୋ ବିରୁଦ୍ଧରେ ବିଦ୍ରୋହ କଲେ । ମାତ୍ର ମୁଁ କାହାରିକୁ ପଦେ ସାନ୍ତ୍ୱନା ବାକ୍ୟ କହିଛି କି ? ମୁଁ ଜାଣେ ସେମାନେ କେବଳ ମୋହର ବଶବର୍ତ୍ତୀ । କର୍ତ୍ତବ୍ୟ ପରାୟଣତା କାହାରି ନିକଟରେ ନାହିଁ । ଏଥିପାଇଁ ସେମାନେ ଯେ ଦିନେ ମୋତେ ତ୍ୟାଗ କରିବେ ଏକଥା ମଧ୍ୟ ମୁଁ ଆଗରୁ ସୂଚନା ପାଇଥିଲି । ତଥାପି ଜଣକ ପାଇଁ ମୁଁ ସେମାନଙ୍କୁ ବିରୋଧ କଲି । ତୁ ବିଶ୍ୱାସ କର, ଅଜିତ୍‍ ଦିନେ ନିଶ୍ଚୟ ତୋ ପାଖକୁ ଫେରି ଆସିବ । ମାତ୍ର ଏଥିପାଇଁ ତୋର ଆନ୍ତରିକତା ଆବଶ୍ୟକ । ତୁ ଜାଣିଛୁ–କୁରୁ ରାଜ ସଭାରେ ଯେତେବେଳେ ଦୁଃଶାସନ ଦୌପଦୀକୁ ବିବସ୍ତ୍ର କଲା, ସେତେବେଳେ ସେ ଗୋଟିଏ ହାତରେ ଲୁଗାଧରି ଆର ହାତ ଟେକି ଭାଗବାନଙ୍କୁ ଡାକିଲା । ମାତ୍ର ଭଗବାନ ତାର ଗୁହାରୀ ଶୁଣିଲେ ନାହିଁ । ଶେଷରେ ଯେତେବେଳେ ଏକନିଷ୍ଠ ଭାବରେ ସେ ନିଜକୁ ଉତ୍ସର୍ଗ କଲା, ସେତେବେଳେ ସେ ପାଇଲା ପୂର୍ଣ୍ଣ ବ୍ରହ୍ମର ଦର୍ଶନ । ସାଂସାରିକ ଲଜ୍ଜା ବା ଦୁଃଖ ତାର ରହିଲା ନାହିଁ-। ତେଣୁ ସେ ଲଜ୍ଜା ନିବାରଣ କରିପାରିଲା । ସେହିପରି ତୁ ଯେତେବେଳେ ଐକାନ୍ତିକ ଭାବରେ ଅତିତକୁ ଖୋଜିବୁ, ସେତେବେଳେ ତାକୁ ପାଇବୁ ତୋର ଅତି ନିକଟରେ । ଏଥିପାଇଁ ଲୋଡ଼ା ସାଧନା ।

 

ବାସନ୍ତୀ ଏ ପର୍ଯ୍ୟନ୍ତ ନିରବରେ ସବୁ ଶୁଣୁଥିଲା । ଏହି ଡାକ୍ତରଟି ସମ୍ୱନ୍ଧରେ ସେ ନିଜକୁ ଯେତେ ସାନ୍ତ୍ୱନା ଦେଇଛି, ତାର ଔତ୍ସୁକ୍ୟ ସେତେ ବଢ଼ି ବଢ଼ି ଚାଲିଛି । ଆଜି ସେ ତାକୁ ଚାପି ରଖି ପାରିଲା ନାହିଁ । ପଚାରିଲା—ଡାକ୍ତରବାବୁ ! ମୁଁ ଆପଣଙ୍କ ସମ୍ବନ୍ଧରେ ଯେତିକି ଭାବୁଛି, ସେତିକି ପ୍ରହେଳିକା ମୋ ଚାରି ପାଖରେ ଘୂରି ବୁଲୁଛି । ଦଳର କାହାରି ବ୍ୟକ୍ତିଗତ କଥା ଶୁଣିବା ନିୟମ ବିରୁଦ୍ଧ ହେଲେ ମଧ୍ୟ ମୁଁ ଆଜି କୃତ ସଂକଳ୍ପ ଯେ, ଆପଣ ଓ ପ୍ରେସିଡ଼େଣ୍ଟଙ୍କ ମଧ୍ୟରେ ସଂପର୍କ କଣ ଜାଣିବି ? ଆପଣ ମଧ୍ୟ ଏପରି ଲୁଚି ଲୁଚି କାହିଁକି ବୁଲୁଛନ୍ତି, ତାହା ମଧ୍ୟ ମୋତେ କହନ୍ତୁ । ଏଥିପାଇଁ ଯଦି କୌଣସି ଚରମ ଦଣ୍ଡ, ବହନ କରିବାକୁ ପଡ଼େ, ତେବେ ମୁଁ ତାହା ସହିନେବାକୁ ପ୍ରସ୍ତୁତ ଅଛି ?

 

ଡାକ୍ତର କହିଲେ—ମୋ ବିଷୟରେ ବିଶେଷ କିଛି ଜାଣିବାରେ ଲାଭ ନାହିଁ । ଏଣୁ ଏତେ ବ୍ୟଗ୍ର କାହିଁକି ? କେବଳ ଏତିକି ଜାଣ ଯେ—ମୋ ପଥ ସେବା ଓ ତ୍ୟାଗର ପଥ । ସେତିକିହିଁ ତୋତେ ଯଥେଷ୍ଟ ପାଥେୟ ଦେବ ?

 

—ନାଁ ମୋତେ ସବୁ ଖୋଲିକରି କୁହନ୍ତୁ ? ଡାକ୍ତରବାବୁ ! ମୁଁ ସତ କହୁଛି ଅଜିତବାବୁ ଯିବାପରେ ମୁଁ ଏପରି ଧୈର୍ଯ୍ୟହରା ହୋଇ ପଡ଼ିଛି ଯେ ବେଳେ ବେଳେ ମନେ ହୁଏ ଶ୍ୱାସରୁଦ୍ଧ ହୋଇ ମରିଯିବି ।

 

ଡାକ୍ତର କହିଲେ—ବାସନ୍ତୀ ! ଏତେ ଧୈର୍ଯ୍ୟହରା ହେଲେ ଚଳିବ କିପରି ? ଅଜିତ ଏବଂ ତୋ ଉପରେ ମୋର ଯେ ଉଚ୍ଚ ଆଶା ଅଛି । ବିଛିନ୍ନାଞ୍ଚଳ ମିଶ୍ରଣ ହୋଇ ନ ପାରେ, ପୂର୍ଣ୍ଣାଙ୍ଗ ଉତ୍କଳ ଗଠିତ ହୋଇ ନା ପାରେ; ମାତ୍ର ମରିବା ପୂର୍ବରୁ ମୁଁ ଅନ୍ତତଃ ଏତିକି ଜାଣିଯିବି ଯେ, ମୋର ଉତ୍ତରାଧିକାରୀ ଏ ଦେଶରେ ରହିଛନ୍ତି । ଦିନେ ନା ଦିନେ ମୋର ଏହି ଉଦ୍ୟମ ସଫଳ ହେବ । ମୋ ଭାଇ ମୋତେ ଯେତେବେଳେ ଏ ପଥର ପଥିକ କରାଇଲେ ସେତେବେଳେ ମୁଁ ଏକା ! ଜୀବନରେ କେତେ ଝଡ଼ ଝଞ୍ଜାର ସମ୍ମୁଖୀନ ହୋଇ ମୁଁ ଏ ପଥ ଧରିଛି । ଅନ୍ତତଃ ମରିବା ପୂର୍ବରୁ ମୁଁ ଯଦି ତୁମ ଦୁଇ ଜଣଙ୍କୁ ଏ ପଥରେ ପଥିକ କରାଇ ପାରିବି ତେବେ ବିଜୟୀ ହେବି ! ହଉ ଛାଡ଼ ସେ କଥା । ତୁ ଯେତେବେଳେ ମୋ ଜୀବନୀ ଜାଣିବାପାଇଁ ଆଗ୍ରହୀ ହୋଇ ପଡ଼ିଛୁ, ସେତେବେଳେ ତୋର ଓଡ଼ିଆ ଆନ୍ଦୋଳନ, ଦେଶ ମିଶ୍ରଣ, ଏ ଦେଶର ଐତିହ୍ୟ ଓ ସଂସ୍କୃତି ବିଷୟରେ କିଛି ଜାଣିବା ଆବଶ୍ୟକ ପଡ଼ୁଛି । ଆଗେ ତାହା କହୁଛି ଶୁଣ—

 

ଆମର ଏହି ଓଡ଼ିଶା ଦେଶଟି ଧର୍ମ, ସଂସ୍କୃତି, ବୀରତ୍ୱ ଓ ସାହିତ୍ୟରେ ଯୁଗେ ଯୁଗେ ଅକ୍ଷୟକୀର୍ତ୍ତି ରଖି ଆସିଛି । ଦ୍ୱାପରଯୁଗ ଶେଷରେ ଜରା କର୍ତ୍ତ୍ୱକ ଆହର ହୋଇ ଭଗବାନ ଯେତେବେଳେ ଦେହ ତ୍ୟାଗ କଲେ ସେତେବେଳେ ସେ ଜରାର ଅନୁରୋଧରେ ତାକୁ ଆଦେଶ ଦେଲେ ଯେ, ମୋର ଏ ଶରୀରକୁ ନେଇ ତୁ ପୂଣ୍ୟପୀଠ ଉତ୍କଳରେ ପୂଜାକର । କଳିଯୁଗରେ ମୁଁ ସେଇଠି ବୌଦ୍ଧ ରୂପରେ ଧର୍ମର ସମନ୍ୱୟତା ପ୍ରଚାର କରିବି । ତେଣୁ ତାଙ୍କର ଅନ୍ତିମ ଇଚ୍ଛାରେ ଏଇ ଭୂମି ସମସ୍ତ ଭେଦାଭେଦ ଦୂରକରି ସାରା ଜଗତକୁ ଶାନ୍ତି, ମୈତ୍ରୀ ଓ ପ୍ରୀତିର ବାଣି ଶୁଣାଇ ଆସିଛି-। ଏଇ ଭୂମିରେ ବୁଦ୍ଧ, ନାନକ, ଶଙ୍କର, କବିର, ଚୈତନ୍ୟ ପ୍ରଭୃତି ମହାପୁରୁଷମାନେ ସେମାନଙ୍କ ଧର୍ମ ଓ ଦର୍ଶନ ପ୍ରଚାର କରି ଆସିଛନ୍ତି । ମାତ୍ର ଚୈତନ୍ୟଙ୍କ ସମୟରେ ପ୍ରଚାର ଅପେକ୍ଷା ଲୁଣ୍ଠନର ପରିମାଣ ହେଲା ବହୁତ ବେଶୀ । ସେ ତାଙ୍କର ବୈଷ୍ଣବୀୟ ପ୍ରେମ ଧର୍ମରେ ଲୁଣ୍ଠନ କଲେ ଓଡ଼ିଶାର ବୀରତ୍ୱ ଓ ଜାତୀୟ ଏକତା । ଏହାଦ୍ୱାରା ଓଡ଼ିଆମାନେ ସେମାନଙ୍କର ଶିଳ୍ପ, ବାଣିଜ୍ୟ ବୀରତ୍ୱ, ସ୍ଥପତି ଓ କଳା ଛାଡ଼ି ହରିନାମ କୀର୍ତ୍ତନରେ ମତ୍ତ ହେଲେ । ଓଡ଼ିଶାର ଏପରି ଦୁର୍ଦ୍ଦିନ ଦେଖି ମୁସଲମାନ, ମୋଗଲ ଓ ମରହଟ୍ଟାମାନେ ଓଡ଼ିଶା ଆକ୍ରମଣ ଏବଂ ଲୁଣ୍ଠନ କଲେ । ଯିଏ ଯାହା ପାରିଲା ବୋହିନେଲା । ଏହିପରି ବାରମ୍ୱାର ଲୁଣ୍ଠନ ଓ ଅତ୍ୟାଚାର ସହି ସହି ଓଡ଼ିଶାର ଜାତୀୟଶକ୍ତି ଦୁର୍ବଳ ହୋଇପଡ଼ିଲା, ଏକତା ଭାଙ୍ଗିଗଲା । ଏତିକିବେଳେ ପର୍ତ୍ତୁଗୀଜ ଓ ଫରାସୀମାନେ ଆସି ଓଡ଼ିଶା ଉପକୂଳରେ ଏକଚାଟିଆ ବାଣିଜ୍ୟ କଲେ । ତା ଫଳରେ ଓଡ଼ିଶାର ନୌବାଣିଜ୍ୟ ବନ୍ଦ ହୋଇଗଲା । ଓଡ଼ିଆମାନେ ହେଲେ ଦରିଦ୍ର । କେବଳ ସେତିକିରେ ବିଧାତାଙ୍କର ଇଚ୍ଛା ପୂର୍ଣ୍ଣ ହେଲାନାହିଁ । ତା ସଙ୍ଗେ ସଙ୍ଗେ ଆସିଲା ବନ୍ୟା, ମରୁଡ଼ି ଓ ଦୁର୍ଭିକ୍ଷ । ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ପଡ଼ିଲା ।

 

ଏତିକିବେଳେ ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଦଖଲ କଲେ । ସେମାନେ ପ୍ରଥମେ ଓଡ଼ିଶାର ଉତ୍ତରଭାଗ–ମେଦିନପୁର, ସିଂହଭୂମ, ବାଙ୍କୁଡ଼ା ଏବଂ ମାନଭୂମର କେତେକ ଅଂଶ ବଙ୍ଗଳାରେ ମିଶାଇଦେଲେ ଏବଂ ଦକ୍ଷିଣାଂଶ–ଗଞ୍ଜାମ, ବିଶାଖାପାଟଣା, ଜୟପୁର ପ୍ରଭୃତି ମାନ୍ଦ୍ରାଜରେ ମିଶାଇଦେଲେ । ଓଡ଼ିଶାର ଗଡ଼ଜାତ ପ୍ରଭୃତିକୁ ଯାତାୟତର ସୁବିଧା ନଥିବାରୁ ସେମାନଙ୍କୁ ସାମନ୍ତ ରାଜା ରୂପେ ରଖି ସେମାନଙ୍କଠାରୁ କେବଳ କର ଆଦାୟ କଲେ । ଯାହାହେଉ ଇଂରେଜମାନଙ୍କ କୂଟ ରାଜନୀତିରେ ପ୍ରଥମଥର ପାଇଁ ଓଡ଼ିଶାର ଏକତା ଓ ସଂହତି ନଷ୍ଟ ହେଲା । ବାକି ରହିଲେ ଉପକୂଳର ଜମିଦାରମାନେ । ସେମାନେ କୋଳ ବିଦ୍ରୋହ କରିବେ, ଏହି ଭୟରେ ଏକ ସୂର୍ଯ୍ୟାସ୍ତ ଆଇନ ଜାରୀ କରାଗଲା । ବଙ୍ଗଳା ସେତେବେଳେ ଇଂରେଜ ସାମ୍ରାଜ୍ୟର ରାଜଧାନୀ । ସେଠାକୁ ଯିବାପାଇଁ ଓଡ଼ିଶାରୁ ରାସ୍ତା ନ ଥିଲା । ଓଡ଼ିଶାର ଯେଉଁ ଜମିଦାରୀମାନ ବଙ୍ଗଳାରେ ନିଲାମ କରାଗଲା, ତାହା ସ୍ଥାନୀୟ ବଙ୍ଗାଳୀମାନେ ନାମ ମାତ୍ର ମୂଲ୍ୟରେ କିଣି ନେଇ ଜମିଦାର ବୋଲାଇଲେ । ଏହିପରି ଭାବରେ ଗୋଟିଏ ସମୃଦ୍ଧ ଓ ଶକ୍ତିଶାଳୀ ଦେଶର ଲୋକେ ଦାଣ୍ଡର ଭିକାରୀ ହୋଇଗଲେ । ସେମାନଙ୍କର ଶକ୍ତି, ସାମର୍ଥ୍ୟ, ବୁଦ୍ଧି, କୌଶଳ ଅପହୃତ ହେଲା । ଓଡ଼ିଆମାନେ ପୂର୍ବର ଜାତୀୟତା, ଆତ୍ମାଭିମାନ, ଗୌରବ ଭୁଲି ପେଟ ପୋଷିବାପାଇଁ ବଙ୍ଗାଳୀଙ୍କ ଘରେ ଚାକିରି କଲେ ଏବଂ କୁଲୀଗିରୀ କଲେ । ଏହି କୁଲୀଙ୍କର ଭାଇ ହେବାକୁ ମେଦିନାପୁର ପ୍ରଭୃତି ଉତ୍ତରାଂଶର ଲୋକେ ଲଜ୍ଜା ବୋଧ କଲେ । ସେମାନେ ନିଜକୁ ବହୁରୂପୀ ସଜାଇ ବଙ୍ଗାଳୀ ହେଲେ ଏବଂ ନିଜର ଜାତ୍ୟାଭିମାନକୁ ଜଳାଞ୍ଜଳି ଦେଇ ନିଜ ଅସ୍ତିତ୍ୱଲୋପର ସମ୍ବାଦ ଜଗତରେ ପ୍ରଚାର କରି ନିଜକୁ ଗୌରବାନ୍ୱିତ ମନେ କଲେ । ମାତ୍ର ଏହି ସବୁ ଅଞ୍ଚଳ ଯେ ଦିନେ ଏକ ସମୟରେ ଓଡ଼ିଶାର ଅଂଶ ଥିଲା ସେଥିରେ କୌଣସି ସନ୍ଦେହ ନାହିଁ । ଏପରିକି ଓଡ଼ିଶାରେ ଅନୁଷ୍ଠିତ ପର୍ବ ପର୍ବାଣୀ ଏବଂ ସନ ତାରିଖ ସବୁ ଏ ଜିଲାର ଅନେକ ସ୍ଥାନରେ ଏବେ ବି ଚଳୁଛି । ଅନେକ ଲୋକ ଅଛନ୍ତି, ଯେଉଁମାନେ ପୂର୍ବର ହାବ-ଭାବ, ଭାଷା, ସାହିତ୍ୟ, ଆଚାର, ବ୍ୟବହାର ବଜାୟ ରଖି ଆଜି ପର୍ଯ୍ୟନ୍ତ ଚାଲି ଆସୁଛନ୍ତି । ୧୮୯୧ ଜନ ଗଣନାରେ ମେଦିନୀପୁରରେ ୬ ଲକ୍ଷ ଓଡ଼ିଆ ଥିବାବେଳେ ୧୯୦୧ ଦୁଇ ଲକ୍ଷ ଓ ୧୯୧୧ ରେ ମାତ୍ର ଏକଲକ୍ଷ ୮୧ ହଜାର ଥିବାର ଜଣାଯାଏ । ତେବେ ସେମାନେ କଣ କୁଆଡ଼େ ପଳାଇଗଲେ ? ନାଁ, ତା ନୁହେ । ଓଡ଼ିଆ ଭାଷା ଉପରେ ବଙ୍ଗଳା ଭାଷାର ଆକ୍ରମଣରେ ସେମାନେ ବ୍ୟତିବ୍ୟସ୍ତ ହୋଇ ନିଜକୁ ଭୁଲିଗଲେ । ଏପରିକି ଓଡ଼ିଆ ମହାଭାରତ ଓ ଭାଗବତ ବଙ୍ଗଳା ଭାଷାରେ ଲେଖା ପାଇ ସେମାନଙ୍କୁ ପଢ଼ିବାକୁ ବାଧ୍ୟ କରାଗଲା ।

 

୧୯୦୫ ମସିହାରେ ବଙ୍ଗ ଭଙ୍ଗ ଆନ୍ଦୋଳନ ବେଳେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ କରି ଗଢ଼ିବାପାଇଁ ପ୍ରସ୍ତାବ ହେଲା । ମାତ୍ର ଓଡ଼ିଶା ଯେଉଁ ଯେଉଁ ପ୍ରେଦଶମାନଙ୍କର ଅଧୀନରେ ଥିଲା ସେମାନେ ବାଧା ଦେବାରୁ ଏ ପ୍ରସ୍ତାବ ଆଗେଇ ପାରିଲା ନାହିଁ । ଏତିକିବେଳେ ୧୯୧୬ ରେ ଫୂଲଝରରୁ ଓଡ଼ିଆଭାଷା ଉଠାଇ ଦିଆଯାଇ ହିନ୍ଦି ପ୍ରଚଳନ କରାଗଲା ଓ ମାନ୍ଦ୍ରାଜର ଓଡ଼ିଆ ଅଞ୍ଚଳରେ ତେଲଗୁ ଚଳିଲା । ପାଟି ଫିଟାଇବାର କାହାର ଜୁ ନାହିଁ । ଓଡ଼ିଶାରେ ଯେଉଁ କେତେଜଣ ଉଚ୍ଚଶିକ୍ଷିତ ସେମାନେ ସମସ୍ତେ ପ୍ରାୟ ସରକାରୀ ଚାକିରିଆ । ତେଣୁ ଓଡ଼ିଆଙ୍କ ତରଫରୁ କୌଣସି ଆନ୍ଦୋଳନ ହେଲାନାହିଁ । ଯାହା ବା ହେଲା ତାହା ସରକାରକୁ ସୁହାଇଲା ଭଳି ଏବଂ ସରକାରଙ୍କ ଅନୁଗ୍ରହ ଉପରେ ନିର୍ଭର କରି । ତତ୍‌କାଳୀନ ଭାରତର ବଡ଼ଲାଟ ଲର୍ଡ଼ କର୍ଜ୍ଜନ ଓଡ଼ିଆମାନଙ୍କର ଏ ପ୍ରକାର ଭାବ ଦେଖି ଥରେ ଇଂଲଣ୍ଡର ଏକ ହୋଟେଲରେ କହିଥିଲେ—‘‘ଓଡ଼ିଆମାନେ ରାଜଭକ୍ତିରେ ସଢ଼ି ଗଲେଣି । ଏହି ଅତିରିକ୍ତ ଭକ୍ତିଟା ହିଁ ତାଙ୍କ ଦେଶ ମିଶ୍ରଣର ପ୍ରଧାନ ଅନ୍ତରାୟ । ସେମାନେ ଦାବୀକର ଶିଖି ନାହାନ୍ତି । ମାଗିଲେ କେହି କାହାରିକୁ ନିଜର ସ୍ୱାର୍ଥ ଦିଏନା । ଏଥିପାଇଁ ଆବଶ୍ୟକ ବିପ୍ଳବ ଓ ଆନ୍ଦୋଳନ ।’’

 

ଏଣେ ବିହାରୀମାନେ ସିଂହଭୂମ, ମାନଭୂମ ପ୍ରଭୃତି ଅଞ୍ଚଳରେ ଓଡ଼ିଶାର ଶିକ୍ଷା, ସଂସ୍କୃତି ଲୋପ କରିବା ପାଇଁ ପ୍ରାଣପାତ ଉଦ୍ୟମ କରୁଥାଆନ୍ତି । ସେତେବେଳେ ବଙ୍ଗାଳୀମାନେ ଉଚ୍ଚଶିକ୍ଷିତ-। ସବୁଜାକ ସରକାରୀ ଅଫିସରେ ସେମାନଙ୍କର ଏକାଧିପତ୍ୟ ଥାଏ । ଓଡ଼ିଶା ବିହାରରୁ ଅଲଗା ହେଲେ ମେଦିନୀପୁର ଦାବୀ କରିବ ବୋଲି ଆଶଙ୍କାକରି ସେମାନେ ବିହାରୀମାନଙ୍କ ସହ ଏକମତ ହୋଇ ୧୯୧୮ରେ ପ୍ରଥମେ ଚାଇଁବସା ସ୍କୁଲରୁ ଓଡ଼ିଆ ଉଠାଇବାକୁ ଉଦ୍ୟମ କଲେ । ତା’ପରେ ସିଂହଭୂମ ଓ ଚକ୍ରଧରପୁରଠାରେ ମଧ୍ୟ ଅନୁରୂପ ଆୟୋଜନ ହେଲା । ଏତିକିବେଳେ ଓଡ଼ିଶାର ଜାତୀୟତା ପୀଠ ଉତ୍କଳ ସମ୍ମିଳନୀରେ ସର୍ବପ୍ରଥମେ ପଣ୍ଡିତ ଗୋପବନ୍ଧୁ ଦାସ ଅସହଯୋଗର ଦୀକ୍ଷା ପ୍ରଚାର କଲେ । ଏଣେ ଉତ୍କଳ ଗୌରବ ମଧୁସୁଦନ; ରାମଶଙ୍କର, ଗୌରୀଶଙ୍କର ଗୋଦାବରୀଶ ପ୍ରଭୃତି ଜାତୀୟବୀରମାନେ ଓଡ଼ିଶାକୁ ସ୍ୱତନ୍ତ୍ର କରିବାପାଇଁ ଉଦ୍ୟମ କଲେ-। ଓଡ଼ିଶା ବାହାରେ ସଭାସମିତି ହେଲା । ଓଡ଼ିଆ ସ୍କୁଲ ଖୋଲାଗଲା । ପ୍ରଚାର ସମିତିମାନ ଗଠିତ ହେଲା-। ଆମ ଗ୍ରାମରେ ଏହିପରି ଏକ ସମିତି ମଧ୍ୟ ଗଠିତ ହେଲା । ତହିଁରେ ପରିଚାଳକ ଥିଲେ ଜଣେ ଯୁବକ । ଦିନେ ରାତିରେ ଦଳେ ବିହାରୀ ଦଲାଲ ଆସି ଉକ୍ତ ଯୁବକଙ୍କୁ ଆକ୍ରମଣ କରି ପ୍ରଚାର ସମିତି କାଗଜପତ୍ରମାନ ପୋଡ଼ି ଦେବାକୁ ବସିଲେ । ଉକ୍ତ ଯୁବକ ସେମାନଙ୍କୁ ବାଧା ଦେବାରୁ ଦୁବୃର୍ତ୍ତମାନେ ତାଙ୍କୁ ହତ୍ୟାକଲେ । ସେ ଯେତେ ଡାକିଲେ ମଧ୍ୟ କେହି ତାଙ୍କ ପାଖକୁ ଗଲେ ନାହିଁ-। ମୁଁ ସେତେବେଳକୁ କଲେଜରେ ପଢ଼ୁଥାଏଁ । ବାପା’ ମା ବହୁତ ଦିନରୁ ମରି ଯାଇଥାଆନ୍ତି-। ଘରକୁ ଥାଉଁ ଆମେ କେବଳ ଦୁଇଭାଇ । ଭାଇ ସେମାନଙ୍କୁ ବହୁ କାକୁତି ମିନତି କଲେ-। ମାତ୍ର ନୃଶଂସମାନେ ତାଙ୍କ କଥା ନଶୁଣିବାରୁ ଭାଇ ବାଧା ଦେଲେ । ସେତେବେଳକୁ ପୂର୍ବ ଆକାଶରେ ସିନ୍ଦୂର ଫାଟି ଆସୁଥାଏ । ଆକ୍ରମଣକାରୀମାନେ ପଳାଇଗଲେ ଏବଂ ଗଲାବେଳେ କହିଗଲେ ଯେ ଆଉ ଦିନେ ତୋ କଥା ବୁଝିଦେବୁ । ତାଙ୍କର ଏ ଧମକରେ ଭାଇ ଡରିଗଲେ । ସରକାରଙ୍କ ପାଖରେ ଆପତ୍ତି କଲେ । ନିଜର ପ୍ରାଣରକ୍ଷାର ଅନୁରୋଧ କଲେ । ମାତ୍ର ତାଙ୍କର ଆପତ୍ତି, ଅଭିଯୋଗ କେହି ଶୁଣିଲେ ନାହିଁ । ନୁଶଂସମାନେ ସେମାନଙ୍କର ଜବାବ ରଖିଲେ ସାତଦିନ ନ ପୁରୁଣୁ ପୁଣିଥରେ ଆମ ଗ୍ରାମ ଆକ୍ରମଣ କରି ସଙ୍ଗୀନ ମୁନରେ ଭାଇଙ୍କୁ ଆଘାତ କଲେ-। ଭାଇ ମରିଗଲେ । ମଲାବେଳେ ମୋତେ କହିଗଲେ—ମୁଁ ଯାଉଛି, ମାତ୍ର ଦାୟିତ୍ୱ ତୋତେ ଦେଇ ଯାଉଛି-। ବିଚ୍ଛିନ୍ନାଞ୍ଚଳ ଯେପରି ଓଡ଼ିଶାରେ ମିଶେ ତାର ଯତ୍ନ କରିବୁ । ତାହାହେଲେ ମୋର ଆତ୍ମା ସ୍ୱର୍ଗରେ ଶାନ୍ତି ପାଇବ । ଭାଇଙ୍କ ମୃତ୍ୟୁପରେ ମୁଁ ବହୁତ କନ୍ଦାକଟା କଲି । ଶେଷରେ ତାଙ୍କର ଶୁଦ୍ଧିକ୍ରିୟା ବଢ଼ାଇ ଘର ଦ୍ୱାର ଓ ସମ୍ପତ୍ତି ବାଡ଼ି ଯାହାଥିଲା, ତାହା ବିକ୍ରୟ କରି ଜାପାନ ଗଲି ଡାକ୍ତରୀ ପଢ଼ିବାପାଇଁ । ତା’ପରେ ହେଲା ଦ୍ୱିତୀୟ ବିଶ୍ୱଶଦ୍ଧ । ଏଣେ ମାହାତ୍ମାଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ ଜୋର ସୋରରେ ଚାଲିଥିବାବେଳେ, ତେଣେ ନେତାଜୀ ଭାରତ ଛାଡ଼ି ଚାଲିଗଲେ-। ଦିନେ ଜର୍ମାନିରୁ ସେ ଉଡ଼ାଜାହାଜ ଯୋଗେ ଜାପାନରେ ଯାଇ ପହଞ୍ଚିଲେ । ଜାପାନ ସେତେବେଳେ ନାଜି ଦଳରେ ଥାଏ । ତାଙ୍କ ସହ ନେତାଜୀଙ୍କର ଭାରତ ଆକ୍ରମଣ ଚୂକ୍ତି ହେଲା । ତାପରେ ସେ ସିଙ୍ଗାପୁର ଆସି ଆଜାଦ ହିନ୍ଦ୍ ଫୌଜ ଗଠନ କଲେ । ଆମେ ଭାରତୀୟମାନେ ତାଙ୍କ ଡାକରାରେ ଉଦ୍‌ବୁଦ୍ଧ ହୋଇ ସେଥିରେ ଯୋଗ ଦେଲୁ । ଦିନକୁଦିନ ଆମର ଶକ୍ତି ବଢ଼ିଲା । ଆମେ ସେଠାରେ ଆଜାଦ୍ ହିନ୍ଦ ସରକାର ଗଢ଼ି ବ୍ରହ୍ମଦେଶ ଆକ୍ରମଣ କଲୁ । ଦୁଇଆଡ଼ୁ ଆକ୍ରମଣରେ ବ୍ରହ୍ମଦେଶ ଆତ୍ମା ସମର୍ପଣ କଲା । ତା’ପରେ ଆମେ ଚାଲିଲୁ ଭାରତ ସୀମାକୁ । ବାସନ୍ତୀ ! ସେ ଦିନର କଥା ଜୀବନରେ କେବେ ଭୁଲି ହେବ ନାହିଁ । ଭାରତ ଓ ବର୍ମା ସୀମାନ୍ତରେ ଉତ୍ତୁଙ୍ଗ ଗିରିମାଳା-। ନିବିଡ଼ ଅରଣ୍ୟାନୀ । ଶେଷରେ ଉପତ୍ୟକା । ପାହାଡ଼ର ତଳ ଦେଶରୁ ଭାରତର ଧୂଳିକଣା ଆରମ୍ଭ-। ସେଇଠି ଲକ୍ଷ ଲକ୍ଷ ଇଂରେଜସେନାଙ୍କର ରାଇଫେଲ, ଷ୍ଟେନଗନ ଓ କମାଣର ପ୍ରଳୟଙ୍କାରୀ ମୁଖ-। ଆମ୍ଭେମାନେ ପାହାଡ଼ର ଉପରି ଭାଗରେ ପହଞ୍ଚି ଭାରତ ଜନନୀଙ୍କ ଉଦ୍ଦେଶ୍ୟରେ ନମସ୍କାର କଲୁ-। ସେଠାରେ ନେତାଜୀ ଏକ କ୍ଷୁଦ୍ର ଭାଷଣ ଦେଲେ । ତାହାର ମର୍ମ ହେଉଛି—

 

ହେ ‘ସ୍ୱାଧୀନତା ସଂଗ୍ରାମର ସୈନିକ’ ବନ୍ଧୁଗଣ ! ଏହି ପାହାଡ଼ର ତଳ ଦେଶରେ ଯେଉଁ ଶ୍ୟାମଳ ଧରଣୀ ଦେଖୁଛ, ସେଇ ଆମର ମାଆ । ସେ ଆଜି ଇଂରେଜ ହାତରେ ବନ୍ଦୀନୀ । ତାକୁଇ ଆମେ ଉଦ୍ଧାର କରିବା ପାଇଁ ନେଇଛନ୍ତି ଏ ଦୁର୍ନିବାର ବ୍ରତ । ସେଇ ଭୂଇଁରେ ଆମକୁ ପ୍ରଥମେ ପୋତିବାକୁ ହେବ ଭାରତର ସ୍ୱାଧୀନ ପତାକା । ମାତ୍ର ଦେଖୁଛ ତ ? ତଳେ ରକ୍ତଲିପ୍‌ସୁ ଇଂରେଜର କମାଣ ମୁଖ ବ୍ୟାଦନ କରି ଅନାଇ ରହିଛି ହିଂସ୍ର ଚାହାଣୀରେ । ହେ ବନ୍ଧୁଗଣ ! ଏହି ଆସନ୍ନମୃତ୍ୟୁର ଦ୍ୱାର ଦେଶରେ ଦଣ୍ଡାୟମାନ ହୋଇ ଭାରତ ଭୂଇଁରେ ଜାତୀୟ ପତାକା ପୋତି ପାରିବ ତ ? ହଜାର ହଜାର କଣ୍ଠରୁ ସଂଗେ ସଂଗେ ନିସୃତ ହେଲା ନିଶ୍ଚୟ ପାରିବୁ । ତାପରେ ସେ କହିଲେ—ବେଶ୍, ବର୍ତ୍ତମାନ ଆଗେଇଚାଲ ଆମର ଲକ୍ଷ୍ୟସ୍ଥଳକୁ । ଆମର ଲକ୍ଷ୍ୟତ ଏଇଠି ସୀମାବଦ୍ଧ ନୁହେଁ; ତାହା ହଜାର ହଜାର ମାଇଲ ଦୂରରେ ଦିଲ୍ଲୀର ଲାଲ କିଲାରେ—ଯେଉଁଠି ଆମେ ପାଇବା ଆମ ବନ୍ଧନୀ ମାଆର ସନ୍ଧାନ ।

 

ଦଳ ଦଳ ହୋଇ ସୈନିକମାନେ ପାହାଡ଼ର ତଳ ଦେଶକୁ ଓହ୍ଲାଇଲେ । ମାତ୍ର ବ୍ରିଟିଶର କମାଣ ମୁହଁରେ ଢଳି ପଡ଼ିଲେ । ନର ରକ୍ତରେ ଭାରତର ସୀମାନ୍ତ ଭୂଇଁ ରଞ୍ଜିତ ହେଲା । ମାତ୍ର ଭାରତ ବକ୍ଷରେ ସ୍ୱାଧୀନତାର ପତାକା ପୋତାଯାଇ ପାରିଲାନାହିଁ । ଏହିପରି ଗୋଟିଏ ଦଳର ସମସ୍ତେ ମରି ଶୋଇଲେ । ଦ୍ୱିତୀୟ ଦଳରେ ଥାଉଁ ଆମେ କେତେଜଣ ଯୁବକ । ଆମ ଭିତରୁ ଜଣେ ସାହସୀ ଯୁବକ ଏକ କୌଶଳ ଅବଲମ୍ବନ କଲେ । ତାଙ୍କ ଆଗରେ ଥିବା ଯୁବକଟି ପତାକା ଧରି ତଳକୁ ଓହ୍ଲାଇବା ବେଳେ ଶତ୍ରୁର ବନ୍ଧୁକ ତାରି ଆଡ଼କୁ ମୁହଁ କରି ରହିଲା । ମାତ୍ର ପଛ ଯୁବକଟି ତା ହାତରୁ ହଠାତ୍ ପତାକା ଛଡ଼ାଇନେଇ ତୀର ବେଗରେ ଯାଇ ସମତଳ ଭୂଇଁରେ ପତାକାଟି ପୋତିଦେଲା । ଶତ୍ରୁର ବନ୍ଧୁକ ମୁହଁ ଘୁରିବାବେଳକୁ ପତାକା ପୋତା ସରିଥାଏ । ଅବଶ୍ୟ ସେ ଯୁବକଟି ଶତ୍ରୁର ଗୁଳିରେ ଢଳି ପଡ଼ିଲା । ମାତ୍ର ଜାତୀୟ ପତାକାତଳେ ସେ ଦିନ ସେ ରକ୍ତର ଅର୍ଘ୍ୟ ଦେଇ ଯେଉଁ ‘ବନ୍ଦେ ମାତତମ୍’ ଧ୍ୱନି ଦେଇଥିଲା, ତାହା ଏବେ ବି ମୋତେ ସ୍ପଷ୍ଟ ଶୁଭିଯାଉଛି ।

 

ଉଭୟ ପକ୍ଷରୁ ଗୁଳି ଗୋଳା ଚାଲିଲା । କ୍ରମେ ଆମ ଶିବିରରେ ଖାଦ୍ୟଭାବ ଦେଖାଦେଲା । ଜାପାନ ସରକାର ଚୂକ୍ତିମତେ ଖାଦ୍ୟ ଓ ଅସ୍ତ୍ର ଯୋଗାଇ ପାରିଲେ ନାହିଁ । ତଥାପି ସାତ ଦିନ ପର୍ଯ୍ୟନ୍ତ ଆମେ ଅନାହାରରେ ଓ ଅବିଶ୍ରାନ୍ତ ଭାବରେ ଯୁଦ୍ଧ କଲୁ । ପରିଶେଷରେ ଜୟର ଆଶା ନ ଦେଖି ନେତାଜୀ ଆମକୁ ଆତ୍ମ ସମର୍ପଣ ପାଇଁ ଆଦେଶ ଦେଲେ । ପଛ ଦଳର ଲୋକେ ନିରାପଦ ସ୍ଥାନକୁ ପଳାଇଯିବା ପର୍ଯ୍ୟନ୍ତ ଆମେ ଯୁଦ୍ଧ ଚଳାଇ ଶେଷରେ ଆତ୍ମ ସମର୍ପଣ କଲୁ ।

 

ଆମ୍ଭମାନଙ୍କୁ ଯୁଦ୍ଧବନ୍ଦୀ ଶିବିରକୁ ଅଣାଗଲା । ଏହି ଶିବିରରୁ ମୁଁ କୌଶଳ କ୍ରମେ ପଳାଇ ଆସି କଲିକତାରେ ପହଞ୍ଚିଲି । ତା’ପରେ ଭାରତ ସ୍ୱାଧୀନ ହେଲା । ଲୋକେ ଆମ୍ଭମାନଙ୍କ କଥା ଭୁଲିଗଲେ । ଆମର ପ୍ରଥମ କାର୍ଯ୍ୟ ଶେଷ ପରେ ମୁଁ କଲିକତାରେ ରହି ମୋର ଦ୍ୱିତୀୟକାର୍ଯ୍ୟ ଆରମ୍ଭ କଲି । ତାହା ହେଉଛି–ପୂର୍ଣ୍ଣାଙ୍ଗ ରୂପରେ ଉତ୍କଳ ଜନନୀର ଦର୍ଶନ । ଏହି କାର୍ଯ୍ୟରେ ମୁଁ ବଙ୍ଗ, ବିହାର, ଆନ୍ଦ୍ର ଓ ମଧ୍ୟପ୍ରଦେଶ ସବୁଆଡ଼େ ଘୂରି ଆସିଲିଣି । ମାତ୍ର ମାଆର ଦର୍ଶନ ପାଇନାହିଁ-

 

ଡାକ୍ତର କଥା ବନ୍ଦ କଲେ । ବାସନ୍ତୀ ଦୀର୍ଘ ନିଶ୍ୱାସ ପକାଇ ତାଙ୍କର ଚରଣ ଧୂଳି ନେଇ ମଥାରେ ମାରି କହିଲା—ଭାଇ ! ଆପଣଙ୍କର ଏ ଚରଣହିଁ କୋଟିଏ ତୀର୍ଥର ସମଷ୍ଟି । ମୋତେ ଆଶୀର୍ବାଦ କରନ୍ତୁ—ମୁଁ ଯେପରି ଆପଣଙ୍କ ପଥରେ ପଥିକ ହୁଏ । ସେତେବେଳକୁ ସେମାନେ ନୂତନ ବନ୍ଧୁର ଗୃହରେ ପହଞ୍ଚି ସାରିଥିଲେ । ଡାକ୍ତର କବାଟରେ ହାତ ମାରି ଡାକିବାରୁ ଦ୍ୱାର ଖୋଲିଗଲା ଡାକ୍ତର ପଚାରିଲେ—କବି ! ତୁମେ କଣ ଏତେ ରାତି ଯାଏ ଶୋଇନାହଁ ? କବି ତାଙ୍କୁ ପ୍ରଣାମ ଜଣାଇ କହିଲା—ନା’ । ତାପରେ କବାଟ ବନ୍ଦ କରି ସମସ୍ତେ ଚାଲିଗଲେ ଘର ଭିତରକୁ । ଡାକ୍ତର ପଚାରିଲେ—‘‘ଦିନ କିପରି କଟୁଛି ?’’

 

—ଭଲ ନ ହେଲେ ମଧ୍ୟ ମନ୍ଦ ନୁହେଁ । ତେବେ ଆପଣ ଏତେ ରାତିରେ ଆସିଲେ କିପରି ?

 

—ବିଶେଷ କାର୍ଯ୍ୟ ଅଛି । ଏ ଭଉଣୀ ହେଉଛନ୍ତି ଆମ ‘ଛିନ୍ନମସ୍ତା’ ସଂଘର ସଂପାଦିକା-। ମୁଁ ଶୁଣିଲି ଯେ, ସଂଘର ସଭ୍ୟମାନେ ବର୍ତ୍ତମାନ ପୋଲିସ ଭୟରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି ଏବଂ ଆଜି ରାତିରେ ଏଠାରେ ସେମାନଙ୍କର ଏକ ବୈଠକ ହେବ । ତେଣୁ ଚାଲି ଆସିଲି-

 

ବାସନ୍ତୀ ଟିକିଏ ବିଚଳିତ ହୋଇ ପଚାରିଲା—

 

‘‘କାହିଁ, ଆପଣତ ମୋତେ ଏ ବିଷୟ କିଛି କହି ନାହାନ୍ତି ?’’

 

—କହିବାର କୌଣସି ଆବଶ୍ୟକତା ନ ଥିଲା । ଡାକ୍ତରଙ୍କ କଥା ଶେଷ ନ ହେଉଣୁ ଦୁଆରରେ ଶବ୍ଦ ହେଲା । ଦୁଇ ଚାରି ଜଣ ଲୋକ ଘର ଭିତରକୁ ପଶି ଆସିଲେ । ସମସ୍ତଙ୍କ କ୍ରୁର ଚାହାଣୀରେ ବାସନ୍ତୀ ଭୟଭୀତ ହୋଇ ଡାକ୍ତରଙ୍କ ପାଖକୁ ଘୁଞ୍ଚି ବସିଲା । କିଛି ସମୟ ନିରବରେ କଟିଗଲା ପରେ ଡାକ୍ତରବାବୁ ପଚାରିଲେ—‘‘ଆଜି ଏ ଜରୁରୀ ବୈଠକ ଡକାଇବାର ଉଦ୍ଦେଶ୍ୟ ?’’

 

ପ୍ରେସିଡ଼େଣ୍ଟ ଧୀର ଭାବରେ କହିଲେ, ‘‘ଆମ୍ଭେମାନେ ଆଜି ଆପଣଙ୍କଠାରୁ ଚିର ବିଦାୟ ନେବାକୁ ଆସିଛୁ ।’’

 

—କାରଣ ?

 

—ଆମ୍ଭେମାନେ ଆପଣଙ୍କର ମେରୀ ରାୟ ନୀତି ମାନିବାକୁ ପ୍ରସ୍ତୁତ ନୋହୁଁ ।

 

ଡାକ୍ତର ଅଟ୍ଟହାସ୍ୟ କରି କହିଲେ—ତାହା ହେଲେ ତୁମ୍ଭେମାନେ ବିଦ୍ରୋହ କରିଛ ! ତା’ପରେ ପ୍ରେସିଡ଼େଣ୍ଟଙ୍କୁ ଲକ୍ଷ୍ୟ କରି କହିଲେ, ମନୋରମା ! ମୋ ନିକଟରେ ବିଦ୍ରୋହର ଚରମଶାସ୍ତି କଣ ଜାଣ ତ ?

 

କ୍ଷଣକ ପାଇଁ ପ୍ରେସିଡେଣ୍ଟ ବିଚଳିତ ହୋଇ ପଡ଼ିଲେ । ତା’ପରେ ଧୀରଭାବରେ ଉତ୍ତର ଦେଲେ—ମୃତ୍ୟୁ ! ମାତ୍ର ସଙ୍ଗେ ସଙ୍ଗେ ଆଉ ଜଣେ ସଭ୍ୟ ଦୃଢ଼ଭାବରେ କହିଲେ—ଆପଣ ବୋଧହୁଏ ସେ ପ୍ରକାର ଦୁଃସାହସ କରିବାକୁ ଇଚ୍ଛା କରିବେ ନାହିଁ । ସେ ପକେଟରେ ହାତ ପୂରାଇଲେ ।

 

ଡାକ୍ତର କହିଲେ—ସାବଧାନ ରମେଶ ! ଯେପରି ଅଛ ସେହିପରି ରୁହ । ମନେରଖ ମୋର ଲକ୍ଷ୍ୟ ଅବ୍ୟର୍ଥ । ପଦେ କଥା, ମୁହଁରୁ ବାହାରିବା ପୂର୍ବରୁ ତୁମର ଶେଷ ଯବନିକା ପଡ଼ି ଯାଇଥିବ । ଦେଶର ସ୍ୱାର୍ଥପାଇଁ, ଜାତିର ଉନ୍ନତିପାଇଁ ମୋ ନିକଟରେ ଦୟା, ମାୟା ବା ମମତାର ସ୍ଥାନ ନାହିଁ ।

 

ରମେଶର ମୁହଁ କଳା ପଡ଼ିଗଲା । ପ୍ରେସିଡେଣ୍ଟ ଥରି ଥରି କହିଲେ—ନିଜ ନିଜ ମଧ୍ୟରେ ଏ ସବୁ କଳିଗୋଳ କଣ ଭଲ ଲାଗେ ?

 

—ବେଶ୍‌ ! ତାହାହେଲେ ମୁଁ ବର୍ତ୍ତମାନ ଜାଣିବାକୁ ଚାହେଁ—ଏ ବିଦ୍ରୋହର ମୂଳରେ କିଏ ?

 

ଜଣେ ସଭ୍ୟ ସଙ୍ଗେ ସଙ୍ଗେ ଉତ୍ତର ଦେଲା—ରମେଶବାବୁ ।

 

ଡାକ୍ତର ତାଙ୍କର ସ୍ୱଭାବ ସୁଲଭ ହସ ହସି କହିଲେ—ସାବସ୍‌ ରମେଶବାବୁ ! ଏଇ ତୁମ ବନ୍ଧୁତ୍ୱର ନିଦର୍ଶନ । ବନ୍ଧୁତ୍ୱ କଣ ଏତେ ଶୀଘ୍ର ଚାଲିଯାଏ । ଯେଉଁ ବନ୍ଧୁ ବିରୁଦ୍ଧରେ ଠିଆହୋଇ ତୁମେ ଆଜି ଦଳରେ ବିଦ୍ରୋହ ସୃଷ୍ଟି କରିଛ—ସେ ବନ୍ଧୁକୁ କେବେ ଚିହ୍ନିବାକୁ ଚେଷ୍ଟା କରିଛ ? ମୁଁ ଜାଣେ ତୁମେ ସ୍ୱାଧିନତା ସଂଗ୍ରାମର ଜଣେ ସୈନିକ । ମାତ୍ର ମୋର ମନେ ହୁଏନା’ ଯେ ତୁମ ପାଇଁ ମୋତେ ଅପମାନ ଦେଇଛି, ଯେଉଁ ବନ୍ଧୁ ତୁମ ପାଇଁ କାନ୍ଦିଛି, ତୁମର ମୁକ୍ତି ପାଇଁ ପାଗଳ ହୋଇଯାଇଛି, ସେ ବନ୍ଧୁର ସାମାନ୍ୟ ଦୋଷରେ ତୁମେ ଆଜି ଉନ୍ମତ୍ତ ! ମନେରଖ ତୁମପରି କୂଟ, କପଟୀ, ସ୍ୱାର୍ଥପର ଲୋକର ମୋ ନିକଟରେ ସ୍ଥାନ ନାହିଁ । ମୁଁ ତୁମ ହୃଦୟ ଭଲ ଭାବରେ ପରୀକ୍ଷା କରିଛି । ତାହା ପୂରି ରହିଛି, କେବଳ ପ୍ରବଞ୍ଚନା ଓ ପ୍ରତାରଣାରେ । ଯେଉଁଲୋକ ସାମାନ୍ୟ ଟିକିଏ ଦୋଷରେ ଏ ପ୍ରକାର ଉତ୍ୟକ୍ତ ହୋଇ ପ୍ରଳୟକାଣ୍ଡ ଘଟାଇ ପାରେ—ସେ ଦେଶର କୋଟି କୋଟି ପ୍ରାଣକୁ ଜୟ କରି ମାତୃଭୂମିର ଗୌରବ ଫେରାଇ ଆଣିବ କିପରି ? ଏଥିପାଇଁ ଗୁଳି ବନ୍ଧୁକର ଆବଶ୍ୟକ ନାହିଁ—ଆବଶ୍ୟକ କେବଳ ହୃଦୟର ସ୍ପନ୍ଦନ । ତୁମେ ହୃଦୟହୀନ.... ।

 

ଡାକ୍ତରବାବୁ ଆହୁରି କଣ କହିବାକୁ ଯାଉଥିଲେ, ମାତ୍ର ରମେଶ ହାତ ଯୋଡ଼ି କହିଲା—କ୍ଷମା କରନ୍ତୁ, ମୁଁ ଗୁରୁତର ଅପରାଧ କରିଛି ।

 

କିଛି ସମୟପାଇଁ ସମସ୍ତେ ନିରବ ହୋଇଗଲେ । ସେ ଦିନର ଆଲୋଚନା ଶେଷ ହେଲା । ସମସ୍ତେ ନିଜ ନିଜ ବାଟରେ ଚାଲିଗଲେ । କେବଳ ରହିଲେ କବି, ଡାକ୍ତର ଓ ବାସନ୍ତୀ । ବାସନ୍ତୀ ଭୀତଚକିତା ହରିଣପରି କେବଳ ଡାକ୍ତରବାବୁଙ୍କ ମୁହଁକୁ ଚାହିଁ ରହିଥିଲା । ଡାକ୍ତରବାବୁ ସସ୍ନେହରେ ତା ମୁଣ୍ଡରେ ହାତ ବୁଲାଇ ଡାକିଲେ—ବାସନ୍ତୀ !

 

ବାସନ୍ତୀ ପ୍ରକୃତିସ୍ଥା ହେଲା । ଡାକ୍ତର କବିକୁ ଉଦ୍ଦେଶ୍ୟକରି କହିଲେ କବି ! ବାସନ୍ତୀ ବର୍ତ୍ତମାନ ବିବ୍ରତ ହୋଇ ପଡ଼ିଛି, ତୁମେ ତା ସହିତ ଗଳ୍ପ କର । ମୁଁ ଚାହା ତିଆରି କରି ଆଣେ ।

 

ବାସନ୍ତୀ ସଙ୍ଗେ ସଙ୍ଗେ ଉତ୍ତର ଦେଲା—ନାଁ, ଆପଣ ବରଂ ବସନ୍ତୁ, ମୁଁ ଯାଉଛି ଚାହା ତିଆରି କରିଦେବି । ମାତ୍ର ଡାକ୍ତର ତାକୁ ବାରଣ କରି ଅନ୍ୟ ଘରକୁ ଚାଲିଗଲେ ।

 

କବି କହିଲେ—ବାସନ୍ତୀ ! ଏ ସଂସାରଟା କେବଳ ସ୍ୱାର୍ଥରେ ଗଢ଼ା । ଯେଉଁମାନେ ବଳବାନ, ଧନବାନ ବା ଯେଉଁମାନଙ୍କର ସମାଜରେ ଟିକିଏ ପ୍ରତିପତ୍ତି ଅଛି ସେମାନେ ସବୁବେଳେ ଅପରକୁ ଅସ୍ତ୍ରରୂପେ ବ୍ୟବହାର କରନ୍ତି । ତାଙ୍କ କାମ ଟିକକ ତୁଟିଗଲା ପରେ ଆଉ ପଚାରେ କିଏ-? ଏଥିପାଇଁ ଦୁଃଖ କରିବାର କଣ ଅଛି । ଆଜି ହୁଏତ ରମେଶ ବା ପ୍ରେସିଡ଼େଣ୍ଟଙ୍କର କାମ ସରିଯାଇଛି, ସେମାନେ ଡାକ୍ତରଠାରୁ ଦୂରେଇ ଗଲେ । ଏହାପରେ ଆଉ କାହାର କାମ ପଡ଼ିବ ଏବଂ ସେ ଆସିବେ । ଯିବା ଆସିବାଟା ଦୁନିଆର ନିତ୍ୟ ନୈମିତିକ କାର୍ଯ୍ୟ । ଏହିପରି ଛଳନା ପୂର୍ଣ୍ଣ ଦୁନିଆକୁ ଭୁଲିଯିବା ପାଇଁ ବାସ୍ତବରେ ମୁଁ ଆଜି ମଦ୍ୟପ । ଦୁନିଆ ମୋତେ ଛି, ଛା କରୁଛି, ମାତ୍ର ଦୁଃଖର କଥା ମୁଁ ଦୁନିଆକୁ ଭୁଲିଲେ ମଧ୍ୟ ସେ ମୋତେ ଭୁଲୁନାହିଁ ।

 

ଡାକ୍ତରବାବୁ ଚାହା କେଟଲୀ ଓ କପ ଧରି ପହଞ୍ଚିଲେ । ଚାହାଖିଆ ସରିବା ପରେ ବାସନ୍ତୀ ନିଜର ହାତ ଘଣ୍ଟା ଦେଖି କହିଲା— ‘‘ଡାକ୍ତରବାବୁ, ବର୍ତ୍ତମାନ ରାତି ପ୍ରାୟ ତିନିଟା । ଏବେ ଚାଲନ୍ତୁ ବସାକୁ ଫେରିଯିବା ।’’

 

ଡାକ୍ତରବାବୁ ଉଠୁ ଉଠୁ କହିଲେ—ଥାଅ କବି ! ପୁଣି କେବେ ସାକ୍ଷାତ ହେବ ।

 

କବି ନମ୍ର ଭାବରେ ପଚାରିଲା—ଆପଣ ତ ଖୁବ୍‌ଶୀଘ୍ର ବାହାରକୁ ଚାଲିଯାଉଛନ୍ତି, ମାତ୍ର ମୁଁ କଣ କରିବି ମୋତେ କିଛି କହିଗଲେ ନାହିଁ ?

 

ଡାକ୍ତରବାବୁ ମୁହୂର୍ତ୍ତେ ଉପରକୁ ଚାହିଁ କଣ ଭାବିଲେ । ତା’ପରେ କହିଲେ—

 

‘‘ହଁ, ଶୁଣ ! ତୁମେ କବି । ଏ ନିର୍ଜୀବ ଜାତିକୁ ଜୀବନ ଦାନ ଦେବା ପାଇଁ, ଏ ପତିତ ଜାତିକୁ ଉଠାଇବା ପାଇଁ ଏବଂ କର୍ମକ୍ଳାନ୍ତ ଜନସାଧାରଣଙ୍କୁ କର୍ମମୁଖର କରିବାପାଇଁ ତୁମର ଯଥେଷ୍ଟ କର୍ତ୍ତବ୍ୟ ଅଛି । ତୁମେ ଜାଣିଛ—ପ୍ରାଚୀନ ଭାରତରେ ଏହିଁପରି ସୁପ୍ତଜାତିକୁ ଜଗାଇବାପାଇଁ ଚାରଣ, ଭାଟ ପ୍ରଭୃତି ନାନା ଶ୍ରେଣୀର ଲୋକେ ସୃଷ୍ଟି ହୋଇଥିଲେ—ଯେଉଁମାନେ ନିଜର କବିତା ଓ ଦେଶପ୍ରେମରେ ପାଷାଣ ମୁଖରେ ଭାଷା ଫୁଟାଉଥିଲା, ମଡ଼ାକୁ ଜୀବନ ଦାନ ଦେଇ ଦେଶପ୍ରେମରେ ଉଦ୍‌ବୁଦ୍ଧ କରିପାରୁଥିଲେ । ସେହିମାନଙ୍କ ସୃଜନୀରେ ବାଳ, ବୃଦ୍ଧ, ତରୁଣ, ତରୁଣୀ, କିଶୋର, କିଶୋରୀ ସମସ୍ତେ ଦେଶର ସ୍ୱାଧିନତା ପାଇଁ, ଦେଶର ସ୍ୱାତନ୍ତ୍ର୍ୟ ରକ୍ଷାପାଇଁ ଆତ୍ମବଳୀ ଦେବାକୁ କୁଣ୍ଠିତ ହେଉ ନଥିଲେ । ତୁମେ ସେହି ଗୀତ ଲେଖ—ସେଥିରେ ଛନ୍ଦ ମିଳୁ ବା ନା ମିଳୁ । ଏ ଦେଶ ଦିନେ ଉନ୍ନତଥିଲା; ଏ ଦେଶର ବୀରତ୍ୱଗାଥା ଆଜି ପର୍ଯ୍ୟନ୍ତ ଜାଭା, ବାଲି, ବୋର୍ଣ୍ଣିଓ ସୁମିତ୍ରା ଓ ସିଂହଳରୁ ଆରମ୍ଭକରି ପୁରୀ, ଭୁବନେଶ୍ୱର, କୋଣାର୍କ ପ୍ରଭୃତିର ପ୍ରତ୍ୟକ ପାଷାଣ ଖଣ୍ଡରେ ପୂରି ରହିଛି—ସେହି ବିଜୟଗୀତି ତୁମେ ଗାଅ । ସେଥିରେ ଓଡ଼ିଆର ଆଖିରୁ ଝରୁ ଜଳ । କରୁଣ ରସରେ ହୃଦୟ ବିଧୌତ ହେଉ, ପୂର୍ବ ସ୍ମୃତି ଜାଗୁ, ଉତ୍କଳର ଶୁଭଦିନ ଆସିବ ।’’

 

କବି ମୁଣ୍ଡ ନୁଆଁଇ ଚରଣ ଧୂଳି ନେଲେ !

 

ହେମନ୍ତ ଋତୁର ମଲା ଜ୍ୟୋସ୍ନା । ଛାପି ଛାପିକା ଜହ୍ନ ଆଲୁଅ ଚାରିଆଡ଼େ ବିଛାଇ ପଡ଼ିଛି -ପାହାନ୍ତି ପହରର ଶୀତଳ ପବନ ବହିଆଣୁଛି ହିମ କଣିକା । କେଉଁ ଗହୀର ପାଟରେ ଟେଁ–ଟେଁଇଟିଏ କାତର ସ୍ୱରରେ ଡାକ ଛାଡ଼ୁଛି । ମଝିରେ ମଝିରେ ଭେରଣ୍ଡାର ରବ ରାତ୍ରିର ଭୀଷଣତାକୁ ଆହୁରି ଭୀଷଣତର କରି ତୋଳୁଛି । ଡାକ୍ତର ଓ ବାସନ୍ତୀ ଚାଲିଛନ୍ତି ନିରବରେ । ସେ ଦିଗକୁ ତାଙ୍କର ଲକ୍ଷ୍ୟ ନାହିଁ । ସତେ ଯେପରେ ଏ ଦୁଇଜଣ କେଉଁ ଅନନ୍ତ ପଥର ଯାତ୍ରୀ–ଯାତ୍ରାର ଶେଷନାହିଁ କି ବିରାମ ନାହିଁ; ଚାଲିଛନ୍ତି କି ଏକ ଅମୃତର ସନ୍ଧାନରେ । କିଛିଦୂର ଯିବାପରେ ବାସନ୍ତୀ ମୌନତା ଭାଙ୍ଗି କହିଲା—ଡାକ୍ତରବାବୁ ! ବର୍ତ୍ତମାନ ରାତି ପ୍ରାୟ ଶେଷ । ଚାଲନ୍ତୁ ବସାକୁ ଫେରିଯିବା । ଅନ୍ତତଃ ଶେଷ ରାତିରେ ଟିକିଏ ବିଶ୍ରାମ ନେଲେ ଅନିଦ୍ରାଦୋଷ ବାଧିବ ନାହିଁ ।

 

ଡାକ୍ତରବାବୁ ହସି ହସି କହିଲେ—ତୋ ବସା ଯେ ବର୍ତ୍ତମାନ ପୋଲିସ ଅଧୀନରେ । ରାତି ପାହିବା ପୂର୍ବରୁ ସେମାନେ ସେ ସ୍ଥାନ ଛାଡ଼ୁନାହାନ୍ତି । ଯିବା କିପରି ? ଏକ ଅଜଣା ଭୟ ଓ ଆତଙ୍କରେ ବାସନ୍ତୀ ଶିହରି ଉଠିଲା ।

 

ଡାକ୍ତର ତାର ମନର ଭାବ ବୁଝିପାରି କହିଲେ, ‘‘ଚିନ୍ତା କରିବାର କିଛି ନାହିଁ । ତା ପୂର୍ବରୁ ତୋ ଘରୁ ସମସ୍ତ କାଗଜପତ୍ର ଓ ରିଭଲଭର ଚାଲି ଯାଇଥିବ । ପୋଲିସ ତାଲା ଭାଙ୍ଗି କୌଣସି ପ୍ରମାଣ ନ ପାଇ ଫେରିଯିବ । ଏ ସମ୍ବାଦ ତୋତେ ଜଣାଇବାପାଇଁ ମୁଁ ଷ୍ଟେସନକୁ ଯାଇଥିଲି, ମାତ୍ର ଆବଶ୍ୟକ ପଡ଼ିଲା ନାହିଁ ।’’

 

—ତା ହେଲେ ଆଜି ରାତିଟା କଣ ଏହିପରି ମୁକ୍ତ ଆକାଶ ତଳେ କଟାଇଦେବା ? ବାସନ୍ତୀର ସଂକ୍ଷେପ ପ୍ରଶ୍ନ ।

 

ରାସ୍ତକଡ଼ରେ ଏକ ପଥର ଚଟାଣ ଉପରେ ବସିପଡ଼ି ଡାକ୍ତରବାବୁ କହିଲେ—ସେଟାତ ଭାଗ୍ୟରେ ଥିଲେ ମିଳେରେ ? ମୁକ୍ତ ଆକାଶତଳେ ମୁକ୍ତ ବିହଙ୍ଗମ ପରି ଉଡ଼ି ବୁଲିବା କଣ କମ୍‌ ଗୌରବର ବିଷୟ । ଏହିପରି ଗୋଟିଏ କାହିଁକି, କେତେ ରାତିଯେ ମୋର ବିତି ଯାଇଛି ତାର ହିସାବ ନାହିଁ । ସଂସାରର ସମସ୍ତେ ଯେତେବେଳେ ନିଦ୍ରାଦେବୀଙ୍କର ଶାନ୍ତିମୟ କ୍ରୋଡ଼ରେ ରିଶ୍ରାମ ନିଅନ୍ତି, ମୁଁ ସେତେବେଳେ ମୁକ୍ତ ଆକାଶତଳେ ଦେଖେ—ମାତୃଭୂମିର କରୁଣାମୟୀ ରୂପ । ସେଇହିଁ ମୋର ଆନନ୍ଦ ଏବଂ ସେହି ଅନିର୍ବଚନୀୟ ଆନନ୍ଦରେ ମୁଁ କେବଳ ବଞ୍ଚି ରହିଛି ଆଜିଯାଏଁ ।

 

ବାସନ୍ତୀ ତାଙ୍କ ନିକଟରେ ବସି ଧ୍ରୁବତାରାକୁ ଅନାଉଁ ଅନାଉଁ ପଚାରିଲା—ଆପଣ କଣ ଆଜି ପ୍ରକୃତରେ ରମେଶବାବୁଙ୍କୁ ହତ୍ୟା କରି ଥାଆନ୍ତେ ?

 

ଡାକ୍ତରବାବୁ ଦୃଢ଼ କଣ୍ଠରେ କହିଲେ— ତାର ଭୁଲ ସ୍ୱୀକାର କରି ନ ଥିଲେ ହୁଏ ତ ଅସମ୍ଭବ ହୋଇ ନ ଥାନ୍ତା ।

 

ବାସନ୍ତୀ ଚମକିପଡ଼ି କହିଲା—ଓଃ, କି ନିଷ୍ଠୁର ଆପଣ !

 

ଡାକ୍ତରବାବୁ ମ୍ଳାନ ହସ ହସି ଉତ୍ତରଦେଲେ—ମୁଁ ନିଷ୍ଠୁର ନୁହେଁ ବାସନ୍ତୀ । ମୋର ଜ୍ଞାତସାରରେ ମୁଁ କାହାରି ମନରେ କଷ୍ଟ ବି ଦେଇନାହିଁ । ମାତ୍ର ମାତୃଭୂମିର ମୁକ୍ତିପାଇଁ, ପୂଣ୍ୟମୟୀ ମାଆର ପୂର୍ଣ୍ଣାଙ୍ଗରୂପ ଦର୍ଶନ ପାଇଁ ମୁଁ ମୋର ସର୍ବଶ୍ରେଷ୍ଠ ସ୍ୱାର୍ଥ ଛାଡ଼ିବାକୁ ବି ପ୍ରସ୍ତୁତ ଅଛି । ମୁଁ ରକ୍ତପାତର ବିରୋଧୀ—ମାତ୍ର ମୋର ଯଦି ଧାରଣା ହେବ ଯେ, ମାତୃଭୂମି ରକ୍ତଚିତା ଚାହେଁ; ତେବେ ସେ ଯେ ହେଉନା କାହିଁକି, ମୁଁ ଅକୁଣ୍ଠିତ ଚିତ୍ତରେ ତାର ରକ୍ତ ମାତୃଭୂମିକୁ ଅର୍ପଣ କରିପାରିବି ।

 

ବାସନ୍ତୀ ଡାକ୍ତରଙ୍କର ଏ ପ୍ରକାର ଦୃଢ଼ତାରେ ଶିହରି ଉଠିଲା ଏବଂ ଡାକ୍ତରଙ୍କୁ ଜାବୁଡ଼ି ଧରି କମ୍ପିତ ସ୍ୱରରେ କହିଲା—ଆପଣ ଏ ପଥ ଛାଡ଼ନ୍ତୁ ଡାକ୍ତରବାବୁ ! ଏହା ଶାନ୍ତି ବା ପ୍ରଗତିର ପଥ ନୁହେଁ । ରକ୍ତ ଚାହେଁ ରକ୍ତ । ମୁଁ ଭଲଭାବରେ ଜାଣେ ଜଣକର ରକ୍ତ ଭୂଇଁରେ ପଡ଼ିବା ପୂର୍ବରୁ ସେ ଆଉ ଜଣକର ରକ୍ତକୁ ଆହ୍ୱାନ କରେ । ଏଣୁ ମୋର ଶେଷ ଅନୁରୋଧ—ଆପଣ ଏ ସବୁଛାଡ଼ି ଶାନ୍ତିର ପଥ ଧରନ୍ତୁ । କେତେଦିନ ଚୋର ପରି ବୁଲି ବୁଲି ନ ଖାଇ ନ ପିଇ କାଟିବେ । ବରଂ ବିବାହକରି ସୁଖରେ ଘର ସଂସାର କରି ସୁଯୋଗର ଅପେକ୍ଷାରେ ରହନ୍ତୁ । ଦିନେ ନା ଦିନେ ଏ ଦେଶବାସୀଙ୍କର ଚୈତନ୍ୟୋଦୟ ହେବ ଏବଂ ସେମାନେ ଆପଣଙ୍କ କଥାର ମର୍ମ ବୁଝିପାରିବେ । ସେତେବେଳେ ଆପଣଙ୍କ ପଥ ସୁଗମ ହେବ ।

 

ସୁଯୋଗ—ଡାକ୍ତର ଅଟ୍ଟହାସ କରି ଉଠିଲେ । ବାସନ୍ତୀ ସେ ଶବ୍ଦରେ ଚମକିପଡ଼ି ଦୂରେଇ ଗଲା ।

 

ସୁଯୋଗ କେବେ ଆପେ ଆସେନା ବାସନ୍ତୀ ! ତାକୁ ଖୋଜି ବାହାର କରିବାକୁ ହେବ । ତାହା ଗରୀବର କୁଟୀରରେ ନାହିଁ, ଅଛି ଧନୀକର ଅଟ୍ଟାଳିକାରେ । ଯେଉଁ ଧନୀ, ପୁଞ୍ଜିପତିମାନେ ନିଜର ସ୍ୱାର୍ଥ ସାଧନ ପାଇଁ, ନିଜ ଆସନର ଦୃଢ଼ତା ପାଇଁ ଦେଶର ସମୂହ ସ୍ୱାର୍ଥକୁ ପଳ ପଳ କରି ବଳୀ ଦେଉଛନ୍ତି, ସେହିମାନେ ତାକୁ ବନ୍ଦୀ କରିଛନ୍ତି ଲୁହା ସିନ୍ଦୁକରେ । ତାକୁ ପାଇବାକୁ ହେଲେ ଧନୀକର ଅଟ୍ଟାଳିବା ଧ୍ୱଂସ କରିବାକୁ ହେବ । ଏଥିରେ ବାଲି ଝଡ଼ିବ, ଇଟା ପଡ଼ିବ, ବଜ୍ରର ଝଙ୍କାର ହେବ, ସମୁଦ୍ର ମାଡ଼ି ଆସିବ । ତାକୁ ସହ୍ୟକରି ମରଣ ପଥର ଅଭିସାରିକା ସାଜି ଗତି କରିବାକୁ ପଡ଼ିବ । ସେତେବେଳେ ତୁମକୁ ଆଶୀର୍ବାଦ କରିବ ଏହି ନୀଳ ଆକାଶ, କୋଟି କୋଟି ଗ୍ରହ ନକ୍ଷତ୍ର ଓ ସର୍ବଂସହା ଧରଣୀ । କ୍ଷଣକପାଇଁ ଡାକ୍ତରଙ୍କ ଚକ୍ଷୁ ସ୍ଥିର ହୋଇଗଲା । ସେ ଯେପରି ଶୁଣିବାକୁ ପାଇଲେ—ବିଖଣ୍ଡିତ ଉତ୍କଳ ଜନନୀର କରୁଣ କ୍ରନ୍ଦନ । ବାସନ୍ତୀ ତାଙ୍କର ମୁହଁ ପରିଷ୍କାର ଦେଖି ପାରୁନଥିଲେ ମଧ୍ୟ ସବୁ ଅନୁମାନ କରିପାରୁଥିଲା ।

 

ତନ୍ଦ୍ରା ଭାଙ୍ଗିବାପରେ ଡାକ୍ତର ବାବୁ ରହସ୍ୟ କରି ପଚାରିଲେ—ବିବାହ ! ଆଉ ଏ ବୃଦ୍ଧ ବୟସରେ ମୋତେ ବା ବିବାହ କରିବ କିଏ ?

 

ଆଶ୍ଚର୍ଯ୍ୟ କଥା କହୁଛନ୍ତି ଆପଣ—ବାସନ୍ତୀ ଉତ୍ତରଦେଲା । ଆପଣ ଯଦି ଅନୁମତି ଦିଅନ୍ତେ ତେବେ ମୋର ଇଚ୍ଛା ହେଉଛି ମୁଁ ଚିରଦିନ ପାଇଁ ଆପଣଙ୍କୁ ପଣତ କାନିରେ ବାନ୍ଧି ରଖନ୍ତି-। ଯେଉଁଠାରେ ଶତୃର ଡାକ ପଶି ପାରନ୍ତା ନାହିଁ, କି ଦୁନିଆର କୌଣସି ବାଧାବିଘ୍ନ ଆସି ପାରନ୍ତା ନାହିଁ ! ବାସନ୍ତୀର କଥା ଶେଷ ନ ହେଉଣୁ ଡାକ୍ତରବାବୁ ହସି ହସି କହିଲେ—ତାହା ଯଦି ସମ୍ଭବ ହୁଅନ୍ତା, ତେବେ ମନୋରମା କେଉଁଦିନରୁ ସେ କାମ ଶେଷ କରି ସାରନ୍ତାଣି । ମାତ୍ର ମୁଁ ଯେ ସୃଷ୍ଟି ଛଡ଼ା ଜୀବ । ଏ ସୃଷ୍ଟିରେ କୌଣସି ଶକ୍ତି ମୋତେ ବାନ୍ଧି ରଖିପାରିବ ନାହିଁ । ମୋତେ କେବଳ ବାନ୍ଧି ରଖିବ, ଏଇ ମାତୃଭୂମିର ପଣତ କାନି—ଯେଉଁଦିନ ମୁଁ ସଂସାରରୁ ଚିର ବିଦାୟ ନେବି-

 

ବାସନ୍ତୀ ବିସ୍ମୟରେ ପଚାରିଲା—ପ୍ରେସିଡ଼େଣ୍ଟ କଣ ଆପଣଙ୍କ ସ୍ତ୍ରୀ ?

 

—ଅନ୍ତତଃପକ୍ଷେ ସେ ନାରୀତ୍ୱର ଗୌରବ ଅର୍ଜ୍ଜନ ବା ପତ୍ନୀତ୍ୱର ଅଧିକାର ପାଇ ନଥିଲେ ବି ମୁଁ ତାଙ୍କୁ ପତ୍ନୀରୂପେ ଗ୍ରହଣ କରିଛି ।

 

ଏକଥା ଶୁଣି ବାସନ୍ତୀ ଉତ୍ସାହ ସହକାରେ ସିଧାହୋଇ ବସିଲା । ପଚାରିଲା—ଆପଣ କଣ ଏଡ଼େ ନିଷ୍ଠୁର ? ଆପଣଙ୍କ ହୃଦୟରେ କଣ ଦୟାମାୟା କିଛି ନାହିଁ ?

 

—ହଁ ହୋଇପାରେ ! ମାତ୍ର ମୁଁ ଯେ ତାଙ୍କୁ ମୋ ପଥରେ ପଥିକ ନ ହେବାକୁ ବାରମ୍ବାର ଅନୁରୋଧ କରିଛି । ସେ କିନ୍ତୁ ଏକା ଜିଦ୍‌ଧରି ମୋ ପଛରେ ଧାଇଁଛନ୍ତି ।

 

ବାସନ୍ତୀ ପଚାରିଲା—ଆପଣଙ୍କ ସହିତ ତାଙ୍କର ପରିଚୟ ହେଲା କିପରି ? ଡାକ୍ତର କହିଲେ—ସେ ତ ବହୁତ କଥା । ତେବେ ସଂକ୍ଷେପରେ ତାହା ବର୍ଣ୍ଣନା କରୁଛି ଶୁଣ—

 

‘‘ମୁଁ ଯେତେବେଳେ ବମ୍ବେ କଲେଜରେ ପଢ଼ୁଥାଏଁ, ସେତେବେଳେ ତା ସହିତ ମୋର ପ୍ରଥମ ଦେଖା । ସରକାର ନିଶା ନିବାରଣ ଆଇନ ଜାରୀ କରିବାରୁ ବମ୍ବେର ଯୁବତୀ ସ୍ତ୍ରୀମାନେ ଚୋରା ମଦ କାରବାରରେ ଲିପ୍ତ ଥାଆନ୍ତି । ମନୋରମା ବି ତାଙ୍କରି ଦଳରେ ଥାଏ । ସୁନ୍ଦରୀ ଏଣେ ଯୁବତୀ, ତେଣୁ ପୋଲିସ ସନ୍ଦେହ କଲେ ବି ସେମାନଙ୍କୁ ଧରିବାର ସାହାସ କରେ ନାହିଁ । ମାତ୍ର ତାର ପରିଣାମ ଏତେ ବେଶୀ ହୋଇ ପଡ଼ିଲା ଯେ, ସରକାର ବିବ୍ରତ ହୋଇ ପଡ଼ିଲେ । ସ୍ପେଶାଲ ପୋଲିସ ଆସିଲେ । ଦିନେ ଦୈବାତ ସେ ଜଣେ ପୋଲିସ୍‌ ସବ୍‌ଇନ୍‌ପେକ୍ଟରଙ୍କ ନଜରରେ ପଡ଼ିଗଲା । ବହୁ କାକୁତି ମିନତି କଲେ ମଧ୍ୟ ପୋଲିସ ତାକୁ ଛାଡ଼ିଲାନାହିଁ । ଉକ୍ତ ପୋଲିସ ଅଫିସର ମୋର ସହପାଠୀ । ଏହି ଘଟଣା ଘଟିବାବେଳେ ମୁଁ ତାଙ୍କ ସଙ୍ଗରେ ଥାଏଁ । ଶେଷରେ ସେ ନିରାଶ ହୋଇ ତାଙ୍କୁ ଛାଡ଼ି ମୋ ନିକଟରେ କନ୍ଦାକଟା କଲା । ମୁଁ ତା ବିକଳ ସହି ନ ପାରି ପୋଲିସ ଅଫିସରଙ୍କୁ କହିଲି । ବନ୍ଧୁତା ଖାତିରିରେ ସେ ତାକୁ ଛାଡ଼ିଦେଲେ । ଏହାର କିଛିଦିନ ପରେ ସେ ଗଲା କଲିକତା ଏବଂ ମୁଁ ଚାଲିଗଲି ଜାପାନ । ତେଣୁ ଫେରିଆସି କଲିକତାରେ ମୁଁ ବିଶାଳ ଉତ୍କଳ ଗଠନ ଆନ୍ଦୋଳନ କରୁଥିବା...ବେଳେ ପୁଣିଥରେ ତା ସହିତ ଦେଖାହେଲା । ଦଳେ ଗୁଣ୍ଡା ତା ପଛରେ ଲାଗିଥାଆନ୍ତି । ସେ ଅନନ୍ୟୋପାୟ ହୋଇ ପୋଲିସରେ ଆତ୍ମସମର୍ପଣ କଲା । ପୋଲିସ ତାକୁ ତାର ପରିଚୟ ପଚାରିବାବେଳେ ମୁଁ ଯୋଗକୁ ଥାନାରେ ପହଞ୍ଚିଲି । ମନୋରମା ମୋତେ ଚିହ୍ନିପାରି ମୋର ସ୍ତ୍ରୀ ବୋଲି ପରିଚୟ ଦେଲା । ମୁଁ ତାକୁ ସେଠାରୁ ଆଣି ବମ୍ବେ ଫେରିଯିବାକୁ କହିଲି । ମାତ୍ର ସେ ଏକମତ ହେଲାନାହିଁ । ମୋ ନିକଟରେ ରହିବାକୁ ନିବେଦନ କଲା । ମୁଁ ତାକୁ ଆଣି ସାଂଗଠନିକ କାମରେ ଲଗାଇ ଦେଲି । ଏଇ ହେଉଛି ତା ସହିତ ମୋର ପରିଚୟ ।’’

 

ଡାକ୍ତରବାବୁଙ୍କ କଥା ଶେଷ ହେଲାବେଳକୁ ପ୍ରଭାତ ହୋଇ ଯାଇଥିଲା । ବାସନ୍ତୀ ଉଠି କହିଲା—ଚାଲନ୍ତୁ ବସାକୁ ଯିବା ।

 

ରମେଶ ଫେରି ଆସିଲା । ମାତ୍ର ପରାଜୟର ଗ୍ଳାନି ତା ଅନ୍ତରକୁ ଦଗ୍‌ଧ କରି ପକାଇଲା । ତାର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା । ବିଶେଷତଃ ଦୁଇଟି ନାରୀଙ୍କ ନିକଟରେ ଏ ଅପମାନ ତାକୁ ଶତ ଦୃଶ୍ଚିକର ଦଂଶନ ପରି ଅନୁଭୂତ ହେଲା । ରାତି ପାହିବା ସଙ୍ଗେ ସଙ୍ଗେ ସେ ଥାନାକୁ ଯାଇ ଦଳର ସମସ୍ତ ଗୁପ୍ତ ତଥ୍ୟ ପୋଲିସକୁ ଜଣାଇଦେଲା । ‘ଚ୍ଛିନ୍ନମସ୍ତା’ ସଂଘବେ ଆଇନ ଅସ୍ତ୍ର ଶସ୍ତ୍ର ରଖନ୍ତି ଓ ଫେରାଇ ବିପ୍ଳବୀ ଡାକ୍ତର ରାୟ ଯେ ସେ ଦଳ ପରିଚାଳନା କରନ୍ତି ତାହା ମଧ୍ୟ ସୂଚାଇଦେଲା । ପୋଲିସର ପୁପ୍ତ ବୈଠକରେ ସିଦ୍ଧାନ୍ତ ହେଲା ଯେ, ଆଜି ରାତିରେ ଅତର୍କିତ ଆକ୍ରମଣ କରି ଡାକ୍ତରକୁ ବନ୍ଦୀ କରିବାକୁ ହେବ । ଡାକ୍ତର ଧରାପଡ଼ିଲେ ଯେ ଆଜୀବନ କାରାଦଣ୍ଡରେ ଦଣ୍ଡିତହେବେ ଏହା ରମେଶ ଭଲ ଭବାରେ ଜାଣିଥିଲା । ତେଣୁ ଆନନ୍ଦରେ ସେ ଦିନଟା ବିତାଇଦେଲା ।

 

ରାତିର ପ୍ରଥମ ପ୍ରହରରେ ପୋଲିସ ସଦଳବଳେ ଆସି ଅଫିସ ଘର ଘେରାଉକଲେ । ମାତ୍ର ଚତୁର ଶୁଆ ସେତେବେଳକୁ ପିଞ୍ଜରା ଛାଡ଼ି ଉଡ଼ି ଯାଇଥାଏ ଦୂରକୁ । ପୋଲିସ କୌଣସି ଚିହ୍ନ ବର୍ଣ୍ଣ ବି ପାଇଲେ ନାହିଁ । ପୋଲିସ ସାହେବ ରମେଶକୁ କହିଗଲେ ଯଦି ମାସକ ମଧ୍ୟରେ ଡାକ୍ତର ରାୟଙ୍କର କୌଣସି ସନ୍ଧାନ ନ ଦିଅ ତେବେ ତୁମ ବିରୁଦ୍ଧରେ ସରକାରଙ୍କୁ ଠକାଇଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରମେଶର ସବୁ ସୁଖ ସ୍ୱପ୍ନ କ୍ଷଣକରେ ଉଭେଇଗଲା । ଏ ପ୍ରକାର ଅବସ୍ଥାରେ ଆଉ ଏ ସ୍ଥାନରେ ରହିବା ତା ପକ୍ଷରେ ଶୁଭକର ନୁହେଁ ଭାବି, ସେ ସ୍ଥାନ ଛାଡ଼ିବାକୁ ମନସ୍ଥ କରି ଚନ୍ଦ୍ରାଠାରୁ ଶେଷ ବିଦାୟ ନେବାକୁ ଗଲା ।

 

ଚନ୍ଦ୍ରା ବାରଣ୍ଡାରେ ବସି ଉଲରେ ଏକ ନୂଆ ଡିଜାଇନ ତିଆରି କରିବାପାଇଁ ଚେଷ୍ଟା କରୁଥିଲା । ହଠାତ୍‌ ଅସମୟରେ ଏବଂ ଅଯାଚିତ ଭାବରେ ସେ ରମେଶକୁ ଦେଖି ପ୍ରଥମେ ଚମକି ପଡ଼ିଲା । ରମେଶ ଭାବିଥିଲା, ନିଜର ଦୁଃଖ ଓ ଦୁର୍ଦ୍ଦଶା ଜଣାଇ ସେ ଚନ୍ଦ୍ରାଠାରୁ କୌଣସି ସାହାଯ୍ୟ ପାଇବ । ମାତ୍ର ଚନ୍ଦ୍ରା କହିଲା ମୋ ଠାରୁ କୌଣସି ସାହାଯ୍ୟ ଆଶା କରିବା ଆପଣଙ୍କ ପକ୍ଷେ ଠିକ୍‌ ହେବନାହିଁ । ମୁଁ ମୋର ମତି ଓ ଗତି ବଦଳାଇ ଦେଇଛି । ଭାବିଛି, ଏହିପରି ଚିର କୁମାରୀ ରହି ଶେଷ ଜୀବନଟା କଟାଇଦେବ । କାରଣ ମୁଁ ଏଥର ଭଲଭାବରେ ବୁଝିପାରିଛି ଯେ ସମୁଦାୟ ପୁରୁଷ ଜାତିଟା ସ୍ୱାର୍ଥପର ।

 

ରମେଶ ନିରାଶ ଭାବରେ ଫେରିଗଲା ।

 

ପରଦିନ ସୂର୍ଯ୍ୟାସ୍ତ ପୂର୍ବରୁ ପୁବେଇ ଆକାଶରେ ଦେଖାଦେଲା ଖଣ୍ଡିଏ କଳାମେଘ । ତାପରେ ଆରମ୍ଭ ହେଲା ବର୍ଷା । ମେଘ, ପବନ, ବଜ୍ର ସବୁ ଯେପରି ଏକା ବେଳକେ ପ୍ରଳୟ ରୂପରେ ପୃଥିବୀକୁ ମାଡ଼ି ଆସିଲେ । ମଝିରେ ମଝିରେ ବିଦ୍ୟୁତ୍‌ର ଝଲକ । ଏତିକିବେଳେ ବାସନ୍ତୀର ଦୁଆର ମୁହଁରେ ଜଣେ କୁଣ୍ଠରୋଗୀ ପହଞ୍ଚିଲେ । ହାତରେ ଟିଣ ଡିବାଟିଏ । ସେଥିରେ କେତୋଟି ପଇସା—କାନ୍ଧରେ ଏକ ବୁକୁଚା । ବାସନ୍ତୀର ଦୁଆର ମୁହଁରେ ପହଞ୍ଚି କୁଣ୍ଠରୋଗୀଟି ଅତି ସତର୍କତାର ସହିତ ଚାରିଆଡ଼େ ଥରେ ଚାହିଁଲା । ତାପରେ ଡାକିଲା—ଆଜି ରାତିଟା ଟିକିଏ ଆଶ୍ରୟ ଦେବକି ମା’ !

 

ବାସନ୍ତୀ ଓ ମନୋରମା ଉଭୟେ ବସି କଥାବାର୍ତ୍ତା ହେଉଥିଲେ । ଦିନ ଦୁଇ ଚାରିଟାରେ କଣ ବା ଘଟି ନ ଗଲା ! ଡାକ୍ତରବାବୁଙ୍କର ଖବର ନାହିଁ । ପୋଲିସର ସତର୍କ ଦୃଷ୍ଟି । ଦଳର ସମସ୍ତ ପୁରୁଷ ସଭ୍ୟମାନେ ପୋଲିସର ନଜର ବନ୍ଦୀରେ । ପ୍ରବଳ ରାଜଶକ୍ତି ଆଗରେ ଦୁଇ ଜଣ ନାରୀଙ୍କର ବା ସାହସ କେତେ ଯେ ସେମାନେ ମୁଣ୍ଡ ଟେକି ଠିଆ ହେବେ ? ଲାଜକୁଳି ଲତା ଯେତେ ଟାଣ ହେଲେ ବି ପ୍ରଚଣ୍ଡ ପବନ ପାଖରେ ମୁଣ୍ଡ ନଇଁବାକୁ ବାଧ୍ୟ ହୁଏ । ବାସନ୍ତୀ ଦୀର୍ଘ ନିଃଶ୍ୱାସଟାଏ ପକାଇ କହିଲା—‘‘ଅପା ! ସବୁ ମେଘ କଣ ଆଜି ପାଇଁ ଠୁଳ ହୋଇଥିଲା ?’’

 

ମନୋରମା ଗମ୍ଭୀର ଭାବରେ କହିଲେ—‘‘ହଁ, ମନେ ହେଉଛି ଆଜି ଯେପରି ପ୍ରଳୟ ହୋଇଯିବ ? ଅଦିନ ମେଘ—ଦେହ ଥରି ଉଠୁଛି । କେବଳ ଆମର କାହିଁକି—ସାରା ଓଡ଼ିଶା ଆକାଶରେ ତ ଏହିପରି କଳା ମେଘ ଢାଙ୍କି ରହିଛି । ଏ ମେଘ କେବେ କଟିବ କିଏ ଜାଣେ ? ସମସ୍ତେ ମାତିଲେ ନିଜ ନିଜର ସୁଖରେ । ଏଣେ ପଡ଼ୋଶୀ ବିହାର, ବଙ୍ଗ, ମଧ୍ୟପ୍ରଦେଶ, ମାନ୍ଦ୍ରାଜ, ଓଡ଼ିଶାରୁ ଖଣ୍ଡେ ଖଣ୍ଡେ କାଟିନେଇ ନିଜର ଅଙ୍ଗ ପୁଷ୍ଟ କରୁଛନ୍ତି । ଏଥିରେ କିନ୍ତୁ କାହାରି ଦେହ ଥରି ଉଠୁନାହିଁ ! ତା ପରେ ଏ ବିଶ୍ୱାସଘାତକ ଦଳ ପଦେ ପଦେ ବାଧା ଦେଉଛନ୍ତି । ଆଉ କଣ ସେ ଗୋପବନ୍ଧୁ ଗୋଦାବରୀଶ, ମଧୁସୂଦନ ଅଛନ୍ତି ? ଆଜି ଯଦି ସେମାନେ ଉତ୍କଳର ଏ ଦୁର୍ଦ୍ଦଶା ଦେଖନ୍ତେ—ତେବେ ସହି ପାରନ୍ତେ ତ ? ହଠାତ୍‌ ସେମାନଙ୍କ କଥାରେ ବାଧା ପଡ଼ିଲା । ବାହାରୁ ଡାକ ଶୁଭଲା—ଆଶ୍ରୟ ଟିକିଏ ମିଳିବ କି ମା’ । ବାସନ୍ତୀ ସେ କଣ୍ଠସ୍ୱର ଶୁଣି ଚମକି ପଡ଼ିଲା । ତାପରେ ଧୀରେ ଧୀରେ ଆସି କବାଟ ଖୋଲି ଦେଖିଲା ଜଣେ କୁଣ୍ଠରୋଗୀ । ସେ କିଛି ନ କହି ଦ୍ୱାର ବନ୍ଦ କରିବାକୁ ଯାଉଥିବା ସମୟରେ କୁଣ୍ଠରୋଗୀଟି ଘର ଭିତରକୁ ପଶିଯାଇ କହିଲା—ସବୁ ନିରାପଦ ତ ? ବାସନ୍ତୀ ବିସ୍ମୟରେ ପଚାରିଲା—ଡାକ୍ତରବାବୁ !

 

ଉଭୟେ କବାଟ ବନ୍ଦକରି ଘର ଭିତରକୁ ଗଲେ । କାନ୍ଧର ବୁକୁଚାଟି ଟେବୁଲ ଉପରେ ଥୋଇ ଡାକ୍ତର ମନୋରମାକୁ ଦେଖି କହିଲେ—ସୌଭାଗ୍ୟ ମୋର । ନଚେତ୍‌ ପୁଣି ଥରେ ତୁମ ପାଖକୁ ଯିବାକୁ ପଡ଼ି ଥାଆନ୍ତା ?

 

ମନୋରମା ଡାକ୍ତରଙ୍କର ଚରଣଧୂଳି ନେଇ ଉତ୍ତରଦେଲା—ଆମେ ଭାବିଥିଲୁ ଆପଣ ବୋଧହୁଏ ଏ ସ୍ଥାନ ଛାଡ଼ି ଚାଲିଗଲେ ।

 

ଡାକ୍ତରବାବୁ ମ୍ଳାନ ହସ ହସି କହିଲେ—ତାହା କି ସମ୍ଭବ । ତୁମକୁ ନ ଜଣାଇ ଯାଆନ୍ତି କିପରି ? ଆଚ୍ଛା—ବାସନ୍ତୀ ! ମୋତେ ଟିକିଏ କଣ ଖାଇବାକୁ ଦିଅ । ମୁଁ ଆଜି ରାତି ମଧ୍ୟରେ ମେଦିନୀପୁର ଯିବି । ଶୁଣିଲି ସେଠାରେ ଯେଉଁ ଓଡ଼ିଆମାନେ ସୀମା ଆନ୍ଦୋଳନରେ ଯୋଗ ଦେଇଥିଲେ, ସେମାନଙ୍କ ଉପରେ ପ୍ରବଳ ଅତ୍ୟାଚାର ଚାଲିଛି । ସେଠାରେ ଥିବା ଆମର ସଂଗଠନ ବର୍ତ୍ତମାନ ଭାଙ୍ଗିଯିବା ଉପରେ ।

 

ମନୋରମା ଧୀର ଭାବରେ ପଚାରିଲା—ଆଜି ରାତିଟା କଣ ରହିଗଲେ ଚଳନ୍ତା ନାହିଁ-?

 

ଡାକ୍ତର ନିଜର ସ୍ୱଭାବ ସୁଲଭ ହସ ହସି ଉତ୍ତର ଦେଲେ—ହଜାର ହଜାର ପ୍ରାଣର କାତର କ୍ରନ୍ଦନ ଶୁଣି ମୁଁ କି ଥୟ, ହୋଇପାରେ ? ଏତ ସାମାନ୍ୟ ମେଘ । ପ୍ରଳୟ କାଳର ବଜ୍ର ଯଦି ସ୍ୱଦେହରେ ଉପସ୍ଥିତ ହୁଏ, ତେବେ ସେ ବି ମୋର ପଥରୋଧ କରି ପାରିବନାହିଁ । କଥା ମଝିରେ ବାସନ୍ତୀ ପଚାରିଲା—ପୁଣି କେବେ ଏଠାକୁ ଆସିବେ ?

 

—ଠିକ୍‌କରି ତ କହି ପାରୁନାହିଁ । ତେବେ ମାସକ ମଧ୍ୟରେ ନୁହେଁ । ଇଚ୍ଛା ଅଛି—ଦକ୍ଷିଣକୁ ଯିବା ବାଟରେ ଏଠାରେ ଦିନେ ଦୁଇଦିନ ରହିବି । ତା ପରେ ଡାକ୍ତର ବାସନ୍ତୀକୁ ଉଦ୍ଦେଶ୍ୟ କରି କହିଲେ—ଅଜିତ ଫେରି ଆସିଛି । କାଲି ଷ୍ଟେସନ ହୋଟେଲରେ ତା ସହିତ ମୋର ସାକ୍ଷାତ ହୋଇଥିଲା । ବିଚାରାର ମା’ ମରିଯାଇଥିବାରୁ ବଡ଼ ମ୍ରିୟମାଣ ହୋଇ ପଡ଼ିଛି ।

 

ବାସନ୍ତୀ ଆହତା ନାଗୁଣୀ ପରି ଗର୍ଜ୍ଜିଉଠି କହିଲା—ତା’ପାଇଁ ଆପଣ ଏବେ ବ୍ୟସ୍ତ ହୋଇ ପଡ଼ୁଛନ୍ତି କାହିଁକି ? ଚୁଲିକି ଯାଉ ସେ....

 

ଆହା-ହାଃ ଏପରିକଥା ମୁହରେ ଆଣ ନା’ ଭଉଣୀ—ଡାକ୍ତରବାବୁ କଥା ମଝିରେ ବାଧା ଦେଇ କହିଲେ । ବିଚାରା ଦୁଃଖରେ ଏପରି ଭାଙ୍ଗିପଡ଼ିଛି ଯେ, ଏତେବେଳେ ଯଦି ତୋର ସାହାଯ୍ୟ ନ ପାଏ, ତେବେ ବଞ୍ଚିବା ବୋଧହୁଏ ତା ପକ୍ଷରେ ସମ୍ଭବ ହେବ ନାହିଁ । ଏତେବଡ଼ ରତ୍ନଟା ହରାଇବା ଦେଶ ପକ୍ଷରେ କମ୍‌ କ୍ଷତିକାରକ ନୁହେଁ ? ତୁ ତାକୁ ନିଜ ପାଖକୁ ନେଇଆସେ ମଣିଷ କରି ଗଢ଼ିବୁ, ଏହା ହିଁ ମୋର ଆନ୍ତରିକ ଇଚ୍ଛା । କିଛି ସମୟ ନିରବ ରହି ଡାକ୍ତରବାବୁ ପୁଣି କହିଲେ–ବର୍ତ୍ତମାନ ପୋଲିସ ତୁମର ପ୍ରତି ପଦକ୍ଷେପରେ ସଜାଗ ଦୃଷ୍ଟି ରଖିଛି । ଏଣୁ ପ୍ରତି ମୁହୂର୍ତ୍ତରେ ସାବଧାନ ହୋଇ ଚଳିବାକୁ ହେବ । ବର୍ତ୍ତମାନ ଗପ କରିବାକୁ ମୋ ପାଖରେ ସମୟ ନାହିଁ । ଶୀଘ୍ର ଖାଇବାକୁ ଦିଅ ।

 

ବାସନ୍ତୀ ଖାଇବା ପାଇଁ ଆୟୋଜନ କରିବାକୁ ଚାଲିଗଲା । ମନୋରମା ପଚାରିଲା—ମୁଁ କଣ କରିବି ?

 

ଡାକ୍ତରବାବୁ ଅନ୍ୟମନସ୍କ ଭାବରେ ଉତ୍ତର ଦେଲେ—‘‘ତୁମ ପ୍ରତି ତ ବହୁତ କିଛି ଆଦେଶ ଅଛି । ମାତ୍ର ସେଟା ଆଦେଶ କି ଅନୁରୋଧ ଠିକ୍‌ କରିପାରୁନାହିଁ । ହଉ ତେବେ ଶୁଣ—ତୁମେ ବହୁତ ଦିନରୁ ମରିଚିକା ପଛରେ ଧାଇଁଛ । ମୁଁ ଜାଣି ଶୁଣି ଯେତେ ଦୂରକୁ ଚାଲିଗଲେ ମଧ୍ୟ ତୁମେ ମୋର ଅସ୍ତିତ୍ୱକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁ । ନାରୀର ଗୌରବ ତୁମେ ପାଇନା, ସ୍ତ୍ରୀତ୍ୱର ଗର୍ବ ବୋଧ କରିନା, ଆଦରର ବାଣୀ ବି ଦିନେ ଶୁଣିନା; ତଥାପି ତୁମେ ମୋର ସାନ୍ନିଧ୍ୟ ଲାଗି କରିବାକୁ ଇଚ୍ଛୁକ କାହିଁକି ? ଡାକ୍ତରବାବୁ ନିରବ ରହିଲେ । ମୁହୁର୍ତ୍ତକ ପାଇଁ ଘର ଭିତରେ ନିସ୍ତବ୍‌ଧତା ଛାଇଗଲା । ଉଭୟେ ଉଭୟଙ୍କୁ କିଛି ସମୟ ଚାହିଁବା ପରେ ଡାକ୍ତରବାବୁ ପୁଣି ଥରେ କଥା ଆରମ୍ଭକଲେ । କହିଲେ—ମନୋରମା ! ମୁଁ ତୁମ ଜୀବନଟାକୁ କେବଳ ସାହାରାର ମଧୁପରି ଧୂ ଧୂ ଜଳାଇ ଦେଇଛି । ଏଥିପାଇଁ କଣ କ୍ଷମା ଦେବନି ? ମନୋରମା ତଳକୁ ହଁ ପୋତିଲେ । ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ି ପଡ଼ିଲା । ଡାକ୍ତରବାବୁ ନିଜର ବାମ ହସ୍ତଟି ତାଙ୍କର କାନ୍ଧରେ ରଖି କହିଲେ—ତୁମେ ବିଜୟିନୀ ! ଆସ ମୁଁ ତୁମକୁ ବିଜୟରଟୀକା ପିନ୍ଧାଇ ଦିଏଁ ।’’

 

ମନୋରମା ନୀରବରେ ବସିବା ସ୍ଥାନରୁ ଉଠି ତାଙ୍କ ନିକଟକୁ ଚାଲିଆସିଲା । ଡାକ୍ତର ପକେଟରୁ ସିନ୍ଦୁର ଡିବାଟି ବାହାର କରି ମନୋରମାର ମସ୍ତକରେ ପିନ୍ଧାଇ ଦେଲେ । ମନୋରମା ତାଙ୍କର ଚରଣ ଧୂଳି ମୁଣ୍ଡରେ ମାରି କହିଲା—‘‘ଏଇ ଟିକିକ ଯେ କୌଣସି ନାରୀ ପକ୍ଷେ ଯଥେଷ୍ଟ । ମୋର ଆଉ କିଛି ଆବଶ୍ୟକ ନାହିଁ ।’’ ଡାକ୍ତରବାବୁ ତାଙ୍କର ଚୂର୍ଣ୍ଣ କୁନ୍ତଳଗୁଡ଼ିକ ସଜାଇ ଦେଉଁ ଦେଉଁ କହିଲେ—‘‘ଆଜି ଏ ଦୁର୍ଦ୍ଦିନରେ, ଜୀବନ ମରଣର ସନ୍ଧି କ୍ଷଣରେ ମୁଁ ତୁମକୁ ଧର୍ମପତ୍ନୀ ରୂପେ ଗ୍ରହଣ କଲି । ମାତ୍ର ମନୋରମା ! ତୁମ ଜୀବନର ସମ୍ବଳ ପାଇଁ କିଛି ରଖି ଯାଉନି । କେବଳ ରଖିଯାଉଛି—ମୋ ଧର୍ମର ଦାୟିତ୍ୱ ଏବଂ ଏ ଦେଢ଼ କୋଟି ଉତ୍କଳର ସନ୍ତାନ । ମୋର ଇଚ୍ଛା—ତୁମେ ତାଙ୍କରି ହୃଦୟରେ ନିଜ ହୃଦୟକୁ ମିଳାଇ ଦେଇ ‘ଚ୍ଛିନ୍ନମସ୍ତା’ ଉତ୍କଳ ଜନନୀର ସେବାରେ ବ୍ରତୀ ହୁଅ । ଯେଉଁମାନେ ପେଟ ଚାଖଣ୍ଡକ ଲାଗି ନିଜ ନିଜର ନବ ପରିଣତା ପତ୍ନୀକୁ ଛାଡ଼ି ସୁଦୂର ଆସାମ, ବଙ୍ଗ ପ୍ରଭୃତିରେ ହା ହୁତାଶରେ ଦିନ କାଟୁଛନ୍ତି; ସେମାନଙ୍କୁ ନିଜ ମାତୃଭୂମିକୁ ଫେରାଇ ଆଣିବାପାଇଁ ନିଜର ସମସ୍ତ ଶକ୍ତି ଉତ୍ସର୍ଗ କର । ଦେଖିବ, ସେମାନଙ୍କ ଆନନ୍ଦରେ ମା’ମୋର ହସି ଉଠିବ । ସେତେବେଳେ ସେଇମାନଙ୍କ ମାଧ୍ୟମରେ ତୁମେ ଦେଖିବ ମୋର ସ୍ୱରୂପ । ମୋର ବିଶ୍ୱାସ–ଉତ୍କଳ ଜନନୀର ଏହି ଦୀନ, ହୀନ ସନ୍ତାନମାନଙ୍କୁ ନିଜର ସନ୍ତାନରୂପେ ପାଳନ କଲେ ତୁମେ ତୁମର ସମସ୍ତ ଦୁଃଖ ଭୁଲିଯିବ ।’’

 

ମନୋରମାର ସମସ୍ତ ପୁଞ୍ଜିଭୂତ ବେଦନା ଜାଗି ଉଠିଲା । ନିଜର ଅତୀତ ଜୀବନ ତା ଆଗରେ ଚଳଚିତ୍ର ଭଳି ଭାସି ଉଠିଲା । ଧୈର୍ଯ୍ୟ ଧରି ନ ପାରି କେବଳ କାନ୍ଦିବାରେ ଲାଗିଲା । ଡାକ୍ତରବାବୁ ସାନ୍ତ୍ୱନା ଦେଇ କହିଲେ—‘‘ଆଉ ପଛକୁ ଫେରନାହିଁ । ବର୍ତ୍ତମାନ ସମ୍ମୁଖରେ କଠୋର କର୍ତ୍ତବ୍ୟ । ଆଗେଇ ଚାଲ ଏବଂ ମନେରଖ—ଯେଉଁ ଦେଶର ଜନନୀ ନିଜର ସନ୍ତାନକୁ ବୀର ବେଶରେ ସଜାଇ ରଣଭୂମିକୁ ପଠାଇଦିଏ, ଯେଉଁ ଦେଶର ସ୍ତ୍ରୀ ଶ୍ମଶାନରେ ବୁଲି ନିଜର ସ୍ୱାମୀ ସମ୍ମୁଖ ଯୁଦ୍ଧରେ ମରିଥିବାର ଗୌରବ ପାଇବାକୁ ଲାଳାୟିତ ହୁଏ, ସେହି ପୁଣ୍ୟଭୂମିରେ ତୁମର ଜନ୍ମ-।’’ ଡାକ୍ତରବାବୁ ନିଜର ବିଛଣାପତ୍ର ବନ୍ଧା ବନ୍ଧି କଲେ ।

 

ବାସନ୍ତୀ ଫେରିଆସି କହିଲା—ଖାଇବାର ସମସ୍ତ ଆୟୋଜନ ସରି ଗଲାଣି ଚାଲନ୍ତୁ । ତା’ପରେ ମନୋରମା କାନ୍ଦୁଥିବାର ଦେଖି ତା ନିକଟକୁ ଗଲା । ଦେଖିଲା ମୁଣ୍ଡରେ ସିନ୍ଦୂରର ଟିପା । ମୁହୂର୍ତ୍ତକ ମଧ୍ୟରେ ଆଉ ତାକୁ ବୁଝିବାକୁ କିଛି ବାକି ରହିଲା ନାହିଁ । ତେଣୁ ସେ ନିରବରେ ସେଠାରୁ ଚାଲିଯାଇ ତିନିଟି ପାତ୍ରରେ ଜଳଖିଆ ଆଣି ପହଞ୍ଚିଲା !

 

ଖିଆପିଆ ଶେଷ ହେଲା । ଡାକ୍ତରବାବୁ କହିଲେ—‘‘ମୋତେ ବିଦାୟ ଦିଅ । କବିଙ୍କୁ ମୋର ଆଶୀର୍ବାଦ ଜଣାଇଦେବ ଏବଂ କହିବ—ସେ କେବଳ ଲେଖିବେ ଚାରଣ ସଙ୍ଗୀତ, ଯେଉଁ ସଙ୍ଗୀତର ଲହରରେ ମା’ ପୁଅକୁ, ସ୍ତ୍ରୀ ସ୍ୱାମୀକୁ ହସି ହସି ପଠାଇଦିଏ ଯୁଦ୍ଧ ଭୂଇଁକୁ । ବିଲର ଚଷାଠାରୁ ଆଶ୍ରମର ମୁନି ଋଷି ପର୍ଯ୍ୟନ୍ତ ଯେଉଁ ସଙ୍ଗୀତରେ ଆକୃଷ୍ଟହୋଇ ମାତୃଭୂମିର ଉଦ୍ଧାର ପାଇଁ, ତଥା ‘ଚ୍ଛିନ୍ନମସ୍ତା’ ଉତ୍କଳ ଜନନୀର ପୂର୍ଣ୍ଣାଙ୍ଗ ରୂପ ଦର୍ଶନ ପାଇଁ ହସି ହସି ମରଣ ମୁହଁରେ ଛାତି ପତାଇ ଦେବେ । ମୁଁ ଯାଉଛି ।’’

 

ଡାକ୍ତରବାବୁ ବୁକୁଚାଟି ପିଠିରେ ଥୋଇ ବାହାରିଲେ । ବାସନ୍ତୀ ଓ ମନୋରମା ତାଙ୍କର ପାଦ ଛୁଇଁ ପ୍ରଣାମ କଲେ । ମେଘ ଅନ୍ଧାର ଓ ବଜ୍ରର ଝଙ୍କାରରେ ଡାକ୍ତରବାବୁ ଉଭେଇଗଲେ । ଏକମାତ୍ର ବିଜୁଳି ପଥ ପ୍ରଦର୍ଶକ ରୂପେ ଆଗେ ଆଗେ ଚାଲିଲା । ମନୋରମା ଓ ବାସନ୍ତୀ ତାଙ୍କର ଯିବା ପଥକୁ ଚାହିଁ ରହିଲେ । ଏହିପରି କେତେ ସମୟ ଯେ ବିତିଗଲା କାହାରିକୁ ଜଣାନାହିଁ । ହଠାତ୍‌ ଦମକାଏ ଥଣ୍ଡା ପବନ ବହି ଆସି ଘରର ବତୀ ଲିଭାଇ ଦେଲା । ମନୋରମା ଓ ବାସନ୍ତୀ ଚେତନା ଫେରି ପାଇଲେ ।

 

ଯେଉଁ ମମତାର ଡୋରିରେ ଅଜିତ ଟାଟାନଗରୀରୁ ଟାଣି ହୋଇ ଆସିଥିଲା, ତାର ବନ୍ଧନ ସେ ରଖିପାରିଲା ନାହିଁ । ଘରେ ପହଞ୍ଚିବା ପୂର୍ବରୁ ମାଆ ତାର ଚାଲିଯାଇଥିଲେ ଆର ପୁରକୁ-। ଅଜିତ ଦେଖିଲା ଶୂନ୍ୟ ମନ୍ଦିର । ମଆଙ୍କର ଶୁଦ୍ଧିକ୍ରିୟା ବଢ଼ାଇ ଆଉ ତାର ଚାକିରି କରିବାକୁ ଇଚ୍ଛା ହେଲାନାହିଁ । ଦିନଯାକ ମୂକପରି ଗୋଟିଏ ଯାଗାରେ ବସି ରହିଲା । ତାକୁ ଏପରି ଅବସ୍ଥାରେ ଦେଖି ଭାଇ ତାର ପ୍ରମାଦ ଗଣିଲେ । ତେଣୁ ତାକୁ ଅନ୍ୟମନସ୍କ କରାଇବାପାଇଁ ଦିନେ ଡାକି କହିଲେ—ତୋର ଛୁଟି ସମୟ ତ ପୂରିଗଲାଣି ଚାକିରିକୁ କେବେ ଯାଉଛୁ ? ଅଜିତ ସ୍ପଷ୍ଟ ଜଣାଇଦେଲା ଯେ, ସେ ଆଉ ଚାକିରି କରିବ ନାହିଁ । ବହୁ ବୁଝା ସୁଝା ପରେ ନିରାଶ ହୋଇ ଶେଷରେ ସେ ନିଜର ପୁଅ ଝିଅ ଦୁଇଟିଙ୍କୁ ଅଜିତ ହାତରେ ଧରାଇ ଦେଇ କହିଲେ—ଏଇମାନଙ୍କ ମୁହଁକୁ ଥରେ ଚାହାଁ । ଏମାନଙ୍କପାଇଁ ସବୁ ଦୁଃଖ ଭୁଲି ତୋତେ ପୁଣି ଚାକିରି କରିବା ପାଇଁ ଯିବାକୁ ହେବ । ନଚେତ୍ ମୁଁ ଏମାନଙ୍କ ମୁହଁରେ ଢୋକ ଦେଇ ପାରିବି ନାହିଁ । ମାତ୍ର କୌଣସି ପ୍ରକାର ମାୟା ମମତା ଅଜିତକୁ ଟଳାଇ ପାରିଲାନାହିଁ । ଘରେ ଅଶାନ୍ତି ଦେଖାଦେଲା । ଭାଇ ଭାଇଙ୍କ ମଧ୍ୟରେ କଳି ଲାଗିଲା । ଅଜିତ ଏ ସବୁ ଶୁଣେ, ବୁଝେ ମାତ୍ର ନିରବ ରହେ । ଶେଷରେ ଦିନେ ଭାଉଜ ପରିଷ୍କାର ଶୁଣାଇଦେଲେ—ଯଦି ଚାକିରି ନ କରିବ ତେବେ ବସି ଖାଇବାକୁ ଆସିବ କେଉଁଠୁ-? ଏ ପ୍ରକାର ପରିସ୍ଥିତିରେ ସେ ଆଉ ଭାଇ ଭାଉଜଙ୍କର ଗଳଗ୍ରହ ହୋଇ ପଡ଼ି ରହିବାକୁ ପସନ୍ଦ ନ କରି ନିଜ ବାଟରେ ଚାଲିଗଲା ।

 

ଡାକ୍ତରବାବୁଙ୍କ ଯିବାର ଦୁଇଦିନ ବିତିଗଲା । ବାସନ୍ତୀକୁ କିଛି ଭଲ ଲାଗୁନାହିଁ । ପ୍ରବହମାନା ନଦୀର ଗତି ପଥରେ ବାଧା ଆସି ପହଞ୍ଚିଲେ ସେ ଯେପରି ଭଉଁରୀ କାଟି ଗତି ପଥ ଖୋଜେ, ଚିର-ଜୀବନ କର୍ମତତ୍ପରା ବାସନ୍ତୀ ସେହିପରି ନିଜର ଗତି ପଥ ଖୋଜୁଛି । ମାତ୍ର କୁଆଡ଼େ କିଛି ଥଳ କୂଳ ପାଉନାହିଁ । ସମୟ କଟାଇବା ବାହାନାରେ ବର୍ତ୍ତମାନ ସମ୍ବାଦପତ୍ର ହିଁ ତାର ଏକ ମାତ୍ର ସମ୍ବଳ । ସେଦିନ ସେ ସମ୍ବାଦ ପତ୍ରର ପୃଷ୍ଠା ଲେଉଟାଇ ଦେଖିଲା, ପାର୍ଲାମେଣ୍ଟରେ ଘରୋଇବିଭାଗ ମନ୍ତ୍ରୀ ଭାଷଣ ଦେଇଛନ୍ତି— ‘‘ଓଡ଼ିଶାର ସୀମାଦାବୀ ଚିରଦିନ ପାଇଁ ନିଷ୍ପତ୍ତି ହୋଇ ଯାଇଛି । ଏ ବିଷୟରେ ଆଉ କୌଣସି ଆପତ୍ତି ଶୁଣାଯିବ ନାହିଁ ।’’ ବାସନ୍ତୀ ଦୀର୍ଘ ନିଃଶ୍ୱାସ ପକାଇ ଭାବିଲା–ବିଚ୍ଛିନ୍ନାଞ୍ଚଳ କଣ ଆଉ ଫେରିବ ନାହିଁ ? ଏତିକିବେଳେ ମନୋରମା ଡାକିଲେ ବାସନ୍ତୀ । ବାସନ୍ତୀର ସେଥିପ୍ରତି ଲକ୍ଷ୍ୟ ନାହିଁ । ସେ ବୁଡ଼ି ରହିଛି ନିଜର ଭାବନାରେ । ଏହି ଭାବନା ଭିତରେ ଉତ୍ତେଜିତ ହୋଇପଡ଼ି ସେ କହିଲା—ନିଶ୍ଚୟ ଆସିବ । ମନୋରମା ତା ନିକଟକୁ ଯାଇ କହିଲେ— ‘‘ମୁଁ ତ ସେଇକଥା କହୁଛି । ବିଚାରା ଅଜିତକୁ ଜ୍ୱର, ଏକୁଟିଆ କଣ କରୁଛି, କେମିତି ଖାଉଛି–ଯାଇ ତାକୁ ନେଇ ଆସ । ମାତ୍ର ମୋ କଥା ଶୁଣୁନାହିଁ ।’’

 

ବାସନ୍ତୀ ଟିକିଏ ଲଜ୍ଜିତ ହୋଇ କହିଲା—ତୁମେ କଣ ଏଇଆ ବୁଝିଲ । ଆଜିକାର କାଗଜ ଦେଖିଲଣି ଟି’ ? ତାପରେ ସେ କାଗଜଟି ବଢ଼ାଇ ଦେଲା ମନୋରମା ହାତକୁ । ମନୋରମା ସମ୍ବାଦଟି ପଢ଼ି ଧୀର ଭାବରେ କହିଲେ—କାଗଜ କଲମରେ ଯେଉଁ ନିଷ୍ପତ୍ତି ହୁଏ ତାହା ଚରମ ନିଷ୍ପତ୍ତି ହେଇ ନ ପାରେ । ତାହା ହୋଇଥିଲେ ବ୍ରିଟିଶ ସରକାର ଏ ଦେଶରୁ ଚାଲି ଯାଇ ନ ଥାନ୍ତା । ବାସନ୍ତୀ ! ରାଷ୍ଟ୍ରନେତାମାନେ ଆମର ନମସ୍ୟ ହୋଇପାରନ୍ତି, ମାତ୍ର ସେମାନଙ୍କ ଘୋଷଣା ଯେ ପୂରାପୂରି ଠିକ୍ ଏଟା ମାନିନେବାକୁ ଆମକୁ ବାଧ୍ୟ କରିବ କିଏ ? କାଳ୍ପନିକ ବିପଦରୁ ଲୋକମାନଙ୍କୁ ଉଦ୍ଧାର କରିବାପାଇଁ ଜ୍ଞାନୀ ଲୋକମାନେ ଆଇନ କଲେ ହେଁ ଲୋକଙ୍କର ଆଚାର, ବ୍ୟବହାର ଏବଂ ଭାବ ଜ୍ଞାତ ନ ହୋଇ କିମ୍ବା ଆଇନକଲେ ଯାହାକୁ ଲୋକେ ନ ମାନି ବ୍ୟର୍ଥ କରି ପାରିବେ ଏପରି ଆଇନ କରିବାରେ ସଂପଦ ଅପେକ୍ଷା ବିପଦର ମାତ୍ରା ଅଧିକ । ପାଉଁଶରେ ଥିବା ନିଆଁ ପରି କୁହୁଳ କୁହୁଳି ତାହା ଦିନେ ନିଶ୍ଚୟ ଜଳି ଉଠିବ । ପ୍ରାଚ୍ୟ ପାଶ୍ଚାତ୍ୟର ମିଳନ ଯେପରି ଅସମ୍ଭବ, ଓଡ଼ିଶାର ଶିକ୍ଷା ସଂସ୍କୃତି ସେହିପରି ଲୋକ ପାଇବା ମଧ୍ୟ ଅସମ୍ଭବ । ଏକଥା ଆମର ନେତାମାନେ ଦିନେ ନିଶ୍ଚୟ ସ୍ୱୀକାର କରିବେ । ଏଥିପାଇଁ ତ୍ୟାଗ ଓ ସାଧନା ଲୋଡ଼ା !

 

ମନୋରମାର କଥା ଶେଷ ନ ହେଉଣୁ ଜଣେ ପତ୍ରବାହକ ତାଙ୍କ ହାତକୁ ପତ୍ରଟିଏ ବଢ଼ାଇଦେଲା । ପତ୍ର ପଢ଼ି ସେ ବିବ୍ରତ ହୋଇ କହିଲେ—ବାସନ୍ତୀ ! ଅଜିତ ବର୍ତ୍ତମାନ ନିମୋନିଆରେ ପଡ଼ି ଜୀବନ ମରଣର ସନ୍ଧିକ୍ଷଣରେ । ତୁ ଶୀଘ୍ର ପ୍ରସ୍ତୁତ ହ’—ମୁଁ ଲୁଗା ବଦଳାଇ ଆସେ, ସେଠାକୁ ଯିବାକୁ ହେବ ।

 

ସମୟ କାହାରିକୁ ଅପେକ୍ଷା କରେନା । ସେ ତାର ନିଜ କାମ କରିଯାଏ ଅବିଶ୍ରାନ୍ତ ଭାବରେ । ଲିତା ପରେ ଲିତା, ତାପରେ ଦଣ୍ଡ, ଦିନ, ମାସ, ବରଷ ଏହି କ୍ରମରେ ଆଗେଇ ଚାଲେ । କାଲିର ଶିଶୁ ଆଜି ହୁଏ ଯୁବକ । ଆଜି ମଲେ କାଲିକୁ ଦୁଇଦିନ । ଏ କ୍ରମର ବିରାମ ନାହିଁ । ବାସନ୍ତୀର ସେବା ଓ ମନୋରମାର ସ୍ନେହରେ ଅଜିତ ନିମୋନିଆରୁ ମୁକ୍ତ ହେବାର ଏମଧ୍ୟରେ ଦୁଇ ମାସ ବିତିଗଲାଣି । ଦିନକରେ ଏକ ଘୁମନ୍ତ ସନ୍ଧ୍ୟା ଛାତ ଉପରେ ବସିଛି ଅଜିତ୍ । ତା ପାଖକୁ ବସିଛନ୍ତି ବାସନ୍ତୀ ଓ ମନୋରମା । କେଉଁ ଦୂର ରାଇଜରୁ ବହି ଆସୁଛି ଶୀତଳ ପବନ । ମନୋରମା ଅଜିତକୁ ରହସ୍ୟ କରି ପଚାରିଲେ—ଅଜିତବାବୁ ! ଆପଣ ବାସନ୍ତୀ ହାତରୁ ଖାଇଲେ, ଏଥିପାଇଁ ଆପଣଙ୍କୁ ଜାତି ହେବାକୁ ପଡ଼ିବ ନାହିଁ ?

 

ଅଜିତର ସେ କଥା ପ୍ରତି ଲକ୍ଷ୍ୟ ନ ଥାଏ । ସେ ଦେଖୁଥାଏ —ଆକାଶରେ କଳାକେତୁ ତାରା । ପୁରାଣରେ ଅଛି—ବ୍ରହ୍ମାଙ୍କ କନ୍ୟା ପିତାଙ୍କ ଦ୍ୱାରା ଧର୍ଷିତା ହେବା ଭୟରେ ମୃଗୁଣୀ ବେଶରେ ପଳାଇ ଯାଉଛି, ବ୍ରହ୍ମା ମୃଗ ବେଶରେ ଧାଇଁଛନ୍ତି ପଛରେ । ମୃଗୁଣୀର କାତର ଆହ୍ୱାନରେ ଧର୍ମଙ୍କର ଆସନ ଟଳିଲା । ମୃଗୁଣୀକୁ ରକ୍ଷାକରିବ ପାଇଁ ସେ ଶିବଙ୍କୁ ଆହ୍ୱାନକଲେ । ଶିବ ‘କାଳକେତୁ’ ଶବର ବେଶରେ ଧନୁରେ ତୀର ଯୋଚି ଲକ୍ଷ୍ୟ କରିଛନ୍ତି ମୃଗକୁ ବଧ

 

କରିବା ପାଇଁ—କଟୀରେ ଖଡ଼୍‍ଗ । ଧର୍ମ ଶ୍ୱାନ ରୂପରେ ପଥ ପ୍ରଦର୍ଶକ ଭାବେ କାଳକେତୁର ଆଗରେ ଚାଲିଛି ।

 

ମନୋରମା ପୁଣି ପଚାରିଲେ—କଣ ଏପରି ଭାବୁଛ ଅଜିତବାବୁ ?

 

ଅଜିତ ସଂକ୍ଷେପରେ ଉତ୍ତରଦେଲା—‘କାଳକେତୁ’ ।

 

ମନୋରମା କହିଲେ—ହଁ, ଅଜିତବାବୁ । ଶକ୍ତିର ରକ୍ଷା ପାଇଁ ଶିବ ଆବିର୍ଭୂତ ହୁଅନ୍ତି । ସେତେବେଳେ ତାଙ୍କର ପଥ ପ୍ରଦର୍ଶକ ହୁଅନ୍ତି ଧର୍ମ । ଏହି କାରଣରୁ ଶାସ୍ତ୍ରକାରମାନେ ଗୃହସ୍ଥ ଧର୍ମକୁ ଶ୍ରେଷ୍ଠଧର୍ମ ବୋଲି ଆଖ୍ୟା ଦେଇଛନ୍ତି । ଏ ଭୂମି କର୍ମଭୂମି—ଏଠାରେ କର୍ତ୍ତବ୍ୟ ହିଁ ମଙ୍ଗଳମୟ ଏବଂ ନାରୀହିଁ ପ୍ରେରଣା ବା ଶକ୍ତି । ଏହି ଶକ୍ତିର ରକ୍ଷା କରିବାପାଇଁ ପୁରୁଷର ସାହାଯ୍ୟ ଆବଶ୍ୟକ ପଡ଼େ । ନାରୀ ପୁରୁଷର ମିଳନରେ ସଂସାରର ସ୍ତ୍ରୀ-ସ୍ୱାମୀ, ବନ୍ଧୁ ବାନ୍ଧବ, ମାୟା ମମତାର ଜାଲ ଗଢ଼ିଉଠେ । ତେଣୁ ଏ କ୍ଷେତ୍ରରେ ଧର୍ମହିଁ ଏକ ମାତ୍ର ସାକ୍ଷୀ ।

 

ହଠାତ୍ ପୂର୍ବ ଆକାଶରେ ଏକ ଧୂମକେତୁ ଦେଖାଦେଲା । ବାସନ୍ତୀ ବଡ଼ ପାଟିରେ କହିଲା—ହେଇଟି ‘ଧୂମକେତୁ’ । ପଛଆଡ଼ୁ ଶୁଭିଲା—ହଁ, ହଁ, ମୁଁ ବାସ୍ତବରେ ଧୂମକେତୁ ବାସନ୍ତୀ ! ସମସ୍ତେ ପଛକୁ ଚାହିଁ ଚମକି ପଡ଼ିଲେ । ବାସନ୍ତୀ ହଠାତ୍ ଉଠିପଡ଼ି କହିଲା—ଭାଇ....... । ଡାକ୍ତର ମୃଦୁ ମୃଦୁ ହସି ଆଗେଇ ଆସିଲେ । ବାସନ୍ତୀ ତାଙ୍କର ଚରଣ ଛୁଇଁ ପ୍ରଣାମକଲା । ତା ପଛେ ପଛେ ମନୋରମା ଓ ଅଜିତ ମଧ୍ୟ ଚେୟାର ଛାଡ଼ି ଡାକ୍ତରଙ୍କୁ ପ୍ରଣାମ କଲେ ।

 

ଡାକ୍ତର ପଚାରିଲେ—ଅଜିତବାବୁ ! ଭଲରେ ଅଛନ୍ତି ତ ?

 

ଅଜିତ ଉତ୍ତରଦେଲା—ହଁ ।

 

ଡାକ୍ତର କହିଲେ—ବେଶ୍ ଉତ୍ତମ । ସମସ୍ତେ ତଳକୁ ଆସ । ମୋର କେତୋଟି କଥା କହିବାର ଅଛି ।

 

ସମସ୍ତେ ତଳକୁ ଆସିଲେ ।

 

ଡାକ୍ତର କହିଲେ—ବର୍ତ୍ତମାନ କୋରାପୁଟରେ ଭୀଷଣ ଓଡ଼ିଆ ବିଦ୍ୱେଷ ଦେଖାଦେଇଛି-। ଓଡ଼ିଶା ସରକାରଙ୍କ ଦୁର୍ବଳତାର ସୁଯୋଗନେଇ କେତେକ ଉଚ୍ଚ କର୍ମଚାରୀ କଳେ ବଳେ କୌଶଳେ ଦକ୍ଷିଣ ଓଡ଼ିଶା ଗ୍ରାସ କରିବାକୁ ବସିଲେଣି । ଏଥିପାଇଁ ସେଠାରେ ଓଡ଼ିଆ କର୍ମଚାରୀମାନେ ନିର୍ଯ୍ୟାତୀତ ହେଉଛନ୍ତି ଏବଂ ତା ସଙ୍ଗେ ସଙ୍ଗେ ଓଡ଼ିଆ ସ୍କୁଲ ମଧ୍ୟ ବନ୍ଦ କରି ଦିଆଯାଇଛି । ସ୍ଥାନୀୟ ଅଧିବାସୀ ଜୁଆଙ୍ଗ, ପରଜା, ହୋ, ଗଦବା, ଶବର ଓ କୋହ୍ଲମାନଙ୍କୁ ଓଡ଼ିଆଙ୍କ ବିରୁଦ୍ଧରେ ମତା ଯାଉଛି । ଓଡ଼ିଶା ସରକାର ମହାଭାରତୀୟ ଭାବରେ ଉଦ୍‍ବୁଦ୍ଧ । କେହି ଏ ଦିଗରେ ତତ୍ପରତା ପ୍ରକାଶ କରୁ ନାହାନ୍ତି । ତେଣୁ ଯେ କୌଣସି ଉପାୟରେ ମୋତେ ସେଠାକୁ ଯିବାକୁ ପଡ଼ିବ ।

 

ଅଜିତ ନିରବରେ କେବଳ ତାଙ୍କ କଥା ଶୁଣିବାରେ ଲାଗିଲା ଡାକ୍ତରବାବୁ ପୁଣି କହିଲେ–ଅଜିତବାବୁ, ମୋର ସ୍ୱପ୍ନ ସାର୍ଥକ ହୋଇଛି । ଆପଣ ଫେରିଆସିଛନ୍ତି ଦେଖି ଖୁସି ହେଲି-। ଆପଣ ସଭ୍ୟ ଓ ଶିକ୍ଷିତ । ଏଣୁ ମୋର ଆପଣଙ୍କୁ ବିଶେଷ କିଛି କହିବାର ନାହିଁ । କେବଳ ଏତିକି ଅନୁରୋଧ—ଆପଣ ଏଠାକାର ସଂଗଠନର ଦାୟିତ୍ୱନେଲେ ମୁଁ ନିଶ୍ଚିନ୍ତ ହେବି । ମୁଁ ଏତେଦିନ ପରେ ମୋର ପଥ ବଦଳାଇ ଦେଇଛି । ବର୍ତ୍ତମାନ ମୋର ଦୃଢ଼ ଧାରଣା ହୋଇଛି ଯେ, ହିଂସାତ୍ମକ ବିପ୍ଲବର ପଥହିଁ ଧ୍ୱଂସର ପଥ । ଆମକୁ ଶାନ୍ତିର ମାର୍ଗ ଧରିବାକୁ ହେବ । ଦେଶର ଗ୍ରାମେ ଗ୍ରାମେ, ଘରେ ଘରେ ବୁଲି ‘ଚ୍ଛିନ୍ନମସ୍ତା’ ଉତ୍କଳ ଜନନୀର କରୁଣ କ୍ରନ୍ଦନ ଲୋକଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ମନରେ ଅସନ୍ତୋଷ ଜାଗ୍ରତ କରାଇବାକୁ ପଡ଼ିବ । ଏହି ଅସନ୍ତୋଷ ମାଧ୍ୟମରେ ସେମାନେ ତାଙ୍କର ଦାବୀ ଜାଣିପାରିବେ ଏବଂ ତାହାହିଁ ଆମର ଉଦ୍ଦେଶ୍ୟ ସାଧନରେ ସହାୟକ ହେବ । ଏଥିପାଇଁ ଅବଶ୍ୟ କଠୋର ସାଧନା ଆବଶ୍ୟକ । ସମଗ୍ର ଓଡ଼ିଶାକୁ ନିଜର ପରିବାର ବୋଲି ମନେ କରିବା ଏ ସାଧନାରେ ସିଦ୍ଧି ଲାଭ କରିବାର ଏକମାତ୍ର ଉପାୟ ।

 

ଡାକ୍ତରବାବୁ ନିରବ ହେଲେ । ମନୋରମା, ବାସନ୍ତୀ ଓ ଅଜିତ ମନ୍ତ୍ର ମୁଗ୍‍ଧ ଶ୍ରୋତା ଭଳି ତାଙ୍କର ଉପଦେଶ ଶୁଣୁ ଥାଆନ୍ତି । କାହାରି ମୁହଁରେ କଥା ନାହିଁ । କେତେ ସମୟ ପରେ ଅଜିତ ଏକ ଦୀର୍ଘ ନିଶ୍ୱାସ ପକାଇ କହିଲା—ଡାକ୍ତରବାବୁ ! ମାଆଙ୍କ ମୃତ୍ୟୁ ପରେ ମୁଁ ମୋର ସମସ୍ତ ଶକ୍ତି ହରାଇ ବସିଛି । ଏ କ୍ଷୀଣ ଶକ୍ତିରେ ଏପରି ମହାନ୍ ସାଧନା କରିବା କ’ଣ ମୋ ପକ୍ଷେ ସମ୍ଭବ ହେବ ?

 

ଡାକ୍ତର ଗମ୍ଭୀର ଭାବରେ ଉତ୍ତର ଦେଲେ—ଅଜିତବାବୁ ! ଶକ୍ତି କାହାର କ୍ଷୀଣ ନୁହେଁ । ଆପଣ ମନରୁ ଦୁର୍ବଳତା ତ୍ୟାଗ କରନ୍ତୁ । ମନର ଦୁର୍ବଳତାହିଁ ଶକ୍ତିର କ୍ଷୀଣତା ଜଣାଏ । ସେଦିନ ଗାନ୍ଧିଜୀ ସାବରମତିରେ କହୁଥିଲେ—‘‘ବାରିଷ୍ଟରୀ ପାଶପରେ ମୋର ପ୍ରାକ୍ଟିସ ନ ଚଳିବାରୁ ଲୋକ ମୋତେ ଯେପରି ଉପହାସ କଲେ, ସେଥିରେ ମୁଁ ଯଦି ମୋର ମନର ବଳ ହରାଇ ବସିଥାଆନ୍ତି ତେବେ ଆଜି ହୁଏତ ଗୋଟିଏ ଚାକିରିଆ ହୋଇ ଜୀବନ ଯାପନ କରୁଥାଆନ୍ତି ଏବଂ ମାତୃ ସ୍ନେହରୁ ବଞ୍ଚିତ ହୋଇଥାଆନ୍ତି ।

 

ଅଜିତ ବାବୁ ! ଆପଣ ଯେଉଁ ମାଆକୁ ହରାଇ ଆଜି ମ୍ରିୟମାଣ ହୋଇପଡ଼ିଛନ୍ତି ସେ ମରଭୂଇଁର ମାଆ । ମାତ୍ର କର୍ମ ଭୂଇଁର ମାଆ ଆଉ ଜଣେ ଅଛନ୍ତି, ସେ ହେଉଛନ୍ତି ‘ମାତୃଭୂମି’ । କାନ୍ଥରେ ଥିବା ଓଡ଼ିଶାର ମାନଚିତ୍ରଟି ଦେଖାଇ ପୁଣି କହିଲେ—ଏଇ ଦେଖନ୍ତୁ—ଯେଉଁ ମାଆପାଇଁ ଆପଣ ଆଜି ପାଗଳ—ସେ ମାଆ ଆପଣଙ୍କ ସମ୍ମୁଖରେ । ତାଙ୍କର ମୁଣ୍ଡନାହିଁ, ହସ୍ତନାହିଁ, ପଦନାହିଁ-। ବଙ୍ଗଳା, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ରକାଟି ନେଇଛନ୍ତି । ଏସବୁ ସଂଯୋଗକରି ଆପଣଙ୍କୁ ପୁଣ୍ୟମୟୀ ମାଆର ଦର୍ଶନ କରିବାକୁ ପଡ଼ିବ । ଏ କାର୍ଯ୍ୟରେ ଆପଣଙ୍କର ପଥ ପ୍ରଦର୍ଶକ ହେବ ମନୋରମା । ତାଙ୍କ ପଛରେ ତୁମେ ଓ ବାସନ୍ତୀ ଦୁଇଜଣ ହାତ ଧରା ଧରି ହୋଇ ଶାନ୍ତିପଥର ଯାତ୍ରୀ ହେବ—ଏତିକି ମୋର କାମନା !

 

ଅଜିତ ଉପରକୁ ଅନାଇ କଣ ଭାବୁଥିଲା । ତାର ମନେ ହେଲା—ଯେପରି ଏ ବିଶ୍ୱବ୍ରହ୍ମାଣ୍ଡ ଅନନ୍ତ ପଥରେ ତୀର ବେଗରେ ଛୁଟିଛନ୍ତି । ଚାରିଆଡ଼ ଅନ୍ଧାର । ସେହି ଅନନ୍ତ ପଥରେ, ଅନିର୍ଦ୍ଦିଷ୍ଟ ଭାବରେ ସେ ଆଗେଇ ଚାଲିଛନ୍ତି ଆଗରୁ... ଆଗକୁ । ସହସ୍ର ସହସ୍ର ଉଲ୍‍କାପିଣ୍ଡ ତାଙ୍କର ପଥରୋଧ କରି ଧାଇଁ ଆସୁଛନ୍ତି ତାଙ୍କୁ ଗ୍ରାସ କରିବାପାଇଁ । ସେ ନିଜର ଅଜାଣତରେ କହିପକାଇଲେ—ଓଃ କି ଦୁର୍ଗମ ପଥ..... ।

 

କଥା ଶେଷ ନ ହେଉଣୁ ଡାକ୍ତରବାବୁ କହିଲେ....ହଁ, ଅଜିତବାବୁ, ଏ ପଥ ବାସ୍ତବରେ ଦୁର୍ଗମ । ଏ ପଥରେ ଚାଲିବାକୁ ହେଲେ ଆତ୍ମବିଶ୍ୱାସ ଓ ନୈତିକ ଶକ୍ତିର ଆବଶ୍ୟକ । ଏ ପଥରେ ଶହ ଶହ ସ୍ୱାର୍ଥନ୍ୱେଷୀ, ଆତ୍ମକୈନ୍ଦ୍ରିକ ବ୍ୟକ୍ତି ତୁମର ପଥ ଅଟକାଇ ଠିଆହେବେ । ତୁମକୁ କର୍ତ୍ତବ୍ୟ ପଥରୁ ବିଚ୍ୟୁତ କରିବାକୁ ମରଣପଣ କରି ଉଦ୍ୟମ କରିବେ । ତୁଚ୍ଛ ଆତ୍ମପ୍ରତିଷ୍ଠା ଓ ସମ୍ମାନ ଲାଭ ପାଇଁ ହଜାର ହଜାର ବ୍ୟକ୍ତି ତୁମ ଆଗରେ ପାହାଡ଼ ପ୍ରମାଣ ଲାଭ ପାଇଁ ହଜାର ହଜାର ବ୍ୟକ୍ତି ତୁମ ଆଗରେ ପାହାଡ଼ ପ୍ରମାଣ ବାଧା ଠିଆ କରାଇ ଆଗୁଳି ରଖିବେ । ତୁମକୁ ପାଗଳ ବୋଲି ଘୋଷଣା କରି ଜନତା ଆଗରେ ପ୍ରଗତି, ଯୋଜନା ଓ ମହାଭାରତୀୟ ଭାବଧାରାର ଭୋଜବାଜି ଦେଖାଇ ବିଭ୍ରାନ୍ତ କରିବେ । ହୁଏତ ଏପରି ଦିନ ଆସିବ–ଯେତେବେଳେ କର୍ତ୍ତବ୍ୟ ପଥରେ ଅଗ୍ରସର ହେଉଁ ହେଉଁ ପଛରେ କାହାକୁ ଦେଖିବାକୁ ପାଇବ ନାହିଁ; ଅଥଚ ଆଗରେ ତୁମର ଦୁର୍ଲଂଘ୍ୟ ଗିରିପଥ । ତାହା ଅତିକ୍ରମ କରିବାପାଇଁ ସ୍ଥିର ନିଶ୍ଚିତ ହେଲେ ଜାଣିପାରିବ–ଉପରେ ଚନ୍ଦ୍ର ତାରାକିତ ନୀଳ ଆକାଶ ଓ କୋଟି କୋଟି ଗ୍ରହ ନକ୍ଷତ୍ର ତୁମକୁ ଆଶୀର୍ବାଦ କରୁଛନ୍ତି ଏବଂ ସର୍ବଂସହା ଧରଣୀ ତୁମର ବିଜୟରେ ଉତ୍‍ଫୁଲ୍ଲ ହୋଇ ଉଠିଛି । ସେତେବେଳେ ଉତ୍କଳମଣିଙ୍କ ବାଣୀ ମନେ ପକାଇ ତୁମେ ବଜ୍ର ନିର୍ଘୋଷରେ ଗାନ କରିବ—

 

‘‘ଶତ ଶଶୀ ବଳି ଶୋଭା

କି ବିଚିତ୍ର ମନ ଲୋଭା

କିପରି ଏହାର ଆଶା ଛାଡ଼ିବି ମୁଁ ନର ।

ଗଲେ ଯାଉ ପଛେ ଜୀବ

ଯାହାହେବ ଦେଖାଯିବ

ଗିରି ଶିଖେ ଲୟ ରଖି ଚାଲିବି ମୁକଉ ।’’

 

ଠିକ୍ ଏହାପରେ ତୁମ ହୃଦୟରେ ଅପୂର୍ବ ଦୃଢ଼ତା ଆସିଯିବ । ତୁମେ ‘ମୁକ୍ତିର ଆହ୍ୱାନ’ ଦେଇ ଅଗ୍ରସର ହେଲେ ଦେଖିବ, ସମସ୍ତ ବାଧା ବିପତ୍ତି ମୁହୂର୍ତ୍ତକରେ ଧୂଳିସାତ୍ ହୋଇ ଯାଉଛି ।

 

ଡାକ୍ତରବାବୁ କିଛି ସମୟ ନିରବ ରହି ପୁଣି କହିଲେ—ଆଉ ସମୟ ନାହିଁ । ମୋତେ ଏବେ ବିଦାୟ ଦିଅ ।

 

ବାସନ୍ତୀ ପଚାରିଲା—ଭାଇ ! ତୁମେ ତ ଚାଲିଯାଉଛ, ଆମେ କଣ କରିବୁ କହିଗଲ ନାହିଁ ?’’

 

ଡାକ୍ତରବାବୁ ମୃଦୁ ମୃଦୁ ହସି ଉତ୍ତର ଦେଲେ— ‘‘ତୋତେ ଏବଂ ମନୋରମାକୁ ମୋର କିଛି କହିବାର ନାହିଁ । ତୁମେ ଦୁଇଜଣ ଚିର ଦୁଃଖ, ଅପମାନ ଓ ଲାଞ୍ଛନାକୁ ବରଣ କରି ଆଗେଇ ଆସିଛ । ଏ ଦୁନିଆ ତୁମକୁ ଦେଇଛି–ଦୁଃଖର ହଳାହଳ । ମାତ୍ର ତୁମେ ତାହା ହସ ହସ ମୁହଁରେ ନୀଳକଣ୍ଠଙ୍କପରି ପାନ କରି ସେହି ଦୁଃଖ ମାଧ୍ୟମରେ ସୁଖକୁ ଟାଣି ଆଣିଛ । ତୁମକୁ ଆଉ କଣ କହିବି ? ବାସନ୍ତୀ ଜୀବନ ଓ ଯୌବନର ଆରମ୍ଭରେ ତୁ ଯେତେବେଳେ ସମସ୍ତ ସୁଖ ଓ ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଜନତାର ସେବାପାଇଁ ଶପଥ ନେଇଛୁ, ସେତେବେଳେ ମୁଁ ତୋତେ ତୋ ପଥରୁ ଫେରାଇ ଆଣିବି ନାହିଁ । କେବଳ ଏତିକି କହିବି–ତୁ ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ୟରେ ରୋଗୀମାନଙ୍କର ଭଉଣୀ ହୋଇ ସେମାନଙ୍କୁ ଖାଇବାକୁ ଦେଇଛୁ, ସାନ୍ତ୍ୱନା ଦେଇଛୁ, ଏବଂ ସେମାନଙ୍କ ସେବାରେ ନିଜକୁ ହଜାଇ ଦେଇଛୁ । ବର୍ତ୍ତମାନ ତୋର ଏ କର୍ତ୍ତବ୍ୟର ପରିସର ବଢ଼ାଇ ଦେଇ ନିଜକୁ ଦେଶସେବିକା ବୋଲି ମନେ କର । ଓଡ଼ିଶାର ଦୀନ ଦରିଦ୍ର କୁଟୀରବାସୀଠାରୁ ଆରମ୍ଭ କରି ପ୍ରସାଦ ବାସୀ ଧନିକ ପର୍ଯ୍ୟନ୍ତ ସମସ୍ତେ ତୋର ଭାଇ ଓ ଭଉଣୀ । ସେଇମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କର । ଆଉ ମନୋରମା ବାଘୁଣୀ ନିଜର ପ୍ରାଣକୁ ବିପନ୍ନ କରି ଯେପରି ଶାବକମାନଙ୍କୁ ଅନ୍ୟାନ୍ୟ ଜୀବଜନ୍ତୁଙ୍କ କବଳରୁ ରକ୍ଷା କରେ, ସେହିପରି ତୁମ ଦୁହିଁଙ୍କୁ ଆବୋରି ରଖୁ । ଏହା ହିଁ ମୋର ଶେଷ ନିର୍ଦ୍ଦେଶ ।

 

ଡାକ୍ତରବାବୁ ଯିବାପାଇଁ ଉଠି ଠିଆ ହେଲେ । ବାସନ୍ତୀ ଓ ଅଜିତ ତାଙ୍କର ଚରଣ ସ୍ପର୍ଶକରି ପ୍ରଣାମ କଲେ ! ଡାକ୍ତରବାବୁ ଦୁଇଜଣଙ୍କ ମୁଣ୍ଡରେ ହାତ ରଖି କହିଲେ—ମୁଁ ଯେଉଁ ପଥରେ ଯାଉଛି ହୁଏତ ସେ ପଥରୁ ଆଉ ଫେରି ଆସି ନ ପାରେ !! ମାତ୍ର ତୁମେ ଦୁଇ ଜଣ ‘‘ଚ୍ଛିନ୍ନମସ୍ତା’’ ଉତ୍କଳ ଜନନୀର ପୂର୍ବ ଗୌରବ ଫେରାଇ ଆଣି ତାଙ୍କୁ ସୁଜଳା ସୁଫଳା କରି ଗଢ଼ିବ—ଏଇ ଆଶା ଓ ବିଶ୍ୱାସ ନେଇ ଯାଉଛି ।

 

ଡାକ୍ତରବାବୁ ଚାଲିଗଲେ । ତିନିଜଣ ଯାକ ନିରବ ନିସ୍ପନ୍ଦ ଭାବରେ ଚାହିଁ ରହିଲେ ତାଙ୍କର ଚଲା ପଥକୁ ।

 

ଠିକ୍ ଏତିକିବେଳେ ଦୂରେ.... ବହୁଦୂରେ.... ନିଶିଥର ଅନ୍ଧକାର ଭେଦ କରି ଭାସିଆସିଲା ଏକ କରୁଣ ସଂଗୀତ । ବାଟୋଇଟିଏ ପଥର ନିର୍ଜ୍ଜନତା ଭଙ୍ଗ କରିବା ପାଇଁ ସ୍ୱର ଲହରରେ ତୋଳିଛି ‘ମୁକ୍ତିର ଆହ୍ୱାନ’ ।

 

ବାସନ୍ତୀ ମନୋରମା ଓ ଅଜିତ ସେ ଆହ୍ୱାନରେ ପ୍ରସ୍ତର ପ୍ରତିମାପରି ଠିଆ ହୋଇ ରହିଲେ । କାହାରି ମୁହଁରେ କଥା ନାହିଁ । ଶବ୍ଦଟି କ୍ରମେ କ୍ରମେ ଅସ୍ପଷ୍ଟ ହୋଇଗଲା ।

 

ହଠାତ୍ ଦମକାଏ ଥଣ୍ଡା ପବନ ବହିଆସି ବତୀଟି ଲିଭାଇ ଦେଲା । ଅଜିତ୍ ଚେତନା ଫେରିପାଇ ଦୀର୍ଘ ନିଃଶ୍ୱାସ ପକାଇ କହିଲା—‘‘ବିଦାୟ ଦୁର୍ଦ୍ଦିନର ବନ୍ଧୁ ।’’

 

ବାସନ୍ତୀ କହିଲା—ନାଁ ମୁକ୍ତିର ଦେବତା ।

 

ମାତ୍ର ମନୋରମା ଆଖିରୁ ଝରି ପଡ଼ିଲା—

 

ଦୁଇଟୋପା ଲୁହ ।

Image